ପ୍ରାଥମିକ ଅବସ୍ଥାରୁ ଯକ୍ଷ୍ମା ଚିହ୍ନଟ କରିବ ସିବିନାଟ

ଏମସରେ ପରୀକ୍ଷା ହେବ ନୂତନ ପ୍ରତିେଷଧକ ଟିକା

ଭୁବନେଶ୍ୱର: ଦିନ ଥିଲା ଲୋକେ ଟିବି ବା ଯକ୍ଷ୍ମା ନାଁ ଶୁଣୁଥିଲେ ଭୟରେ ଶିହରି ଉଠୁଥିଲେ। ମାତ୍ର ଆଧୁନିକ ବିଜ୍ଞାନ ଦ୍ବାରା ରୋଗର ଚିକିତ୍ସା ସମ୍ଭବ ହୋଇପାରୁଛି। ତେବେ ଏହି ରୋଗକୁ ସମୂଳେ ବିନାଶ କରିବାର ପ୍ରୟାସ ଜାରି ରହିଛି। ଏ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଆୟୁର୍ବିଜ୍ଞାନ ଅନୁସନ୍ଧାନ କେନ୍ଦ୍ର । ଅତ୍ୟାଧୁନିକ ପଦ୍ଧତିରେ ରୋଗ ଚିହ୍ନଟ କରିବା ସହ ଏହାକୁ ସମୂଳେ ନାଶ କରିବା ଲାଗି ନୂତନ ଭ୍ୟାକସିନ ପ୍ରସ୍ତୁତି ସରିଛି। ଆସନ୍ତା ସପ୍ତାହରେ ଭୁବନେଶ୍ବର ଏମସରେ ପରୀକ୍ଷାମୂଳକ ଭାବେ ବ୍ୟବହାର ଆରମ୍ଭ ହେବ।
ଟିବି ପ୍ରତିେଷଧକ ଉପରେ ଗବେଷଣା କରୁଥିବା ଆରଏମଆରସି ବୈଜ୍ଞାନିକ ଡ. ଦାଶରଥି ଦାଶ ଓ ଜ୍ୟୋତିର୍ମୟୀ ତୁରୁକ ସୂଚନା ଦେଇ କହିଛନ୍ତି ଯେ ପୂର୍ବରୁ ମାଇକ୍ରୋସ୍ପୋକ ମାଧ୍ୟମରେ ଯକ୍ଷ୍ମା ରୋଗର ଯେଉଁ ପରୀକ୍ଷା କରାଯାଉଥିଲା ୧ ମିଲିଲିଟର କଫରେ ୧୦ହଜାର ମାଇକ୍ରୋ ବ୍ୟାକ୍ଟେରିଆ ଥିଲେ ତାହା ଜଣାପଡୁଥିଲା। ମାତ୍ର ଅତ୍ୟାଧୁନିକ କ୍ୟାଟ୍ରିଜ ବେସେଡ ନ୍ୟୁକ୍ଲିକ୍ ଏସିଡ ଆମ୍ପ୍ଲିଫିକେସନ ଟେଷ୍ଟ (ସିବିନାଟ ) ପ୍ରଣାଳୀ ପରୀକ୍ଷାରେ ୪୦ରୁ ୫୦ ମାଇକ୍ରୋବ୍ୟାକ୍ଟେରିଆ ଥିଲେ ମଧ୍ୟ ତାହା ଜଣାପଡିବ। ରୋଗୀର ଟିସୁ ଏବଂ ପୂଯରେ କମ ଜୀବାଣୁ ଥାଏ, ତେଣୁ ତାହା ମାଇକ୍ରୋସ୍କୋପ ପରୀକ୍ଷାରେ ଜଣାପଡେନାହିଁ। ମାତ୍ର ସିବିନାଟ ପରୀକ୍ଷାରେ ତୁରନ୍ତ ଜୀବାଣୁ ଚିହ୍ନଟ ହୋଇପାରିଥାଏ। ପରୀକ୍ଷାମୂଳକ ଭାବେ ଏହି ପ୍ରକ୍ରିୟା ସଫଳ ହେବା ପରେ ବର୍ତ୍ତମାନ ସିବିନାଟ ମାଧ୍ୟମରେ ପରୀକ୍ଷା କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଏବେସୁଦ୍ଧା ୧୩୩୮ଟି ସିବିନାଟ ମେସିନ ଯୋଗାଇ ଦିଆଯାଇଛି। ଏହାଛଡା ରାଜ୍ୟର ସମସ୍ତ ଜିଲା ପରୀକ୍ଷାଗାରରେ ସିବିନାଟ ମାଧ୍ୟମରେ ହିଁ ପରୀକ୍ଷା କରାଯାଉଛି। ଫଳରେ ସାମାନ୍ୟ ଆକ୍ରାନ୍ତ ହୋଇଥିବା ରୋଗୀକୁ ମଧ୍ୟ ଏହାଦ୍ୱାରା ଚିହ୍ନଟ କରାଯାଇ ପାରୁଛି। ଅପରପକ୍ଷରେ ଦିନକୁ ଦିନ ଲୋକଙ୍କ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି। ଏହି କାରଣରୁ ଅନେକ କ୍ଷେତ୍ରରେ ଔଷଧ ମଧ୍ୟ ଠିକ ଭାବେ କାମ କରିବାରେ ବିଫଳ ହେଉଛି। ଏଥିପାଇଁ ସମଗ୍ର ଦେଶରେ ୟୁନିଭର୍ସାଲ ଡ୍ରଗ ସେନସିବିିଲିଟି ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ପରୀକ୍ଷା ସିବିନାଟ ମାଧ୍ୟମରେ ହିଁ କରାଯାଇଥାଏ। ଏହି ପରୀକ୍ଷାରୁ ଜଣକର ରୋଗ ପ୍ରତିଷେଧକ ଶକ୍ତି କେତେ ଅଛି ଜଣାପଡିଥାଏ। ଶିଶୁଙ୍କ କ୍ଷେତ୍ରରେ ଏହି ପରୀକ୍ଷାକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି।

prayash

ଅପରପକ୍ଷରେ ସ୍ପିଅର ମାଇକ୍ରୋସ୍କେପିକ ପରୀକ୍ଷା ମାଧ୍ୟମରେ ଅନେକ କ୍ଷେତ୍ରରେ ଯକ୍ଷ୍ମା ଭଳି ଜୀବାଣୁ ଦେଖିବାକୁ ମିଳିଥାଏ। ମାତ୍ର ପ୍ରକୃତରେ ଏହା ଯକ୍ଷ୍ମା ଜୀବାଣୁ ହୋଇ ନ ଥାଏ। ଏହି ଦ୍ୱନ୍ଦ୍ୱ ଦୂର କରିବା ପାଇଁ ସିବିନାଟ ପରୀକ୍ଷାର ଆବଶ୍ୟକତା ରହିଛି। ଏହାଛଡା ଜୀବାଣୁ ହୋଇ ନ ଥିଲେ ମଧ୍ୟ ଏହାର ଚିକିତ୍ସା ଦରକାର ପଡିଥାଏ। ଡ. ଦାଶ ଓ ଡ. ତୁରୁକ ଏଥିପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଆରଏନଟିସିପି ଯୋଜନାରେ ନନ ଟ୍ୟୁବୋକୁଲାର ମାଇକ୍ରୋବ୍ୟାକଟେରିଆ ଟେଷ୍ଟିଂ ଆରମ୍ଭ ହୋଇଛି। ଓଡିଶାର ୧୦ଟି ଜିଲାରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସଂଗୃହୀତ ନମୂନାକୁ ନନ ଟ୍ୟୁବୋକୁଲାର ମାଇକ୍ରୋବ୍ୟାକ୍ଟେରିଆ ପ୍ରକ୍ରିୟାରେ ପରୀକ୍ଷା କରାଯାଇ ଆବଶ୍ୟକତା ଅନୁସାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ବର୍ତ୍ତମାନ ସୁଦ୍ଧା ଏହି ପ୍ରକ୍ରିୟାରେ ୧୪ଟି ନମୁନା ପରୀକ୍ଷା କରାଯାଇ ସାରିଛି। ସିବିନାଟ ପରୀକ୍ଷା ପାଇଁ ୩ଘଣ୍ଟା ସମୟ ଲାଗିଥାଏ। ଭୁବନେଶ୍ବର କେନ୍ଦ୍ରରେ ଦୈନିକ ୧୨ରୁ ୧୪ଟି ପରୀକ୍ଷା କରାଯାଉଛି।
ଆରମ୍ଭ ହେବ ନୂଆ ଟିକା ପରୀକ୍ଷଣ
ମୋଟ ଜନସଂଖ୍ୟାର ଏକତୃତୀୟାଂଶ ଲୋକ ଯକ୍ଷ୍ମା ସଂକ୍ରମଣରେ ଅଛନ୍ତି। ଏଥିପାଇଁ ପରୀକ୍ଷାମୂଳକ ଭାବେ ଟିବି ଭ୍ୟାକସିନ ଆରମ୍ଭ କରିବାକୁ ଯାଉଛୁ। ପୂର୍ବରୁ ଥିବା ବିସିଜି ଭ୍ୟାକସିନ (ଟିକା) ମୁଖ୍ୟତଃ ଛୋଟ ପିଲାଙ୍କ କ୍ଷେତ୍ରରେ କାମ ଦେଇଥାଏ। ମାତ୍ର ବୟସ୍କଙ୍କ ପାଇଁ ଏହା କାମ ଦେଇ ନ ଥାଏ। ଦେଶର ୬ଟି ସ୍ଥାନରେ ଏହି ପରୀକ୍ଷାର ବ୍ୟବସ୍ଥା ରହିଛି। ଏମସ ଭୁବନେଶ୍ୱରରେ ଖୁବଶୀଘ୍ର ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ବର୍ତ୍ତମାନ ଏହି ପରୀକ୍ଷଣ ତୃତୀୟ ପର୍ଯ୍ୟାୟରେ ରହିଛି। ଏହି ପର୍ଯ୍ୟାୟ ପରୀକ୍ଷାରେ ଯେଉଁ ବ୍ୟକ୍ତିଙ୍କ ଦେହରେ ଟିବି ଜୀବାଣୁ ଠାବ ହେଉଛି କେବଳ ସେହି ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପରୀକ୍ଷାମୂଳକ ଭାବେ ଏହି ଭ୍ୟାକସିନ ଦିଆଯିବ। ଦିଲ୍ଲୀରେ ଏହି ପରୀକ୍ଷା ଆରମ୍ଭ ହୋଇଯାଇଥିଲା ବେଳେ ଆସନ୍ତା ସପ୍ତାହରେ ଭୁବନେଶ୍ବର ଏମସରେ ପରୀକ୍ଷା ଆରମ୍ଭ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ପରୀକ୍ଷାରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଶେଷ ପର୍ଯ୍ୟାୟ ପରୀକ୍ଷା ପରେ ଏହାକୁ ସାର୍ବଜନୀନ ଭାବେ ପରୀକ୍ଷା କରାଯିବ ବୋଲି ଡ. ଦାଶ କହିଛନ୍ତି।

kalyan agarbati

Comments are closed.