www.samajalive.in
Monday, December 15, 2025
24.1 C
Bhubaneswar

ପ୍ରଶିକ୍ଷଣ ପାଇଁ ଓଡ଼ିଶାରେ ପହଁଚିଲେ ଶ୍ରୀଲଙ୍କାର ଅଧିକାରୀ

ଭୁବନେଶ୍ୱର : ପଡ଼ୋଶୀ ରାଷ୍ଟ୍ର ଶ୍ରୀଲଙ୍କାର ୩୦ ଜଣ ଅଧିକାରୀ ଆଜି ଓଡ଼ିଶାରେ ପହଁଚିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏବଂ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ସେମାନେ ପାଞ୍ଚ ଦିନ ଧରି ପ୍ରଶିକ୍ଷଣ ନେବେ । ଏହି ଅବସରରେ ସେମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ ସ୍ଥାନ ପରିଦର୍ଶନ ସମୟରେ ସେମାନେ ଓଡ଼ିଶାର କଳା-ସଂସ୍କୃତି-ଐତିହ୍ୟ-ଇତିହାସ-ବୌଦ୍ଧ କୀର୍ତ୍ତିରାଜି ସମ୍ପର୍କରେ ଅବଗତ ହେବେ ।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏବଂ ବିପର୍ଯ୍ୟୟ ପୂର୍ବରୁ ଓ ପରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ ସ୍ଥାନୀୟ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ସେମାନେ ପ୍ରଶିକ୍ଷିତ ହେବେ । ହକି ବିଶ୍ଵ କପ୍ ଆୟୋଜନ ସମୟରେ ହୋଇଥିବା ସଫଳ ଗଣମାଧ୍ୟମ ରଣନୀତି ଉପରେ କଳିଙ୍ଗ ଷ୍ଟାଡିୟମ୍ ଠାରେ ତାଲିମ ନେବେ । ହ୍ଵାଇଟ୍ ପାଗୋଡ଼ା ଧଉଳିର ଶାନ୍ତି ମନ୍ତ୍ରରେ ଅଭିମନ୍ତ୍ରିତ ହେବା ସହ ବ୍ଲାକ୍ ପାଗୋଡ଼ା କୋଣାର୍କର କାଳଜୟୀ ସ୍ଥାପତ୍ୟ ଓ ମରାଳ-ମାଳିନୀ-ନୀଳାମ୍ବୁ-ଚିଲିକାର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ରାଜ୍ୟ ସଂଗ୍ରହାଳୟ ପରିଦର୍ଶନ ସମୟରେ ଓଡ଼ିଶାର ସମୃଦ୍ଧ କଳା, ଜୀବନ୍ତ ସଂସ୍କୃତି, ବିଭବଶାଳୀ ଐତିହ୍ୟ, ଗରିମାମୟ ଇତିହାସ ସମ୍ପର୍କରେ ଅବଗତ ହେବେ । ଓଡ଼ିଶା ବୟନ ଅସ୍ମିତାର କମନୀୟ ମାଧୁର୍ଯ୍ୟକୁ ବୟନିକାରେ ଉପଲବ୍ଧି କରିବେ ।

- Advertisement -

ଶ୍ରୀଲଙ୍କାର ଏହି ଅଧିକାରୀମାନେ ଆଜି କିଟ୍ ବିଶ୍ଵବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ଅଧିକାରୀ ବୃନ୍ଦଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଗୁରବୀର୍ ସିଂ, ଅତିରିକ୍ତ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଉପ-ନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅନ୍ୟାନ୍ୟ ଅଧିକାରୀ ସ୍ଵାଗତ କରିଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories