ଜିଡିପିରେ ଗରିବର ଭାଗ କେତେ?

ସନ୍ତୋଷ କୁମାର ମହାପାତ୍ର

୨୦୨୪ ସୁଦ୍ଧା ଭାରତର ଅର୍ଥନୀତିର ଆକାରକୁ ଦ୍ୱିଗୁଣିତ କରିବାକୁ ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିଶ୍ରୁତି ଦେଇଥିଲେ, ଯାହା ୫ ଟ୍ରିଲିୟନ ଡଲାର ବା ତାହାଠାରୁ ଅଧିକ (୧ ଟ୍ରିଲିୟନ = ୧୦୦୦ବିଲିୟନ, ୧ ବିଲିୟନ = ୧୦୦ କୋଟି, ୧ ଡଲାର = ବର୍ତ୍ତମାନ ପ୍ରାୟ ୮୨ଟଙ୍କା) ହୋଇଥାଆନ୍ତା । ଅବଶ୍ୟ, ଏହା ମଧ୍ୟ ଆଜି ଏକ ଭ୍ରମ ବୋଲି ପ୍ରମାଣିତ ହୋଇଛି। କାରଣ ୨୦୨୩ ମସିହାରେ ଭାରତୀୟ ଅର୍ଥନୀତିର ଆକାର ମାତ୍ର ୩.୭୫ ଟ୍ରିଲିୟନ ଡଲାର ହେବ। ଗୋଟିଏ ବର୍ଷରେ ଏହା ସମ୍ଭବ ନୁହେଁ । ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ପୁନର୍ବାର ନିର୍ବାଚିତ ହେବା ପୂର୍ବରୁ ନରେନ୍ଦ୍ର ମୋଦୀ ମଧ୍ୟ ସେ ତାଙ୍କ ସରକାରଙ୍କ ତୃତୀୟ କାର୍ୟ୍ୟକାଳ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରାଯିବା ସହିତ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ବୋଲି କହିଛନ୍ତି; କିନ୍ତୁ ଏଥିରେ କିଛି ନୂଆ ନାହିଁ ଏବଂ ଏହା ଏକ ଗାଣିତିକ ନିଶ୍ଚିତତା । ଏଥିରେ ଉତ୍ସବ ବନାଇବା ଉଚିତ୍ ନୁହେଁ, ବରଂ ଗରିବ ଓ ସାଧାରଣ ଜନତାର କେତେ ଲାଭ ହେବ, ସେମାନଙ୍କ ଦୁଃଖ କେତେ ଦୂର ହେବ ତାହା ପ୍ରଶ୍ନ କରିବା ଉଚିତ୍। ଯେଉଁ ଦଳ ପରବର୍ତ୍ତୀ ସରକାର ଗଠନ କରୁନା କାହିଁକି, ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଆବିର୍ଭାବ ହେବ ବୋଲି ବହୁ ଆଗରୁ ପୂର୍ବାନୁମାନ କରାଯାଇଛି। ଅବଶ୍ୟ ଭାରତ ବିଶ୍ବରେ ସର୍ବାଧିକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ନୁହେଁ। ୟୁଏଇ, ଇଜିପ୍ଟ , କାତାର, ସାଉଦି ଆରବ ଭାରତଠାରୁ ଆଗରେ ଅଛନ୍ତି।

ସମୟ ଗଡ଼ିବା ସହିତ ଶିଶୁଟିର ଶାରୀରିକ ଅଭିବୃଦ୍ଧି ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ବୟସରେ ପହଞ୍ଚିବା ପରେ ମାନବ ଶରୀରର ବୃଦ୍ଧି କ୍ଷୀଣ ହୁଏ ଏବଂ ଆଉ କିଛି ବର୍ଷ ପରେ ଅବକ୍ଷୟ ହେବାକୁ ଲାଗିଥାଏ । ସେହିଭଳି ଅଧିକାଂଶ ଉନ୍ନତ ଦେଶ ସାଚୁରେସନ୍ ପଏଣ୍ଟରେ ପହଞ୍ଚିବା ପରେ ଆହୁରି ଅଧିକ ହାରରେ ଅଭିବୃଦ୍ଧି ହାସଲ କରିବା ସମ୍ଭବ ହେଉ ନାହିଁ; କିନ୍ତୁ ଭାରତ ଓ ଚାଇନା ପରି ବିକାଶଶୀଳ ଦେଶ ପ୍ରଚୁର ମାନବ ସମ୍ବଳ ଏବଂ ପ୍ରାକୃତିକ ସମ୍ପଦ ଯୋଗୁଁ ଅଧିକ ହାରରେ ଅଭିବୃଦ୍ଧି ହାସଲ କରିପାରୁଛନ୍ତି। ପୁନଶ୍ଚ ଭାରତର ଜିଡିପିରେ ଘରୋଇ ବ୍ୟବହାରର ଅବଦାନ ପ୍ରାୟ ୫୮% । ଏଣୁ ଭାରତ ପରି ଜନବହୁଳ ଦେଶରେ ଯେତେବେଳେ ୧୪୦ କୋଟି ଲୋକ ବିଶେଷକରି ସ୍ୱଚ୍ଛଳ ବର୍ଗର ଲୋକ ଅଧିକ ବ୍ୟୟ କରିବେ, ଅର୍ଥନୀତିର ଆକାର ବୃଦ୍ଧିପାଇବା ଏକ ସ୍ୱାଭାବିକ ପ୍ରକ୍ରିୟା। ଏଣୁ ଯେତେ​‌େ​‌ବଳେ ଉନ୍ନତ ବା ବିକଶିତ ଦେଶର ଅଭିବୃଦ୍ଧି ଆଶାଜନକ ହେଉନାହିଁ ଏବଂ ଭାରତ, ଚାଇନାର ଅଧିକ ହେଉଛି, ସେତେବେଳେ ଜାପାନ (୪.୪ ଟ୍ରିଲିୟନ ଡଲାର) ଏବଂ ଜର୍ମାନୀ (୪.୩୦୮ ଟ୍ରିଲିୟନ ଡଲାର) କୁ ଅତିକ୍ରମ କରି ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବା କିଛି ଆଶ୍ଚର୍ଯ୍ୟଜନକ ବିଷୟ ନୁହେଁ; କିନ୍ତୁ ଜନସଂଖା ଦୃଷ୍ଟିରୁ ଭାରତ ସ୍ୱାଭାବିକ ଭାବେ ପ୍ରଥମ ବା ଦ୍ବିତୀୟ ସ୍ଥାନରେ ପହଞ୍ଚିବା କଥା। ଭାରତ ଆସନ୍ତା ୧୦୦ ବର୍ଷ ମଧ୍ୟରେ ଆମେରିକା ( ୨୬. ୮୫୪ ଟ୍ରିଲିୟନ ଡଲାର), ଚାଇନା (୧୯.୩୭୩ ଟ୍ରିଲିୟନ ଡଲାର)କୁ ଅତିକ୍ରମ କରିପାରିବ ନାହିଁ। କାରଣ ଭାରତୀୟ ଅର୍ଥନୀତି ବୃଦ୍ଧି ପାଇଲା ବେଳେ, ସେମାନେ ବି ବୃଦ୍ଧି ପାଇବେ। ତେବେ ଉପା ସରକାର ଅମଳରେ ୨୦୧୧ ପରଠାରୁ କ୍ରୟ ଶକ୍ତି ସମାନତା (ପିପିପି) ଦୃଷ୍ଟିରୁ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ପରିଗଣିତ ହୋଇ ଆସୁଛି । ବର୍ତ୍ତମାନ, ଜିଡିପି (ପିପିପି) ଦୃଷ୍ଟିରୁ ଚାଇନା ହେଉଛି ସବୁଠାରୁ ବଡ ଅର୍ଥନୀତି (୩୩.୦୧୪ ଟ୍ରିଲିୟନ୍ ଡଲାର) ଏବଂ ତା’ପରେ ଆମେରିକା (୨୬.୮୫୫ ଟ୍ରିଲିୟନ୍ ଡଲାର) ଏବଂ ଭାରତ (୧୩.୦୩୩ ଟ୍ରିଲିୟନ ଡଲାର୍) ରହିଛି।

prayash

ତୁଳନାତ୍ମକ ଭାବରେ, ବର୍ତ୍ତମାନର ମୋଦୀ ସରକାରଙ୍କ କାର୍ଯ୍ୟକାଳର ନଅ ବର୍ଷ ମଧ୍ୟରେ ହାରାହାରି ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୫.୭% ହୋଇଛି। ଉପା ସରକାର ଅମଳରେ ବିଶ୍ବ ଆର୍ଥିକ ସଙ୍କଟ ଓ ମୁଦ୍ରା ସଙ୍କଟ ଦେଖା ଦେଇଥିଲା ବେଳେ, ମୋଦୀ ସରକାର ଅମଳରେ କରୋନା ମହାମାରୀ ଦେଖା ଦେଇଥିଲା । ଆହୁରି ମଧ୍ୟ, ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ର କରିବା ଲକ୍ଷ୍ୟ ହାସଲ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି; ବର୍ତ୍ତମାନ ଭାରତରେ ମୁଣ୍ଡପିଛା ଆୟ ପ୍ରାୟ ୨୦୦୦ ଡଲାର ରହିଛି ଏବଂ ୪୨ ଟି ନିମ୍ନ ମଧ୍ୟମ ଆୟକାରୀ ଦେଶ ଭାବରେ ବର୍ଗୀକୃତ ହୋଇଛି।

ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍ ଜିଡିପି ପରିବର୍ତ୍ତେ ମୁଣ୍ଡପିଛା ଆୟକୁ ସମୃଦ୍ଧିର ପ୍ରକୃତ ମାପକାଠି ଭାବରେ ଗୁରୁତ୍ବ ଦେଇ ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ବିଶ୍ୱର ଶ୍ରେଷ୍ଠ ୧୦ ଦେଶ ମଧ୍ୟରେ ସ୍ଥାନ ପାଇବା ଉଚିତ ବୋଲି କହିଛନ୍ତି; କିନ୍ତୁ ଅତ୍ୟନ୍ତ କଟୁ ସତ୍ୟ ହେଉଛି ୨୦୨୩ ରେ ମୁଣ୍ଡପିଛା ଜିଡିପିରେ ଭାରତ ୧୩୯ ସ୍ଥାନ ଏବଂ ମୁଣ୍ଡପିଛା ଜିଡିପି ( ପିପିପି) ଅନୁଯାୟୀ ୧୨୭ ସ୍ଥାନରେ ରହିଛି। ପୁନଶ୍ଚ, ‘ମୁଣ୍ଡପିଛା ଆୟ’ କେବଳ ଜିଡିପିର ହାରାହାରି ସୂଚକ । ଏହା ଜିଡିପି ପରି ମଧ୍ୟ ଚରମ ବୈଷମ୍ୟ, ଲୋକଙ୍କ ଦୁଃଖ ଓ ଦୁର୍ଦଶାକୁ ଲୁଚାଇ ଥାଏ। କୋଟି କୋଟି ଲୋକଙ୍କ ସମସ୍ୟାର କ୍ରୂର ବାସ୍ତବତାକୁ ପ୍ରତିଫଳିତ କରେ ନାହିଁ, ବିଶେଷ କରି ଯେଉଁମାନେ ନିଜ ଅସ୍ତିତ୍ୱ ପାଇଁ ବା ଦୁଇ ଓଳା ଖାଇବା ପାଇଁ ସଂଘର୍ଷ କରନ୍ତି। ଏହା ମଧ୍ୟ ଧନୀଙ୍କ ଶୋଷଣ, ଧନ ଠୁଳ କରିବା ପ୍ରକ୍ରିୟାକୁ ଲୁଚାଇଥାଏ। ଉଦାହରଣ ସ୍ବରୂପ, ଅକ୍ସଫାମ ଇଣ୍ଡିଆ ରିପୋର୍ଟ ଅନୁଯାୟୀ ୨୦୨୧ ରେ ଭାରତର ଜନସଂଖ୍ୟାର ଧନୀ ୧% ନିକଟରେ ଜାତୀୟ ସମ୍ପଦର ୪୦.୫%ରୁ ଅଧିକ ଥିବାବେଳେ ନିମ୍ନ ୫୦% ବା ୭୦ କୋଟି ଲୋକଙ୍କ ପାଖରେ ଜାତୀୟ ସଂପଦର ମାତ୍ର ୩% ରହିଛି । ମହାମାରୀ ଏହି ବୈଷମ୍ୟକୁ ଆହୁରି କ୍ରୂର ରୂପ ଦେଇଛି। ତଥାପି ନାମମାତ୍ର ଜିଡିପି ଦୃଷ୍ଟିରୁ ଭାରତ ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଆକଳନ କରାଯାଉଥିଲା ବେଳେ, ଦେଶରେ ଗରିବ, ଭୋକିଲା ଓ ବେକାରଙ୍କ ସ୍ଥିତିକୁ ଭୁଲିବା ଅନୁଚିତ।

ଜିଡିପି କେବଳ ଏକ ଆର୍ଥିକ ବର୍ଷର କାର୍ଯ୍ୟକଳାପର ପ୍ରତିଫଳନ। ଭାରତୀୟ ଅଭିବୃଦ୍ଧି କାହାଣୀରେ ଏକ ଐତିହାସିକ ବିଚ୍ଛିନ୍ନତା ଅଛି । ଗରିବ ଲୋକଙ୍କ ସ୍ୱର ହ୍ରାସ ପାଇଥିବାବେଳେ ବୁଦ୍ଧିଜୀବୀମାନେ ଆଜି ନିଷ୍କ୍ରିୟ ହୋଇଛନ୍ତି। ଦ୍ରୁତ ଅଭିବୃଦ୍ଧିକୁ ଗୁରୁତ୍ବ ଦେବାକୁ ଯାୟୀ ନିବେଶକ, ପୁଞ୍ଜିପତି ଓ କର୍ପୋରେଟଙ୍କ ଲାଭକୁ ଅଧିକ ଗୁରୁତ୍ବ ଦେବା ଫଳରେ ରାଷ୍ଟ୍ର ହାତରୁ କ୍ଷମତା ଧନୀ, କର୍ପୋରେଟ୍ ଏବଂ ପୁଞ୍ଜିପତିଙ୍କ ହାତକୁ ଚାଲିଯାଉଛି। ଅଭିବୃଦ୍ଧି ସତ୍ତ୍ୱେ ଶିକ୍ଷିତ ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ଚାକିରି ସୃଷ୍ଟି ନ ହୋଇ ହ୍ରାସ ପାଉଛି। ଅଣସଙ୍ଗଠିତ କ୍ଷେତ୍ରରେ ବହୁ ସଂଖ୍ୟକ ଶ୍ରମିକ ଚାକିରି କିମ୍ବା ସାମାଜିକ ନିରାପତ୍ତା ବିନା କାର୍ଯ୍ୟ କରୁଛନ୍ତି। ବିଶେଷକରି ମୁଦ୍ରାସ୍ଫୀତି ବୃଦ୍ଧି ଓ ଅତ୍ୟାବଶ୍ୟକ ସାମଗ୍ରୀ ଖାଦ୍ୟ ପଦାର୍ଥ ଦର ଅହେତୁକ ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି। ଯେନତେନ ପ୍ରକାରେ ଜିଡିପି ବୃଦ୍ଧିକୁ ଗୁରୁତ୍ବ ଦେବା ଯୋଗୁଁ ପରୋକ୍ଷରେ ଶୋଷଣ ପ୍ରକ୍ରିୟା ବୃଦ୍ଧି ପାଉଛି, ପ୍ରାକୃତିକ ସମ୍ବଳର ଅତ୍ୟଧିକ ବିନିଯୋଗ ସହିତ ଲୋକଙ୍କୁ ଅଧିକ ଲୋଭୀ କରିଦିଆଯାଇଛି। ମାନବିକ ତଥା ସାମାଜିକ ମୂଲ୍ୟବୋଧର କ୍ଷୟ ସାଙ୍ଗକୁ ଦୁର୍ନୀତି, କଳା ଟଙ୍କା, ହିଂସା, ଅପରାଧ, ଭୟାବହ ରୋଗ, ଆତ୍ମହତ୍ୟା ବୃଦ୍ଧି ପାଉଛି। ପରିବାରର ବିଚ୍ଛିନ୍ନତା ସାଙ୍ଗକୁ ଶାନ୍ତି, ସୁଖ ହ୍ରାସ ପାଉଛି । ସଂପଦ ଥାଇ ବି ଲୋକ ଅସୁଖୀ। ଜିଡିପି ବୃଦ୍ଧିରେ ଗରିବର କେତେ ଭାଗ ପଡେ ତାହା କେହି କହନ୍ତି ନାହିଁ ; କିନ୍ତୁ ଗରିବ ଓ ସାଧାରଣ ଜନତା ଆୟ ଅନୁସାରେ ଧନୀଙ୍କ ତୁଳନାରେ ଅଧିକ ଟିକସ ବିଶେଷକରି ପରୋକ୍ଷ ଟିକସ ଦେଇଥାନ୍ତି । ଏଣୁ ଅଭିବୃଦ୍ଧି ସମତୁଲ , ଇନକ୍ଲୁସିଭ ହେବା ଉଚିତ। ଏପରି ଅଭିବୃଦ୍ଧି ଉପରେ ଗୁରୁତ୍ବ ଦେବା ଉଚିତ ଯାହା ନିଯୁକ୍ତି ହ୍ରାସ ନକରି ଅଧିକ ସୃଷ୍ଟି କରିବ, ପରିବେଶଗତ ଭାବରେ ସ୍ଥାୟୀହୋଇ ଲୋକଙ୍କ ଜୀବନଧାରଣ ମାନ ବୃଦ୍ଧି କରିବ ଓ ଶେଷରେ ଜନକଲ୍ୟାଣକୁ ପ୍ରାଥମିକତା ଦେବ। ଦ୍ରୁତ ଅଭିବୃଦ୍ଧି ନୁହେଁ; ନିରନ୍ତର ଅଭିବୃଦ୍ଧି ଆବଶ୍ୟକ।

kalyan agarbati

Comments are closed.