ବିଧାନସଭାରେ ପୁଣି ତେଲ ତାତି

0
-ଦୁଇ ବର୍ଷରେ ୯ଥର ବଢ଼ିଛି ଉତ୍ପାଦ ଶୁଳ୍କ ,-ଜିଏସ୍‌ଟି କାଉନସିଲ ବୈଠକରେ ନିଷ୍ପତ୍ତି: ମନ୍ତ୍ରୀ

ଭୁବନେଶ୍ୱର : ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବଢ଼ିଚାଲିଥିବାବେଳେ ଏହାର ତାତି ଆଜି ବିଧାନସଭାରେ ଦେଖିବାକୁ ମିଳିଥିଲା। ‘ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା, ମାତ୍ରାଧିକ ଟ୍ୟାକ୍ସ ଲଗାଇ ଲୋକଙ୍କୁ ଶୋଷଣ କରୁଛନ୍ତି ସରକାର’ ଶୀର୍ଷକ କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତିଙ୍କ ମୁଲତବୀ ପ୍ରସ୍ତାବ ଉପରେ ଦୀର୍ଘ ଦୁଇ ଘଣ୍ଟାର ଆଲୋଚନା କାଳରେ ଦରବୃଦ୍ଧି ପାଇଁ ଶାସକ ଦଳର ସଭ୍ୟମାନେ କେନ୍ଦ୍ର ଉପରେ ବର୍ଷିଥିଲେ। ଗୃହରେ କଂଗ୍ରେସ ଓ ବିଜେପି ପରସ୍ପର ଉପରେ ଦୋଷାରୋପ କରିଥିବାବେଳେ ବିରୋଧୀ ଦଳ ନେତା ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟକୁ ଦାୟୀ କରିଥିଲେ।
ଆଲୋଚନା କାଳରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ ତେଲ ଦର ବୃଦ୍ଧି ଖାଉଟିଙ୍କୁ ବାଧୁଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି, ଏଥିପାଇଁ ସମସ୍ତେ କାନ୍ଦୁଛନ୍ତି, କାହାରି ଆଖିରୁ ଲୁହ ଝରୁନାହିଁ। ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟି ଅନ୍ତର୍ଭୁକ୍ତ କରିବା ପାଇଁ ଗୃହରେ ସର୍ବସମ୍ମତ ପ୍ରସ୍ତାବ ଆଣିବାକୁ ସେ ମତ ରଖିବା ସହିତ ସମସ୍ତଙ୍କ ପାଇଁ ନହେଲେ ବି ଗରିବ ଓ ଚାଷୀଙ୍କ ପାଇଁ ଦାମ କମାଯାଉ ବୋଲି କହିଥିଲେ।
ମୁଲତବୀ ପ୍ରସ୍ତାବ ଉତ୍ତରରେ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ କେନ୍ଦ୍ର ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ କରିଥିବା କେନ୍ଦ୍ରୀୟ ଉତ୍ପାଦ ଓ ଅତିରିକ୍ତ ଶୁଳ୍କ ହ୍ରାସ କଲେ ଦେଶରେ ପେଟ୍ରୋଲ ଓ ଡିଜେଲ ଖୁଚୁରା ବିକ୍ରି ମୂଲ୍ୟ କମିବ। ଏହି ଅବସରରେ ମନ୍ତ୍ରୀ ୨୦୧୪ ଏପ୍ରିଲ ଓ ବର୍ତ୍ତମାନର ଦରର ତୁଳନାତ୍ମକ ଚିତ୍ର ରଖିଥିଲେ। ସେତେବେଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଖୁଚୁରା ମୂଲ୍ୟ ୭୧.୪୮ଟଙ୍କା ଥିଲା। ଏଥିରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ସେସ୍‌ ବାବଦକୁ ୯.୪୭ଟଙ୍କା ଓ ରାଜ୍ୟ ସରକାର ମୂଲ୍ୟଯୁକ୍ତ କର(ଭାଟ) ଓ ପ୍ରବେଶ କର ବାବଦରେ ୧୧.୧୭ଟଙ୍କା ଆଦାୟ କରୁଥିଲେ।
ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ଯୋଗୁଁ କେନ୍ଦ୍ର ସରକାର ପେଟ୍ରୋଲ ଉପରେ କେନ୍ଦ୍ରୀୟ ଉତ୍ପାଦ, ଅତିରିକ୍ତ ଉତ୍ପାଦ ଓ ସେସ୍‌ ବାବଦକୁ ଆଦାୟ କରୁଥିବା ୯ଟଙ୍କା ୪୭ ପଇସାକୁ ୯ଥର ବୃଦ୍ଧି କରି ୨୧ଟଙ୍କା ୪୮ପଇସା ଆଦାୟ କରୁଥିଲେ।
କେନ୍ଦ୍ର ସରକାର ୨୦୧୭ ଅକ୍ଟୋବରରେ ପେଟ୍ରୋଲ ଲିଟର ପିଛା ଉତ୍ପାଦ ଶୁଳ୍କକୁ ୨ଟଙ୍କା କମାଇଥିବାରୁ ବର୍ତ୍ତମାନ ଲିଟର ପିଛା କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦକୁ ୧୯ଟଙ୍କା ୪୮ପଇସା ଆଦାୟ କରୁଛନ୍ତି। କେନ୍ଦ୍ର ସରକାର ବର୍ତ୍ତମାନ ପେଟ୍ରୋଲ ଲିଟର ପିଛା ୨୦୧୪ ତୁଳନାରେ କେନ୍ଦ୍ରୀୟ ଉତ୍ପାଦ ଓ ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦକୁ ୧୦ଟଙ୍କା ଅଧିକ ଆଦାୟ କରୁଛନ୍ତି।
ଅନୁରୂପ ଭାବେ ଡିଜେଲ ଲିଟର ପିଛା ୨୦୧୪ ତୁଳନାରେ କେନ୍ଦ୍ରୀୟ ଶୁଳ୍କ ବାବଦରେ ୧୧ଟଙ୍କା ୭୭ପଇସା ଅଧିକ ଆଦାୟ ସହିତ ମୋଟ ୧୫ଟଙ୍କା ୩୩ ପଇସା ଟିକସ ବାବଦରେ ଆଦାୟ କରୁଛନ୍ତି।
୨୦୧୮ ଏପ୍ରିଲ ୨୩ରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଖୁଚୁରା ବିକ୍ରି ମୂଲ୍ୟ ୭୩ଟଙ୍କା ୩୪ପଇସା ଥିବାବେଳେ ୧୮ଟି ରାଜ୍ୟରେ ଓଡ଼ିଶା ଅପେକ୍ଷା ପେଟ୍ରୋଲ ବିକ୍ରି ମୂଲ୍ୟ ଅଧିକ ଅଛି। ସେହିପରି ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ଗତ ୨୩ତାରିଖ ସୁଦ୍ଧା ୭୦ଟଙ୍କା ୫୫ପଇସା ଥିବାବେଳେ ୩ଟି ରାଜ୍ୟରେ ଓଡ଼ିଶାଠାରୁ ଅଧିକ ରହିଛି।
ଜିଏସଟି ପରିଷଦର ଅଧ୍ୟକ୍ଷ ଯେତେବେଳେ ପରିଷଦରେ ପେଟ୍ରୋଲ ଓ ଡ଼ିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସ୍ତାବ ଆଣିବେ ତାହା ଉପରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଥିଲେ।
ଆଲୋଚନା ଆରମ୍ଭ କରି ଶ୍ରୀ ବାହିନୀପତି, ଭୁଜବଳ ମାଝି ଏବଂ କୈଳାସଚନ୍ଦ୍ର କୁଲେସିକା ଉତ୍ପାଦ ଶୁଳ୍କ ମନଇଚ୍ଛା ବୃଦ୍ଧି ପାଇଁ କେନ୍ଦ୍ର ଉପରେ ବର୍ଷିବା ସହିତ ରାଜ୍ୟ ସରକାର ଭାଟ କମାଇବାକୁ ଦାବି କରିଥିଲେ। ବିଜେପି ସଭ୍ୟ ବସନ୍ତ ପଣ୍ଡା ଏବଂ ପ୍ରଦୀପ ପୁରୋହିତ ରାଜ୍ୟ ସରକାର ଭାଟ କମାଇବା ସହିତ ପେଟ୍ରୋଲ ଓ ଡ଼ିଜେଲ ଜିଏସଟି ପରିସରଭୁକ୍ତ କରାଯାଉ ବୋଲି ଦାବି କରିଥିଲେ।
ସରକାରୀ ଦଳର ଅମରପ୍ରସାଦ ଶତପଥୀ ଦୁଇ ବର୍ଷରେ ତୈଳ ଦର ୯ଥର ବୃଦ୍ଧି କରିବା ସହିତ ତେଲ କମ୍ପାନୀ ସ୍ୱାର୍ଥ ପାଇଁ ଏଠି ଖାଉଟି ବଳି ପଡ଼ୁଛନ୍ତି ବୋଲି ଅଭିଯୋଗ କରିଥିଲେ। ବିଧାୟକ ମହେଶ ସାହୁ, ବେଦପ୍ରକାଶ ଅଗ୍ରୱାଲ, ରୋହିତ ପୂଜାରୀ ପ୍ରମୁଖ ଅନୁରୂପ ଅଭିଯୋଗ କରିବା ସହିତ କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କ କମାଇ ଦର ନିୟନ୍ତ୍ରଣକୁ ଆଣିବା ପାଇଁ ଦାବି କରିଥିଲେ।

Leave A Reply