ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ସଂସଦ ବାହାରେ ଟିଡିପି ସାଂସଦଙ୍କ ବିକ୍ଷୋଭ
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିକୁ ଦୋହରାଇ ତେଲୁଗୁ ଦେଶମ ପାର୍ଟି (ଟିଡିପି) ସାଂସଦମାନେ ଗୁରୁବାର ସଂସଦ ବାହାରେ ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବାକୁ କେନ୍ଦ୍ର ସରକାର ସ୍ପଷ୍ଟ ଭାବେ ମନା କରିଦେବା ପରେ ଏନଡିଏ ମେଣ୍ଟରୁ ଟିଡିପି ଓହରିଯାଇଥିଲା। ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ନମିଳିବା ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଟିଡିପି ପକ୍ଷରୁ କୁହାଯାଇଛି। ବିକ୍ଷୋଭ ପ୍ରଦର୍ଶନ ବେଳେ ଟିଡିପି ସାଂସଦମାନେ ପ୍ଲାକାର୍ଡ ଧରି ସଂସଦ ପରିସରରେ ବୁଲିଥିଲେ।