୩ କୁଖ୍ୟାତ ଅପରାଧି ଗିରଫ: ମାଉଜର ଓ ୨ ଜୀବନ୍ତ ବୋମା ଜବତ

ଗୋପାଳପୁର ୨୬/୪: ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଶାନ୍ତିପୂର୍ଣ୍ଣ ଭାବରେ ଏହାକୁ ସାରିବାକୁ ପୁଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି କ୍ରମରେ ଆଜି ଗୋଳନ୍ଥରା ପୁଲିସ ପକ୍ଷରୁ ହଳଦିଆପଦର ବସଷ୍ଟାଣ୍ଡ ପଛ ପଟେ ୫/୬ କୁଖ୍ୟାତ ଅପରାଧି ମିଳିତ ହୋଇ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ କାବୁ କରାଯାଇଛି । ପୁଲିସ ୩ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଏକ ୯ ଏମଏମ ପିସ୍ତଲ,୨ ଟି ଖଣ୍ଡା,୨ ଟି ଜୀବନ୍ତ ବୋମା ସହ ବୋମା ପ୍ରସ୍ତୁତ ସାମଗ୍ରୀ ଏବଂ ୨ ଟି ମୋଟରସାଇକେଲ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ସାଳିଆବନ୍ଧ ସାହିର ଶିବରାମ ପାଳ, ସଦର ଥାନା ଅନ୍ତର୍ଗତ ଲାଠି, ଗୌଡ ସାହିର ଶ୍ୟାମ ସୁନ୍ଦର ସାହୁ ଓରଫ ଚେରୁ ଓ ପିଣ୍ଟୁ ଓରଫ ପାଣ୍ଡା ଗୌଡ ବୋଲି ପୁଲିସ ସୂଚନା ଦେଇଛି।
ଆଜି ଅପରାହ୍ନ ପ୍ରାୟ‌ ସାଢେ଼ ୩ ଟା ବେଳେ ଗୋଳନ୍ଥରା ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ହଳଦିଆପଦର ବସଷ୍ଟାଣ୍ଡ ପଛପଟେ  ୫/୬ ଜଣ ଡକାୟତ ଜାତୀୟ ରାଜପଥ ନଂ ୧୬ ରେ ଡକାୟତି ଯୋଜନା ପ୍ରସ୍ତୁତ କରୁଥିବା ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉବେଳେ ଉପରୋକ୍ତ ୩ ଅଭିଯୁକ୍ତ ଧରା ପଡ଼ିଥିବାବେଳେ ଅନ୍ୟମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ। ପୁଲିସ ଘଟଣାସ୍ଥଳରୁ ଗିରଫ କରିଥିବା ଶିବରାମର ଅଣ୍ଟାରୁ ଗୁଳି ଭର୍ତ୍ତି ଏକ ୯ ଏମ ଏମ ବନ୍ଧୁକ ଜବତ କରିବା ସହ ୨ ଟି ମୋବାଇଲ ଜବତ କରିଥିଲା। ଏହା ସହ ଗିରଫ ଅନ୍ୟତମ ଅଭିଯୁକ୍ତ ଚେରୁ ଠାରୁ ଗୋଟିଏ ଖଣ୍ଡା ସହ ୨ ଟି ମୋବାଇଲ ଓ ପାଣ୍ଡା ଗୌଡ ଠାରୁ ଗୋଟିଏ ଖଣ୍ଡା ଓ ଗୋଟିଏ ମୋବାଇଲ ଜବତ କରିଥିଲା। ଏଥିସହ ୨ଟି ମୋଟରସାଇକେଲ (ଓ ଆର ୦୭ କ୍ୟୁ ୫୯୫୧ ଓ ଓଡି ୦୭ ସି ୨୭୦୯)ଘଟଣାସ୍ଥଳରୁ ଜବତ କରିଥିଲା। ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ବ୍ରହ୍ମପୁରର ମହିଳା ଥାନା, ସଦର ଓ ଗୋଷାଣୀ ନୂଆଗାଁ, ବି ଏନ ପୁର ଓ ବଡ ବଜାର ଥାନାରେ ଅନେକ ମାମଲା ରହିଛି। ଗିରଫ ଅଭିଯୁକ୍ତ ମାନଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

Comments are closed.