ସ୍ୱର ସମର୍ପଣ ତରଫରୁ ଶ୍ରଦ୍ଧାଞ୍ଜଳି ସମାରୋହ

ନୂଆଦିଲ୍ଲୀ / ଭୁବନେଶ୍ୱର : ଦେଶର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସ୍ୱରସମର୍ପଣ ତରଫରୁ ପଣ୍ଡିତ ଡଃ ଦାମୋଦର ହୋତା ଓ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ନୂଆଦିଲ୍ଲୀର ହାଉଜଖାସସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ଏହି ଉପଲକ୍ଷେ ଆୟୋଜିତ ଏକ ଶୋକସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଉଭୟ ମହାମନିଷୀଙ୍କ ପ୍ରତି ଭକ୍ତିପୂତ ଶ୍ରଦ୍ଧା ନିବେଦନ କରିଥିବା ଦେଖାଯାଇଥିଲା । ସ୍ୱର୍ଗତ ଦାମୋଦର ହୋତା ଉଭୟ ହିନ୍ଦୁସ୍ତାନୀ ଏବଂ ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତ ଜଗତରେ ଜଣେ ଅମ୍ଳାନ ପ୍ରତିଭା ଓ ଉଜ୍ଜ୍ୱଳ ନକ୍ଷତ୍ର ଥିଲେ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ତାଙ୍କର ପରଲୋକରେ ଏକ ମହାନ ସୃଜନଶୀଳ ଯୁଗର ଅବସାନ ଘଟିଲା ବୋଲି ସେମାନେ ଦର୍ଶାଇଥିଲେ । ସମାରୋହର ମୁଖ୍ୟ ଆୟୋଜକ ଡଃ ହୋତାଙ୍କର ବରିଷ୍ଠ ଶିଷ୍ୟ ତଥା ସୁନାମଧନ୍ୟ ସଂଗୀତଜ୍ଞ ଆଚାର୍ଯ୍ୟ ଅଭିମନ୍ୟୁ, ଗୁରୁଜୀଙ୍କର ମୌଳିକ ଗାୟନଶୈଳୀ, ଅନନ୍ୟ ସଂରଚନା ଓ ସ୍ୱତନ୍ତ୍ର ସାଂଗିତିକୀ ପରମ୍ପରାକୁ ବିଶ୍ୱଭରି ତାଙ୍କର ଶିଷ୍ୟଶିଷ୍ୟାମାନେ ବଜାୟ ରଖିବେ ବୋଲି ଉଲ୍ଲେଖ କରିଥିଲେ । ଭାରତରତ୍ନ ଲତା ମଙ୍ଗେସକର ମା’ ସରସ୍ୱତୀଙ୍କର ବରପୁତ୍ରୀ ଥିଲେ ଓ ମା’ ତାଙ୍କୁ ସସ୍ନେହ ଓ ସସମ୍ମାନରେ ତାଙ୍କ ନିକଟକୁ ସ୍ୱର୍ଗକୁ ନେଇଯାଇଛନ୍ତି ବୋଲି ସମ୍ମାନିତ ଅତିଥି ୱାର୍ଲଡ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ତାଙ୍କର ଅଡିଓ ବକ୍ତବ୍ୟରେ ସୁଚାଇଥିଲେ । ଅନ୍ୟତମ ଅତିଥି ପଣ୍ଡିତ ସୁରେନ୍ଦ୍ର ସିଂହ ଏବଂ ଡଃ ଚିତ୍ତରଞ୍ଜନ ପାଣି ମଧ୍ୟ ଅଡିଓ ବାର୍ତ୍ତା ଜରିଆରେ ସେମାନଙ୍କର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉପସ୍ଥିତ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ବିଜୟିନୀ ଫାଉଣ୍ଡେସନର ଅଧ୍ୟକ୍ଷା ରୀତା ପାତ୍ର, ଯୋଗେନ୍ଦ୍ର ଗର୍ଗ, ଡଃ ସଞ୍ଜୟ ଶ୍ରୀବାସ୍ତବ, ଉର୍ମିଳା ଶର୍ମା, ରୀତା ଗେନ୍ଦ, ଅକ୍ଷୟ ଓଝା, ପ୍ରତିମା ଶର୍ମା, ରେଖା ଦେହେରିଆ ଓ ଚନ୍ଦନା ରାଉଳ ପ୍ରମୁଖ ସେମାନଙ୍କର ଭାଷଣରେ ସ୍ୱର୍ଗତ ଡଃ ହୋତା ଓ ସ୍ୱର୍ଗୀୟା ସୁଶ୍ରୀ ମଙ୍ଗେସକରଙ୍କର ସଂଗୀତ କ୍ଷେତ୍ରରେ ଅଭୂତପୂର୍ବ ଅବଦାନ ଉପରେ ଆଲୋକପାତ କରିଥିଲେ ।

ଏହି ଅବସରରେ ଗୁରୁ ଦାମୋଦର ହୋତାଙ୍କ ଦ୍ୱାରା ନିର୍ଦ୍ଦେଶିତ ଦଶାବତାର ସ୍ତୋତ୍ରକୁ ଆଚାର୍ଯ୍ୟ ଅଭିମନ୍ୟୁ ଖୁବ୍‍ ସୁନ୍ଦର ଓ ସୁଲଳିତ ଢଙ୍ଗରେ ଗାୟନ କରି ସ୍ରୋତାମାନଙ୍କୁ ସ୍ତମ୍ଭିଭୂତ କରିଦେଇଥିଳେ । ଅନ୍ୟ କଳାକାରମାନଙ୍କ ମଧ୍ୟରେ ସ୍ୱପ୍ନାରାଣି ରାଉତ, ଦିବ୍ୟଲୋଚନ, ସଚିନ, ସିଦ୍ଧାନ୍ତ ଦୁବେ, ବିବାନ ଦୁବେ, ଅନିକା ଶର୍ମା ପ୍ରମୁଖ ସଂଗୀତ ମାଧ୍ୟମରେ ସେମାନଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଭା ଶେଷରେ ଲବ୍ଧପ୍ରତିଷ୍ଠ ସାହିତ୍ୟିକ ଡଃ ଚନ୍ଦ୍ରମଣି ବ୍ରହ୍ମଦତ୍ତ, ଶ୍ରଦ୍ଧା ଅଧୀବେଶନର ସାରମର୍ମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ ।

Comments are closed.