ସୁନ୍ଦରଗଡ଼ରେ ୬୯ତମ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ଚମ୍ପିୟନସିପ ଉଦ୍‌ଘାଟିତ

ସୁନ୍ଦରଗଡ଼: ସ୍ଥାନୀୟ ମାଦ୍ରି କାଲୋ ଭବନ ପଡ଼ିଆରେ ୬୯ତମ ରାଜ୍ୟସ୍ତରୀୟ ବରିଷ୍ଠ ପୁରୁଷ ଓ ମହିଳା କବାଡ଼ି ଚାମ୍ପିୟନସିପ୍ ଆଜି ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ସମାରୋହରେ ସୁନ୍ଦରଗଡ଼ ଜିଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବା ଅବସରରେ ସମସ୍ତଙ୍କ ସହଯୋଗରେ ଜିଲାରେ ଏକ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ ହେବା ସହ ରାଜ୍ୟର ସମସ୍ତ ଜିଲାରୁ କ୍ରୀଡ଼ାବିତମାନେ ଏଥିରେ ଅଂଶ ଗ୍ରହଣ କରିଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ କ୍ରୀଡ଼ାବିତମାନେ କ୍ରୀଡ଼ାମନୋଭାବ ନେଇ ଖେଳିବା ସହ ନିଜର କ୍ରୀଡ଼ା ଦକ୍ଷତାକୁ ପ୍ରତିପାଦନ କରିବା ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟ ଅତିଥି ଜିଲାପାଳ କଲ୍ୟାଣ ମଞ୍ଚାସିନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଉଦ୍‌ଘାଟନୀ ମଞ୍ଚରେ ଭବାନୀ ଶଙ୍କର ହାଇସ୍କୁଲର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବେଳେ ଅଂଶ ଗ୍ରହଣ କରିଥିବା ମହିଳା ଓ ପୁରୁଷ ଖେଳାଳିମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ। ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପୁରୁଷ ବର୍ଗରେ ରାଜ୍ୟର ବିଭିନ୍ନ ଜିଲାରୁ ୨୮ଦଳ ଭାଗ ନେଇଥିବା ବେଳେ ମହିଳା ବର୍ଗରେ ୨୬ଦଳ ଅଂଶ ଗ୍ରହଣ କରିଥିବାର ଜଣାପଡ଼ିଛି। ମୋଟ ୮୫ଟି ମ୍ୟାଚ ଖେଳା ହେବାକୁ ଥିବା ବେଳେ ଏଠାରୁ ମନୋନୀତ ଶ୍ରେଷ୍ଠ ଦଳ ଆସନ୍ତା ଜାନୁଆରୀରେ ମହାରାଷ୍ଟ୍ରରେ ହେବାକୁ ଥିବା ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ ବୋଲି ଜିଲା କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ପ୍ରଭାତ କୁମାର ଭୋଳ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଉପଜିଲାପାଳ ଅଭିମନ୍ୟୁ ବେହେରା, ଓଡ଼ିଶା କବାଡ଼ି ଆସୋସିଏସନ ସାଧାରଣ ସଂପାଦକ ଅଜୟ କୁମାର ବେହେରା, ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ, ଯୁଗ୍ମ ସଂପାଦକ ସୂର୍ୟ୍ୟକାନ୍ତ ମହାନ୍ତି, ଆସୋସିଏସନ୍‌ର ରେଫ୍‌ରି ବୋର୍ଡ ସଭାପତି ପଦ୍ମଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତା ପରିଚାଳନା ପାଇଁ ୭୨ଜଣିଆ ରେଫରି ଟିମ ନିୟୋଜିତ ହୋଇଥିବାର ଜଣାପଡ଼ିଛି।

Comments are closed.