ଦୁଇ ଲସ୍କର ଆତଙ୍କବାଦୀ ନିହତ
କାଶ୍ମୀର : ଦକ୍ଷିଣ କାଶ୍ମୀରର କୁଲଗାମ ଜିଲାରେ ରବିବାର ସୁରକ୍ଷା କର୍ମୀଙ୍କ ସହ ଗୁଳିବିନିମୟରେ ୨ ଲସ୍କର-ଇ-ତୋଇବା ଆତଙ୍କବାଦୀ ନିହତ ହୋଇଛନ୍ତି। ଜଣେ ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ସୂଚନା ଅନୁସାରେ ରବିବାର ଅପରାହ୍ନରେ ଜାମ୍ମୁ କାଶ୍ମୀର ପୁଲିସ୍, ସିଆରପିଏଫ ଏବଂ ସେନା ଯବାନମାନେ ଅମରନାଥ ଯାତ୍ରା ପାଇଁ ରାଜପଥର ସୁରକ୍ଷା ବ୍ୟବସ୍ଥା ତଦାରଖ କରୁଥିବାବେଳେ ହଠାତ୍ ଲସ୍କର ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ପ୍ରତିଜବାବରେ ଯବାନମାନେ ଗୁଳି ବନିମୟ କରିଥିଲେ। ସୁରକ୍ଷା କର୍ମୀମାନେ ଉକ୍ତ ଅଞ୍ଚଳକୁ ଘେରାଉ କରିନେଇଛନ୍ତି। ଏପର୍ଯ୍ୟନ୍ତ ୨ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିବିନିମୟକୁ ଦୃଷ୍ଟିରେ ରଖି କୁଲଗାମରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି। ସେଠାରେ ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ସୁରକ୍ଷା କର୍ମୀ ତଲାସୀ ଅଭିଯାନ ଆରମ୍ଭ କରିବାକୁ ଅପେକ୍ଷା କରି ରହିଛନ୍ତି। ଆତଙ୍କବାଦୀ ନିପାତ ହେବାର ସଂକେତ ମିଳିଲେ ତଲାସୀ ଅଭିଯାନ ଆରମ୍ଭ ହେବ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି। ଉଲ୍ଲେଖ ଯେ ଜୁନ୍ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେଉଛି। ଅମରନାଥ ଯାତ୍ରା ପାଇଁ ଜାମ୍ମୁ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅମରନାଥ ଯାତ୍ରା ପାଇଁ ଉଦ୍ଦିଷ୍ଟ ରାଜପଥକୁ ପୁଲିସ୍ ଛାଉଣୀ ମଧ୍ୟରେ ରଖାଯାଇଛି।