ଟି୨୦: ଭାରତକୁ ହରାଇଲେ ହେଲ୍‍ସ

0

କାର୍ଡିଫ୍‍, ୬ା୭ : ଆଲେକ୍ସ ହେଲ୍‍ସଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଶୁକ୍ରବାର ୨ୟ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ଭାରତକୁ ଘରୋଇ ଇଂଲଣ୍ଡ ପରାସ୍ତ କରିଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ହେଲ୍‍ସଙ୍କ ଅପରାଜିତ ୫୮ ରନ୍‍ ବଳରେ ଇଂଲଣ୍ଡ ୫ ୱିକେଟରେ ବିଜୟୀ ହୋଇଛି। ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଉପଯୋଗୀ ଇନିଂସ ବଳରେ ଭାରତ ପ୍ରଥମେ ବ୍ୟାଟିଂକରି ୫ ୱିକେଟରେ ୧୪୮ ରନ୍‍ କରିଥିଲା। ପରେ ଆଲେକ୍ସ ହେଲ୍‍ସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ୨ଟି ବଲ୍‍ ବାକିଥାଇ ୫ ୱିକେଟ ହରାଇ ଇଂଲଣ୍ଡ ଜିତିଥିଲା ଇଂଲଣ୍ଡ ଏହି ବିଜୟ ପରେ ସିରିଜ୍‍ ୧-୧ ସ୍ଥିତିରେ ଅଛି। ରବିବାର ନିର୍ଣ୍ଣାୟକ ୩ୟ ତଥା ଅନ୍ତିମ ଟ୍ୱେଣ୍ଟି୨୦ ମ୍ୟାଚ୍‍ ଖେଳାଯିବ।
ଇଂଲଣ୍ଡ ଜଲ୍‍ଦି ପ୍ରଥମ ମ୍ୟାଚ୍‍ର ଦୁଇ ସଫଳ ଓପ୍‍ନରଙ୍କ ୱିକେଟ ହରାଇଥିଲା। ଜେସନ୍‍ ରୟ ୧୫ ଓ ଜୋସ୍‍ ବଟ୍‍ଲର ୧୪ ରନ୍‍କରି ଆଉଟ ହୋଇଥିଲେ। ପରେ ଜୋ ରୁଟ୍‍ ୯ ରନକରି ବିଦାୟ ନେବା ବେଳକୁ ଇଂଲଣ୍ଡ ୭ ଓଭରରେ ୩ ୱିକେଟରେ ୪୪ ରନ୍‍ କରିଥିଲା। ପରେ ରନ୍‍ଗତି ଧିମେଇ ଯାଇଥିଲା। ପରେ ଅଲେକ୍ସ ହେଲ୍‍ସ ଓ ଇଓନ୍‍ ମୋର୍ଗାନ୍‍ ଆକ୍ରମଣ ଆରମ୍ଭ କରିଥିଲେ। ଦୁହେଁ ୪ର୍ଥ ୱିକେଟ ପାଇଁ ୬ ଓଭରରେ ୪୮ ରନ୍‍ ଯୋଡ଼ିବା ପରେ ଶିଖର ଧାୱନଙ୍କ ଦର୍ଶନୀୟ କ୍ୟାଚ୍‍ରେ ଅଧିନାୟକ ମୋର୍ଗାନ୍‍ ଆଉଟ ହୋଇଥିଲେ। ମୋର୍ଗାନ୍‍ ୧୯ ବଲ୍‍ରୁ ୧୭ ରନ୍‍ କରିଥିଲେ। ପରେ ଆଲେକ୍ସ ହେଲସ ଓ ଜନି ବେୟାରଷ୍ଟୋ ୪ ଓଭରରେ ୩୪ ରନ୍‍ ଯୋଡ଼ିଥିଲେ। ବେୟାରଷ୍ଟୋ ୧୮ ବଲ୍‍ରୁ ୨ଟି ଛକା ସହ ୨୮ ରନ୍‍ କରିଥିଲେ। ହେଲ୍‍ସ ୩୮ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୭ ରନ୍‍କରି ଅପରାଜିତ ଥିଲେ। ଉମେଶ ଯାଦବ ୨ଟି ୱିକେଟ ପାଇଥିଲେ। ପ୍ରଥମ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଭାରତ ବିଜୟୀ ହୋଇଥିବାବେଳେ ଦ୍ବିତୀୟ ମ୍ୟାଚ୍‌ରେ ଲଢ଼ୁଆ ପ୍ରଦର୍ଶନ କରି ଇଂଲଣ୍ଡ ଜିତିଛି।
ଇଂଲଣ୍ଡ ଟସ୍‍ ଜିତି ଫିଲ୍‍ଡିଂ ନେବା ପରେ ଭାରତ ଦୟନୀୟ ଭାବେ ଇନିଂସ ଆରମ୍ଭ କରିଥିଲା। ରୋହିତ ଶର୍ମା ପୁଲ୍‍ ମାରିବା ପ୍ରୟାସରେ ୱିକେଟ ରକ୍ଷକଙ୍କୁ କ୍ୟାଚ୍‍ ଦେବା ପୂର୍ବରୁ ୬ ରନ୍‍ କରିଥିଲେ। ଅନ୍ୟ ଓପ୍‍ନର ଶିଖର ଧାୱନ ବେପରୁଆ ଭାବେ ଦୌଡ଼ି ରନ୍‍ଆଉଟ ହୋଇଥିଲେ। ବାମହାତି ଧାୱନ ୧୦ ରନ୍‍ କରିଥିଲେ। ପ୍ରଥମ ମ୍ୟାଚ୍‍ରେ ଶତକ ହାସଲ କରିଥିବା କେ.ଏଲ୍‍. ରାହୁଲ ୬ ରନ୍‍କରି ଆଉଟ ହୋଇଥିଲେ। ୫ମ ଓଭରରେ ୨୨ ରନ୍‍ରେ ଭାରତ ୩ଟି ୱିକେଟ ହରାଇ କଷ୍ଟସାଧ୍ୟ ସ୍ଥିତିରେ ଥିଲା। ପରେ ଅଧିନାୟକ ବିରାଟ କୋହଲି ଓ ସୁରେଶ ରୈନା ଧିରେସୁସ୍ଥେ ବ୍ୟାଟିଂକରି ପରେ ଷ୍ଟ୍ରୋକ୍‍ ଖେଳିବା ଆରମ୍ଭ କରିଥିଲେ। ୧୦ ଓଭର ଶେଷରେ ଭାରତ ୩ ୱିକେଟ ହରାଇ ୫୩ ରନ୍‍ କରିଥିଲା।
୪ର୍ଥ ୱିକେଟ ପାଇଁ କୋହଲି-ରୈନା ୫୭ ରନ୍‍ ଯୋଡ଼ିବା ପରେ ରୈନା ୨୦ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍‍କରି ଆଉଟ ହୋଇଥିଲେ। ଅଧିନାୟକ ବିରାଟ କୋହଲି ଆଉଟ ହୋଇଯିବା ଭାରତ ପାଇଁ ଶକ୍ତ ଧକ୍କା ଥିଲା। କୋହଲି ୩୮ ବଲ୍‍ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୪୭ ରନ୍‍ କରିିଥିଲେ। ମହେନ୍ଦ୍ର ସିଂହ ଧୋନି ଓ ହାର୍ଦିକ ପାଣ୍ଡ୍ୟା ଶେଷ ୩ ଓଭରରୁ ୩୭ ରନ୍‍ ନେଇଥିଲେ। ଶେଷ ଓଭରରୁ ୨୨ ରନ୍‍ ହୋଇଥିଲା। ଧୋନି ୨୪ ବଲ୍‍ରୁ ୫ଟି ଚୌକା ସହ ୩୨ ରନ୍‍କରି ଅପରାଜିତ ଥିଲେ। ପାଣ୍ଡ୍ୟା ୧୦ ବଲ୍‍ରୁ ୧୨ ରନ୍‍କରି ଅପରାଜିତ ଥିଲେ।

kalyan agarbati
Leave A Reply