ଗାଁ ମାଟିର ବାସ୍ନା

ପ୍ର. ରମେଶ ଚନ୍ଦ୍ର ପରିଡ଼ା

ମହାଭାରତ ବର୍ଣ୍ଣିତ ଧର୍ମବକଙ୍କ ପ୍ରଶ୍ନର ଉତ୍ତରରେ ଯୁଧିଷ୍ଠିର ପରଦେଶୀ ହୋଇ ଜୀବନ ବିତାଉଥିବା ମଣିଷକୁ ଦୁଃଖୀବୋଲି ବର୍ଣ୍ଣନା କରିଥିଲେ। ପ୍ରକୃତରେ ଏହାର ସତ୍ୟତା ଅତି ନିବିଡ଼ଭାବେ ଉପଲବ୍ଧି କରିହୁଏ ଜନ୍ମଭୂମିଠାରୁ ବିଚ୍ଛିନ୍ନ ହୋଇ ବଞ୍ଚିବାକୁ ପଢ଼ୁଥିବା ବ୍ୟକ୍ତିମାନଙ୍କୁ, ବିଶେଷକରି, ବୟସ ଅଧିକ ହେଲାପରେ। ଏ ସମୟରେ ଖୁବ୍‌ ମନେପଡ଼େ ସଚ୍ଚି ରାଉତରାୟଙ୍କ ‘ମାଟିର ସେଇ ସରଗ ମୋର’ ହୋଇଥିବା ଗାଁ କଥା। ମନକୁ ଘନଘନ ଆସିଥାଏ ତା’ର ସେ କାଳର ରୂପ ଏବଂ ତା କୋଳରେ ବିତିଥିବା ପିଲାଦିନ। ପ୍ରକୃତରେ ଜନ୍ମଭୂମି ଗାଁ ଅନେକ ମାତ୍ରାରେ ଜନ୍ମଦାତ୍ରୀ ମା’ଭଳି। ଏ ଉଭୟ କେମିତି କଅଣ ମନ ଭିତରେ ଏପରି ଆସ୍ଥାନ ଜମେଇ ଦେଇଥାନ୍ତି ଯେ ତାକୁ ସମୟ ଛୁଇଁ ପାରେନି। ବୈଜ୍ଞାନିକମାନେ କହୁଛନ୍ତି ଯେ ଜନ୍ମହେଲା ମାତ୍ରେ ପିଲାଟି ତା’ ମା’ର ବାତ୍ସ୍ନା ବାରିପାରେ। ତହିଁରୁ ସେ ତାକୁ ଚିହ୍ନେ। ସେଥିରୁ ଆରମ୍ଭ ହୁଏ ତା’ର ଦୁନିଆକୁ ଚିହ୍ନିବାର କାମ। ତା’ପରେ ତା’ଦେହ ଗଢ଼ା ହେବାକୁ ଲାଗେ ମା’ କ୍ଷୀରରେ ଏବଂ ମନ ତା’ ମମତାରେ। ତେଣୁ ସେ ଚାହୁଁ ବା ନଚାହୁଁ ତାକୁ ମନରୁ କାଢ଼ିପାରେନି।

ବଡ଼ହୋଇ ପିଲାଟି ମା’​‌େ​‌କାଳ ଛାଡ଼ିଲାପରେ ଗାଁ କୋଳକୁ ଆସିଯାଏ। ତାହାରି ମାଟି, ପାଣି, ପବନରେ ତା’ଦେହ ଓ ମନ ବଢ଼େ। ଏ ସବୁର ବାସ୍ନା ଅଛି, ନିଆରା ନିଆରା। ଅବଶ୍ୟ ଏକଥା ସତ ଯେ’ ପାଣି ଓ ପବନ ଗୋଟିଏ ଗାଁର ସୀମା ସରହଦ ଭିତରେ ରହନ୍ତି ନାହିଁ। ପାଣିସୁଅ ବହିଯାଏ ଗାଁରୁ ଗାଁକୁ ଏବଂ ପବନ ମଧ୍ୟ। ହେଲେ, ମାଟି…? ଘରେ ମା’ଭଳି ଗାଁ ମାଟି ଗୋଟିଏ ଜାଗାରେ ପଡ଼ିରହିଥାଏ ତାହାରି ପାଇଁ। ସବୁ ଜୀବଜନ୍ତୁ ଓ ମଣିଷ ଦେହରୁ କିଛି ନା’ କିଛି ବାସ୍ନା ବାହାରେ ବୋଲି ବୈଜ୍ଞାନିକମାନଙ୍କ ମତ। ଆଗେ ମଣିଷର ଏ ବାସ୍ନା ବେଶ୍‌ ଜୋରଦାର୍‌ ଥିଲା। ବିବର୍ତ୍ତନ ଫଳରେ ଆଜିକାଲି ତାହା କମିଯାଇଛି। ତେବେ, ମା’ ହେବାବେଳ ଆସିଲେ ତା’ ଦେହରୁ ବିଭିନ୍ନ ଜୀବରସ ଅଧିକ ପରିମାଣରେ ଝରିଥାଏ। ତେଣୁ ତା’ର ବାସ୍ନା ବଢ଼ିଯାଏ। ପିଲାଟି ତାହା ଠଉରାଇ ନିଏ। ସେହିପରି ଗାଁ ମାଟିର ବି’ ବାସ୍ନା ଅଛି। ତାହା ଆମେ ସବୁବେଳେ ବାରିପାରୁନା। ହେଲେ, ଆଷାଢ଼ର ପହିଲି ଅସରା ବର୍ଷାପରେ ତାହା ବଢ଼ିଯାଏ ଏବଂ ଆପେଆପେ ଆସି ଆମ ନାକରେ ବାଜେ। ଏଣୁ ଆମେ ତାହାକୁ ବାରିପାରୁ। ସବୁ ମା’ ଏବଂ ସବୁ ମାଟିର ବାସ୍ନା ଅନେକ ଦୃଷ୍ଟିରୁ ଏକାଭଳି ହୋଇପାରେ, ତେବେ, ସେ ପ୍ରତ୍ୟେକରେ କିଛି ନା କିଛି ବିଶେଷତା ରହିଛି। ନହେଲେ ତାହା ଆମକୁ ଆଉ ସବୁଠାରୁ ଅଲଗା ଲାଗନ୍ତା କାହିଁକି?

prayash

ମା’ ହେଲା ମଣିଷ- ଜୀବଟିଏ, ଏଣୁ ପ୍ରକୃତି ତା’ଦେହରେ ଜୀବରସ ଝରିବାର ବ୍ୟବସ୍ଥା ଖଞ୍ଜିଛି। ତାହାରି ପ୍ରଭାବରେ ତା’ଠାରୁ ବାସ୍ନା ବାହାରେ। ହେଲେ, ମାଟିକୁ ତାହା ଆସିବ କୁଆଡ଼ୁ? ତା’ର ପରା ଜୀବନ ନାହିଁ। ଅବଶ୍ୟ ଏ କଥା ସତ ଯେ ମାଟି ଗଢ଼ା ହୋଇଥାଏ ବାଲି, ଗୋଡ଼ି, ପଥର ଓ କାଦୁଅରେ। ତେବେ, ସେଥିରେ ଜୀବନ ନଥିବା କଥା କହିଲାବେଳେ ଜିଭଟା ଭିତରକୁ ଟାଣି ହୋଇଯାଏ। କାରଣ, ଆମ ସଂସ୍କୃତିରେ ତାକୁ ମା’ହେବାର ଶକ୍ତିଥିବା ନାରୀଟିଏ ରୂପେ ଗଣନା କରାଯାଏ ଏବଂ ସେହି ଅନୁସାରେ ସମ୍ମାନ ଦିଆଯାଏ। ସମାଜର କଠୋର ନିୟମ ଭିତରେ ନାରୀଟିଏ ଭଳି ଦାରୁଣ ନିଦାଘର ଜ୍ବାଳାରେ ଜଳିଜଳି ମାଟିଥାଏ ମାତୃତ୍ବର ଅପେକ୍ଷାରେ। ତା’ପରେ ବର୍ଷା ଆସେ। ତାହାରି ସ୍ପର୍ଶରେ ସେ ରଜସ୍ବଳା ହୁଏ। ତା’ଦେହରେ ଜୀବନ ସୃଷ୍ଟି କରିବାର ଶକ୍ତି ସଞ୍ଚରେ। ସେହି ଉପଲକ୍ଷେ ଆମେ ପାଳନ କରୁ ରଜପର୍ବ। ମାଟି ପ୍ରକୃତରେ ଏକ ଜୀବନ୍ତ ପରିସଂସ୍ଥା। ଏଥିରେ ଭରି ରହିଛି ଅସଂଖ୍ୟ ଜାତି- ପ୍ରଜାତିର ଜୀବନ। ଭୂଇଁ ଉପରେ ଜୀବଜଗତର ଏହା ହିଁ ମୂଳ ଆଧାର। ଅତଏବ ମା’ଭଳି ତା’ଦେହରେ ଏହି ଅବସରରେ ବାସ୍ନାଟିଏ ସୃଷ୍ଟିହେବା ବିଚିତ୍ର କ’ଣ? ଏହାର ବି ବୈଜ୍ଞାନିକ କାରଣଟିଏ ରହିଛି- ମାଟିର ସେହି ଅସଂଖ୍ୟ ଜୀବଜାତି ଭିତରୁ ଗୋଟିଏ, ଅତି ସାନଟିଏ, ହେଲା ଷ୍ଟେପ୍‌ଟୋ ମାଇସେସ୍‌। ଆକ୍ଟିନୋ ମାଇସେଟେଲସ୍‌ ପ୍ରଜାତିର ଏହି ଜୀବାଣୁମାନଙ୍କୁ ଆକ୍ଟିନୋ ମାଇସେଟସ୍‌ ବୋଲି ମଧ୍ୟ କୁହାଯାଏ। ତାଙ୍କ ଭିତରେ ରହିଛି ଅନେକ ପ୍ରକାରଭେଦ। ସେମାନେ ଅଲଗାଅଲଗା ବିପାକଜାତ ପଦାର୍ଥ ସୃଷ୍ଟି କରନ୍ତି। ସେଗୁଡ଼ିକୁ ଏକତ୍ର ସାଧାରଣ ଭାଷାରେ କୁହାଯାଏ ଜେଓସ୍ମିନ୍‌ସ ବା ‘ମାଟିର ବାସ୍ନା’ ଏବଂ ରସାୟନବିତ୍‌ମାନଙ୍କ ଭାଷାରେ ଡାଇ ମିଥାଇଲ୍‌-୯ ଡେକୋଲୋଲସ୍‌। ମାଟି ଆର୍ଦ୍ର ଓ ଉଷ୍ମଥିଲେ ସେଥିରେ ଷ୍ଟେପ୍ଟୋମାଇସେସ୍‌ ବଂଶ ବିସ୍ତାର କରନ୍ତି; କିନ୍ତୁ ତାହା ଶୁଷ୍କ ହୋଇଗଲେ ସେଗୁଡ଼ିକ ଜୀବନଧାରଣର ରଣନୀତି ରୂପେ ବୀଜକଣା ବା ସ୍ପୋର ସୃଷ୍ଟି କରନ୍ତି। ଏହି ଅବସ୍ଥାରେ ବର୍ଷବର୍ଷ ଧରି ବଞ୍ଚିବା ସମ୍ଭବ ହୁଏ। ଶୁଖିଲା ଭୂଇଁ ଉପରେ ପ୍ରଥମେ ବର୍ଷାହେଲେ ସେହି ସ୍ପୋରଗୁଡ଼ିକ ପବନ ଓ ପାଣିର ମାଡ଼ରେ ଉପରକୁ ଉଠିଯାଆନ୍ତି ଏବଂ ବାୟୁରେ ଭାସି ବୁଲନ୍ତି। ଫଳରେ ତହିଁରେ ଥିବା ଜେଓସ୍ମିନ୍‌ସର ବାସ୍ନା ଆମ ନାକରେ ବାଜେ।

ଷ୍ଟେପ୍ଟୋମାଇସେସ୍‌ ନାନା ପ୍ରକାର ହୋଇଥାନ୍ତି। ତେଣୁ ସେଗୁଡ଼ିକ ଉତ୍ପନ୍ନ କରୁଥିବା ଜେଓସ୍ମିନ୍‌ସ​‌େ​‌ର ଥିବା ରସାୟନ ଅଲଗା ଅଲଗା ପ୍ରକାର ହୋଇଥାଏ। ଏହା ବ୍ୟତୀତ ଅନ୍ୟ କେତେକ ସାଇନୋ ବାକ୍ଟେରିଆ ଶ୍ରେଣୀର ଜୀବାଣୁ ମଧ୍ୟ ଏହା ସୃଷ୍ଟି କରିପାରନ୍ତି। ଏଣୁ ଗୋଟିଏ ସ୍ଥାନରେ ଥିବା ଏମାନଙ୍କ ପ୍ରକାର ଭେଦ ଓ ସଂଖ୍ୟା ଉପରେ ସେଠାର ମାଟିର ବାସ୍ନା ନିର୍ଭରକରେ। ଅତଏବ ତାହା କିଛିଟା ଅଲଗାହେବା ସ୍ବାଭାବିକ। ମଣିଷ ଶରୀର ଏକ ଅତି ଜଟିଳ ବ୍ୟବସ୍ଥା। ଏହା ଜଣକୁ ଜଣ ଅଲଗା ଅଲଗା ହୋଇଥାଏ। ସେହିପରି ମାଟି ବି ଜାଗାକୁ ଜାଗା ଅଲଗା। ଏଣୁ ପ୍ରତି ମା’ ଦେହର ବାସ୍ନାଭଳି ପ୍ରତି ଗାଁମାଟିର ବାସ୍ନାରେ କିଛି ସ୍ବତନ୍ତ୍ରତା ଥାଏ। ଅତଏବ ପିଲାକୁ ତା’ ମା’ଭଳି ଆମକୁ ଆମ ଗାଁ ମାଟିର ସେହି ବାସ୍ନା ଅତି ପ୍ରିୟ ହୋଇଥାଏ। ଲୋକେ କହୁଛନ୍ତି ଯେ’ ମଣିଷ କୁଆଡ଼େ ଦିନକୁ ଦିନ ବୁଦ୍ଧିଆ ହେଉଛି। ବୁଦ୍ଧି ବଢ଼ିଲେ ପରା ଭଲ ବାଟ ଦିଶେ। ହେଲେ, ଲୋଭ ତାକୁ ବାଟବଣା କରିଦେଉଛି। ତା’ ମାୟାରେ ପଡ଼ି ସେ ଭେଲକୁ ଭଲ ମଣୁଛି। ଦିନକୁ ଦିନ ବିକାଶ ନାଁରେ ବଢ଼ାଇ ଚାଲିଛି ନୂଆନୂଆ ଆବଶ୍ୟକତା। ଆଉ ତାକୁ ପୂରଣ କରିବା ଲାଗି କରିବାରେ ଲାଗିଛି ନାନାଦି ନକଲା କାମ। ସେଥିପାଇଁ ସେ ତାକୁ ଜନ୍ମ ଦେଇଥିବା ପ୍ରକୃତିକୁ ଶୋଷଣ କରୁଛି। ଫଳରେ ପ୍ରଦୂଷଣର କବଳରେ ପଡ଼ି ତାହା ରୁଗ୍‌ଣ ହୋଇଚାଲିଛି ଏବଂ କ୍ଷୟ ହେବାରେ ଲାଗିଛି ତା’ର ଜୀବଜଗତକୁ ଧାରଣ କରିବାର ସାମର୍ଥ୍ୟ।

ଏହାରି ଯୋଗଁୁ ବଦଳିଯାଉଛି ଗାଁର ପରିବେଶ ଓ ପରିସଂସ୍ଥା- ହଜିଯାଉଛି ତା’ର ସବୁଜିମା, ଲୋପପାଇ ସାରିଲେଣି ଅନେକ ଜୀବଜନ୍ତୁ, ପକ୍ଷୀ ଓ କୀଟ ପତଙ୍ଗ। ଫଳରେ ଏହାର ମଧୁର ରୂପ ରୁକ୍ଷ ହେବାରେ ଲାଗିଛି। ଏଥିସହିତ ବଦଳିଯାଇଛି ଗାଁ ମାଟିର ଗୁଣ ଓ ତା’ର ବାସ୍ନା। ସାରା ଦୁନିଆର ସବୁ ଗାଁରେ ଏପରି ଘଟୁଛି ଅଳ୍ପ ବହୁତ। ଏମିତି ଚାଲିଲେ ଖୁବ୍‌ ଶୀଘ୍ର ଆସି ପହଞ୍ଚିଯିବ ଘୋର ବିପଦ। ଚନ୍ଦ୍ର ବା ମଙ୍ଗଳ ପରି ଏହାର ମାଟି ଦିନେ ନିର୍ଜୀବ ଓ ଜଡ଼ ପାଲଟିଯିବ। ସେତେବେଳେ, ‘ସେଇଠି ତାଙ୍କ ଚିତା ନିଆଁ ଜଳିବା’ ଲାଗି କାମନା କରିବାକୁ ସଚ୍ଚି ରାଉତଙ୍କ ଭଳି କେହି ନଥିବେ କି’ ସିପାହି ବିଦ୍ରୋହରେ ଭାଗନେଇଥିବାରୁ ଦେଶରୁ ନିର୍ବାସିତ ବାହାଦୁର ଶାହ ଜାଫରଙ୍କ ଭଳି ଏଥିରେ ସମାଧି ନେଇ ନ ପାରିବା ଯୋଗୁଁ ଦୁଃଖୀ ହେବାକୁ କେହି ନଥିବେ।

kalyan agarbati

Comments are closed.