ପାଞ୍ଚଗାଁରେ ୩ ଦିନିଆ ରଜ ମହୋତ୍ସବ ଉଦଘାଟିତ
ତିଗିରିଆ: ଓଡ଼ିଶାର ନିଜସ୍ୱ କୃଷି ଭିତ୍ତିକ ଗଣପର୍ବ ରଜ ଅବସରରେ ତିଗିରିଆ ବ୍ଲକ ପାଞ୍ଚଗାଁ ଯୁବକ ସଂଘ ପକ୍ଷରୁ ସ୍ଥାନୀୟ ପଞ୍ଚାନନେଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ତିନିଦିନ ବ୍ୟାପୀ ହେବାକୁ ଥିବା ରଜ ମହୋତ୍ସବ ବୁଧବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୁପ୍ରିମକୋର୍ଟର ଆଇନଜୀବୀ ତଥା ଯୁବ ସଂଗଠକ ଆଦିତ୍ୟ ପ୍ରସାଦ ସ୍ବାଇଁ ଯୋଗ ଦେଇ ପାଞ୍ଚଗାଁ ରଜମହୋତ୍ସବକୁ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସାହିତ୍ୟିକ ଡଃ ନାରାୟଣ ପଣ୍ଡା, ସମ୍ମାନୀତ ଅତିଥି ଭାବେ ଆଠଗଡ଼ର ପୂର୍ବତନ ଉପ-ଜିଲ୍ଲାପାଳ ହେମନ୍ତ କୁମାର ସ୍ବାଇଁ, ସାମ୍ବାଦିକ ଶ୍ୱେତକାନ୍ତ ବେହେରା, ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତ, ଶାନ୍ତିଲତା ବେହେରା , ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ଅଧ୍ୟକ୍ଷା ସସ୍ମିତା ରାଉତ, ସ୍ତମ୍ଭକାର ରଶ୍ମିରଞ୍ଜନ ସାହାଣୀ ପ୍ରମୁଖ ଯୋଗଦେଇ ଓଡ଼ିଆଙ୍କ ନିଜସ୍ୱ କୃଷି ଭିତ୍ତିକ ରଜ ପର୍ବର ମହନୀୟତା, ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ଏହାଛଡ଼ା ଗ୍ରାମୀଣ କଳା ଓ ସଂସ୍କୃତିର ବିକାଶରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବା ପାଞ୍ଚଗାଁ ମାଟିର ପ୍ରଶଂସା କରିଥିଲେ। ଆୟୋଜକ ସଙ୍ଘର ସଭାପତି ସଞ୍ଜୟ କୁମାର ମଲ୍ଲିକ ଏବଂ ସମ୍ପାଦକ ସୁଜିତ କୁମାର ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଭା କାର୍ଯ୍ୟକ୍ରମ ପରେ ସ୍ଥାନୀୟ ଅଞ୍ଚଳର ଛୋଟ ବଡ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମହୋତ୍ସବର ପ୍ରତ୍ୟେହ ସନ୍ଧ୍ୟାରେ ରାଜ୍ଯର ବିଭିନ୍ନ କଳାକାରମାନଙ୍କୁ ନେଇ ସାଂସ୍କୁତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ରଜ ପର୍ବ ଭିତ୍ତିକ ବିଭିନ୍ନ ପାରମ୍ପରିକ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।
Comments are closed.