ଆତଙ୍କବାଦୀ ହମ୍ଲା: ୨ ପୁଲିସ ସହିଦ, ୧୧ଆହତ
ଶ୍ରୀନଗର: ଜମ୍ମୁ-କଶ୍ମୀରର ଦୁଇଟି ପୃଥକ୍ ପୃଥକ୍ ସ୍ଥାନରେ ଆତଙ୍କବାଦୀମାନେ ହମ୍ଲା କରିଛନ୍ତି। ଏଥିରେ ଦୁଇ ଜଣ ପୁଲିସ୍ ସହିଦ ହୋଇଥିବାବେଳେ ୧୧ଜଣ ଆହତ ହୋଇଛନ୍ତି।
ଫୁଲୱାମା ଜିଲାର ଚେକ୍ପୋଷ୍ଟରେ ମଙ୍ଗଳବାର ସକାଳେ ଆତଙ୍କବାଦୀମାନେ ହମ୍ଲା କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଦୁଇ ଜଣ ପୁଲିସ କର୍ମଚାରୀ ସହିଦ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ନାମ ଗୁଲାମ୍ ରସୁଲ୍ ଓ ଗୁଲାମ୍ ହାସନ୍ ବୋଲି ଜଣାପଡ଼ିଛି। ହମ୍ଲା ପରେ ଆତଙ୍କବାଦୀମାନେ ଚେକ୍ପୋଷ୍ଟରୁ ବନ୍ଧୁକ ଓ ଗୁଳିଗୋଳା ନେଇଯାଇଛନ୍ତି। ପୁଲୱମା ଜିଲା କୋର୍ଟ ନିକଟରେ ଥିବା ଏହି ଚେକ୍ପୋଷ୍ଟରେ ଆତଙ୍କବାଦୀମାନେ ଆଜି ସକାଳୁ ପହଞ୍ଚି ଅତର୍କିତ ଗୁଳି ଚାଳନା କରିଥିଲେ। ସେଠାରେ ମୁତୟନ ପୁଲିସ କର୍ମଚାରୀ ପାଲଟା ଗୁଳିଚାଳନା କରିଥିଲେ। କିଛି ସମୟ ପରେ ଆତଙ୍କବାଦୀଙ୍କ ଗୁଳିରେ ସେମାନେ ପ୍ରଣ ହରାଇଥିଲେ।
ସେହିପରି ଅନନ୍ତନାଗ ଜିଲାରେ ଥିବା ଏକ ଶିବିର ଉପରକୁ ଆତଙ୍କବାଦୀମାନେ ଗ୍ରେନେଡ୍ ମାଡ଼ କରିଥିଲେ। ଏଥିରେ ୧୦ ଜଣ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୃହ ମନ୍ତ୍ରାଳୟର ପରାମର୍ଶ ଅନୁଯାୟୀ ଯବାନମାନେ ରମ୍ଜାନ ପାଇଁ ଅସ୍ତ୍ରବିରତି କରିଛନ୍ତି। ଏହି ସମୟରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି।
୨୦ ଦିନରେ ୪୪ ଥର ଆକ୍ରମଣ
ପବିତ୍ର ରମ୍ଜାନ ମାସର ପ୍ରଥମ ୨୦ ଦିନରେ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ୪୪ଥର ଆକ୍ରମଣ କରିଛନ୍ତି। ସେଥିମଧ୍ୟରୁ ଆତଙ୍କବାଦୀମାନେ ୨୦ଟି ଗ୍ରେନେଡ୍ ମାଡ଼ ଓ ଅନ୍ୟଗୁଡ଼ିକରେ ଗୁଳିଚାଳନା କରିଛନ୍ତି। ଏହି ଆକ୍ରମଣରେ ୪ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୩୩ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଭାରତର ସୁରକ୍ଷା ବାହିନୀ ପକ୍ଷରୁ ମାତ୍ର ୪ ଥର ପାଲଟା ଅପରେସନ୍ ହୋଇଛି।