ନୂଆବର୍ଷରୁ ମହଙ୍ଗା ହେବ ଏହି କାର୍, ବଢିବ ଦାମ୍

ନୂଆଦିଲ୍ଲୀ : ନୂଆବର୍ଷରୁ ଟାଟା ଓ କିଆ ଗାଡି ମହଙ୍ଗା ହେବାକୁ ଯାଉଛି । ଅଟୋମେକର ଟାଟା ମୋଟର୍ସ ଓ କିଆ ଇଣ୍ଡିଆ ଆଗାମୀ ମାସରୁ ନିଜ ଯାତ୍ରୀବାହୀ ଗାଡି ଦାମ୍ ବଢାଇବା ନେଇ ଘୋଷଣା କରିଛି । ଏହା ପୂର୍ବରୁ ହ୍ୟୁଣ୍ଡାଇ, ମହିନ୍ଦ୍ରା, ମାରୁତି ସୁଜୁକି, ନିଶାନ, ଏମଜି ମୋଟର ସମେତ ଅନେକ ଗାଡି ନିର୍ମାତା କମ୍ପାନୀ ମଧ୍ୟ ଆଗାମୀ ମାସରୁ ଗାଡି ଦାମ୍ ବୃଦ୍ଧି କରିବା ନେଇ ଘୋଷଣା କରିସାରିଛନ୍ତି । ବିଳାସପୂର୍ଣ୍ଣ ଗାଡି ନିର୍ମାତା କମ୍ପାନୀ ମର୍ସିଡିଜ୍, ବିଏମଡବ୍ଲୁ ଓ ଅଡି ମଧ୍ୟ ବଢୁଥିବା ଖର୍ଚ୍ଚ ଯୋଗୁଁ ଗାଡି ଦାମ୍ ବଢାଇବା ପାଇଁ ଘୋଷଣା କରିଛନ୍ତି ।

ଟାଟା ମୋଟର୍ସ ଆଗାମୀ ମାସରୁ ନିଜ ଗାଡି ଦାମ୍ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ । କଞ୍ଚାମାଲ ଖର୍ଚ୍ଚ ବଢୁଥିବା ଯୋଗୁଁ ଏହାର ପ୍ରଭାବ ଗାଡି ଦାମ୍ ଉପରେ ପଡୁଥିବା କମ୍ପାନୀ ସଫେଇ ଦେଇଛି । ୧ ଜାନୁୟାରୀରୁ ଟାଟାର ଇଲେକ୍ଟ୍ରିକ୍ ଗାଡି ମଧ୍ୟ ମହଙ୍ଗା ହୋଇଯିବ । କିଆ ମଧ୍ୟ ନୂଆ ବର୍ଷରୁ ନିଜ ସମସ୍ତ ମଡେଲର ଦାମ୍ ୨ ପ୍ରତିଶତ ବଢାଇବ ବୋଲି ସୂଚନା ଦେଇଛି । ନୂଆ ଦାମ୍ ୧ ଜାନୁୟାରୀ ୨୦୨୫ରୁ ଲାଗୁ ହେବ । ମହିନ୍ଦ୍ରା କମ୍ପାନୀ ନିଜ ଗାଡି ଦାମ୍ ୩ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଥିବାବେଳେ ହ୍ୟୁଣ୍ଡାଇ ନିଜ ଗାଡି ଦାମ୍ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ ବୋଲି ଘୋଷଣା କରିଛି । ସେହିଭଳି ମାରୁତି ସୁଜୁକି ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଥିବାବେଳେ ଏମଜି ମୋଟର ଭିନ୍ନ ଭିନ୍ନ ମଡେଲରେ ୩ ପ୍ରତିଶତ ପର୍ଯ୍ୟନ୍ତ ଦାମ୍ ବୃଦ୍ଧି କରିବ ।

Comments are closed.