Patra electronics

କଟକ ସେଣ୍ଟ ଜାଭିୟର୍ସରେ ବାସ୍କେଟ ବଲ ମହାକୁମ୍ଭ ଉଦଘାଟିତ

କଟକ: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆଜି ସିବିଏସଇ ବାସ୍କେଟ ବଲ ପ୍ରତିଯୋଗିତା କ୍ଲଷ୍ଟର ଉଦଘାଟିତ ହୋଇଛି। ସିଏମସି ମେୟର ସୁବାସ ସିଂ ପ୍ରଦୀପ ପ୍ରଜ୍ଜ୍ଵଳନ ଓ ପତାକା ଉତ୍ତୋଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର କ୍ରୀଡା ସମ୍ପାଦିକା ଶ୍ରଦ୍ଧା ଭଞ୍ଜଦେଓ ଶପଥ ପାଠ କରାଇଥିଲେ।

ନିଜ ସମ୍ବୋଧନରେ ମେୟର ଶ୍ରୀ ସିଂ କହିଥିଲେ ‘କ୍ରିକେଟ ଓ ଫୁଟବଲ ପରେ ବାସ୍କେଟବଲ ମଧ୍ୟ ଏବେ ବେଶ ଲୋକପ୍ରିୟ ହେବାରେ ଲାଗିଛି। କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାସ୍କେଟବଲ ପ୍ରତି ଆଗ୍ରହ ସୃଷ୍ଟି ଦିଗରେ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ପ୍ରୟାସକୁ ପ୍ରଶଂସନୀୟ ବୋଲି କହିଛନ୍ତି ମେୟର। ଶ୍ରୀ ସିଂ ସିବିଏସଇ ବାସ୍କେଟ ‌ବଲ ଟୁର୍ଣାମେଣ୍ଟ କ୍ଲସଟରରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବାରୁ ଶୁଭେଚ୍ଛା ଜଣାଇଥିଲେ।

ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ପ୍ରିୟଦର୍ଶୀ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉଦଘାଟନୀ କାର୍ଯ୍ୟକ୍ରମରେ କଟକ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟର ନିର୍ଦ୍ଦେଶକ ପ୍ରଭୁ ଚରଣ ମହାନ୍ତି, ସିବିଏସଇ ନିରୀକ୍ଷକ ମୋନାଲିସା ମିଶ୍ର, ଓଡ଼ିଶା ବାସ୍କେଟ ବଲ ଆସୋସିଏସନର ସେକ୍ରେଟାରୀ ଅଶୋଜ ସାହୁ, ବ୍ରହ୍ମପୁର ସେଣ୍ଟ ଜାଭିୟର୍ସର ନିର୍ଦ୍ଦେଶକ କୁନାଲ କୌଶିକ, ନୂଆବଜାର ସେଣ୍ଟ ଜାଭିୟର୍ସର ଅଧ୍ୟକ୍ଷ ପ୍ରଦୀପ ତ୍ରିପାଠୀ, କୃଷ୍ଣମୂର୍ତି ବାରବାଟିର ଅଧ୍ୟକ୍ଷ ମନୋଜ ମେନନ୍ ଯୋଗ ଦେଇଥିଲେ। ଆୟୋଜକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ସହ ଉଦଘାଟନୀ ସମାରୋହ ଶେଷ ହୋଇଥିଲା।

ଆଜି ଉଦଘାଟନୀ ପର୍ବରେ ୧୯ବର୍ଷରୁ କମ୍ ବର୍ଗର ବାଳକ ଦଳରେ ବେଦୀକ ଇଣ୍ଟର୍ ନ୍ୟାସନାଲ ସ୍କୁଲ ଓ କାରାମେଲ ସ୍କୁଲ ଏବଂ ୧୯ବର୍ଷରୁ କମ୍ ବାଳିକା ବର୍ଗରେ ଏନ କି ଗୋୟେଲ ସ୍କୁଲ ଓ ପଶ୍ଚିମବଙ୍ଗର ଆର୍ମି ସ୍କୁଲ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ମହାକୁମ୍ଭରେ ୭୦ଗୋଟି ମ୍ୟାଚ୍ ଖେଳାଯିବ। ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍ ସେପ୍ଟେମ୍ବର ୨୧ ତାରିଖ ଦିନ କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ।

Comments are closed.