ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ଲକ୍ଷ ସହାୟତା

0

ପିପିଲି  : ଗତବର୍ଷ ଶିଶୁ ଦିବସ ପାଳନ ଅବସରରେ ପିପିଲି ବ୍ଲକର କଣ୍ଟି ନୋଡାଲ ୟୁପି ସ୍କୁଲ୍‍ର ତୃତୀୟ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ବିଶ୍ୱରଞ୍ଜନ ବାରିକ (୮) ଓରଫ୍‍ ଚିଣ୍ଟୁର ପୋଖରୀରେ ବୁଡି ପ୍ରାଣ ହରାଇବା ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୪ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପଞ୍ଚାୟତରାଜ, କୃଷି ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପସ୍ଥିତିରେ ଶୁକ୍ରବାର ପିପିଲି ତହସିଲଦାର ଶ୍ରୀଧର ବିଶ୍ୱାଳ ମୃତ ଛାତ୍ରଙ୍କ ପିତା-ମାତାଙ୍କୁ ଚେକ୍‍ ମାଧ୍ୟମରେଏହି ସହାୟତା ରାଶି ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଣ୍ଟି ସରପଞ୍ଚ ପ୍ରକାଶ କୁମାର ଧଳ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ, ଆତ୍ମା ଅଧ୍ୟକ୍ଷ ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନା ଥାଉକି, ଗତ ନଭେମ୍ବର ୧୪ ତାରିଖରେ କଣ୍ଟି ପଞ୍ଚାୟତ ସ୍ତରୀୟ ଶିଶୁ ଦିବସ କାର୍ଯ୍ୟକ୍ରମ କଣ୍ଟି ନୋଡାଲ୍‍ ୟୁପି ସ୍କୁଲରେ ପାଳନ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଉକ୍ତ ବିଦ୍ୟାଳୟର ଦିବ୍ୟାଙ୍ଗ ଛାତ୍ର ବିଶ୍ୱରଞ୍ଜନ ସ୍କୁଲ ପାଖ ପୋଖରୀରେ ବୁଡି ପ୍ରାଣ ହରାଇଥିଲେ ।ଏହି ଘଟଣାକୁ ନେଇ କଣ୍ଟି ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବା ବେଳେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରାସ୍ତା ଉପରେ ରଖି କଣ୍ଟି ବଜାର ଠାରେ ପିପିଲି-ଜଟଣୀ ରାସ୍ତାକୁ ୨ଘଣ୍ଟା କାଳ ଅବରୋଧ କରିଥିଲେ । ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ସହ ମୃତକଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ପ୍ରଦାନ କରାଯିବାକୁ ସେଠାରେ ଦାବି କରାଯାଇଥିଲା । ଏହି ଘଟଣାରେ ଜିଲା ଶିକ୍ଷାଧିକାରୀ ୩ଜଣ ଶିକ୍ଷକଙ୍କୁ କାର୍ଯ୍ୟରୁ ନିଳମ୍ବନ କରିବା ସହ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ସହ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ।

Leave A Reply