୪ ବର୍ଷ ବିଳମ୍ବ ପାଇଁ ଏନଆଇଏକୁ କଡ଼ା ସମାଲୋଚନା, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସୁପ୍ରିମକୋର୍ଟ

ଡେସ୍କ: ନକଲି ନୋଟ୍ ମାମଲାରେ ଦୀର୍ଘ ଦିନ ଧରି ବିଳମ୍ବ ହୋଇଥିବାରୁ ବୁଧବାର ସୁପ୍ରିମକୋର୍ଟ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ)କୁ କଡ଼ା ସମାଲୋଚନା କରିଛନ୍ତି। ଜଷ୍ଟିସ ଜେବି ପାର୍ଦିୱାଲା ଓ ଜଷ୍ଟିସ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ ଅପରାଧର ଗମ୍ଭୀରତା ଯାହା ହେଉ ନା କାହିଁକି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତ୍ୱରିତ ଶୁଣାଣିର ସାମ୍ବିଧାନିକ ଗ୍ୟାରେଣ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି।

ମାମଲାର ଶୁଣାଣି ସମୟରେ ବିଚାରପତିମାନେ ମାମଲାର ଏନଆଇଏର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। “ଆପଣ ହେଉଛନ୍ତି ଏନଆଇଏ। ଦୟାକରି ନ୍ୟାୟର ଉପହାସ କରନ୍ତୁ ନାହିଁ। ୪ ବର୍ଷ ବିତିଯାଇଥିଲେ ମଧ୍ୟ ଶୁଣାଣି ଆରମ୍ଭ ହୋଇନାହିଁ। ଏହା କରାଯାଏ ନାହିଁ। ଅଭିଯୁକ୍ତ ଯେକୌଣସି ଅପରାଧ କରିଛି, ତା’ର ଶୀଘ୍ର ଶୁଣାଣି କରିବାର ଅଧିକାର ରହିଛି। ଏବେ କିଛି କୁହନ୍ତୁ ନାହିଁ। ଗୋଟିଏ ଶବ୍ଦ ବି ନୁହେଁ ବୋଲି ସୁପ୍ରିମକୋର୍ଟ ମନ୍ତବ୍ୟ ଦେଇଛନ୍ତି।

୨୦୨୦ ମସିହାରେ ମୁମ୍ବାଇ ପୁଲିସ ପକ୍ଷରୁ ଗୋପନୀୟ କାଗଜପତ୍ରକୁ ଆଧାର କରି କରାଯାଇଥିବା ଏକ ଅପରେସନରୁ ଏହି ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ପାକିସ୍ତାନରୁ ଆସିଥିବା ନକଲି ନୋଟ୍ ଜବତ କରାଯାଇଥିଲା। ପରେ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା, ଯେଉଁଥିରେ ଜଣାପଡିଥିଲା ଯେ ଅଭିଯୁକ୍ତ ଫେବୃଆରୀ ୨୦୨୦ରେ ଦୁବାଇ ଯାଇଥିଲା ଏବଂ ସେହି ଯାତ୍ରା ସମୟରେ ନକଲି ମୁଦ୍ରା ପାଇଥିଲା।

‘ମୋ ବସ’ ହେବ ‘ଆମ ବସ୍‌‌’, ବଦଳିବ ରଙ୍ଗ!

୨୦୨୪ ଫେବ୍ରୁଆରିରେ ବମ୍ବେ ହାଇକୋର୍ଟ ଅଭିଯୁକ୍ତଙ୍କୁ ଜାମିନ ଦେବାକୁ ମନା କରିଦେଇଥିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଆବେଦନର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହା କହିଛନ୍ତି। ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ତ୍ୱରିତ ଶୁଣାଣି ଅଧିକାରର ଉଲ୍ଲଂଘନ ଉପରେ ଆଲୋକପାତ କରି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରି ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।

ଜଷ୍ଟିସ ପାର୍ଡିୱାଲା କହିଛନ୍ତି, ଅପରାଧ ଯେତେ ଗମ୍ଭୀର ହେଉ ନା କାହିଁକି, ସମ୍ବିଧାନ ଅନୁଯାୟୀ ତ୍ୱରିତ ଶୁଣାଣି କରିବାର ଅଧିକାର ଅଭିଯୁକ୍ତଙ୍କର ରହିଛି। ସେ କହିଛନ୍ତି, ଦ୍ରୁତ ଶୁଣାଣିର ଅଧିକାର ଉଲ୍ଲଂଘନ କରାଯାଇଥିଲା, ଯାହା ଧାରା ୨୧କୁ ଉଲ୍ଲଂଘନ କରିଥିଲା।

ସୁପ୍ରିମକୋର୍ଟ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଅଭିଯୁକ୍ତଙ୍କୁ ବିଚାରାଧୀନ ବନ୍ଦୀ ଭାବେ ୪ ବର୍ଷ ଧରି ଅଟକ ରଖାଯାଇଥିବା ବେଳେ ଟ୍ରାଏଲକୋର୍ଟ ଏପର୍ଯ୍ୟନ୍ତ ଦୋଷୀ ସାବ୍ୟସ୍ତ କରିନାହାନ୍ତି ଏବଂ ପ୍ରସିକ୍ୟୁସନ୍ ୮୦ ଜଣ ସାକ୍ଷୀଙ୍କୁ ଜେରା କରିବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ଏହି ମାମଲାରେ ଦୁଇ ଜଣ ସହଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ବେଳେ ଜଣେ ଅଭିଯୁକ୍ତଙ୍କ ଜାମିନ ବିଷୟ ଏବେ ସୁପ୍ରିମ୍ କୋର୍ଟ ସମୀକ୍ଷା କରୁଛନ୍ତି। ଅଭିଯୁକ୍ତଙ୍କୁ ପ୍ରତି ୧୫ ଦିନରେ ଏନଆଇଏର ବମ୍ବେ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ପଡିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି।

ସାମ୍ନାକୁ ଆସିଲା ବଜାଜ ସିଏନଜି ବାଇକର ପ୍ରଥମ ଝଲକ

Comments are closed.