ଛାତ୍ରୀନିବାସ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା-ପ୍ରଧାନ ଶିକ୍ଷକ ନିଲମ୍ବିତ, ବିଭାଗୀୟ ତଦନ୍ତ ଆରମ୍ଭ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ଗିରିଙ୍ଗକେଲା ପଞ୍ଚାୟତରେ ଥିବା ଏକ ବାଳିକା ବିଦ୍ୟାଳୟ ଛାତ୍ରୀନିବାସ ଛାତରୁ ଡେଇଁ ଜୈନିକା ଛାତ୍ରୀ ମୃତ୍ୟୁବରଣ କରିବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତା ଛାତ୍ରୀଙ୍କ ଶବକୁ ବ୍ୟବଛେଦ ପାଇଁ ପଠାଇବା ସହ ପ୍ରଧାନ ଶିକ୍ଷକ ସମେତ ଦୁଇଜଣଙ୍କୁ ଥାନାରେ ରଖି ପଚରାଉଚୁରା ଚଳାଇଥିବାର ଜଣାପଡ଼ିଛି । ଅପରପକ୍ଷରେ ଜିଲା ଶିକ୍ଷା ଅଧିକାରୀ ପ୍ରଧାନ ଶିକ୍ଷକ ଶ୍ୟାମ ସୁନ୍ଦର ପଟେଲଙ୍କୁ ନିଲମ୍ବିତ କରି ବିଭାଗୀୟ ତଦନ୍ତ ଆରମ୍ଭ କରିଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି । ମିଳିଥିବା ସୂତ୍ରରୁ ପ୍ରକାଶ, ଏହି ଛାତ୍ରୀନିବାସରେ ପ୍ରାୟ ବିଭିନ୍ନ ବର୍ଗର ୧୦୦ ଜଣ ଛାତ୍ରୀ ରହି ପାଠପଢ଼ନ୍ତି । ଆଜି ଦିନ ଗୋଟାଏ ବେଳେ ଦଶମ ଶ୍ରେଣୀର ଛାତ୍ରୀ ଛାତ୍ରୀନିବାସ ଛାତ ଉପରୁ ଡେଇଁ ପଡ଼ିବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି । ମାନସିକ ଚାପ ଓ ନିର୍ୟ୍ୟାତନାକୁ ସହିନପାରି ସେ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ବୋଲି ସହପାଠୀନିମାନେ ଚର୍ଚ୍ଚା କରୁଥିବା ବେଳେ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି ହେଲେ ଏ ଖବର ଲେଖା ହେଲା ବେଳକୁ ଲେଫ୍ରିପଡ଼ା ଥାନାରେ କୌଣସି ଅଭିଯୋଗ ହୋଇନଥିବାର ଜଣାପଡ଼ିଛି । ଘଟଣା ଘଟିବା ପରେ ସୁନ୍ଦରଗଡ଼ ଏସ.ପି ସାଗରିକା ନାଥଙ୍କ ନିର୍ଦେଶକ୍ରମେ ଲେଫ୍ରିପଡ଼ା ଥାନା ଅଧିକାରୀ ହେମାଙ୍ଗିନୀ ଗର୍ଡ଼ିଆ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଛେଦ ରିପୋର୍ଟକୁ ଅପେକ୍ଷା କରିଛନ୍ତି । ପୂର୍ବରୁ ଏହି ବ୍ଲକର ଅନ୍ୟ କେତେକ ବିଦ୍ୟାଳୟରୁ ଛାତ୍ରୀଙ୍କୁ ନିର୍ୟ୍ୟାତନା ଦିଆଯାଉଥିବାର ଅଭିଯୋଗ ମଧ୍ୟ ହୋଇଥିଲା ଓ ଏ ଘଟଣାରେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ବିରୁଧରେ ପୂର୍ବରୁ ଅଭିଯୋଗ ହୋଇଥିଲା ବୋଲି କେତେକ କହୁଥିବା ବେଳେ ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ ପଧାନ ଏହାକୁ ଖଣ୍ଡନ କରି ତାଙ୍କ ଜାଣତରେ ଏଭଳି ଅଭିଯୋଗ ତାଙ୍କ ପାଖକୁ ଆସିନାହିଁ ବୋଲି କହିବା ସହ ସେ ଲେଫ୍ରିପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବିଦ୍ୟାଳୟକୁ ଯାଇ ତଦନ୍ତ କରିବା ପାଇଁ ନିର୍ଦେଶ ଦେଇଥିବାର ଜଣାପଡ଼ିଛି । କେଉଁ ପରିସ୍ଥିତିରେ ଛାତ୍ରୀଜଣକ ଏଭଳି ଚରମ ପଦକ୍ଷେପ ନେଲେ ତାହା ଖୁବ ଶୀଘ୍ର ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।
Comments are closed.