ମହାନଦୀର ଦୁଃଖ
ସୁକାନ୍ତ କୁମାର ପଟେଲ
ଓଡିଶାର ଆବାଳ ବୃଦ୍ଧବନିତା ନିଶ୍ଚିତ ଭାବେ ଜାଣି ଥିବେ ଯେ ମହାନଦୀ ଓଡିଶାର ସବୁଠାରୁ ବଡ ନଦୀ ; କିନ୍ତୁ ଅତି ଦୁଃଖର କଥା ଯେ ତୁଳନାତ୍ମକ ଭାବେ ବର୍ତ୍ତମାନ ଏହା ଏକ ଶୁଷ୍କ ଏବଂ କ୍ଷୁଦ୍ର ନଦୀରେ ପରିଣତ। ଏବେ ଠାରୁ ମହାନଦୀ ଯେତେ ଶୁଷ୍କ ହେବ, ଏହା ଉପରେ ତର୍କ ବିତର୍କ ସେତେ ଅଧିକ ହେବ। ଗ୍ରୀଷ୍ମ ପ୍ରବାହ ଆରମ୍ଭ ହେବା ଦିନ ଠାରୁ ମହାନଦୀର ଜଳ ସ୍ରୋତ ଶୁଖିବା ଆଶଙ୍କା କରାଯିବା ସହ ଜଳସ୍ତରରେ ହ୍ରାସ ଯୋଗୁଁ ଏହାର ସ୍ୱାସ୍ଥ୍ୟରେ ଢେର ଅବନତି ପରିଲକ୍ଷିତ ହୋଇଥାଏ। ମହାନଦୀ ଓଡିଶାର ଜୀବନଧାରା ଭାବେ ପରିଗଣିତ ହେଉଥିବାବେଳେ ଏହାର ହୀରାକୁଦ ହିଁ ଏକମାତ୍ର ବୃହତ ନଦୀ ବନ୍ଧ ଯୋଜନା ଯାହା ପାଇଁ ମଧ୍ୟ ସମସ୍ତଙ୍କର ମାନସିକ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଉଛି। କେନ୍ଦ୍ରୀୟ ଜଳ କମିସନଙ୍କ ସଦ୍ୟ ଏବଂ ଶେଷ ସାପ୍ତାହିକ ରିପୋର୍ଟ ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଧା ହୀରାକୁଦ ନଦୀବନ୍ଧର ବର୍ତ୍ତମାନର ଜଳ ଭଣ୍ଡାରର ଜଳପତ୍ତନ, ପୂର୍ଣ୍ଣ ଜଳ ଧାରଣ କ୍ଷମତାର କେବଳ ମାତ୍ର ୪୮ ପ୍ରତିଶତ ପୂର୍ଣ୍ଣ ଅଛି ଅର୍ଥାତ ମୋଟ ଜଳ ୨.୫୫ ବିଲିଅନ କ୍ୟୁବିକ ମିଟର। ପୂର୍ବ ବର୍ଷ ଠିକ ଏହି ସମୟ ବେଳକୁ ଏହାର ଜଳ ଭଣ୍ଡାର ପ୍ରାୟ ୫୨ ଶତାଂଶ ପୂର୍ଣ୍ଣଥିଲା।
ସୁତରାଂ ଆଗକୁ ଆମ ଓଡିଶାବାସୀଙ୍କ ପାଇଁ ଯେ ଗ୍ରୀଷ୍ମର କରାଳ ଛାୟା ମାଡି ଆସୁଛି ଏହା ମୁଖ୍ୟତଃ ନିଃସନ୍ଦେହ। କହିବା ବାହୁଲ୍ୟ ଯେ ଏହାର ସମୁଦାୟ ୧୦ଟି ଜଳାଶୟର ଜଳସ୍ତର ପୂର୍ବ ଦଶନ୍ଧିର ଜଳସ୍ତର ଠାରୁ ୧୯ ପ୍ରତିଶତ କମ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ମହାନଦୀର ପ୍ରମୁଖ ଅଂଶ ଆମ ଓଡିଶାର ମଧ୍ୟଦେଇ ପ୍ରବାହିତ। ଏହାର ମୋଟ ଲମ୍ବ ୮୫୧ କିଲୋମିଟର ମଧ୍ୟରୁ ଓଡିଶାରେ ୪୯୪ କିଲୋମିଟର ଏବଂ ଛତିଶଗଡ( ପୂର୍ବରୁ ମଧ୍ୟପ୍ରଦେଶ )ରେ ଏହା ମାତ୍ର ୩୫୭ କିଲୋମିଟର। ୨୦୦୧ର ସରକାରୀ ତଥ୍ୟ ଆକଳନ ଅନୁସାରେ ମହାନଦୀରେ ପ୍ରବାହିତ ନିଜସ୍ବ ଜଳ ପରିମାଣ ୨୯.୯୦ କ୍ୟୁବିକ ମିଟର ଏବଂ ଅନ୍ୟ ରାଜ୍ୟରୁ ପ୍ରବାହିତ ଜଳରାଶିର ପରିମାଣ ୨୯.୨୫ କ୍ୟୁବିକ ମିଟର।
ଆହୁରି ମଧ୍ୟ ଏହା ୧୧ଟି ନଦୀ ଅବବାହିକାରେ ଥିବା ଜଳଗ୍ରହଣ ଅଞ୍ଚଳର ୪୨ ପ୍ରତିଶତର ଅଧିକାରୀ। ହୀରାକୁଦର ଜଳସେଚନ ଓ ଜଳପ୍ଲାବନ କ୍ଷମତା ୧,୫୩,୦୦୦ ହେକ୍ଟର ଯାହା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପ୍ରମୁଖ ଶିଳ୍ପର ଜଳ ଆବଶ୍ୟକତାକୁ ସହଜରେ ପରିପୂରଣ କରିଥାଏ। ଏହାଛଡା ଜଳ ବିଦ୍ୟୁତ୍ ଶକ୍ତି ଉତ୍ପାଦନର କ୍ଷମତା ୩୦୭ ମେଗାୱାଟ। ତେବେ ମହାନଦୀ ଏବଂ ହୀରାକୁଦ ଉଭୟ ଅନୁପୂରକ। ଏଣୁ ମହନଦୀର ଶୁଷ୍କତା ନିଶ୍ଚିତ ଭାବେ ହୀରାକୁଦ ପାଇଁ ଆଶୁ ଅଭିଶାପ ହୋଇଥିବାବେଳେ ଏହାର କରୁଣ ଧ୍ବନି ଏବେ ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ସ୍ତରରେ ନିରବଚ୍ଛିନ୍ନ ଭାବେ ପ୍ରତିଧ୍ବନିତ ହେବାରେ ଲାଗିଛି।
ଏଣେ ଆମ ହୀରାକୁଦ ୬୭ ବର୍ଷର ବୃଦ୍ଧ (ସ୍ଥାପିତ ୧୩.୧.୧୯୫୭)। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅସମୟରେ ଲଗାଣ ବର୍ଷା ଯୋଗୁଁ ଉପର ମୁଣ୍ଡରେ ଜଳ ନିଷ୍କାସନ ପାଇଁ ହୀରାକୁଦ ଜଳଭଣ୍ଡାର ବିପଜ୍ଜନକ ଅବସ୍ଥାରେ ପହଞ୍ଚିଥାଏ। ନିଜକୁ ସୁରକ୍ଷିତ ରଖିବା ପାଇଁ ହୀରାକୁଦ ଅପର୍ଯ୍ୟାପ୍ତ ଜଳ ନିଷ୍କାସିତ କରେ ଯାହା ପାଇଁ ତଳ ମୁଣ୍ଡରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇ ଧନ ଜୀବନ କ୍ଷତି କରିଥାଏ। ବିଗତ ବର୍ଷ ମାନଙ୍କରେ ଏହାହିଁ ଆମର ଅନୁଭୂତି।
ଏହାର ସମସ୍ତ ସମସ୍ୟା ଏବଂ ସଙ୍କଟ ଉପୁଜିଛି ଯେତେବେଳେ ଆମ ପଡୋଶୀ ତଥା ପ୍ରତିବେଶୀ ଛତିଶଗଡ଼,ଏହି ନଦୀର ଉପର ମୁଣ୍ଡରେ ଅନେକ ନଦୀବନ୍ଧ ନିର୍ମାଣ କରିଛି। ଏହା ଫଳରେ ଓଡ଼ିଶାକୁ ଜଳସ୍ରୋତ ଅଣ ମୌସୁମୀ ଅଥବା ବର୍ଷାଋତୁ ଛଡା ଅନ୍ୟ ଋତୁରେ କ୍ରମାଗତ ଭାବେ ହ୍ରାସ ପାଇଛି। କେନ୍ଦ୍ରୀୟ ଜଳ କମିସନଙ୍କ ରିପୋର୍ଟ ଅନୁସାରେ ମହାନଦୀର ଉପର ମୁଣ୍ଡରେ ଛୋଟ ବଡ଼ ହୋଇ ପ୍ରାୟ ୨୫୩ ଟି ପ୍ରକଳ୍ପ ନିର୍ମାଣ ହୋଇ ସାରିଛି। କହିବା ବାହୁଲ୍ୟ ଯେ ଆମ ଓଡିଶାରେ ମହାନଦୀର ଉପର ମୁଣ୍ଡରେ ନିର୍ମିତ ‘ହୀରାକୁଦ’ ବୃହତ ଜଳ ଭଣ୍ଡାର ନିର୍ମାଣ ସମୟରେ ତତ୍କାଳୀନ ମଧ୍ୟପ୍ରଦେଶ ଏବଂ ଓଡିଶା ମଧ୍ୟରେ ଜଳ ବଣ୍ଟନ ନିମନ୍ତେ କୌଣସି ରାଜିନାମା ହୋଇ ନ ଥିଲା ଯାହା ପାଇଁ ଆଜିର ଏ ଅବସ୍ଥା।
ଏହାକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ବିବାଦର ସୂତ୍ରପାତ ହେବାପରେ ଏହା ନ୍ୟାୟାଳୟରେ ପହଞ୍ଚିଛି। କେନ୍ଦ୍ର ସରକାର ଏହାର ସମାଧାନ ନିମନ୍ତେ ଚେଷ୍ଟା ଜାରି ରଖିଥିଲେ ମଧ୍ୟ ବିଫଳ ହୋଇଥିଲେ। ୨୦୧୬ରେ ଓଡିଶା ସରକାର, ସର୍ବୋଚ୍ଚ ନ୍ୟାୟାଳୟରେ ଏଥିପାଇଁ କେଶ୍ ଦାୟର କରିବା ସହ ଛତିଶଗଡ଼ ସରକାରଙ୍କ ଦ୍ବାରା ମହାନଦୀର ଉପର ମୁଣ୍ଡରେ କରାଯାଉଥିବା ନଦୀବନ୍ଧକୁ ସ୍ଥଗିତ ରଖିବା ପାଇଁ ଆବେଦନ କରିଥିଲେ। ଏହାର ଠିକ ଦୁଇ ବର୍ଷ ପରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ନ୍ୟାୟାଧିକରଣ ଗଠନ କରିଥିଲେ। ଏହାର କାର୍ଯ୍ୟକାଳ ୧୧ ମାର୍ଚ୍ଚ ୨୦୨୩ରେ ଶେଷ ହେବାପରେ ଏହାର କାର୍ଯ୍ୟକାଳକୁ ଆହୁରି ଦୁଇ ବର୍ଷ ଅର୍ଥାତ ୧୧ ମାର୍ଚ୍ଚ ୨୦୨୫କୁ ବୃଦ୍ଧି କରାଯାଇଛି।
କହିବା ବାହୁଲ୍ୟ ଯେ ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର ୨୫ଟି ବୈଠକ ସମାପ୍ତ ହୋଇସାରିଥିଲେ ସୁଦ୍ଧା ଶୁଣାଣି ଏ ପର୍ଯ୍ୟନ୍ତ ଆରମ୍ଭ ହୋଇପାରିନାହିଁ । ମୁଖ୍ୟ କାରଣ ଯେ ସାଧାରଣ ସୂଚନା ସହ ମାର୍ଗଦର୍ଶିକା ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିନାହିଁ । ଆଗାମୀ ମାସରେ ମହାନଦୀ ଜଳ ବିବାଦ ନ୍ୟାୟାଧିକରଣର କର୍ମକର୍ତ୍ତା ଦୁଇ ରାଜ୍ୟରେ କ୍ଷେତ୍ର ଗସ୍ତ କରି ଏହାର ସବିଶେଷ ବିବରଣୀ ପ୍ରସ୍ତୁତିରେ ତ୍ୱରାନ୍ୱିତ ଘଟାଇବାର ଯୋଜନା ରହିଛି ; କିନ୍ତୁ ଏହା ନିଶ୍ଚିତ ଯେ ନଦୀ ତଟବର୍ତ୍ତୀ ଓଡିଶା ରାଜ୍ୟର ଦୁଃଖ ଏହାଦ୍ବାରା ଲାଘବ ହେବାର ଆଶା ତଥା ସମ୍ଭାବନା ଅତ୍ୟନ୍ତ କ୍ଷୀଣ ।
ଆମ ସମ୍ବିଧାନ ପ୍ରଣୟନ ପୂର୍ବରୁ, ୧୯୩୫ର ‘ଭାରତ ଆଇନ’ର ଧାରା ୧୩୦ ଓ ୧୩୧ରେ ଜଳ ବିବାଦର ପଦ୍ଧତି ସୁସ୍ପଷ୍ଟ ଥିଲାବେଳେ ନୂତନ ସମ୍ବିଧାନରେ ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ହସ୍ତରେ ନ୍ୟସ୍ତ କରାଗଲା । ସମ୍ବିଧାନର ଧାରା ୨୬୨ ଅନୁସାରେ ରାଜ୍ୟ ରାଜ୍ୟ ମଧ୍ୟରେ ଜଳ ବଣ୍ଟନ ନେଇ ବିବାଦ ଉପୁଜିଲେ କେନ୍ଦ୍ର ମଧ୍ୟସ୍ଥତା କରିବାର ନିୟମ ରହିଛି । ଏଣେ ଧାରା ୨୬୨(୨) ଏତେ ଶକ୍ତିଶାଳୀ ଯେ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଥିରେ ହସ୍ତକ୍ଷେପ କରିବା ସମ୍ଭବ ନୁହେଁ । ଆହୁରି ମଧ୍ୟ ଜଳବିବାଦକୁ କେନ୍ଦ୍ରୀୟ ତାଲିକାର ଏଣ୍ଟ୍ରି ୫୬ ସହ ଅନୁବନ୍ଧିତ କରାଯାଇଛି । ଏଣ୍ଟ୍ରି ୫୬ ଏବଂ ସମ୍ବିଧାନର ଧାରା ୨୬୨ ଆଧାରରେ ୧୯୫୬ରେ ସଂସଦରେ ଏକ ନଦୀ ବୋର୍ଡ ଆଇନ ଗଠନ ହେଲା ଯାହା କିନ୍ତୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ ; କିନ୍ତୁ ସେହି ମସିହାରେ ସଂସଦରେ ଅନ୍ୟ ‘ଆନ୍ତଃ ରାଜ୍ୟ ନଦୀ ବିବାଦ’ନାମକ ଅନ୍ୟ ଏକ ଆଇନ ଗଠନ କରାଗଲା । ଏହି ଆଇନ ଅନୁସାରେ କ୍ରୀଷ୍ଣା, କାବେରୀ, ନର୍ମଦା ଏବଂ ଗୋଦାବରୀର ଜଳ ବିବାଦ ନିମନ୍ତେ ଟ୍ରିବ୍ୟୁନାଲ ଅଥବା ନ୍ୟାୟାଧିକରଣ ଗଠନ କରାଗଲା। ମହାନଦୀ ଜଳ ବିବାଦ ମଧ୍ୟ ଏହି ଟ୍ରିବ୍ୟୁନାଲର ଏବେ ଦ୍ବାରସ୍ଥ।
ସୁତରାଂ ଇତିହାସ ଅନୁସାରେ ଭାରତରେ ଆନ୍ତଃ ରାଜ୍ୟ ଜଳ ବିବାଦ ନ୍ୟାୟାଧିକରଣ ଦ୍ବାରା କୌଣସି ରାଜ୍ୟର ଜଳ ବିବାଦର ସ୍ଥାୟୀ ସମାଧାନ ହୋଇପାରିନାହିଁ। ଏଣୁ ଜଳ ବିବାଦର ସମାଧାନ କେବଳ ମାତ୍ର ରାଜନୈତିକ ଆଲୋଚନା ମାଧ୍ୟମରେ ସମ୍ଭବ । ସୁତରାଂ ଉଭୟ ରାଜ୍ୟର ରାଜନେତାଗଣ, ସ୍ବେଚ୍ଛାସେବୀ ସଂଗଠନ ଓ ବରିଷ୍ଠ ନାଗରିକ ମାନଙ୍କର ଆପୋସ ସମାଧାନ ଏବଂ ବିହିତ ପଦକ୍ଷେପ ଦ୍ବାରା ଏହି ଜଟିଳ ଜଳ ବିବାଦର ସମାଧାନ ହୋଇପାରିବ। ଏହା ସଙ୍ଗେ ସଙ୍ଗେ ମହାନଦୀ ତାହାର ଚିର ଯୌବନ ଫେରି ପାଇବା ସହ ଏହାର ଦୁଃଖ ପ୍ରଶମିତ ହେବାର ଶତ ପ୍ରତିଶତ ଆଶା ଓ ବିଶ୍ବାସ ।
Comments are closed.