ମହାନଦୀ କୂଳ ଗ୍ରାମବାସୀଙ୍କ ମଧ୍ୟରେ ହାତୀ ଭୟ

ତିଗିରିଆ: ମହାନଦୀ ଉତ୍ତରକୂଳରେ ଶନିବାର ରାତିରେ ଏକ ବଣୁଆ ହାତୀ ପ୍ରବେଶ କରିଥିବା ଜଣାପଡିଛି। ଏହାକୁ ନେଇ କୂଳବର୍ତ୍ତୀ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ହସ୍ତଗତ ହୋଇଥିବା ସୂଚନା ମୁତାବକ ହାତୀ ମହାନଦୀ ବାଲି ଶଯ୍ୟା ଦେଇ ଉତ୍ତରକୂଳ ବନ୍ଧବାଡରେ ରହିଥିବା ଘଞ୍ଚ ବଣବୁଦା ମଧ୍ୟରେ ଲୁଚି ରହିଥିବା ଅନୁମାନ କରାଯାଇଛି।
ଗତକାଲି ବିଳମ୍ବିତ ରାତିରେ ହାତୀଟି ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ଭୁଆସୁଣୀ ପୀଠ ଠାରେ ପ୍ରବେଶ କରି ସେଠାରେ କ୍ଷେତବାଡି କରିଥିବା କୋଇଲକନ୍ୟା ଗ୍ରାମର ଲକ୍ଷ୍ମଣ ମନ୍ତ୍ରୀଙ୍କ ବାସଗୃହ ନିକଟକୁ ଆସି ବିଭିନ୍ନ ଫଳଗଛ ନଷ୍ଟ କରିବା ସହ ପରିବା କ୍ଷେତରେ ପଶି ପରିବା ଗଛକୁ ଦଳି ଚକଟି ଦେଇଛି। ହାତୀଟି ଚଳାଚଳ କରିଥିବା ସ୍ଥାନଗୁଡିକର ପାଦ ଚିହ୍ନ ଲୋକେ ସକାଳୁ ଦେଖିବାକୁ ପାଇଥିଲେ। ଉକ୍ତ ହାତୀଟି ଏବେ ସାନନାଉପୁଟ ଅନ୍ତର୍ଗତ ବନ୍ଧବାଡ ନିକଟରେ ଥିବା ଘଞ୍ଚ କାଜୁ, ଆମ୍ବ, ଏବଂ ଅନ୍ୟାନ୍ୟ ଫଳ ବଗିଚା ଠାରୁ ଶୁଣ୍ଠୀପାଳ ଗ୍ରାମ ଝାଉଁ ବଣ ମଧ୍ୟରେ ରହିଥିବା ଅନୁମାନ କରାଯାଉଛି।

prayash

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଙ୍କୀ ବୈଦେଶ୍ୱର ନିକଟବର୍ତ୍ତୀ ଜଙ୍ଗଲରୁ ୩ ଟି ହାତୀ ମହାନଦୀ ପାର ହୋଇ ଉତ୍ତର କୂଳକୁ ମୁହାଁଇ ଥିଲେ। ସେଥି ମଧ୍ୟରୁ ୨ ଟି ହାତୀ ପୁନର୍ବାର ମହାନଦୀ ପାର ହୋଇ ଫେରିଯାଇଥିଲେ। ଆଉ ଗୋଟିଏ ହାତୀ ମହାନଦୀ ପଠାରେ ଅଟକି ରହିଥିବା ଜଣା ପଡ଼ିବା ପରେ ବଡମ୍ବା ବନ କର୍ମଚାରୀ ଆସି ଉକ୍ତ ହାତୀଟିକୁ ଶନିବାର ରାତିରେ ଘଉଡ଼ାଇଥିଲେ। ପୁନର୍ବାର ଉକ୍ତ ହାତୀଟି ଏହି ଅଞ୍ଚଳକୁ ଫେରି ଆସିଥିବା ଅନୁମାନ କରାଯାଇଛି। ଏଣୁ ବନ୍ଧକୁ ଲାଗି ଏବଂ ଏହାର ଅତି ନିକଟରେ ଜନବସତି ଗୁଡ଼ିକ ରହିଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଉଭୟ ବଡମ୍ବା ଏବଂ ତିଗିରିଆ ବନ କର୍ମଚାରୀ ଓ ହାତୀ ଜଗୁଆଳମାନେ ରବିବାର ସନ୍ଧ୍ୟା ବେଳକୁ ଶୁଣ୍ଠୀପାଳ ଏବଂ ସାନନାଉପୁଟ ଠାରେ ରହି ହାତୀ ଉପରେ ସତର୍କ ଦୃଷ୍ଟି ରଖିଥିବା ଜଣାପଡ଼ିଛି।

kalyan agarbati

Comments are closed.