ମହାକାଶରୁ ଠିକ୍ ସମୟରେ ନ ଫେରିଲେ ଏହି ରୋଗର ଶିକାର ହୋଇପାରନ୍ତି ସୁନୀତା
ସମାଜ ଡିଜିଟାଲ ଡେସ୍କ: ମହାକାଶରେ ଫସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ଆମେରିକୀୟ ମହାକାଶଚାରୀ ବ୍ୟାରି ଓ୍ବିଲମୋର। ଜୁନ ୨୬ରେ ସେମାନେ ମହାକାଶରୁ ଫେରିବାର ଯୋଜନା ଥିବାବେଳେ ବୋଇଂ ସ୍ପେଶକ୍ରାଫ୍ଟରେ ହିଲିୟମ ଗ୍ୟାସ ଲିକେଜ୍ କାରଣରୁ ସେମାନଙ୍କ ଫେରିବା ଅଭିଯାନକୁ ସ୍ଥଗିତ ରଖାଯାଇଛି। ତେବେ ଉଭୟଙ୍କ ଫେରିବା ସମୟ ଯେତିକି ବିଳମ୍ବ ହେଉଛି, ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି ବିପଦ ସେତିକି ଘନଉଛି ବୋଲି କୁହାଯାଉଛି। ଯଦିଓ ଉଭୟେ ସୁରକ୍ଷିତ ଥିବା ନାସା ପକ୍ଷରୁ କୁହାଯାଇଛି, ତେବେ ଅଧିକ ଦିନ ଧରି ମହାକାଶରେ ରହିବା ଦ୍ଵାରା ସେମାନଙ୍କଠାରେ ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।
ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ମହାକାଶଚାରୀମାନଙ୍କୁ ପୃଥୀବିର ପରିବେଶଠାରୁ ଏକ ଭିନ୍ନ ପରିବେଶରେ ରହିବାକୁ ପଡ଼ିଥାଏ। ଯେଉଁଠାରେ ମାଇକ୍ରୋଗ୍ରାଭିଟି, ବିକିରଣ ଏବଂ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ର କ୍ଷୁଦ୍ର ଘର ସେମାନଙ୍କ ସ୍ଵାସ୍ଥ୍ୟ ପ୍ରତି ସମସ୍ୟା ସୃଷ୍ଟି କରିଥାଏ। ଏକ ଯାତ୍ରାର ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ମହାକାଶରେ ରହିବା ଦ୍ଵାରା ଅନେକ ପ୍ରକାର ସ୍ଵାସ୍ଥ୍ୟ ସମସ୍ୟା ଉପୁଜିଥାଏ, ଯାହା ସୁନୀତା ଏବଂ ଓ୍ବିଲମୋରଙ୍କ କ୍ଷେତ୍ରରେ ଘଟିବାର ଆଶଙ୍କା ମଧ୍ୟ ରହିଛି।
ମହାକାଶରେ କମ୍ ମାଧ୍ୟାକର୍ଷଣ ଶକ୍ତି(ମାଇକ୍ରୋଗ୍ରାଭିଟି) ଯୋଗୁ ଶରୀରର ତରଳ ପଦାର୍ଥ ଶରୀରର ଉପରିଭାଗକୁ ପ୍ରବାହିତ ହୋଇଥାଏ। ଏହାଦ୍ଵାରା ନାକ ଜାମ ହୋଇଯାଏ ଏବଂ ଗୋଡ଼ରେ ଜଳୀୟଅଂଶ ହ୍ରାସ ପାଇଥାଏ। ଶରୀରରେ ରକ୍ତ ହ୍ରାସ ପାଏ ଏବଂ ରକ୍ତଚାପ ଅନିୟନ୍ତ୍ରିତ ହୋଇଥାଏ।
ମାଇକ୍ରୋଗ୍ରାଭିଟି ଯୋଗୁ ଶରୀର ମାଂସପେଶୀ ଏବଂ ହାଡ଼ର ଦ୍ରୁତ ଅବକ୍ଷୟ ଘଟିଥାଏ। ବିଶେଷକରି ଗୋଡ଼ ଏବଂ ମେରୁଦଣ୍ଡ ହାଡ଼ରେ ଏହି ସମସ୍ୟା ହୋଇଥାଏ। ହାଡ଼ର ଘନତ୍ଵ ବା ସାନ୍ଦ୍ରତା ହ୍ରାସ ପାଇ ପତଳା ଏବଂ ଦୁର୍ବଳ ହୋଇଯାଏ।
ଏହାବ୍ୟତୀତ ଶରୀରରେ ତରଳ ପଦାର୍ଥ ସ୍ଥାନାନ୍ତରଣରେ ପରିବର୍ତ୍ତନ ଯୋଗୁ ପରିସ୍ରା ମାର୍ଗ (ୟୁରିନାରୀ ସିଷ୍ଟମ) ପ୍ରଭାବିତ ହୋଇଥାଏ। ଯାହାଫଳରେ ବୃକକ୍ରେ ପଥର ବା ଷ୍ଟୋନ ସୃଷ୍ଟି ହୋଇଥାଏ। ମାଇକ୍ରୋ ଗ୍ରାଭିଟି ଯୋଗୁ ପାଚନକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ଏହାଦ୍ଵାରା ଶରୀର କିପରି ପୋଷକତତ୍ଵକୁ ଗ୍ରହଣ କରେ ଏବଂ ତାହାକୁ କାର୍ଯ୍ୟରେ ଲଗାଏ ତାହା ମଧ୍ୟ ପରବର୍ତ୍ତିତ ହୋଇଥାଏ। ଫଳସ୍ଵରୂପ ଶରୀରରେ ହରମୋନ ସ୍ତରରେ ପରବର୍ତ୍ତନ, ଇନସୁଲିନ ସମ୍ବେଦନଶୀଳତା ଦେଖାଦେଇଥାଏ, ଯାହା ଦୀର୍ଘକାଳୀନ ସ୍ଵାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ। ସେହିପରି ପୃଥିବୀ ତୁଳନାରେ ମହାକାଶରେ ବିକିରଣ ସ୍ତର ଅଧିକ ରହିଥାଏ। ଏହା ଦ୍ଵାରା ଡିଏନଏ କ୍ଷତିଗ୍ରସ୍ତ ହେବା ସହିତ କର୍କଟ ରୋଗର ଆଶଙ୍କା ମଧ୍ୟ ରହିଥାଏ।
Comments are closed.