ତିଗିରିଆ: ଗତକାଲି ଠାରୁ ହୀରାକୁଦ ଜଳ ଭଣ୍ଡାରରୁ ୪୬ଟି ‘ାଟକ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି। ଏହି ଜଳ ଆଜି ସ୍ଥାନୀୟରେ ମହାନଦୀ ଦେଇ ପ୍ରବାହିତ ହେଉଥିବାରୁ ରବିବାର ଦିନ ତମାମ ତିଗିରିଆ ଓ ବାଙ୍କୀ ଉତ୍ତର କୁଳାଟ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ପାଇଚାଲିଛି। ତିଗିରିଆର ୭ଟି ପଞ୍ଚାୟତର କୃଷି ଉଜୁଡ଼ିଯାଇଥିବା ବେଳେ ବହୁ ସଂଖ୍ୟାରେ ଲୋକଙ୍କ ବାସଗୃହ ଜଳାର୍ଣ୍ଣବ ହୋଇଛି। ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନଦୀକୂଳ ପଞ୍ଚାୟତଗୁଡ଼ିକର ବିପନ୍ନ ଜନସାଧାରଣଙ୍କୁ ଭେଟିବା ସହ ସ୍ଥିତି ଅନୁଧ୍ୟାନ କରିଥିବା ଦେଖାଯାଇଛି। ଗତ ଗୁରୁବାର ମଧ୍ୟରାତ୍ରିରୁ ପୁରୁଣାତିଗିରିଆ ପଞ୍ଚାୟତର ଚଷାଆଁରା ଗ୍ରାମ ଜଳବନ୍ଦୀ ହୋଇ ରହିଛି। ଶନିବାର ଅପରାହ୍ଣରେ ବନ୍ୟାଜଳ ଗଦାଧରପୁର ପଞ୍ଚାୟତର ରଘୁରାମପୁରରେ ପ୍ରବେଶ କରିବା ଆରମ୍ଭ କରି ମଧ୍ୟରାତ୍ରିରେ ରଘୁରାମପୁର ସହିତ ଉକ୍ତ ପଞ୍ଚାୟତର କୋଇଲକନ୍ୟା ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ବାସଗୃହ ସବୁ ଜଳାର୍ଣ୍ଣବ କରିଛି।
ସେହିପରି ଏହି ପଞ୍ଚାୟତର କଣ୍ଠିପୁର ଗ୍ରାମ ସହିତ ହାଟମାଳ ପଞ୍ଚାୟତର ବିଷ୍ଣୁପୁର ଗ୍ରାମରେ ଲୋକଙ୍କ ବାସଗୃହକୁ ବନ୍ୟାଜଳ ପ୍ରବେଶ କରିଥିବା ବେଳେ ରଘୁରାମପୁର ସହିତ ଏହିଦୁଇ ଗ୍ରାମ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛନ୍ତି। ଅପରପକ୍ଷେ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ ହରିଶରଣପୁର ଗ୍ରାମର ଖାଲୁଆ ସ୍ଥାନରେ ରହିଥିବା କେତେକ ଜନବସତିକୁୁ ବନ୍ୟାଜଳ ପ୍ରବେଶ କରିଛି। ତେବେ ପ୍ରଶାସନ ପକ୍ଷରୁ ପ୍ରାଥମିକ ଭାବେ ବାହ୍ୟଜଗତରୁ ବିଛିନ୍ନ ହୋଇ ବାସଗୃହ ଜଳାର୍ଣ୍ଣବ ହୋଇଥିବା ବିପନ୍ନଙ୍କ ପାଇଁ ଶୁଖିଲା ଖାଦ୍ୟ ବାବଦରେ ଚୁଡ଼ାଗୁଡ଼ର ବ୍ୟବସ୍ଥା ହେଉଥିବା ବିଡ଼ିଓ ଦୀପ୍ତିମୟୀ ବେହେରା କହିଛନ୍ତି। ଚଷାଆଁରାରେ ଆଜିଠାରୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଇଛି। ବଡ଼ନାଉପୁଟ ପଞ୍ଚାୟତର ଖଣ୍ଡହତା ଗ୍ରାମରେ ମଧ୍ୟ ବନ୍ୟାଜଳ ପ୍ରବେଶ କରିଛି। ଆଜି ଦିନତମାମ ବନ୍ୟାଜଳ ଅଞ୍ଚଳରେ ବୃଦ୍ଧି ପାଉଥିବାରୁ ରବିବାର ରାତିରେ ଖାଲୁଆ ଅଞ୍ଚଳରେ ରହିଥିବା କେତେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଯିବାର ସମ୍ଭାବନା ରହିଛି। ବନ୍ୟା ପ୍ରଭାବରେ ଝାଟିମାଟିର ଘରଗୁଡ଼ିକ ନଷ୍ଟ ହୋଇଥିବା ବେଳେ ବିଭିନ୍ନ ଛାତଘରର ଉପରେ ଲୋକେ ଆସବାବ ଓ ଖାଦ୍ୟ ସାମଗ୍ରୀ ସହ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ପାଗ ଶୁଖିଲା ରହିବା ସହ ତଳ ଓ ଉପରମୁଣ୍ଡରେ ବର୍ଷା ନଥିବାରୁ ଆସନ୍ତାକାଲି ଠାରୁ ବନ୍ୟା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି।



