ସ୍ଵଚ୍ଛତା ଏକ ସଂସ୍କୃତି ଭାବରେ ବିକଶିତ ଓଡ଼ିଶାର ମୂଳଦୁଆ ହେବ

ସ୍ଵଚ୍ଛ ଭାରତ ମିଶନ(ଗ୍ରାମୀଣ)ର ଦଶବର୍ଷ ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହ

ଭୁବନେଶ୍ଵର: ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶନ୍ଧି ପୂର୍ତ୍ତି ପାଳନର ରାଜ୍ୟସ୍ତରୀୟ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀର ରାମଚନ୍ଦ୍ରପୁର ପଞ୍ଚାୟତଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ରବି ନାରାୟଣ ନାଏକ, ପଞ୍ଚୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ଓଡ଼ିଶା ସରକାର ଏବଂ ମାନ୍ୟବର ବିଧାୟକ   ଓମ ପ୍ରକାଶ ମିଶ୍ର, ସତ୍ୟବାଦୀ ଯୋଗ ଦେଇଥିଲେ।

ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶବର୍ଷ ପୂର୍ତ୍ତି ପାଳନ ସମାରୋହରେ ମାନ୍ୟବର କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶ୍ରୀ ସିଆର୍ ପାଟିଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଏହି କ୍ଷେତ୍ରରେ ଓଡ଼ିଶାରେ ହୋଇଥିବା କାର୍ଯ୍ୟକୁ ଉଚ୍ଚପ୍ରଶଂସା କରିଥିଲେ ।ସ୍ଵଚ୍ଛତା, ପରିମଳ ବ୍ୟବସ୍ଥା, ପାନୀୟଜଳ ଯୋଗାଣ, ଓଡ଼ିଏଫ୍ ପ୍ଲସ୍ (ମଡେଲ) ଆଦି କ୍ଷେତ୍ରରେ ଓଡ଼ିଶା କରିଥିବା କାର୍ଯ୍ୟ ଉଲ୍ଲେଖନୀୟ ବୋଲି ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଥିଲେ। ଏହିସବୁ କାର୍ଯ୍ୟକୁ ବିକଶିତ ଓଡ଼ିଶାର ମୂଳଦୁଆ ରୂପେ ବର୍ଣ୍ଣନା କରିବା ସହ ଓଡ଼ିଶାରେ “ସ୍ଵଚ୍ଛତା ହିଁ ସେବା”ର ସଫଳତାକୁ ସାମୁହିକ ଶକ୍ତିର ଅଦ୍ଭୂତ ଦୃଷ୍ଟାନ୍ତ ବୋଲି କହିଥିଲେ। ଏହି ଅବସରରେ “ମା ପାଇଁ ଗଛଟିଏ” ଓ “ସ୍ଵଚ୍ଛତା ହିଁ ସେବା” ଭଳି ସମାଜମନସ୍କ ପରିବେଶ ଉପଯୋଗୀ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବାପାଇଁ ସେ ସଭିଙ୍କୁ ପ୍ରେରିତ କରିଥିଲେ।

ଏହି ସମାରୋହର ଅନ୍ୟତମ ଅତିଥି ମନ୍ତ୍ରୀ ରବି ନାରାୟଣ ନାଏକ, ପଞ୍ଚୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ ଓଡ଼ିଶାରେ ନୂତନ ସରକାର ଗଠନର ୧୦୦ ଦିନର ବିକାଶ ଯାତ୍ରାରେ ସ୍ଵଚ୍ଛତାକୁ ବିଶେଷ ଗୁରୁତ୍ଵ ଦିଆଯାଇଥିବା ପରିପ୍ରକାଶ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ୧୨ ଜୁନ୍ ୨୦୨୪ ରେ ୧00 ଦିନିଆ ଅଭିଯାନର ଆରମ୍ଭ ହେବା ସହିତ ପରିମଳ ବ୍ୟବସ୍ଥା ପ୍ରତିବଦ୍ଧତା ମଧ୍ୟ ଜାରି ରହିଛି ।

ଏହି ଅଭିଯାନ ସମୟରେ ନୂତନ ବ୍ୟକ୍ତିଗତ ଘରୋଇ ଶୌଚଳୟ ନିର୍ମାଣ ପାଇଁ ୫୧,୭୦୨ ଅନୁମତି ପତ୍ର (LOP) ବଣ୍ଟନ କରାଯାଇଛି , ୨୬୧ ଗ୍ରାମ୍ୟ ଜଳ ଏବଂ ପରିମଳ କମିଟି (VWSCs) କୁ ତାଲିମ ଦିଆଯାଇଛି, ଏବଂ ୧୧୦୧୬ ଗ୍ରାମକୁ ODF ପ୍ଲସ୍ (ମଡେଲ୍) ଭାବରେ ଘୋଷଣା କରାଯାଇଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ ପ୍ରକାଶ କରିଥିଲେ।

ଏହା ପୂର୍ବରୁ ମାନ୍ୟବର ମନ୍ତ୍ରୀଗଣ ଓ ଅନ୍ୟ ଅତିଥିଗଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଭୂମି “ସୁଆଣ୍ଡୋ” ଗ୍ରାମକୁ ଗସ୍ତକରି ଉତ୍କଳମଣିଙ୍କ ସ୍ମୃତିଚାରଣ କରିଥିଲେ। ସେଠାରେ “ମା ପାଇଁ ଗଛଟିଏ” କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ବୃକ୍ଷରୋପଣ କରିଥିଲେ ଓ ଉତ୍କଳମଣି ମେମୋରିଆଲ ସଂଗ୍ରହାଳୟକୁ ଗସ୍ତ କରିଥିଲେ। ଏହା ପରେ ସେମାନେ ବିଦ୍ୟାଧରପୁର ଗ୍ରାମ ପରିଦର୍ଶନ କରି ବ୍ୟକ୍ତିଗତ ଘରୋଇ ଶୌଚଳୟର ହିତାଧିକାରୀ ଓ ପରିମଳ କର୍ମଚାରୀ ମାନଙ୍କୁ ଭେଟି କଥାବାର୍ତ୍ତା ହୋଇଥିଲେ।

ସ୍ଵଚ୍ଛ ଭାରତ ମିସନ(ଗ୍ରାମୀଣ)ର ଦଶବର୍ଷ ପୂର୍ତ୍ତି ପାଳନ ସମାରୋହରେ ସବୁଠୁ ଭଲ କାର୍ଯ୍ୟ କରିଥିବା ଚାରୋଟି ଜିଲ୍ଲା ଓ ପାଞ୍ଚଗୋଟି ପଞ୍ଚାୟତକୁ ପୁରସ୍କୃତ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାକୁ ତରଳ ବର୍ଜ୍ୟବସ୍ତୁ ପରିଚାଳନା, ସୁନ୍ଦରଗଡ ଜିଲ୍ଲାକୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ପୁରୀ ଜିଲ୍ଲାକୁ ଗୋଷ୍ଠୀ ଅଂଶଗ୍ରହଣ ପାଇଁ ଏବଂ ନୁଆପଡାକୁ ପରିମଳ ପରିପ୍ରେକ୍ଷୀରେ ଶ୍ରେଷ୍ଠ ଜିଲ୍ଲା ଭାବରେ ପୁରସ୍କୃତ କରାଯାଇଥିଲା।

ଏହା ସହ ସୁନ୍ଦରଗଡର କାଚ୍ରୁ ଗ୍ରାମପଞ୍ଚାୟତ, ଗଞ୍ଜାମ ଜିଲ୍ଲାର ଚମଖଣ୍ଡି ଗ୍ରାମ ପଞ୍ଚାୟତ, ନୁଆପଡା ଜିଲ୍ଲାର ଭାଲେଶ୍ୱର ଗ୍ରାମ ପଞ୍ଚାୟତ, ଯାଜପୁର ଜିଲ୍ଲା ସୂଜନପୁର ଗ୍ରାମ ପଞ୍ଚାୟତ, ଏବଂ ପୁରୀ ଜିଲ୍ଲାର ବିଦ୍ୟାଧରପୁର ଗ୍ରାମ ପଞ୍ଚାୟତକୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ   ଅଶୋକ କୁମାର ମୀନା, ସ୍ଵତନ୍ତ୍ର ଅଧିକାରୀ , ପାନୀୟ ଜଳ ଓ ପରିମଳ, ଭାରତ ସରକାର,  ସୁଶୀଲ କୁମାର ଲୋହାନୀ, ପ୍ରମୁଖ ଶାସନ ସଚିବ ପଞ୍ଚାୟତି ରାଜ ଓ ପାନୀୟ ଜଳ, ଓଡ଼ିଶା ସରକାର ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।

Comments are closed.