ଗୁଳି କରି ୯ଲକ୍ଷ ଟଙ୍କା ଲୁଟି ନେଲେ, ବେପାରୀ ମୃତ
ସୁନ୍ଦରଗଡ଼/ଟାଙ୍ଗରପାଲି: ଗତକାଲି ବାଲି ଚୋରା ଚାଲାଣକୁ ନେଇ ହତ୍ୟାକାଣ୍ଡ ଘଟିବାର ୨୪ଘଣ୍ଟା ନପୁରୁଣୁ ଆଜି ପୁଣି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଛଟେନପାଲି ତାରିଣୀ ମନ୍ଦିର ନିକଟରେ ୩ଜଣ ମୁଖା ପିନ୍ଧା ଦୁବୁର୍ତ୍ତ ବାଇକରେ ଆସି ଜନୈକ ଛେଳି ବେପାରୀଙ୍କୁ ଗୁଳି କରିବା ପରେ ତାଙ୍କଠାରୁ ୯ଲକ୍ଷ ଟଙ୍କା ଥିବା ବ୍ୟାଗକୁ ଲୁଟି ନେଇ ଫେରାର ହେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଲେଫ୍ରିପଡ଼ା ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଇଥିବାର ଜଣାପଡ଼ିଛି । ଉକ୍ତ ଘଟଣାରେ ଆନ୍ତରାଜ୍ୟ ଅପରାଧି ସଂପୃକ୍ତ ଥିବାର ଆଶଙ୍କା କରାଯାଉଥିଲେ ମଧ୍ୟ ଏ ସଂପର୍କରେ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।
ମିଳିଥିବା ସୂତ୍ରରୁ ପ୍ରକାଶ, ଭଷ୍ମା ଥାନା ଅନ୍ତର୍ଗତ ସର୍ଦ୍ଧାପାଲି ଅଞ୍ଚଳର ଛେଳି ବେପାରୀ ପ୍ରଭାତ ନାଏକ ଓ ତାଙ୍କ ଦୁଇ ସହଯୋଗୀ ଏକ ବାଇକ ଯୋଗେ ଛତିଶଗଡ଼ ସୀମାନ୍ତ ହାଣ୍ଡିପାନି ଛେଳି ବଜାରକୁ ଟଙ୍କା ନେଇ ଛେଳି କିଣିବାକୁ ଯାଉଥିବା ବେଳେ ଛଟେନପାଲି-ସୁଗୁର୍ଡ଼ା ମଝିରେ ଥିବା ତାରିଣୀ ମନ୍ଦିର ନିକଟରେ ହଠାତ ମୁଖାପିନ୍ଧା ୩ଜଣ ଦୁବୁର୍ତ୍ତ ଏମାନଙ୍କୁ ଅଟକିବା ପାଇଁ କହିଥିଲେ ମାତ୍ର ଛେଳି ବେପାରୀ ବାଇକ ନ ଅଟକାଇବାରୁ ଦୁବୁର୍ତ୍ତମାନେ ତାଙ୍କ ବାଇକକୁ ଲାତ ମାରିବାରୁ ଛେଳି ବେପାରୀ ଓ ତାଙ୍କ ସହଯୋଗୀମାନେ ପଡ଼ିଯାଇଥିଲେ । ଛେଳି ବେପାରୀ ପ୍ରଭାତ ନାଏକ ଏମାନଙ୍କୁ ଲୁଟେରା ସନ୍ଦେହ କରି ଘଟଣାସ୍ଥଳରୁ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ମୁଖାପିନ୍ଧାଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି ଚଳାଇ ସେ ଧରିଥିବା ଟଙ୍କା ବ୍ୟାଗକୁ ଛଡ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଅପରପକ୍ଷରେ ଗୁଳିଟି ତାଙ୍କ ଛାତିରେ ବାଜିଥିବାରୁ ସେ ସେହିଠାରେ ହିଁ ଟଳି ପଡ଼ିଥିଲେ । ଖବର ପାଇ ଲେଫ୍ରିପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଅନୁସନ୍ଧାନ ଆରମ୍ଭ କରିବା ପରେ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ପୁଲିସ ଶବକୁ ବ୍ୟବଛେଦ କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା ଚଳାଉଛି ।
ଲେଫ୍ରିପଡ଼ା ସୀମାନ୍ତ ଅଞ୍ଚଳରେ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପ ଜାରି ରହିଥିବାରୁ ଏ ଅଞ୍ଚଳରେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସମୟରେ ଦାବି ହୋଇଆସୁଛି । ଉକ୍ତ ହତ୍ୟା ଓ ଲୁଟ ଘଟଣାରେ ଆନ୍ତରାଜ୍ୟ ଅପରାଧି ସଂପୃକ୍ତ ଥିବାର ସ୍ଥାନୀୟ ଲୋକେ ଚର୍ଚ୍ଚା କରୁଥିବା ବେଳେ ଶେଷ ଖବର ଲେଖା ହେଲା ବେଳକୁ ପୁଲିସ ଏ ସଂପର୍କରେ କିଛି କହିବାକୁ ଇଚ୍ଛା ପ୍ରକାଶ କରିନାହିଁ ।
Comments are closed.