ଜାମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ କାଳ ୬ ମାସ ବୃଦ୍ଧି ପ୍ରସ୍ତାବକୁ ଟିଏମସି ଓ ବିଜେଡିର ସମର୍ଥନ
ନୂଆଦିଲ୍ଲୀ : ରାଜ୍ୟସଭାରେ ସୋମବାର ଜାମ୍ମୁ ଏବଂ କାଶ୍ମୀରରେ ରାଷ୍ଟ୍ରପତିଙ୍କ ଶାସନ ଆଉ ୬ ମାସ ବୃଦ୍ଧି କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ଟିଏମସି ଓ ବିଜେଡି ସମର୍ଥନ ଦେଇଛନ୍ତି। ଏହାସହ ଜାମ୍ମୁ କାଶ୍ମୀର ସଂରକ୍ଷଣ ଅଧିନିୟମ ୨୦୦୪ରେ ସଂଶୋଧନ ପାଇଁ ରାଜ୍ୟସଭାରେ ଆଗତ ବିଧେୟକକୁ ଏହି ଦୁଇ ଦଳ ସମର୍ଥନ ଜଣାଇଛନ୍ତି। ଏହି ସଂରକ୍ଷଣ ବିଲ୍ ପୂର୍ବରୁ ଲୋକସଭାରେ ପାରିତ ହୋଇସାରିଛି।
ଟିଏମସି ସାଂସଦ ଡେରେକ ଓବ୍ରାଏନ ଏହି ବିଲକୁ ସମର୍ଥନ ଦେଇ କହିଥିଲେ ଯେ ଭାରତୀୟଙ୍କ ସ୍ୱାର୍ଥ ଦୃଷ୍ଟିରୁ ଆମେ ଏହି ବିଲ ଓ ରାଷ୍ଟ୍ରପତି ଶାସନ କାଳ ଆଉ ୬ ମାସ ବୃଦ୍ଧି କରିବା ପାଇଁ ସମର୍ଥନ ଜଣାଉଛୁ। ଏହି ବିଲରେ ଅନ୍ତର୍ଜାତୀୟ ସୀମାର ୧୦ କିଲୋମିଟର ପରଧି ମଧ୍ୟରେ ରହୁଥିବା ଜାମ୍ମୁ କାଶ୍ମୀର ଲୋକଙ୍କ ପାଇଁ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୩% ସଂରକ୍ଷଣ ବ୍ୟବସ୍ଥା ରହିଛି। ଅମିତ ଶାହା ଲୋକସଭାରେ କହିଛନ୍ତି ଯେ ବାରମ୍ବାର ଉତ୍ତେଜନା କାରଣରୁ ଅନ୍ତର୍ଜାତୀୟ ସୀମାବର୍ତ୍ତୀ ଲୋକମାନେ ସାମାଜିକ, ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ହୋଇଯାଇଛନ୍ତି। ତେଣୁ ସରକାର ପ୍ରକୃତ ନିୟନ୍ତ୍ରଣ ରେଖା (ଏଏଲଓସି)ରେ ରହୁଥିବା ଲୋକଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି।
Comments are closed.