ସୁଖୀ ମଣିଷର ଦୁଃଖ

0

ଆମେରିକାର ଚର୍ଚ୍ଚିତ ରାଷ୍ଟ୍ରପତିମାନଙ୍କ ମଧ୍ୟରେ ଆବ୍ରାହମ ଲିଙ୍କନ ଥିଲେ ଅନ୍ୟତମ। ଦରିଦ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ। ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ବାଲ୍ୟକାଳ ଅତିବାହିତ ହୋଇଥିଲା ତାଙ୍କର। କର୍ତ୍ତବ୍ୟନିଷ୍ଠା, ତ୍ୟାଗ, ଅଧ୍ୟବସାୟ ବଳରେ ଲକ୍ଷ୍ୟସାଧନ କିଭଳି ସମ୍ଭବ ହୋଇପାରେ ତାହା ଏହି କ୍ଷୀଣକାୟ ବ୍ୟକ୍ତିଜଣକ ନିଜ ଜୀବନକାଳ ମଧ୍ୟରେ ଦେଖାଇ ଯାଇଛନ୍ତି। ଘରର ଆର୍ଥିକ ସ୍ଥିତି ଏଭଳି ଶୋଚନୀୟ ଥିଲା ଯେ ଅନ୍ୟର ମୂଲଲାଗି, କଠୋର ମେ​‌େ​‌ହନତ କରି ବହୁକଷ୍ଟରେ କୌଣସି ପ୍ରକାରେ ବାଲ୍ୟଶିକ୍ଷା ଲାଭ କରିଥିଲେ। ସେହିଦିନଗୁଡ଼ିକ ଥିଲା ଅତୀବ କଷ୍ଟପ୍ରଦ, ଅଭାବଅନଟନ ଭିତରେ ନିରନ୍ତର ସଂଗ୍ରାମ କରିବାକୁ ପଡ଼ୁଥିଲା ତିଷ୍ଠି ରହିବା ନିମନ୍ତେ। ତଥାପି ସ୍ବ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ଶେଷରେ ଦିନେ ଆମେରିକାର ସର୍ବୋଚ୍ଚ ପଦ ଲାଭକରି ବିଶ୍ବର ପ୍ରମୁଖ ରାଷ୍ଟ୍ରନାୟକ ଭାବରେ ପରିଗଣିତ ହୋଇଥିଲେ।
ଆବ୍ରାହମ ଲିଙ୍କନଙ୍କ ଜୀବନୀ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ, ଅନୁକରଣୀୟ ନିଶ୍ଚୟ। ଆମେରିକାର ଅତ୍ୟନ୍ତ ଲୋକପ୍ରିୟ ରାଷ୍ଟ୍ରପତି ଥିଲେ ସେ। ସାଧାରଣ ଜନତାଙ୍କ ଆଦରଣୀୟ ଥିବା ଏହି ରାଷ୍ଟ୍ରନେତାଙ୍କୁ ଆମେରିକାବାସୀ ଯଥେଷ୍ଟ ସମ୍ମାନ ଦେଖାଉଥିଲେ। ଆମେରିକାର ଶୀର୍ଷ ନେତା ପଦରେ ଆସୀନ ଥିଲେ ମଧ୍ୟ ସେ ଥିଲେ ଅତ୍ୟନ୍ତ ବିନୟୀ, ନମ୍ର ଓ ନିରଳସ ବ୍ୟକ୍ତିତ୍ବ ସମ୍ପନ୍ନ। ସର୍ବୋଚ୍ଚ ପଦରେ ଆସୀନ ଥିଲେ ମଧ୍ୟ ତାଙ୍କ ମୁଖମଣ୍ଡଳରେ ସର୍ବଦା ବିଷଣ୍ଣଭାବ ଦେଖିବାକୁ ମିଳୁଥିଲା। ସତେ ଯେପରି କିଛି ଗୋଟାଏ ବଡ଼ କ୍ଷତି ହୋଇଯାଇଛି ଜୀବନରେ। ଥରେ ଜଣେ ମହିଳା ଉତ୍ସୁକତାବଶତଃ ଏହାର କାରଣ ପଚାରିଥିଲେ।
ଲିଙ୍କନ ବେଶ୍‌ କିଛିକ୍ଷଣ ପର୍ଯ୍ୟନ୍ତ ନୀରବ ରହିଥିଲେ, ପରେ ଦୀର୍ଘନିଶ୍ବାସ ଛାଡ଼ି ଅତ୍ୟନ୍ତ ବ୍ୟଥାତୁର ଭାବରେ କହିଥିଲେ- ‘ଭଲ ପ୍ରଶ୍ନଟିଏ ପଚାରି ଥିବାରୁ ସେ ନିମନ୍ତେ ତୁମକୁ ଅନେକଅନେକ ଧନ୍ୟବାଦ। ଯେତେବେଳେ ମୁଁ ଅତି ଛୋଟଥିଲି ସେହି ସମୟରୁ ହିଁ ମୁଁ ମୋର ଅତି ଆଦରଣୀୟା ଜନନୀଙ୍କ ସ୍ନେହରୁ ବଞ୍ଚିତ ହୋଇଥିଲି। ମୋର ମାଆ ମୋ ପାଇଁ ସବୁ କିଛି ଥିଲେ। ସୁଖଦୁଃଖର ସାଥୀ, ମାର୍ଗଦର୍ଶକ। ସେ ବହୁତ ଧର୍ମପରାୟଣ ଓ ସଂସ୍କାରସଂପନ୍ନ ମହିଳା ଥିଲେ। ମୋର ମାଆ ଏହା ମୋତେ ଶିକ୍ଷା ଦେଇଥିଲେ- ପ୍ରଥମେ ଅନ୍ୟମାନଙ୍କ କଥା ଭାବ, ସେମାନଙ୍କ କାର୍ଯ୍ୟକର, ପରେ ନିଜ କଥା ବିଚାର କରିବ, ଭାବିବ। ମୁଁ ଆଜି ପର୍ଯ୍ୟନ୍ତ ତାଙ୍କ କଥାକୁ ଅକ୍ଷରେଅକ୍ଷରେ ପାଳନ କରି ଆସିଛି। ଆଜି ମୋଠାରେ ଯାହାକିଛି ଭଲଗୁଣ ପରିଦୃଷ୍ଟ ହେଉଛି, ତହିଁର ଶ୍ରେୟ କେବଳ ମୋ ମାଆଙ୍କୁ ହିଁ ଦିଆଯିବ। ଏଭଳି ଜଣେ ସ୍ନେହୀ ମାଆଙ୍କୁ ମୁଁ ମୋ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ଭୁଲି ପାରିନାହିଁ ଓ ମାଆଙ୍କ ଅନୁପସ୍ଥିତି ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି। ତାହାହିଁ ସଦାସର୍ବଦା ମୋତେ ଦୁଃଖାଭିଭୂତ କରି ରଖିଛି। ଲାଗୁଛି ମୋର ଏହି ଦୁଃଖ ଜୀବନର ପରିସମାପ୍ତିରେ ହିଁ ଶେଷ ହେବ। ଆପଣ ଏହା ଜାଣିନାହାନ୍ତି ଯେ ଆମେରିକାର ସବୁଠାରୁ ସୁଖୀ ମଣିଷ ବୋଲି ଲୋକମାନେ ଯାହାଙ୍କୁ କହୁଛନ୍ତି, ସେହି ମଣିଷଟିର ଅନ୍ତର ଭିତରେ କେତେ ଦୁଃଖ ଭରି ରହିଛି, ସେ କେତେ ଦୁଃଖୀ।’
ଲିଙ୍କନ ଏହା କହୁକହୁ ଭାବପ୍ରବଣ ହୋଇପଡ଼ିଥିଲେ, ଅଧିକ କିଛି କହି ପାରି ନଥିଲେ। ପ୍ରଶ୍ନକର୍ତ୍ତା ମହିଳା ଜଣଙ୍କ ଲିଙ୍କନଙ୍କର ମାଆଙ୍କ ପ୍ରତି ଏତାଦୃଶ ମମତାର ଭୁରିଭୁରି ପ୍ରଶଂସା କରିଥିଲେ।

kalyan agarbati
Leave A Reply