ସନ୍ତରଣରେ ସଫଳତା ସାଉଁଟିଲେ ପ୍ରତ୍ୟାଶା, ଜିତିଲେ ୪ ସ୍ବର୍ଣ୍ଣ ସହ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦକ
ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା
ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ସମାଜ ବିଜ୍ଞାନ ବିଭାଗ ଛାତ୍ରୀ ପ୍ରତ୍ୟାଶା ରାୟଙ୍କୁ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ପ୍ରତ୍ୟାଶାଙ୍କୁ ୪ଟି ସ୍ବର୍ଣ୍ଣ ସହିତ ଗୋଟିଏ ଲେଖାଏଁ ରୌପ୍ୟ ଓ ବ୍ରୋଞ୍ଜ ପଦ ମିଳିଛି।
ଆସାମର ଗୌହାଟିଠାରେ ନିକଟରେ ଶେଷ ହୋଇଥିବା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ପ୍ରତିନିଧିତ୍ବ କରୁଥିବା ଓଡ଼ିଆ ଝିଅ ପ୍ରତ୍ୟାଶା ରାୟ ନିଜର ଚମକ ଜାରି ରଖି ସ୍ବର୍ଣ୍ଣପଦକ ପଦକ ଜିତିଛନ୍ତି। ଓଡ଼ିଶା ସନ୍ତରିକା ପ୍ରତ୍ୟାଶା ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ୫୦, ୧୦୦, ୨୦୦ ଓ ୪୦୦ ମିଟର ଫ୍ରିଷ୍ଟାଇଲ୍ରେ ୪ଟି ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ୨୦୦ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ଏବଂ ୪୦୦ ମିଟର ଆଇଏମ୍ରେ ବ୍ରୋଞ୍ଜ ପଦକ ଜିତି ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଜାତୀୟ ସ୍ତରରେ ଓଡ଼ିଶାକୁ ଗୌରବୀନ୍ୱିତ କରିପାରିଛନ୍ତି।
ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାରେ ସଫଳତା ପାଇବା ପରେ ପ୍ରତ୍ୟାଶା ଓଡ଼ିଶା ଫେରିଛନ୍ତି। ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପ୍ରତ୍ୟାଶା ପହଞ୍ଚିବା ପରେ ତାଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ରୀଡା ପରିଷଦ ନିର୍ଦେଶକ ଡ.ବିଜୟ କୁମାର ସୁନ୍ଦରାୟ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ଦାସ, ଡ.ପ୍ରବୀର ମହାନ୍ତି, ପ୍ରଶାନ୍ତ ମହାନ୍ତି ଓ ଚତୁର୍ଭୁଜ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରତ୍ୟାଶାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।
ସନ୍ତରଣ ପ୍ରତିଯୋଗିତାରେ ପ୍ରଶଂଶନୀୟ ସଫଳତା ହାସଲ କରିଥିବା ପ୍ରତ୍ୟାଶାଙ୍କୁ କୁଳପତି ପ୍ରଫେସର ସବିତା ଅଚାର୍ଯ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସନ୍ତରଣ କ୍ଷେତ୍ରରେ ଖ୍ୟାତ ଅର୍ଜନ କରିବା ସହିତ ବିଶ୍ବବିଦ୍ୟାଳୟ ତଥା ଓଡ଼ିଶା ପାଇଁ ସୁନାମ ଆଣିବାକୁ କୁଳପତି ଆହ୍ବାନ ଦେଇଛନ୍ତି।
Comments are closed.