ଢେଙ୍କାନାଳରେ ଶ୍ରୀଲିଙ୍ଗରାଜଙ୍କ ୧୭୧ ଏକର ଜମି

ଭୁବନେଶ୍ବର : ଢେଙ୍କନାଳ ଜିଲା ଗଁଦିଆ ତହସିଲ ଅଧୀନ ବାଇଁଶିଆ ରାଜସ୍ବରେ ୪୦୦ଟି ପ୍ଲଟ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରେକର୍ଡରେ ଯୋଡି ହୋଇଛି। ଦୀର୍ଘବର୍ଷ ହେବ ବେବନ୍ଦୋବସ୍ତ ହୋଇ ପଡି ରହିଥିବା ୧୭୧ ଏକର ୪୧୨ ଡେସିମିଲ ଜମିକୁ ବନ୍ଦୋବସ୍ତ ଜରିଆରେ ଦିଅଁଙ୍କ ଖାତାକୁ ଫେରାଇ ଅଣାଯାଇଛି। ୨୦୨୧ ମସିହାରୁ ଦିଅଁଙ୍କ ନାମରେ ୧୭୧ ଏକର ୪୧୨ ଡେସିମିଲ ଆସିଥିଲେ ମଧ୍ୟ ସେଠାରୁ ଟଙ୍କାଟିଏ ରାଜସ୍ବ ଆସିପାରୁନି। ମନ୍ଦିର ପ୍ରଶାସନ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ବର୍ଷକୁ ବର୍ଷ ରାଜସ୍ବ ହରାଉଛି।
ସୂଚନାଯୋଗ୍ୟ, ବାଇଁଶିଆ ରାଜସ୍ବ କାର୍ଯ୍ୟାଳୟ ଅଧୀନରେ ଥିବା ଦିଅଁଙ୍କ ଜମିରେ ବଲ୍ଲଭ ଓ ପଟୁଆବିଲ ବୋଲି ଦୁଇଟି ଗାଁ ରହିବା ସହିତ ସ୍ଥାନୀୟ ଯୁବକଙ୍କ ଦ୍ବାରା ଗୋଟିଏ କ୍ଲବଘର, ଗୋଟିଏ ପ୍ରାଥମିକ ବିଦ୍ୟାଳୟ ଓ କିଛି ଚାଷ ଜମି ରହିଛି। ସେଠାରେ ଦିଅଁଙ୍କ ଜମି ରହିଥିବା ମନ୍ଦିର ପ୍ରଶାସନ ଦୀର୍ଘବର୍ଷ ହେବ ଜାଣିପାରି ନ ଥିଲା କିମ୍ବା ଦିଅଁଙ୍କ ସମ୍ପତ୍ତି ତାଲିକାରେ ଜମିର ହିସାବ ରଖିନଥିଲା। ୨୦୨୧ ମସିହାରେ ତତ୍କାଳୀନ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାସ ଢେଙ୍କାନାଳରେ ଦିଅଁଙ୍କର ଏତେ ପରିମାଣର ଜମି ରହିଥିବା ଜାଣିବା ପରେ ତାହାକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ।

ସେହି ଜମିରେ ସ୍ଥାନୀୟ ଲୋକେ ବର୍ଷ ବର୍ଷ ଧରି ରହି ଅାସୁଛନ୍ତି। ଦୁଇଟି ମୌଜାର ଜମି ପାଖାପାଖି ହୋଇ ଥିବାରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଢେଙ୍କାନାଳ ଯାଇ ତହସିଲଦାରଙ୍କ ସହ ଯୋଗାଯୋଗ କରିଥିଲେ। ତହସିଲଦାର ଉପ ଜିଲାପାଳଙ୍କ ଅଦାଲତରେ ଏକ ମାମଲା ଦାଏର କରି ଦିଅଁଙ୍କ ଖାତାକୁ ଏହି ଜମି ଆଣିବା ଲାଗି ଉଦ୍ୟମ କରିଥିଲେ। ଏବାବଦରେ ମନ୍ଦିର ପ୍ରଶାସନକୁ ଲକ୍ଷାଧିକ ଟଙ୍କା ସଲାମି ଦେବା ପାଇଁ ଅଦାଲତ ତାଙ୍କ ରାୟରେ ଶୁଣାଇଥିଲେ। ସେ ସମୟରେ କରୋନା ଭୟାବହତା ଯୋଗୁଁ ମନ୍ଦିର ପ୍ରଶାସନ ଏତେ ପରିମାଣର ସଲାମି ଅର୍ଥ ଦେବା ସମ୍ଭବ ନୁହେଁ ବୋଲି କହିବା ସହ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଦିଅଁଙ୍କ ତରଫରୁ ପକ୍ଷଭୁକ୍ତ ହୋଇ ଅତିରିକ୍ତ ଜିଲାପାଳଙ୍କ ଅଦାଲତରେ ମାମଲା ଦାଏର କରିଥିଲେ। ଅତିରିକ୍ତ ଜିଲାପାଳ ପ୍ରତିପକ୍ଷଙ୍କ ଆବେଦନ ତଥା ଦେବୋତ୍ତର ଆୟୁକ୍ତଙ୍କ ସୁପାରିସ କ୍ରମେ ତଳକୋର୍ଟର ବିଚାରକୁ ତର୍ଜମା କରି ସଲାମି ଅର୍ଥକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ପିଛିଲା କରଧାର୍ଯ୍ୟ ଦେବା ଲାଗି ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ। ମନ୍ଦିର ପ୍ରଶାସନ ପିଛିଲା କରଧାର୍ଯ୍ୟ ଦାଖଲ କରିବା ପରେ ଦିଅଁଙ୍କ ନାମରେ ସେ ସବୁ ଜମି ରେକର୍ଡ ହୋଇଥିଲା।

୨୦୨୧ ମସିହାରୁ ଦିଅଁଙ୍କ ଖାତାକୁ ୧୭୧ ଏକର ୪୧୨ ଡେସିମିଲ ଜମି ଆସିଥିଲେ ମଧ୍ୟ ଉକ୍ତ ଜମିରୁ ଦଖଲଦାରଙ୍କୁ ବେଦଖଲ କରାଯାଇ ପାରି ନାହିଁ କିମ୍ବା ଟଙ୍କାଟିଏ ରାଜସ୍ବ ଆସିପାରୁନି। ମନ୍ଦିର ପ୍ରଶାସନ ସେଇ ଜମିରେ ରାଜସ୍ବ ସଂଗ୍ରହ ଉପରେ କୌଣସି ପଦକ୍ଷେପ ଗ୍ରହଣ କରୁନି। ଅପରପକ୍ଷେ ବର୍ଷ ବର୍ଷ ଧରି ଦୁଇଟି ଗାଁ ଲୋକେ ସେଠାରେ ବସବାସ କରୁଛନ୍ତି। ସେମାନଙ୍କୁ ସେଠାରୁ ହଟାଇବା ମନ୍ଦିର ପ୍ରଶାସନ ପକ୍ଷେ ସମ୍ଭବ ନୁହେଁ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ରାଜସ୍ବ ଦେବାକୁ କୁହାଯିବାରୁ ସେମାନେ ଗାଁରେ ଏକ କମିଟି ଗଠନ କରି ଆଲୋଚନା କରିବା ପରେ ଯାହା କିିଛି ନିଷ୍ପତ୍ତି ନେବେ ବୋଲି ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ସେବେଠାରୁ ମନ୍ଦିର ପ୍ରଶାସନ ନିରବ ହୋଇଯାଇଛି। ଦୁଇବର୍ଷ ହେବ ମନ୍ଦିର ପ୍ରଶାସନ ଉକ୍ତ ଜମିରେ ଖଜଣା ଦେଉଥିଲେ ମଧ୍ୟ ଟଙ୍କାଟିଏ ରାଜସ୍ବ ପାଉନଥିବା ମନ୍ଦିର କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି। ଏବାବଦରେ ଟ୍ରଷ୍ଟବୋର୍ଡରେ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Comments are closed.