କନ୍ଦାଉଛି ପିଆଜ – ସ୍ମୃତିରେ ସରକାରୀ ଶୀତଳଭଣ୍ଡାର : ୮ ଟଙ୍କା ଦରରେ କ୍ଷତିପୁରଣ ପାଇଥିବା ଚାଷୀ ଏବେ ୯୦ ଟଙ୍କାରେ କିଣୁଛୁ

ଟିଟିଲାଗଡ଼ : ପିଆଜ ଉତ୍ପାଦନରେ ଟିଟିଲାଗଡ ଉପଖଣ୍ଡର ଚାଷୀ ମହାରାଷ୍ଟ୍ର ରାଜ୍ୟର ନାସିକକୁ ଟକ୍କର ଦେଇ ଚାଲିଛନ୍ତି। ଉପଖଣ୍ଡ ଅଞ୍ଚଳରେ ପ୍ରାୟ ୧ ହଜାର ହେକ୍ଟରରୁ ଊର୍ଦ୍ଧ୍ବ ଚାଷ ଜମିରେ ପିଆଜ ଅମଳ ହେଉଛି। ବାର୍ଷିକ ୧ ଲକ୍ଷ ୫୦ ହଜାର କ୍ୱିନ୍ଟାଲ ପିଆଜ ଟିଟିଲାଗଡ ଉପଖଣ୍ଡର ଚାଷୀ ଉତ୍ପାଦନ କରୁଛନ୍ତି। ଏପରିସ୍ଥିତିରେ ଟିଟିଲାଗଡ ଅଞ୍ଚଳରେ ବଜାରରେ ପିଆଜ ଦର କେଜି ପ୍ରତି ୯୦ ଟଙ୍କାକୁ ଛୁଇଁ ସାଧାରଣ ଜନତାଙ୍କ ପାଇଁ ଅଛୁଆଁ ହେବା ଆଲୋଚନାର ବିଷୟ ହୋଇଛି। ଉପଖଣ୍ଡ ଅ଼ଞ୍ଚଳରେ ବ୍ୟାପକ ପିଆଜ ଉତ୍ପାଦନ ହେଉଥିବା ସ୍ଥଳେ କୌଣସି ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀ ଅମଳ ପରେ ଶାଗ ମାଛ ଦରରେ ବିକ୍ରୟ କରିବାକୁ ବାଧ୍ୟ ହେଉଛନ୍ତି। ଏନେଇ ରାଜ୍ୟ ବାହାରର ଚାଷୀ ଟିଟିଲାଗଡ ଅଞ୍ଚଳରୁ ପିଆଜ ଅମଳ ସମୟରେ ୭/୮ ଟଙ୍କା ଦରରେ କିଣି ନେଇ ନିଜ ଅଞ୍ଚଳର ଶୀତଳଭଣ୍ଡାରରେ ରଖି ପରେ ଅଭାବି ସମୟରେ ବଜାରକୁ ଛାଡି ବେଶ ମୁନାଫା ଅର୍ଜନ କରୁଥିବା ଅଭିଯୋଗ ହୋଇଛି। ଏନେଇ ଯେଉଁଠି ପିଆଜ ଉତ୍ପାଦନ ହେଉଛନ୍ତି, ସେଠାକାର ବଜାରରେ ଦର ଆକାଶ ଛୁଇଁଥିବାରୁ ଖାଉଟିଙ୍କୁ ହନ୍ତସନ୍ତ ହେବାକୁ ପଡ଼ୁଛି।

ଏପରିପ୍ରେକ୍ଷିରେ ଗତ ୧୦ ନଭେମ୍ବର ୨୦୧୬ରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ସ୍ୱର୍ଗତ ସରକାରୀ ଶୀତଳଭଣ୍ଡାରର କଟୁ ସ୍ମୃତି ଏଯାଏ ଅପାସୋରା ରହିଥିବା ଚାଷୀ ପରିବାର କହନ୍ତି। ଡିସେମ୍ବର ୨୦୧୨ରେ ବିଜେଡି ସରକାରରେ ତତ୍କାଳୀନ ମନ୍ତ୍ରୀ ଅନଙ୍ଗଉଦୟ ସିଂଦେଓ ଏହି ଶୀତଳଭଣ୍ଡାରର ଲୋକାର୍ପଣ କରି ପିଆଜ ଚାଷୀଙ୍କ ଦୁଃଖ ଲାଘବ ହେବ ବୋଲି ପ୍ରତିଶୃତି ଦେଇଥିଲେ। ପେକ ହାଉସରେ ୫୦୦ ମେଟ୍ରିକ ଟନ ପିଆଜ ଏବଂ ୪୦୦ ମେଟ୍ରିକ ଟନ ପନିପରିବା, ଫଳ ଇତ୍ୟାଦି ସଂରକ୍ଷଣ ବ୍ୟବସ୍ଥା କରାଯାଇଥିବା ସରକାରୀ ଅଧିକାରୀ ଘୋଷଣା କରିଥିଲେ। ଉତ୍ସାହିତ ଚାଷୀ ମେ ୨୦୧୭ରେ ସେମାନଙ୍କ ପ୍ରାୟ ୧୮୭୪ କ୍ୱିନ୍ଟାଲ ଅମଳ ପିଆଜ ପେକ ହାଉସରେ ସଂରକ୍ଷିତ ରଖିଥିଲେ। ତେବେ ଦିନ କେଇଟାରେ ସଂରକ୍ଷିତ ପିଆଜ ସବୁ ଗଜା ହେବା ସହ ପଚି ସଢି ଯିବାକୁ ଆରମ୍ଭ ହୋଇଥିଲା। ଏନେଇ ପ୍ରାୟ ୮୦ ଲକ୍ଷ ଟଙ୍କାର ସଢା ପିଆଜ ଆଖପାଖ ଗ୍ରାମର ପରିବେଶକୁ ଦୁର୍ଗନ୍ଧମୟ କରିଦେଇଥିବା ବେଳେ ସେ ସବୁକୁ ପ୍ରଶାସନ ପକ୍ଷରୁ ପେକ ହାଉସ ପରିସରରେ ବଡବଡ ଗାତ ଖୋଲି ପୋତିଦେବାକୁ ପଡିଥିଲା। ଆନୁସାଙ୍ଗିକ ଯନ୍ତ୍ରପାତି ଖଞ୍ଜାନଯିବା, ଅତ୍ୟନ୍ତ ନିମ୍ନମାନର ନିର୍ମାଣ କାର୍ଯ୍ୟ, ଯନ୍ତ୍ରପାତି ବ୍ୟବହାର ଯୋଗୁଁ ପିଆଜ ନଷ୍ଟ ହୋଇଥିବା ଚାଷୀ ଟିଟିଲାଗଡ ଉପଜିଲାପାଳଙ୍କ ଠାରୁ ଆରମ୍ଭ କରି ବଲାଙ୍ଗିର ଜିଲାପାଳ, ରାଜ୍ୟ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ, ଆପିକଲ ଏମଡି, ନାବାର୍ଡ ଅଧିକାରୀ, କେବିକେ ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କ ଠାରେ ଗୁହାରି ହୋଇଥିଲେ।

prayash

ଏପରିକି ନିୟମ ମୁତାବକ ସଂରକ୍ଷିତ ରହିଥିବା ଚାଷୀଙ୍କ ଅମଳକୁ ବିମାଭୁକ୍ତ କରାଯାଇନଥିବାରୁ କୌଣସି ଉପଯୁକ୍ତ ସହାୟତା ମିଳିଲା ନାହିଁ। ଏନେଇ ଚାଷୀ ବର୍ଷବର୍ଷ ଧରି ଧାଁଦୌଡ କରିବା ପରେ ଉଦ୍ୟାନ କୃଷି ବିଭାଗ ନିର୍ଦ୍ଦେଶକ ଚାଷୀ ପ୍ରତିନିଧିଙ୍କୁ ଭୁବନେଶ୍ୱର ଡାକି କେଜି ପ୍ରତି ୮ ଟଙ୍କା ଦରରେ କ୍ଷତିପୁରଣ ନେବାକୁ ବାଧ୍ୟ କରିଥିଲେ। ଅପରପକ୍ଷରେ ଉକ୍ତ ରାଶି ମଧ୍ୟ ଏଯାବତ ସମ୍ପୁର୍ଣ୍ଣ ଭାବରେ ମିଳିପାରିନଥିବା କ୍ଷତିଗ୍ରସ୍ତ ଚାଷୀ ପିତାମ୍ବର ବେହେରା, ଶାନ୍ତ ପାତ୍ର ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଶୀତଳଭଣ୍ଡାର ନିର୍ମାଣ ନେଇ ଉପଖଣ୍ଡ ଅଞ୍ଚଳରେ ଉତ୍ସାହିତ ଚାଷୀ ଉଦ୍ୟାନ କୃଷି ବିଭାଗର ପ୍ରୋତ୍ସାହନରେ ଫାରମର୍ସ ପ୍ରଡ୍ୟୁସର ଗୃପ ନାମରେ ସଂଗଠନ ଗଠନ ସହ ଅନେକ ସ୍ୱପ୍ନ ବୁଣିଥିଲେ। ହେଲେ ସରକାରି ତଂଚକତା ନେଇ ପ୍ରଡ୍ୟୁସର ଗୃପରେ ସାମିଲ ଶତାଧିକ ପିଆଜ ଚାଷୀ ନିଜ ମୂଳଧନ ହରାଇବା ସହ ପିଆଜ ଚାଷ ପ୍ରତି ବିମୁଖ ହୋଇପଡିଛନ୍ତି।

୫ କୋଟି ୨୮ ଲକ୍ଷ ୩୫ ହଜାର ୪୯୦ ଟଙ୍କାରେ ନିର୍ମିତ ଏହି ପେକ ହାଉସଟି ସମ୍ପ୍ରତି ମୃତ ଅବସ୍ଥାରେ ପଡିରହିଛି। ପ୍ରାୟ ୩ ବର୍ଷ ହେଲା ପେକ ହାଉସକୁ କେହି ଯାତାୟାତ କରୁନଥିବାରୁ ଘଂଚ ଲଟାବୁଦା, ନର୍ଦ୍ଦମାମୟ ହୋଇ ସାପ, ଜୋକଙ୍କ ନିର୍ଭୟ ଚରାସ୍ଥଳି ପାଲଟିଛି। ପେକ ହାଉସର ଏଭଳି ଦଶା ନେଇ ସୂଚନା ଅଧିକାର କର୍ମି ଆଇନଜୀବୀ ରଘୁନାଥ ରଥ ସୂଚନା ଅଧିକାର ବଳରେ ପ୍ରଶାସନକୁ ତଥ୍ୟ ମାଗିଥିବା ବେଳେ ଅନେକ ତଥ୍ୟ ଲୁଚାଯାଇଥିବା ଅଭିଯୋଗ ହୋଇଛି। ଏପରିକି କୋଉ ପ୍ରକାର ଉତ୍ପାଦ ଶୀତଳଭଣ୍ଡାରରେ ନଷ୍ଟ ହେଲା ବୋଲି ଉତ୍ତର ଆସିଥିଲା। ଏପରିକି ତଥ୍ୟ ନେଇ ବିଭିନ୍ନ ମେସିନ ଖଞ୍ଜାଯାଇଥିବା ନେଇ ପ୍ରଶାସନ ପକ୍ଷରୁ ୫୦ ଫର୍ଦ୍ଦର ଭାଉଚର ପ୍ରଦାନ କରାଯିବା ଡାହା ମିଛ ବୋଲି ବରିଷ୍ଠ ଚାଷୀ ନେତା ବାଲକୃଷ୍ଣ ଷାଣ୍ଢ ଅଭିଯୋଗ କରିଛନ୍ତି। ଏପରିପ୍ରେକ୍ଷିରେ ଏଅଂଚଳର ପିଆଜ ଚାଷୀଙ୍କ ପାଇଁ କେବେ ସୁଦିନ ଆସିବ ବୋଲି ଚାଷୀ ଚାତକ ନୟନରେ ଚାହିଁ ରହିଛନ୍ତି। ଅପରପକ୍ଷରେ ସମ୍ପ୍ରତି ଏଅଂଚଳରେ ଆକାଶଛୁଆଁ  ପିଆଜ ଦର ନେଇ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ଖାଉଟି ଦରମରା ହୋଇପଡିଥିବା ଅଭିଯୋଗ ହୋଇଛି। ତେବେ ଖୁବ କମ ଦିନ ମଧ୍ୟରେ ଦର ଖସିପାରେ ବୋଲି ଏନେଇ ଉପଜିଲାପାଳ ସୁଧାକର ନାୟକ ଆଶା ବ୍ୟକ୍ତ କରିଛନ୍ତି।

 

kalyan agarbati

Comments are closed.