www.samajalive.in
Sunday, December 7, 2025
23.1 C
Bhubaneswar

ମା’ ମଙ୍ଗଳା, ଉଗ୍ରତାରା ଓ ଭଗବତୀଙ୍କ ପୀଠ ପାଇବ ନୂଆରୂପ-୩ ଶକ୍ତିପୀଠର ବିକାଶ ଯୋଜନା ଅନୁମୋଦିତ

ଭୁବନେଶ୍ବର : ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ କାକଟପୁରର ମା’ ମଙ୍ଗଳା, ଭୂଷୁଣ୍ଡପୁରର ମା’ ଉଗ୍ରତାରା ଓ ବାଣପୁରର ମା’ ଭବବତୀ ପୀଠର ସର୍ବାଙ୍ଗୀଣ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଅନୁମୋଦନ କରିଛନ୍ତି। ୫-ଟି ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ପୂର୍ତ୍ତ ବିଭାଗର ପର୍ଯ୍ୟଟନସ୍ଥଳ ଓ ଐତିହ୍ୟ କୀର୍ତ୍ତିରାଜିର ସମନ୍ବିତ ବିକାଶ ଯୋଜନାରେ ଏହାକୁ ସାମିଲ କରାଯାଇଛି। ଓଡ଼ିଶା ସେତୁ ନିର୍ମାଣ ନିଗମ ଉପରେ ବିକାଶ ଦାୟିତ୍ବ ନ୍ୟସ୍ତ କରାଯାଇଛି। ପୁରୀ ଜିଲାର କାକଟପୁରରେ ପଞ୍ଚଦଶ ଶତାବ୍ଦୀରେ ନିର୍ମିତ ମା’ ମଙ୍ଗଳାଙ୍କ ପୀଠର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସହ ଘନିଷ୍ଠ ସଂପର୍କ ରହିଛି।

ନବକଳେବର ସମୟରେଦଇତାପତି ସେବକମାନେ ମା’ଙ୍କ ଆଜ୍ଞାକ୍ରମେ ଏଠାରୁ ହିଁ ଦାରୁ ସନ୍ଧାନରେ ଯାଇଥାନ୍ତି। ଚୈତ୍ର ମାସରେ ଝାମୁ ଯାତ୍ରା ମା’ଙ୍କ ପ୍ରସିଦ୍ଧ ପର୍ବ। ୫-ଟି ଉପକ୍ରମରେ ଏହି ପ୍ରାଚୀନ ଶକ୍ତିପୀଠର ବିକାଶ ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନରେ ମନ୍ଦିରରେ ଖ‌େ‌ଣ୍ଡଲାଇଟ ପଥର ବିଛାଯିବା ସହିତ ମନ୍ଦିରର ରୋଷଘର ଓ ଜଳ ନିଷ୍କାସନ ବ୍ୟବସ୍ଥାର ସଂସ୍କାର କରାଯିବ। ଏହାସହିତ ସେବାୟତ ଭବନ, ଭୋଗ ଦୋକାନ ପ୍ରାଚୀ ନଦୀ କୂଳରେ ମୁଣ୍ଡନ କିଓସ୍କ, ଚନ୍ଦନଘାଟର ବିକାଶ, ଗୋଷ୍ଠୀ ଶୌଚାଳୟ ଆଦିର ବିକାଶ କରାଯିବ। ପୀଠକୁ ଅଧିକ ଆକର୍ଷଣୀୟ କରାଯିବା ପାଇଁ କୋଣାର୍କ ପାର୍ଶ୍ବ ରାସ୍ତାରେ ଐତିହ୍ୟ ଦ୍ୱାର ନିର୍ମାଣ କରାଯିବ। ଯାତ୍ରୀଙ୍କ ସୁବିଧାପାଇଁ ବିଭିନ୍ନ ପଦକ୍ଷେପ ନେବା ସହିତ ଆଲୋକୀକରଣ, ଲ୍ୟାଣ୍ଡସ୍କେପିଂ ଓ ବୃକ୍ଷରୋପଣ କରାଯିବା ସହିତ ପାର୍କିଂସ୍ଥଳର ମଧ୍ୟ ବିକାଶ କରାଯିବ। ଓଡ଼ିଶା ସେତୁ ନିର୍ମାଣ ନିଗମ ୧୨ ମାସ ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ କରିବ।
ସେହିପରି ଖୋର୍ଦ୍ଧା ଜିଲା ବାଣପୁରର ନବମ ଶତାବ୍ଦୀରେ ନିର୍ମିତ ମା’ ଭଗବତୀଙ୍କ ମନ୍ଦିରର ବିକାଶ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି। ସିଂହଦ୍ୱାରଠାରୁ ଆରମ୍ଭ କରି ପରିକ୍ରମା, ଘାଟ, ଯାତ୍ରା ପଡ଼ିଆ, ଯାତ୍ରୀ ସୁବିଧା ତଥା ଜଗନ୍ନାଥ ମନ୍ଦିରର ବିକାଶ ପାଇଁ ଏଥିରେ ସ୍ୱତନ୍ତ୍ର ଗୁରୁତ୍ବ ରଖାଯାଇଛି।

- Advertisement -

ଏହାସହିତ ବହୁମୁଖୀ ହଲ, ରାସ୍ତା ଓ ନଦୀଘାଟ ଆଦିର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରାଜ୍ୟ ପ୍ରତ୍ନତତ୍ତ୍ୱ ନିର୍ଦେଶାଳୟ ତତ୍ତ୍ୱାବଧାନରେ ଓଡ଼ିଶା ସେତୁ ନିର୍ମାଣ ନିଗମ ୨୪ ମାସ ମଧ୍ୟରେ ଏହି କାର୍ଯ୍ୟ ସଂପାଦନ କରିବ। ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲାର ଅନ୍ୟତମ ଶକ୍ତିପୀଠ ହେଉଛି ଭୂଷୁଣ୍ଡପୁରର ମା’ ଉଗ୍ରତାରାଙ୍କ ପୀଠ। ୧୩୫୨ ଖ୍ରୀଷ୍ଟାବ୍ଦରେ ନିର୍ମିତ ମା’ ଉଗ୍ରତାରାଙ୍କ ପୀଠ ଭକ୍ତମାନଙ୍କ ବିଶ୍ବାସର କେନ୍ଦ୍ର ହୋଇ ରହିଆସିଛି। ଏଠାରେ ମନ୍ଦିରର ବିକାଶ ସହ ଯାତ୍ରୀଙ୍କ ସୁବିଧା, ପାର୍କିଂ, ଲ୍ୟାଣ୍ଡସ୍କେପିଂ, ପିକନିକ୍ ସ୍ପଟ୍, ଯାତ୍ରା ପଡ଼ିଆ ସହିତ ପୋଖରୀର ମଧ୍ୟ ପୁନରୁଦ୍ଧାର କରାଯିବ। ଓଡ଼ିଶା ସେତୁ ନିର୍ମାଣ ନିଗମ ଦ୍ବାରା ୧୮ ମାସରେ କାମ ଶେଷ କରାଯିବ। ଏହି ୩ଟି ପୀଠର ବିକାଶ ଯୋଜନାକୁ ଅନୁମୋଦନ କରିବା ସହ ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେବାୟତଙ୍କ ସହ ମଧ୍ୟ ଆଲୋଚନା କରି ଯୋଜନା ସଂପର୍କରେ ସେମାନଙ୍କ ମତାମତ ନେଇଥିଲେ।

ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ତାଙ୍କ ସଚିବ (୫-ଟି) ଭି.କେ.ପାଣ୍ଡିଆନ୍ ବିଭିନ୍ନ ସମୟରେ ଏହି ପୀଠଗୁଡ଼ିକୁ ଯାଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହ ବିକାଶ ସଂପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଉପସ୍ଥିତ ଥିଲେ। ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଭି.ଭି. ଯାଦବ ଯୋଜନା ଉପସ୍ଥାପନା କରିଥିଲେ। ତିନିପୀଠର ସେବାୟତମାନେ ସଂପୃକ୍ତ ଜିଲାପାଳମାନଙ୍କ ସହିତ ଆଭାସି ଜରିଆରେ ବୈଠକରେ ଯୋଗ ଦେଇଥିଲେ।

 

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories