ମୂଳ ସାକ୍ଷରତା ଓ ସଂଖ୍ୟା ଚିହ୍ନିବା

ଭୁବନେଶ୍ଵର: ୨୦୨୦ ମସିହାର ରାଷ୍ଟ୍ରୀୟ ଶିକ୍ଷାନୀତିରେ କୁହାଯାଇଛି, ‘ଶିକ୍ଷା ପ୍ରଣାଳୀର ସର୍ବୋଚ୍ଚ ପ୍ରାଥମିକତା ହେଲା ୨୦୨୫ ପର୍ଯ୍ୟନ୍ତ ପ୍ରାଥମିକ ବିଦ୍ୟାଳୟରେ ସାର୍ବତ୍ରିକ ମୂଳଭୂତ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରାପ୍ତ କରାଇବା। ଏବେ ପ୍ରାଥମିକଶାଳା କକ୍ଷରେ ଏକ ବଡ଼ବର୍ଗର ପିଲାଙ୍କର ମୂଳ ସାକ୍ଷରତା (ସିଧା କହିଲେ, ପଢ଼ିବା) ଓ ଅଙ୍କ ଚିହ୍ନିବାର ତାକତ୍‌ ନାହିଁ। ସେଥିପାଇଁ ଦେଶ‌େର ‘ନିପୁଣ ଭାରତ’ ନାମକ ଏକ ମିଶନ ଢ଼ଙ୍ଗର ଯୋଜନା ଚାଲିଚି ଯାହାଦ୍ବାରା ପିଲାଙ୍କୁ ଏ ମୂଳଭୂତ କୌଶଳ ଶିଖେଇବାପାଇଁ ବହୁତ ସାଧନ ସାମଗ୍ରୀ ଓ ଅର୍ଥର ବ୍ୟବସ୍ଥା କରାଯାଇଚି। ଦି ବର୍ଷରୁ ଅଧିକ ପ୍ରାଥମିକଶାଳାରେ ଯାଇ ପ୍ରତିଦିନ ଚାରି-ପାଞ୍ଚଘଣ୍ଟା ରହୁଥିବା ପିଲାଙ୍କୁ କାହିଁକି ପଢ଼ି-ଲେଖି ଆସୁନି? ଏ କଠିଣ କଥାକୁ ବୁଝିବାପାଇଁ ଚେଷ୍ଟାକଲେ ଆମେ ପ୍ରଥମେ ଜାଣିବାକୁ ଚାହିଁବା-
– ପିଲେ ଲିଖିତ ଭାଷା ପଢ଼ିବାକୁ କେବେ ଓ କିପରି ଶିଖନ୍ତି?
– ସଂଖ୍ୟାର ଚିହ୍ନକୁ ପଢ଼ିବା, ବୁଝିବା ଓ ହିସାବରେ ବ୍ୟବହାର କରିବାର କୌଶଳ ତାଙ୍କୁ କେବେ ମିଳେ?
– ଏହା କଅଣ ଏକ ଶ୍ରେଣୀ ଆଧାରିତ ପ୍ରକ୍ରିୟା ଯାହା କୌଣସି ଶ୍ରେଣୀକୁ ଯାଇ ପୂର୍ଣ୍ଣ ହୋଇଯାଏ, ନା ଏହା ଏକ ନିରନ୍ତର ପ୍ରକ୍ରିୟା?
– ଦ୍ବିତୀୟ କଥା ଯାହା ଜାଣିବା ଦରକାର, ତା’ହେଲା, କଅଣ ପିଲାଙ୍କୁ ଲେଖା ଭାଷା ପଢ଼ିବାର ଓ ସଂଖ୍ୟା ବୁଝିବାର କୌଶଳ ଶିଖାଇବାପାଇଁ ଏକ ଅନୁଭବୀ ଓ ସ୍ଥାୟୀ ଶିକ୍ଷକକୁ କୌଣସି ଗୂଢ଼ ଜ୍ଞାନ ଓ ତନ୍ତ୍ର ଆଧାରିତ ଜ୍ଞାନ ଗ୍ରହଣ କରିବାକୁ ହେବ, ନା ସ୍କୁଲର ପରିସ୍ଥିତି ଓ ପିଲାଙ୍କ ପାରପାର୍ଶ୍ବିକ ଅନୁଭବରୁ ଗଢ଼ା ଶିକ୍ଷକର ନିଜ ଜାଣ ତା’ କାମରେ ଆସିପାରିବ?
ମୂଳ ସାକ୍ଷରତା ଓ ସଂଖ୍ୟା ଓଳଖ ନଥିବା ପିଲାଙ୍କ ଭିତରୁ ଅଧିକାଂଶ ସରକାରୀ ପ୍ରାଥମିକ ସ୍କୁଲର। କଅଣ ଏ ସମସ୍ୟା ପିଲା ନ ଶିଖିବାର, ନା ସ୍କୁଲ ବ୍ୟବସ୍ଥାର ଓ କାର୍ଯ୍ୟ ପ୍ରଣାଳୀର? ଏତେ ପିଲା କାହିଁକି ନ ଶିଖିପାରୁଚନ୍ତି? ମୁଁ ଏହି ପରି ଏକ ସ୍କୁଲରେ ବହୁ ବର୍ଷର ଶିକ୍ଷକ। ଏହି ଢ଼ଙ୍ଗରେ କାମକରି ବହୁତଙ୍କ ସହିତ ପରିଚୟ ଭେଟ କଥାର ମୋ ଆୟୁଷ। ଏ ଢ଼ାଞ୍ଚାରେ ପିଲାଙ୍କ ସହିତ ପହଞ୍ଚିବା ଓ ତାଙ୍କର ସାହାଯ୍ୟ ଦରକାର ଥିବାର ଦୀର୍ଘ ଅନୁଭବ ମୋର।
ବର୍ଷେ-ଦିବର୍ଷରୁ ଅଧିକ ସ୍କୁଲରେ ରହି ପିଲ ଲେଖି-ପଢ଼ି ନଜାଣିବାର ପ୍ରଧାନ କାରଣ ହେଲା, ଶିକ୍ଷକ ଓ ପିଲାଙ୍କ ଭିତରେ ଏ ପ୍ରକ୍ରିୟା ପାଇଁ ଆବଶ୍ୟକ ଅନ୍ତ-କ୍ରିୟାର ଅଭାବ। ପିଲେ ଶିଖିବାପାଇଁ ଶିକ୍ଷକ ଏ ବ୍ୟବସ୍ଥାରେ କିପରି ଉପଲବ୍ଧ ତାହାର ଆଲୋଚନା କରିବି। ସାଧାରଣ ଲୋକଙ୍କର ଧାରଣା ଯେ ପିଲାଙ୍କୁ ଏ ଭାବରେ ଶିଖେଇବାପାଇଁ ଶିକ୍ଷକ ଉପଲବ୍ଧ। ଏ ଧାରଣାକୁ ଟିକିଏ ଭିତରକୁ ଯାଇ ପରଖିବା।
ଅସଲ କଥା, ଆଜିର ସ୍କୁଲ ବ୍ୟବସ୍ଥା ହେଲା, ସ୍କୁଲ ସମୟରେ ଶିକ୍ଷକକୁ ପିଲାଙ୍କଠାରୁ ଦୂରରେ ରଖିବା। ଏ ପିଲାଙ୍କ ପାଇଁ ସରକାରୀ ପ୍ରୋତ୍ସାହନ ଯୋଜନାଙ୍କର କ୍ରିୟାନ୍ବୟନ ଠିକଣା ବେଳରେ କରିବା ଶିକ୍ଷକଙ୍କର ଖାସ୍‌ କର୍ତ୍ତବ୍ୟ। ମଧ୍ୟାହ୍ନ ଭୋଜନ, ଗଣବେଶ, ଛାତ୍ରବୃତ୍ତି, ଜାତି-ପ୍ରମାଣ ପତ୍ର, ଆଧାର ନମ୍ବର, ସମଗ୍ର ଆଇଡି, ସ୍ବାସ୍ଥ୍ୟ ପରୀକ୍ଷଣ ଆଦି ପିଲାଙ୍କ ହିତ-ଜଡ଼ିତ କାର୍ଯ୍ୟ। ସମାଜ ହିତ, ଗ୍ରାମ ହିତ ଓ ଦେଶ ହିତରେ ମଧ୍ୟ ଏ ସରକାରୀ ଶିକ୍ଷକଙ୍କର ଖାସ୍‌ ଭୂମିକା ଅଛି। ଏ କଥା ଏତେଥର କୁହା ଓ ଶୁଣାଯାଇଚି ଯେ ୟାକୁ ଅଶୁଣା କରିବା ଆବଶ୍ୟକ ହୋଇଗଲାଣି। ମାତ୍ର ମୁଁ ଏ କଥା ଉପରେ ଜୋର ଦେବାର କାରଣ ହେଲା, ଏ କାମ କରିବାପାଇଁ ସ୍କୁଲ ଶିକ୍ଷକକୁ କେତେ ଦିନ/ଘଣ୍ଟା ପିଲାଙ୍କଠାରୁ ଦୂରରେ ରହିବାକୁ ପଡ଼ୁଚି। ଏହାର ସବୁଠାରୁ ବେଶି ପରିଣାମ ପ୍ରାଥମିକ ସ୍ତରର ପିଲାଙ୍କ ଉପରେ, ତାଙ୍କ ପଢ଼ିବା- ଲେଖିବା, ସଂଖ୍ୟା ବୁଝିବାର କୌଶଳ ନ ପଇଟିବାରେ ଦେଖିବାକୁ ମିଳୁଚି। ଆଉ ତା’ ଉପରକୁ ଶିକ୍ଷକଙ୍କର ପିଲାଙ୍କୁ ନ ଶିଖେଇବାର ପ୍ରବୃତ୍ତି ବଢ଼ୁଚି।
ହେଲେ ୟା ବି ଠିକ୍‌ ଯେ ଏହା ସତ୍ତ୍ବେ ଅନେକ ଶିକ୍ଷକ ପିଲାଙ୍କୁ ଏ କଳା ବି ଶିଖେଇ ପାରୁଚନ୍ତି। ଏକ ପଢ଼ାଋତୁରେ କୌଣସି ଶିକ୍ଷକକୁ ଏତକ ସମୟ ଅନ୍ତତଃ ମିଳେ ଯେତେବେଳେ ସେ ପିଲାଙ୍କୁ ଏଫ୍‌ଏଲ୍‌ଏନ୍‌ (ଫାଉଁଡେସନାଲ୍‌ ଲିଟରେସି ଆଂଡ ନ୍ୟୁମରେସି, ଅର୍ଥାତ୍‌ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ) ଦେଇପାରିବାର ସୁଯୋଗ ମିଳେ। ମାତ୍ର ଏ କମ୍‌ ସମୟକୁ ବି କେତେକ ଶିକ୍ଷକ ଅଲଗା ଅଲଗା କାରଣରୁ ଠିକଣାରେ ବ୍ୟବହାର କରିପାରୁ ନାହାନ୍ତି। ଏହା ସ୍ପଷ୍ଟ ଭାବରେ ନ ଦିଶୁଥିବା କାରଣକୁ ମଧ୍ୟ ଜାଣିବା ଜରୁର। ମୁଁ ଏଠାରେ ସେ ସବୁକୁ ଜାଣିବା-ଚିହ୍ନିବାର ଚେଷ୍ଟା କରିବି।
ଶିକ୍ଷା ବାଦ୍‌ ତାଙ୍କ ଉପରେ ପଡ଼ୁଥିବା କାମର ମାନସିକ ପ୍ରଭାବ ଶିକ୍ଷକ ଉପରେ ଏପରି ପଡ଼ୁଚି ଯାହା ଯୋଗୁଁ ଶିକ୍ଷକର ଶିକ୍ଷା ବାବଦରେ ଦାୟିତ୍ବବୋଧ କ୍ଷୀଣ ହୋଇଯାଉଚି। ତା’ର ସେଥିପାଇଁ ମନସ୍ତାପ ହୁଏନାହିଁ, କାରଣ ସେ ସେଥିଲାଗି ଏହାର ଯୁକ୍ତି ତଅାରି କରିଥାଏ।
ଏଭଳି ସ୍କୁଲରେ ପଢ଼ୁଥିବା ପିଲା ଓ ତାଙ୍କ ପାଳକ ତାଙ୍କ ପିଲାଙ୍କ ପାଇଁ ଶିକ୍ଷାର ଉପଯୁକ୍ତ ଚାହିଦା ଶିକ୍ଷକଙ୍କଠାରୁ ମାଗିବାରେ ସକ୍ଷମ ନୁହନ୍ତି। ତାଙ୍କଠାରେ ଅଧିକାର-ବୋଧ ନାହିଁ। ଏ ପିଲେ ଓ ତାଙ୍କ ପାଳକଙ୍କ ଜୀବନରେ ‘ଅଧିକାର’ ଶବ୍ଦର ଜାଣ ବହୁତ କମ୍‌। ଏଭଳି ସ୍କୁଲ୍‌ରେ ଶିକ୍ଷକଙ୍କର ତାଙ୍କ କର୍ତ୍ତବ୍ୟର ପାଳନ କରିବା ତାଙ୍କ ନିଜ ନୈତିକ ଆଦର୍ଶ ଓ ମୂଲ୍ୟ ଉପରେ ସଂପୂର୍ଣ୍ଣ ନିର୍ଭର କରେ ଏବଂ ସେ ଆଦର୍ଶର ଜୋର ସମୟକ୍ରମେ ଶିଥିଳ ହେବାର ଲାଗିଛି।
କୌଣସି କୌଣସି ସ୍କୁଲରେ ଶିକ୍ଷକ ଓ ପିଲାଙ୍କ ଭିତରେ ଏକ ବର୍ଗଭେଦ ଦିଶିବାକୁ ଲାଗିଲାଣି। ଶିକ୍ଷକ ସଂପନ୍ନ ବର୍ଗର ଓ ତାଙ୍କ ଭିତରେ ଜନ୍ମଜାତ ‘ଶ୍ରେଷ୍ଠତା’ର ଭାବ। ଯେପରି ଭାବରେ ସଂପନ୍ନ ବର୍ଗର ପିଲାଙ୍କ ଉପରେ ନିୟମିତ ଉପସ୍ଥିତି ଓ ନକଲି ଅନୁଶାସନ ପାଳିବାର ଚାପ ପଡ଼େ, ବଞ୍ଚିତ ବର୍ଗର ପିଲାଙ୍କ ପ୍ରତି ଶିକ୍ଷକଙ୍କର ନିୟମିତତା ଓ ଶିକ୍ଷା ପ୍ରତି ଗଭୀରତାର ଅଭାବ ଦେଖାଯାଏ। ପିଲାଙ୍କ ଭାଷା, ସ୍ବଚ୍ଛତା, ଖାଇବା, ଇତ୍ୟାଦିରେ ସେ ଯାହା ଦେଖନ୍ତି ଯାହା ତାଙ୍କ ଉଦାସୀନତାକୁ ଦୃଢ଼ କରେ।
ଶିକ୍ଷକଙ୍କର ଶୈକ୍ଷଣିକ ପ୍ରତିଫଳର ଜାଣ, ଅବଲୋକନ ଓ ନିୟନ୍ତ୍ରଣ କରିବାର ଚାପ ପକାଇବାର ଭାବାନ ନାହିଁ ବା ତାହା ବହୁତ କ୍ଷୀଣ। ଏହାର କାରଣ, ଶିକ୍ଷକଙ୍କ ଭିତରେ ଦାୟିତ୍ବବୋଧର ଅଭାବ ବଢ଼ିଚାଲିଚି।
ମୁଁ ମଧ୍ୟ ଏହି ବ୍ୟବସ୍ଥାର ଏକ ସରକାରୀ ଶିକ୍ଷକ। ଏହା ମୋର ନିଜର ଅନୁଭବ ଓ ମୋର ଅନେକ ସାଥୀଙ୍କର ବି ପ୍ରାୟ ଏହିଭଳି ଅନୁଭବ। ତା’ ସାଙ୍ଗକୁ ଲେଖାଲେଖି କରୁଥିବା ଅନ୍ୟ ସ୍କୁଲର କେତେକଙ୍କର ବି ସେହିଭଳି ବିଚାର। ମୁଁ ଏ ଲେଖା ପାଇଁ ଭିନ୍ନଭିନ୍ନ ଜିଲାର, ଯଥା- ବେତୁଲ୍‌, ସିବନୀ, ହୋସଂଗାବାଦ୍‌, ଭୋପାଳ ଓ ହରଦା ଇତ୍ୟାଦି ସ୍କୁଲର ଶିକ୍ଷକଙ୍କ ଅନୁଭବ ଜାଣିବାରେ ସକ୍ଷମ ହେଲି। ମୁଁ ରାଜ୍ୟସ୍ତରରେ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରିବା ବାଲାଙ୍କ ଭିତରର, ଯାହା ଫଳରେ ମତେ ବିଭିନ୍ନ ଜିଲାରେ ଶିକ୍ଷକଙ୍କୁ ଭେଟି ତାଙ୍କ ଅନୁଭବ ଜାଣିବା-ଶୁଣିବାର ସୁଯୋଗ ମିଳିଚି।
ସରକାରୀ ସ୍କୁଲ ବାବଦରେ ଆଉ ଏକ ଧାରଣା ଯେ ଏ ସ୍କୁଲରେ ପିଲାଙ୍କର ଭିଡ଼ ଓ ଶିକ୍ଷକଙ୍କର ଅଭାବ। ବାସ୍ତବରେ ଏ ସ୍କୁଲମାନଙ୍କରେ ପିଲାଙ୍କର ସଂଖ୍ୟା ଅନବରତ କମିବାରେ ଲାଗିଚି, ଯାହାଫଳରେ ପିଲାଙ୍କ ଅନୁପାତରେ ଶିକ୍ଷକଙ୍କ ସଂଖ୍ୟା ବଢ଼ିବାରେ ଲାଗିଚି। ଅଧିକାଂଶ ପ୍ରାଥମିକ ସ୍କୁଲରେ ପଚାଶରୁ କମ୍‌ ପିଲା ଓ ଦୁଇ ବା ତିନ ଶିକ୍ଷକଙ୍କ ନିଯୁକ୍ତି। ଅଧିକାଂଶ ସ୍କୁଲରେ ଦ୍ବିତୀୟ ଶ୍ରେଣୀରେ ପିଲାଙ୍କ ସଂଖ୍ୟା ଦଶରୁ କମ୍‌। ଆଉ ତାଙ୍କ ଭିତରୁ ପଢ଼ିବାକୁ ସାହସ କରିଥିବା ପିଲାଙ୍କ ସଂଖ୍ୟା ତିନି ବା ଚାରି। (ସାହସ କହିବାର ଅର୍ଥ, ପିଲାର ପଢ଼ିପାରିବା ଆତ୍ମବିଶ୍ବାସ ଥିବ ଯେ ସେ ପଢ଼ିପାରିବ ଓ ଶିକ୍ଷକଙ୍କର ମଧ୍ୟ; ସେ ପଢ଼ିଲାବେଳେ ଅଟକି ବା ଭୁଲ୍‌ ଉଚ୍ଚାରଣ କରି ବି ପଢ଼ିପାରିବା ବର୍ଣ୍ଣଜ୍ଞାନ ଆଧାରିତ ପ୍ରକ୍ରିୟା (ଯେଉଁଥିରେ ପିଲା ଆଗ ଅକ୍ଷରକୁ ଚିହ୍ନି ପରେ ମାତ୍ରାକୁ ଯୋଡ଼ି ପଢ଼ିପାରେ) ଯହିଁରେ ପିଲାକୁ ପଢ଼ିଲାବେଳେ ଅର୍ଥ ବୁଝିବା କଥାଟା ପଛେଇଯାଏ। ହଁ, ପିଲାକୁ ପଢ଼ିବାର ତନ୍ତ୍ର ପଇଟିଯାଏ।
ମୁଁ ଦି ପ୍ରକାରର ସ୍କୁଲଙ୍କ ବାବଦରେ ତଥ୍ୟ ଯୋଗାଡ଼କଲି (ତାହା ଏଠାରେ ଜାଗା ଅଭାବରୁ ଦିଆଯାଉନି)। ଏକ ହେଲା, ଏକ ସହରର ଚଉଦ ପ୍ରାଥମିକ ଶାଳା ଓ ଆରଟି ଏକ ମଫସଲର, କୌଣସି ସହରଠାରୁ ଷାଠିଏ କିଲୋମିଟର ଦୂରର, ଚଉଦ ପ୍ରାଥମିକଶାଳା। ଏଥିରୁ ଦିଶୁଚି ଯେ ପ୍ରତ୍ୟେକ ଶିକ୍ଷକଙ୍କ ପାଖରେ ଦ୍ବିତୀୟ ଶ୍ରେଣୀରେ ଅତି ବେଶିରେ କୋଡ଼ିଏ ପିଲା ଥିଲେ, ଅଧିକାଂଶଙ୍କ ପାଖରେ ଦଶରୁ କମ୍‌ । ଆଉ ପଢ଼ିବା ପାଇଁ ସାହସ କରୁଥିବା ପିଲାଙ୍କ ସଂଖ୍ୟା ଅତି ବେଶିରେ ପାଞ୍ଚ, ଅଧିକାଂଶ କ୍ଲାସରେ ଦୁଇ କିମ୍ବା ତିନି। ଏଭଳି ସ୍କୁଲରେ ପିଲାଙ୍କ ପଢ଼ିବାରେ କଅଣ ଶିକ୍ଷକଙ୍କର କିଛି ଭୂମିକା ଅଛି?
ସହରର ଏକ ପ୍ରାଥମିକ ଶାଳାର ଉଦାହରଣ ନେବା। ସେ ସ୍କୁଲରେ ଦି ଜଣ ଶିକ୍ଷକ। ଦ୍ବିତୀୟ ଶ୍ରେଣୀରେ ନଅଜଣ ପିଲା। ତାଙ୍କ ଭିତରୁ ପଢ଼ିବାକୁ ସାହସ କରୁଥିବା ପିଲା ଚାରି, ଅର୍ଥାତ୍‌ ଶିକ୍ଷକଙ୍କର ବିଶ୍ବାସ ଯେ ସେ ପିଲେ ପଢ଼ିବାକୁ ସାହସ କରିବେ। ତାଙ୍କ ଭିତରୁ ଗୋଟିଏ ପିଲା ବରକତ୍‌। ସେ ପଢ଼ିପାରିବାର କାରଣ କଅଣ ପଚରା ପଚରିରୁ ଜଣାଗଲା ଯେ ସେ ପିଲା ଘରେ ସେ ତିନିଜଣ, ମା, ସେ ଓ ଏକ ସାନ ଭଉଣୀ (ବାପ ନାହିଁ)। ମା ଦଶମ ଯାକେ ପଢ଼ିଚି, କାମ କରି ପରିବାର ଚଳାଏ। ମଜୁରି ସାରି ରାତିରେ ପିଲାଙ୍କୁ ସ୍କୁଲ ପଢ଼ାରେ ସାହାଯ୍ୟ କରେ ଓ ପ୍ରତିଦିନ ତାଙ୍କୁ ସ୍କୁଲରେ ପହୁଁଚାଏ। ବରକତ ପଢ଼ିପାରିବାର କାରଣ ତା’ ମା’ର ସାହାଯ୍ୟ। ସେ ସ୍କୁଲର ଆଉ ଏକ ପିଲା, ସାଗର। ତା’ ବାପ ରାଜମିସ୍ତ୍ରି, ମା’ ଜରୁରି କରେ। ସେମାନେ ସାଗରକୁ ଘରେ ପଢ଼ିବାକୁ କହନ୍ତି, ମାତ୍ର କୌଣସି ସାହାଯ୍ୟ କରନ୍ତିନାହିଁ। ସିଏ ପଢ଼ିପାରେ ନାହିଁ। ଶିକ୍ଷିକା କହିଲେ, ସେ ନିୟମିତ ସ୍କୁଲକୁ ବି ଆସେନାହିଁ।
ମୋ ଅନୁଭବରୁ ମୋର ଧାରଣା ଯେ ପଢ଼ିବା-ଲେଖିବା ଶିଖିବାପାଇଁ ପିଲାକୁ ପଢ଼ିଲେଖି ଆସିବାର ଗରଜ ଲାଗିବା ଓ
ତାହା ଅନବରତ ଲାଗିବା ଆବଶ୍ୟକ। ତା’ର ଅନୁଭବ ହେବା ଦରକାର ଯେ ତା’ ସାଙ୍ଗରେ ପଢ଼ିବା କାମ ମିଶି କରାଯାଉଚି ଓ ପଢ଼ିବା କାମରେ ସେ ଭାଗ ନେଉଚି। ବହିରେ ବା ଅନ୍ୟ କେଉଁଠି କଅଣ ଲେଖାଯାଇଚି ତା’ ପଢ଼ିବା ପାଇଁ କିଛି ସଂକେତ ଓ ସାହାଯ୍ୟ ତାକୁ ମିଳୁଚି। ଆରମ୍ଭରୁ ପଢ଼ିବା-ଲେଖିବା କାମରେ ଏକ ବନ୍ଧା ଚୌକଟ ଥିବା ଉଚିତ, ମାନେ ପଢ଼ିବା-ଲେଖିବା କାମରେ ଶିକ୍ଷକ ବା କୌଣସି ପଢ଼ିଜାଣିଥିବା ବୟସ୍କ ବା ସାଙ୍ଗର ପିଲା ସାଙ୍ଗରେ ଥିବା ଲୋଡା। ଏ କାମରେ ଏ ପ୍ରକାରର ସାଥ ବା ସାହାଯ୍ୟ ଯେତେ ବେଶି ମିଳିବ, ପିଲାକୁ ପଢ଼ିବାର ଆଗ୍ରହ ସେତେ ବେଶି ହେବ। ପିଲା ପଢ଼ିବାବେଳେ ଶିକ୍ଷକ ତା’ସାଙ୍ଗରେ ନଥିବା ବା ଅତି କମ୍‌ ବେଳ ଥିବାଟା ପିଲାର ପଢ଼ିବା ବାବଦରେ ଗତିକୁ ପ୍ରଭାବିତ କରେ। ଶ୍ରେଣୀରେ ମଧ୍ୟ ଓପର ଶ୍ରେଣୀର ପିଲାଙ୍କ ସହିତ ବସି ପଢ଼ିବାର ସମ୍ଭାବନା ବହୁତ କମ୍‌। (ମୁଁ ଏକ ପ୍ରାଥମିକ ସ୍କୁଲରେ ତୃତୀୟଶ୍ରେଣୀର ପିଲେ ଦ୍ବିତୀୟଶ୍ରେଣୀର ପିଲାଙ୍କ ସହିତ ମିଶି ଆରମ୍ଭର ଶବ୍ଦ ସବୁ ପଢ଼ିବାର ଦେଖିଚି। ସେଠାରେ ଦି ଶ୍ରେଣୀ ପାଇଁ ଜଣେ ମାଷ୍ଟ୍ର ଥିଲେ। – ଅନୁବାଦକ)
ସରକାରୀ ସ୍କୁଲରେ ଶିକ୍ଷକ ଶ୍ରେଣୀରେ ପିଲାଙ୍କ ସହିତ ରହିବା ପ୍ରାୟ ଦିନରେ ଏକ ଘଣ୍ଟାରୁ କମ୍‌। ଆଉ, ପ୍ରତି ପିଲା ସହିତ ଶିକ୍ଷକଙ୍କର ବ୍ୟକ୍ତିଗତ ସମ୍ବନ୍ଧ ଦିନରେ ମିନିଟିଏ ବି ନୁହେଁ। (ଏହା କିଛି କୌଣସି ଅନୁସନ୍ଧାନରୁ କୁହାଯାଉନାହିଁ। ମୋର ପାଖା ଆଖ ସ୍କୁଲରେ ଅନୁଭବରୁ ଓ ଶିକ୍ଷକ ସାଥୀ ଓ ସାଙ୍ଗଙ୍କ କଥାରୁ ଏକ ମୋଟାମୋଟି ଅନୁମାନ।)
ଏ ସରକାରୀ ସ୍କୁଲରେ ଶିକ୍ଷକ ପିଲାଙ୍କୁ ପଢ଼େଇବା ଓ ପଢ଼େଇବାର ଢ଼ଙ୍ଗ ଶିଖି ନିଯୁକ୍ତ ହୋଇଥାଆନ୍ତି। କିପରି ପଢ଼େଇବାକୁ ହେବ ତା’କଅଣ ସେ ଜାଣି ନାହାନ୍ତି? ସେମିତି ଦେଖିଲେ ସ୍କୁଲରେ ଶିକ୍ଷକ ଓ ପିଲାଙ୍କ ଭିତରେ ସମ୍ବନ୍ଧ କମ୍ ଥିଲା। ଏବେ ଏଫ୍‌ଏଲ୍‌ଏନ ନାଆଁରେ ଶିକ୍ଷକଙ୍କ ପ୍ରଶିକ୍ଷଣ ସମୟ ପିଲାଙ୍କ ସହିତ ତାଙ୍କ ସମ୍ବନ୍ଧକୁ ଆହୁରି କମେଇ ଦେଇଚି। ଏ ପ୍ରଶିକ୍ଷଣରେ ଶିକ୍ଷକଙ୍କୁ ଭାଷା ବିଜ୍ଞାନ ଓ ଗଣିତର ପ୍ରକୃତି ବତାଯାଏ। ଶିକ୍ଷକ ଓ ଛାତ୍ରଙ୍କ ଲାଗି ବହୁସଂଖ୍ୟାରେ ଛପା ସାମଗ୍ରୀ ତିଅାରି ହେଉଚି। ପିଲେ ବୁଝିବାର ରେକର୍ଡ ରଖିବା ଓ ହିସାବ କରିବା ବତାଯାଉଚି। ଏ ସବୁରେ ପ୍ରଶିକ୍ଷିତ ହେଲେ କଅଣ ସ୍କୁଲରେ ପିଲାଙ୍କ ବର୍ତ୍ତମାନ ପରିସ୍ଥିତିରେ କୌଣସି ସାହାଯ୍ୟକାରୀ ପରିବର୍ତ୍ତନ ଆସିପାରିବ? ଏ ପ୍ରଶ୍ନ ଏଇଠି ରହିଲା।
ତହିଁକୁ, ଦ୍ବିତୀୟ କଥା ହେଲା, ବରକତର ମା’ ଭଳି ଜଣେ କଠିଣ ପରିସ୍ଥିତିରେ ନିଜ ପିଲାଙ୍କୁ ଘରେ ପଢ଼ାଲେଖା ଶିଖେଇ ଦିଏ ଓ ଭରସା କରେ ଯେ ତା’ ପିଲା ସ୍କୁଲରେ ପଢ଼ିଲେଖି ଶିଖୁଚି। ମୁଁ ବି ଏକ ଗାଁ ସ୍କୁଲରେ ପଢ଼ୁଥିଲି। ମୋ ଶିଖିବାରେ ମୋ ବଡ଼ ଭଉଣୀର ହାତଧରି ପଢ଼ିବା ଶିଖେଇବାର ମହତ୍ବପୂର୍ଣ୍ଣ ସହଯୋଗ ଥିଲା। ମୁଁ ମୋ ସାଥୀଙ୍କୁ ଏ କଥା ପଚାରିଲେ ସେମାନେ ନିଜ ପଢ଼ିବାରେ ନିଜ ବଡ଼ ଭାଇଭଉଣୀଙ୍କୁ ବା ବାପା -ମା’ଙ୍କୁ ତାହାର ଶ୍ରେୟ ଦିଅନ୍ତି। ଆଜି ସରକାରୀ ସ୍କୁଲକୁ ଆସୁଥିବା ଅଧିକାଂଶ ପିଲାଙ୍କ ପାଇଁ ତାଙ୍କ ଶିକ୍ଷକଙ୍କୁ ତାଙ୍କ ବଡ଼ ଭାଇଭଉଣୀ ବା ବାପ-ମାଆଙ୍କ ଭୂମିକାରେ ଦେଖିବାକୁ ମିଳିବା ଦରକାର। ଆବଶ୍ୟକ ହେଉଚି ଯେ ଏ ଆରମ୍ଭ ଶ୍ରେଣୀରେ ପିଲା ସାଙ୍ଗରେ ତା’ ଶିକ୍ଷକ ଆପଣା ମଣିଷ ଭଳି ତା’ ହାତ ଧରିବାକୁ ହାଜର।

Comments are closed.