ସାଧାରଣତନ୍ତ୍ର ଦିବସର ଅନୁଚିନ୍ତା
ସୁଜୟା ପାତ୍ର
ଅଫୁରନ୍ତ ଉତ୍ସାହ, ଉଦ୍ଦୀପନା ଓ ନୂଆବାର୍ତ୍ତା ନେଇ ଆସିଛି ସାଧାରଣତନ୍ତ୍ର ଦିବସ। ନୂଆ ଆଶା, ନୂଆ କିରଣ ଓ ନୂଆ ସମ୍ଭାବନାକୁ ନେଇ ଦେଶବାସୀ ପାଳୁଛନ୍ତି ଭିନ୍ନ ଭିନ୍ନ ଦୃଷ୍ଟିଭଙ୍ଗୀରେ ୭୫ ତମ ସାଧାରଣତନ୍ତ୍ର ଦିବସ। ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲାଠୁ ଆରମ୍ଭ କରି ପ୍ରତ୍ୟେକ ରାଜ୍ୟର ରାଜଧାନୀ, ଶିକ୍ଷାଳୟ ଓ ଅନୁଷ୍ଠାନ ସର୍ବତ୍ର ତ୍ରିରଙ୍ଗା ଧ୍ୱଜା ଫର ଫର ହୋଇ ଉଡ଼ୁଛି ସଦର୍ପ। ପ୍ରତି ପ୍ରାଣର ନିଭୃତ କୋଣରୁ ଝରୁଅଛି ଆନନ୍ଦ ଉଲ୍ଲାସର ଝର। କାନରେ ଗୁଞ୍ଜରିତ ହେଉଛି ଜାତୀୟ ସଙ୍ଗୀତ। ତା’ର ମିଠା ମିଠା ତାତ୍ପର୍ଯ୍ୟପୂର୍ଣ୍ଣ ସ୍ୱରରେ ଫେଣ୍ଟିଂ ହୋଇଯାଇଛି, ସମସ୍ତଙ୍କ ହୃଦୟରେ ଅସୁମାରି ଆଶା ଓ ଆକାଙ୍କ୍ଷାର କଢି। ଏହି ମହାପାଳନ ଅବସରରେ, “ଭାରତ ମାତା କି ଜୟ ……..” ଧ୍ୱନିରେ ପ୍ରକମ୍ପିତ, ରାସ୍ତାଘାଟ, ଗ୍ରାମ, ସହର ସାଥେ, ଜଳ, ସ୍ଥଳ ଓ ଆକାଶ। ଖୁସିରେ ବିଭୋର ହୁଅନ୍ତି ଚପଳମତି ବାଳକ ବାଳିକା। ମୁହଁରୁ ତାଙ୍କ ଝରିପଡ଼ୁଛି ମୁକ୍ତା ଝରା ହସ। ତ୍ରିରଙ୍ଗା ପତକା ଧରି ହାତେ ପାଉଛନ୍ତି ସ୍ୱର୍ଗୀୟ ଆନନ୍ଦର ଅନୁଭୂତି। ବିବିଧ ଶିକ୍ଷାଳୟ ତଥା ଅନୁଷ୍ଠାନ ପୀଠରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଆଗ୍ରହୀ ଓ ଉତ୍ସାହୀ ଛାତ୍ରଛାତ୍ରୀ। ଭାବ ଭକ୍ତିମୟ ପରିବେଶ। ଆଜିର ଶୁଭ ଦିବସର ଅନ୍ତିମକ୍ଷଣରେ ସମସ୍ତେ ବାହୁଡ଼ି ଯିବେ ଯେ ଯାହାର କର୍ମଭୂମିକୁ ଘେନି ସାଥିରେ ସାଧାରଣତନ୍ତ୍ର ଦିବସର ଅଜସ୍ର ସ୍ମୃତି ଓ ବିଜଡ଼ିତ ଅନୁଭୂତିର ସବୁଜ ସ୍ୱାକ୍ଷର। ସ୍ମୃତିର ଆଇନାରେ ସେମାନଙ୍କର ପ୍ରତିଫଳିତ ହେବ କେତେ କେତେ ସହିଦଙ୍କ ମୂର୍ତ୍ତିମନ୍ତ ଛବି ମନେ ପକାଇ ଦେଶଭକ୍ତିର ଚନ୍ଦନଛିଟା। ସ୍ମୃତି ବଖାଣୁଛି ଓଡ଼ିଆ ଜାତିର ଗୌରବ ଓ ସ୍ୱାଭିମାନର କଥା ଇଂରେଜ ବିରୁଦ୍ଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ୧୮୧୭ର ପାଇକ ବିଦ୍ରୋହ। ଆଜି ମନରେ ଭରି ଦେଉଛି ଏ ମାଟିର ବୀର ଓ ବୀରାଙ୍କ ସାହସ ଓ ଜାତୀୟତା। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ବାଘାଯତୀନ ଓ ଧରଣୀଧର ଭଳି ଅନେକ ସଂଗ୍ରାମୀଙ୍କ ସଂଗ୍ରାମ ଆଉ ବଳିଦାନକୁ ଏ ଜାତି କେବେ ଭୁଲିପାରିବ ନାହିଁ। ଇଂରେଜ ଲେଖକ ଜି. ଟୟନବିଙ୍କ ମତରେ, “ଓଡ଼ିଶାର ପାଇକ ବିଦ୍ରୋହ ଏତେ ଭୟଙ୍କର ଥିଲା ଯେ ତାହା ତୋଫାନ ସଦୃଶ ରୂପ ଧାରଣ କରିଥିଲା।” ଦେଶ ସ୍ୱାଧୀନତାରେ ଏମାନଙ୍କ ସହ ଯୋଡ଼ି ହୋଇଛନ୍ତି ଆମର ମହାପୁରୁଷମାନେ। ସେମାନଙ୍କ ତପଃ ସାଧନା ଥିଲା ହିମାଳୟଠାରୁ ଉଚ୍ଚ ଓ ମହୋଦଧିଠାରୁ ଗଭୀର। ସେମାନେ ସଦାବେଳେ ପରାଧୀନ ଭାରତର ଚାପଗ୍ରସ୍ତ ଭାରତୀୟଙ୍କୁ ଉପଯୁକ୍ତ ଦିଗ୍ଦର୍ଶନ ଦେଉଥିଲେ। ଭାରତୀୟ ସଂସ୍କୃତିକୁ ରଦ୍ଧିମନ୍ତ କରିବାରେ ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ଆଚାର୍ଯ୍ୟ ମହାପ୍ରଜ୍ଞାଙ୍କ ଯୋଗଦାନ ଅବିସ୍ମରଣୀୟ। ଏହା ହେଉଛି ଜୀବନର ଉଚ୍ଚ ମୂଲ୍ୟବୋଧ।
ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ କରୁଣା, ଭକ୍ତି, ପ୍ରେମ, ତ୍ୟାଗ ଓ ସମର୍ପଣର ଦିବ୍ୟଧ୍ୱନି ସଞ୍ଚାର ହେବା ଜରୁରୀ। ମଣିଷ ପଶୁ ଅବସ୍ଥାରୁ ପଶୁପତି ଅବସ୍ଥାକୁ ଆସିବାକୁ ପଡ଼ିବ। ଆଜିର ସାଧାରଣତନ୍ତ୍ର ଦିବସ ଆମ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତାହା ହେଉଛି ଆମେ ସମସ୍ତେ ଭାରତୀୟ। ଆମର ସୃଷ୍ଟି ପ୍ରଥମେ ଆଦିମରୁ ଦ୍ରାବିଡ଼, ଦ୍ରାବିଡ଼ରୁ ଆର୍ଯ୍ୟ ପୁନଶ୍ଚ ଆର୍ଯ୍ୟରୁ ଆଜିର ସଭ୍ୟ ମଣିଷ। ପ୍ରଥମେ ସଂଘର୍ଷ, ସଂଘର୍ଷରୁ ବନ୍ଧୁତ୍ୱ, ପରେ ବନ୍ଧୁତ୍ୱରୁ ଭାବ ବିନିମୟ ଓ ପରବର୍ତ୍ତୀ ସମୟରେ ପ୍ରେମ ପ୍ରଣୟରେ ଆବଦ୍ଧ ହେବା ବିବର୍ତ୍ତନବାଦର ଏକ ନିଆରା ଉପହାର। ଏହି ଉପହାରକୁ ଆମେ ଯତ୍ନର ସହିତ ସାଇତି ରଖିବାକୁ ହେଲେ, ଆମ ଭିତରେ ଏକ୍ୟ ଓ ଭ୍ରାତୃତ୍ୱ ଭାବ ସୃଷ୍ଟି କରିବାକୁ ହେବ। ଭେଦଭାବ, ବଡ଼ ସାନ ଭୁଲି ଦେଶର ହିତରେ ବ୍ରତୀ ହେବାକୁ ପଡ଼ିବ। ସମାନତା, ନାଗରିକ ଅଧିକାର, ନିରପେକ୍ଷତା, ସ୍ୱଚ୍ଛତା ଗଣତନ୍ତ୍ରର ମୂଳଦୁଆ ଓ ସାଧାରଣତନ୍ତ୍ର ଦିବସର ଆଭିମୁଖ୍ୟ। ସନ୍ଥ କବୀର କହିଛନ୍ତି, “ଦୁର୍ଲଭ ମାନବ ଜନ୍ମ ହେ ହୁଏନା ବାରମ୍ବାର।” ଏ ଦୁର୍ଲଭ ମାନବ ଜନ୍ମ ବାର ବାର ମିଳିବ ନାହିଁ। ତା’ହେଲେ ଆମେ କାହିଁକି ଧନ, ସମୟ ଓ ନିଜ ଚିନ୍ତାଧାରାର ସୁଉପଯୋଗ ନ କରିବା? ‘ଧନରେ’ ନୁହେଁ ‘ଧନ୍ୟ କାର୍ଯ୍ୟ’ରେ ହିଁ ଶ୍ରେଷ୍ଠତ୍ୱ ନିହିତ।
ନାରୀ ଶିକ୍ଷା, ନାରୀ-ପୁରୁଷ ସମାନତା, ଆଦିବାସୀ ଓ ଆର୍ôଥକ ଅନଗ୍ରସରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ସର୍ବୋପରି ସଚେତନତା ତଥା ସର୍ବାଙ୍ଗୀନ ବିକାଶ ଅତ୍ୟନ୍ତ ଜରୁରୀ। ଶିକ୍ଷା ଓ ସଂସ୍କୃତିର ପ୍ରସାର ଘଟିଲେ ଲୋପ ପାଇବ ସମାଜ ଭିତରେ ବସା ବାନ୍ଧିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର। ଉଜୁଡ଼ା କ୍ଷେତ, ଉଜୁଡ଼ା ଜଙ୍ଗଲ ପରି ଉଜୁଡ଼ି ଯାଉଛି ଆମର ମହାନ ଜନଜାତି ସଂସ୍କୃତି, ଯେଉଁ ଜ୍ଞାନଗର୍ଭା ସଂସ୍କୃତିରେ ନିହିତ ମାନବିକତା ଓ ମହାନୁଭବତାର ମନ୍ତ୍ର ଓ ସୁସ୍ଥ ତଥା ନିରାମୟ ଜୀବନ ବଞ୍ଚିବାର ସୂତ୍ର। ଏହାର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ। ଅହଂକାର ବିଲୋପ ହେଲେ ଗନ୍ତବ୍ୟ ହାସଲ ହୁଏ। ଆତ୍ମା ଓ ପରମାତ୍ମା ମଧ୍ୟରେ ଦୂରତ୍ୱ ଲୋପ ପାଇଲେ ହିଁ ଆମେ ଶାନ୍ତି, ମୈତ୍ରୀ ଓ ଭ୍ରାତୃତ୍ୱର ଅମୃତ ସ୍ୱାଦ ପାଇପାରିବା। ମାତ୍ର ପରିତାପର ବିଷୟ ଏହି କି ଯେ ଆଜି ଭାରତ ବକ୍ଷରେ ହିଂସା ଓ ସ୍ୱାର୍ଥପରତାର ବାତାବରଣ। କ୍ଷମତା ନିଶାରେ ସମସ୍ତେ ନିଶାଗ୍ରସ୍ତ। ମୁଖରେ ଉଚ୍ଚାରିତ ଅମୃତର ବାଣୀ, ଅଥଚ ଶିରା ପ୍ରଶିରାରେ ସଞ୍ଚରି ଯାଉଛି ଉତ୍କଟ ହଳାହଳ। ଜନତାସେବାର ଚାଦର ଘୋଡ଼େଇ ଘୂରି ବୁଲୁଛନ୍ତି ରାଜନୀତିର ବେପାରୀ ଦଳ। ଏଥିରେ ବିଚରା ସାଧାରଣ ଜନତା ଅଧିକ କ୍ଷତିଗ୍ରସ୍ତ।
ହେ ଦେଶଭକ୍ତ ଅମର ସହିଦ! ପୁଣି ଥରେ ନିଜ ରକ୍ତରେ ଧୋଇ ପକାଅ ଏ ମାଟିର ଅପବିତ୍ର ଧୂଳି। ବିପଥଗାମୀ ରାଷ୍ଟ୍ରନେତାଙ୍କୁ ଶିଖାଅ ଦେଶଭକ୍ତିର ଅମରପ୍ରେମ। ଆଜିର ଦିନ ସମସ୍ତଙ୍କୁ ଶିଖାଉ ପରାଧୀନତା ସମୟର କଥା ଓ ବ୍ୟଥା; ସ୍ବାଧୀନତାର ବାର୍ତ୍ତା। ଜୟ ଭାରତ।
Comments are closed.