ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ଶୃଙ୍ଖଳାରୁ ରାହାଣେ, ପୂଜାରା, ଈଶାନ୍ତ, ଶାହା ବାଦ୍‌

ନୂଆଦିଲ୍ଲୀ: ଔପଚାରିକ ଭାବେ ବିସିସିଆଇ ବରିଷ୍ଠ ମନୋନୟନ କମିଟି ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ ଦଳର ନୂଆ ଅଧିନାୟକ ଭାବେ ଘୋଷଣା କରିଛି। ପୂର୍ବରୁ ବିରାଟ କୋହଲିଙ୍କ ପରି ରୋହିତ ସମସ୍ତ ଫର୍ମାଟରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଶନିବାର ଭ୍ରମଣକାରୀ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ୧୮ ଜଣିଆ ଦଳର ନେତୃତ୍ବ ଅଭିଜ୍ଞ ଓପନ୍‌ର ରୋହିତ ଶର୍ମା ନେବେ। ଗତମାସରେ ତାଙ୍କ ନେତୃତ୍ବରେ ଭାରତ ଘରୋଇ ଦକ୍ଷିଣ ଆଫ୍ରିକାଠାରୁ ଟେଷ୍ଟ ଶୃଙ୍ଖଳାକୁ ୧-୨ରେ ହାରିବାର ପରଦିନ କୋହଲି ଟେଷ୍ଟ ନେତୃତ୍ବରୁ ଓହରି ଯାଇଥିଲେ। ତେଣୁ ଆଶା କରା ଯାଉଥିଲା ଯେ ସୀମିତ ଓଭର ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ନେତୃତ୍ବ ମିଳିବ।

ଟେଷ୍ଟ ଦଳ ଘୋଷଣା କରି ଜାତୀୟ ବରିଷ୍ଠ ମନୋନୟନ କମିଟିର ଅଧ୍ୟକ୍ଷ ଚେତନ ଶର୍ମା କହିଛନ୍ତି, ରୋହିତ ଦେଶର ୧ନଂ କ୍ରିକେଟର। ସେ ୩ଟିଯାକ ଫର୍ମାଟ ଖେଳନ୍ତି। ବର୍ତ୍ତମାନ ସମସ୍ତ କ୍ରିକେଟର ପେସାଦାର। ରୋହିତ ସମସ୍ତ ଫର୍ମାଟ ଖେଳିବା ସହ ଦଳର ନେତୃତ୍ବ ନେବା ଦାୟିତ୍ବକୁ କିପରି ନିର୍ବାହ କରୁଛନ୍ତି; ତାହା ତାଙ୍କ ଉପରେ ନିର୍ଭରକରେ। ରୋହିତଙ୍କ ଅଧୀନରେ ଋଷଭ ପନ୍ତ୍, କେ.ଏଲ୍‌. ରାହୁଲ ଓ ଯଶପ୍ରୀତ ବୁମ୍‌ରା ଭବିଷ୍ୟତର ଅଧିନାୟକ ହେବା ଲାଗି ପ୍ରସ୍ତୁତ ହେବେ। ପୁଣି ସବୁଠାରୁ ବଡ଼ କଥାହେଉଛି।

ଗତ କିଛିବର୍ଷ ହେଲା ଭାରତୀୟ ଟେଷ୍ଟ ଦଳର ୪ ନିୟମିତ ଖେଳାଳି- ଅଜିଙ୍କ୍ୟ ରାହାଣେ, ଚେତେଶ୍ବର ପୂଜାରା, ଈଶାନ୍ତ ଶର୍ମା ଓ ଋଦ୍ଧିମାନ ଶାହାଙ୍କୁ ଦଳ​‌ରୁ ବାଦ୍ ଦିଆଯାଇଛି। ତେବେ ଚେତନ ଶର୍ମା କହିଛନ୍ତି, ଶ୍ରୀଲଙ୍କା ବିପକ୍ଷ ମାତ୍ର ୨ଟି ଟେଷ୍ଟ ପାଇଁ ଉପରୋକ୍ତ ୪ ଜଣଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ସେମାନଙ୍କୁ ରଣଜୀ ଟ୍ରଫି ଖେଳିବାକୁ କୁହା ଯାଇଥିଲା। ରାହାଣେ ପ୍ରଥମ ମ୍ୟାଚ୍‌ରେ ଶତକ ମାରିଥିବା ବେ​‌େ​‌ଳ ପୂଜାରା ବିନା ସ୍କୋର୍‌ରେ ଆଉଟ ହୋଇଥିଲେ। ଋଦ୍ଧିମାନ ରଣଜୀ ଟ୍ରଫିରୁ ଓହରି ଯାଇଥିବା ବେଳେ ଈଶାନ୍ତ ୨ୟ ମ୍ୟାଚ୍‌ରୁ ରଣଜୀ ଖେଳିବେ। ତେବେ ଏହି ୪ କ୍ରିକେଟରଙ୍କ ପାଇଁ ଭାରତୀୟ ଟେଷ୍ଟ ଦଳର ରାସ୍ତା ବନ୍ଦ ହୋଇନାହିଁ ଏବଂ ସେମାନେ ଭବିଷ୍ୟତରେ ଦଳକୁ ଫେରିପାରିବେ ବୋଲି ଚେତନ କହିଛନ୍ତି। ରାହାଣେ ଓ ପୂଜାରା ଗତ ୨ ବର୍ଷରୁ ଊର୍ଦ୍ଧ୍ବ ସମୟ ହେଲା ଟେଷ୍ଟରେ ଶତକ ମାରିନାହାନ୍ତି। ପୁଣି ସମସ୍ତ ପ୍ରଥମ ପସନ୍ଦର ଖେଳାଳି ଦଳରେ ଥିଲେ ଈଶାନ୍ତ ଓ ଋଦ୍ଧିମାନଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିବାର ସମ୍ଭାବନା କମ୍। ସୁସ୍ଥହେବା ପରେ ବାମହାତି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜା ଦଳକୁ ଫେରିଛନ୍ତି।

ରବିଚନ୍ଦ୍ରନ ଅଶ୍ବିନଙ୍କୁ ଦଳରେ ସ୍ଥାନ ଦିଆ ଯାଇଥିଲେ ହେଁ ସେ ସମ୍ପୂର୍ଣ୍ଣ ଫିଟ୍‌ହେଲେ ଖେଳିବେ; ଅନ୍ୟଥା ନୁହେଁ ବୋଲି ଚେତନ ଶର୍ମା କହିଛନ୍ତି। ତେଣୁ ଅନ୍ୟ ଅଫ୍‌ସ୍ପିନର ଜୟନ୍ତ ଯାଦବଙ୍କୁ ଦଳରେ ରଖାଯାଇଛି। ବାମହାତି ସ୍ପିନର ଅକ୍ଷର ପଟେଲ ଫିଟ୍‌ ହୋଇନଥିବାରୁ ଉତ୍ତର ପ୍ରଦେଶର ବାମହାତି ସ୍ପିନର ସୌରଭ କୁମାରଙ୍କୁ ନୂଆ ମୁହଁ ଭାବେ ଦଳରେ ସାମିଲ କରାଯାଇଛି। ଯଶପ୍ରୀତ ବୁମ୍‌ରାଙ୍କୁ ଟେଷ୍ଟ ଦଳର ଉପଅଧିନାୟକ ଘୋଷଣା କରାଯାଇଛି। ମୋହାଲିରେ ମାର୍ଚ୍ଚ ୪ରୁ ପ୍ରଥମ ଟେଷ୍ଟ ଖେଳାଯିବ; ଯାହା ବିରାଟ କୋହଲିଙ୍କ ୧୦୦ତମ ଟେଷ୍ଟମ୍ୟାଚ୍‌ ହେବ। ମାର୍ଚ୍ଚ ୧୨ରୁ ୧୬ ପର୍ଯ୍ୟନ୍ତ ବାଙ୍ଗାଲୋରରେ ୨ୟ ତଥା ଅନ୍ତିମ ଟେଷ୍ଟ ଖେଳାଯିବ। ଏହି ଟେଷ୍ଟମ୍ୟାଚ୍ ଦିବାରାତ୍ର ହେବ ଏବଂ ଗୋଲାପି ବଲ୍‌ରେ ଖେଳାଯିବ।

Comments are closed.