ଶ୍ରୀଲଙ୍କାକୁ ୭ ୱିକେଟରେ ହରାଇଲା ଭାରତ

0

କୁଆଲା ଲୁମ୍ପୁର : ମହିଳା ଏସିଆ କପ୍‍ ଟ୍ୱେଣ୍ଟି୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାରତ ତୃତୀୟ ବିଜୟ ହାସଲ କରିଛି। ଗୁରୁବାର ଭାରତ ୭ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟରେ ୧୦୭ ରନ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୩ ୱିକେଟ ହରାଇ ଜିତିଥିଲା। ଏହି ବିଜୟ ଫଳରେ ଭାରତ ୪ଟି ମ୍ୟାଚରୁ ୩ିଟି ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲ ଶୀର୍ଷରେ ରହିଛି। ଶନିବାର ଭାରତ ଶେଷ ଲିଗ୍‍ ମ୍ୟାଚରେ ପାକିସ୍ତାନକୁ ଭେଟିବ।
୧୦୮ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଭାରତ ୨୧ ରନରେ ଓପନର ସ୍ମୃତି ମାନ୍ଧାନାଙ୍କ (୧୨) ୱିକେଟ ହରାଇଥିଲା। ଅଧିନାୟିକା ହରମନପ୍ରୀତ କୌରଙ୍କ ସହ ୨ୟ ୱିକେଟ ପାଇଁ ୩୪ ରନ ଯୋଗ କରିବା ପରେ ଅନ୍ୟ ଓପନର ମିତାଲି ରାଜ ୨୩ ରନ କରି ଆଉଟ ହୋଇଥିଲେ। ହରମନପ୍ରୀତ ୨୪ ରନ କରି ୩ୟ ଖେଳାଳି ଭାବେ ପ୍ୟାଭିଲିୟନ ଫେରିଯାଇଥିଲେ। ଏହି ସମୟରେ ଦଳୀୟ ସ୍କୋର ୩ ୱିକେଟରେ ୭୦ ରନ ଥିଲା। ତେବେ ବେଦା କୃଷ୍ଣମୂର୍ତ୍ତି ଓ ଅନୁଜା ପାଟିଲ ୪ର୍ଥ ୱିକେଟ ପାଇଁ ଅବିଭାଜିତ ୪୦ ରନ ସଂଗ୍ରହ କରିବା ଫଳରେ ଭାରତ ବିଜୟୀ ହୋଇଥିଲା। କୃଷ୍ଣମୂର୍ତ୍ତି ୨୯ ଓ ଅନୁଜା ୧୯ ରନରେ ଅପରାଜିତ ରହିଥିଲେ। ଶ୍ରୀଲଙ୍କା ଅଧିନାୟିକା ଟସ୍‍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୧୨ ରନରେ ଓପନର ନିପୁନି ହଂସିକାଙ୍କୁ (୨) ଆଉଟ କରି ଏକତା ବିସ୍ତ୍‍ ଭାରତ ପାଇଁ ପ୍ରଥମ ସଫଳତା ହାସଲ କରିଥିଲେ। ଅନ୍ୟତମ ଓପନର ଯଶୋଦା ମେଣ୍ଡିସ ଓ ହସିନି ପରେରା ଦ୍ୱିତୀୟ ୱିକେଟ ପାଇଁ ୩୮ ରନ ଯୋଗ କରିଥିବା ବେଳେ ମେଣ୍ଡିସ ବ୍ୟକ୍ତିଗତ ୨୭ ରନ କରି ଆଉଟ ହୋଇଥିଲେ। ଏହାପରେ ଶ୍ରୀଲଙ୍କା ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ପରେରା ଗୋଟିଏପଟେ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ ଜାରି ରଖିଥିବାବେଳେ ଅନ୍ୟପଟରୁ ନିୟମିତ ବ୍ୟବଧାନରେ ୱିକେଟର ପତନ ଘଟିବା ଫଳରେ ଦଳ ୨୦ ଓଭରରେ ୭ ୱିକେଟ ହରାଇ ୧୦୭ ରନ କରିଥିଲା। ପରେରା ୪ଟି ଚୌକା ସହ ୪୬ ରନ କରି ଅପରାଜିତ ରହିଥିଲେ। ମେଣ୍ଡିସ ଓ ପରେରାଙ୍କୁ ଛାଡ଼ି ଅନ୍ୟ କେହି ଦୁଇ ଅଙ୍କ ସ୍କୋର କରି ପାରିନଥିଲେ। ଏକତା ବିସ୍ତ୍‍ ୨ଟି ୱିକେଟ ପାଇଥିଲେ। ଅନୁଜା ‘ପ୍ଲେୟର ଅଫ୍‍ ଦି ମ୍ୟାଚ’ ବିବେଚିତ ହୋଇଥିଲେ। ଗୁରୁବାର ଅନ୍ୟ ମ୍ୟାଚରେ ପାକିସ୍ତାନ ୧୪୭ ରନରେ ମାଲେସିଆକୁ ଓ ବାଂଲାଦେଶ ୯ ୱିକେଟରେ ଥାଇଲାଣ୍ଡକୁ ପରାସ୍ତ କରିଛି।

Leave A Reply