ତେଜସ୍ୱୀ ଓ ତେଜପ୍ରତାପଙ୍କ ମଧ୍ୟରେ ମନ ଫାଟିଲାଣି

0

ପାଟନା : ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଦୁଇ ପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ଏବେ ରାଜନୈତିକ ବିଭେଦ ସୃଷ୍ଟି ହେଲାଣି। ସାନ ଭାଇ ତେଜସ୍ୱୀଙ୍କ ପ୍ରଭାବ ବୃଦ୍ଧିରେ ଈଶ୍ୱର୍ାନ୍ୱିତ ତେଜପ୍ରତାପ ତାଙ୍କୁ ଦଳରେ ଅବହେଳା କରାଯାଉଥିବାର ଅଭିଯୋଗ ଆଣିଛନ୍ତି। ନୀତୀଶ କୁମାରଙ୍କ ସହିତ ମେଣ୍ଟ ସରକାରରେ ତେଜପ୍ରତାପ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବାବେଳେ ତେଜସ୍ୱୀ ଉପମୁଖ୍ୟମନ୍ତ୍ରୀ ଥିଲେ। ସେବେଠାରୁ ହିଁ ସାନ ତେଜସ୍ୱୀ ଲାଲୁଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ ଏକରକମ ସାବ୍ୟସ୍ତ ହୋଇଥିଲେ। ପରବର୍ତ୍ତୀ ସମୟରେ ତେଜସ୍ୱୀ ଦଳୀୟ ଦାୟତ୍ୱ ତୁଳାଇବାରେ ଲାଲୁଙ୍କ ଭୂମିକା ନିଭାଇବାରୁ ଏହାକୁ ସହ୍ୟ କରିପାରୁ ନାହାନ୍ତି ତେଜପ୍ରତାପ।
ଶନିବାର ସେ ତେଜସ୍ୱୀଙ୍କୁ ବୁଲେଇବାଙ୍କେଇ ଚେତାବନୀ ଶୁଣାଇଛନ୍ତି ଯେ କିଛି ବାହ୍ୟ ଶକ୍ତି ଦୁଇ ଭାଇଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ସେ କହିଛନ୍ତି, ‘ଆମେ ସମସ୍ତେ ରାଜନୀତି କରିବା; କିନ୍ତୁ ବର୍ତ୍ତମାନ ଯେଉଁ ଶୈଳୀରେ ରାଜନୀତି ଚାଲିଛି ତାହା ବଡ଼ ଦୁଃଖଦାୟକ। କିଛି ଅସାମାଜିକ ତତ୍ତ୍ୱ ଦଳ ଭିତରକୁ ପ୍ରବେଶ କରିଛନ୍ତି ଓ ସେମାନେ ଦଳକୁ ଧ୍ୱଂସ କରିଦେବାର ଉଦ୍ୟମ କରୁଛନ୍ତି। ତୁମେ ଏଭଳି ଶକ୍ତିଙ୍କୁ ଦଳରେ ପ୍ରଶ୍ରୟ ଦେଉଛ ଓ ସେହିମାନେ ହିଁ ଆମ ଭିତରେ ବିବାଦ ଛିଡ଼ା କରାଇବାର ପ୍ରୟାସ ଚଳାଇଛନ୍ତି।’ ତେବେ ନିଜ ଉଦ୍ଦେଶ୍ୟ ଢ଼ାଙ୍କିବା ଉଦ୍ୟମ କରି ସେ ପରେ ସଫେଇ ଦେଇଛନ୍ତି ଯେ ‘ତେଜସ୍ୱୀ ହେଉଛନ୍ତି ମୋର ଆଖି। ଅପପ୍ରଚାର ମାଧ୍ୟମରେ ଆମ ଭିତରେ କୌଣସି ବିଭେଦ ସୃଷ୍ଟିର ଉଦ୍ୟମକୁ ମୁଁ କଦାପି ସହ୍ୟ କରିପାରିବି ନାହିଁ।’ ଅପରପକ୍ଷରେ ସେମାନଙ୍କ ନିକଟତମ ସୂତ୍ରରୁ ପ୍ରକାଶ ଯେ ନବବିବାହିତ ତେଜପ୍ରତାପଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରାଏ ପ୍ରତ୍ୟକ୍ଷ ରାଜନୀତି ପ୍ରତି ଆକୃଷ୍ଟ। ସେଥିପାଇଁ ହୁଏତ ଦୁଇ ଭାଇଙ୍କ ମଧ୍ୟରେ ମନ ଫଟାଫଟି ହୋଇଥାଇପାରେ। ତେବେ ତେଜପ୍ରତାପଙ୍କ ବିବାହ ଓ ଲାଲୁ ଜେଲ୍‍କୁ ଯିବା ପରେ ଏଭଳି ଘଟଣା ବିହାର ରାଜନୀତିକୁ ସରଗରମ କରିଛି।

Leave A Reply