ବଦଳି ଗଲେଣି ବା-ପା-ମା

ଡକ୍ଟର କମଳାକାନ୍ତ ଜେନା

ପୃଥିବୀ ନିଜ କୋଳରେ ଆମକୁ ଧରି ରଖିଛି ବୋଲି ତାହାର ଅନ୍ୟନାମ ‘ଧରିତ୍ରୀ’। ପୃଥିବୀ ତା’ ସହିତ ଆମର ଆବଶ୍ୟକତାକୁ ପୂରଣ କରୁଛି ବୋଲି ଆମେ ବଞ୍ଚି ରହିଛୁ। ଆମେ ବଞ୍ଚିରହିବା ପାଇଁ ସେ ବାୟୁ, ପାଣି ଓ ମାଟି ରଖିଛି, ଯାହାକୁ ଆମେ ‘ବା-ପା-ମା’ ବୋଲି କହିପାରିବା। ବାୟୁ ଆମକୁ ଅମ୍ଳଜାନ ଦିଏ। ଅମ୍ଳଜାନ ବିନା ଆମର ବଞ୍ଚିବା ଅସମ୍ଭବ। ତେଣୁ ବାୟୁରେ ଯଥେଷ୍ଟ ଅମ୍ଳଜାନ ରହିବା ଜରୁରୀ। ଜଳ ଆମ ଜୀବନ। ଆମ ଦେହରେ ହାଡ ମାଂସ ସବୁଥିରେ ରହିଛି ପାଣି। ତେଣୁ ଆମ ଜୀବନ ପାଇଁ ବିଶୁଦ୍ଧ ଜଳ ଦରକାର। ବାକି ରହିଲା ମାଟି। ମାଟି ବିନା ଆମେ ଘରଦୁଆର କେମିତି କରିବା … ମାଟି ବିନା ଆମେ ଚାଷ କେମିତି କରିବା … ଆମେ ରାସ୍ତା କାହା ଉପରେ ତିଆରି କରିବା ??? ମାଟି ତଳେ ସୁନାରୁପା ରହିଛି। ମାଟି ତଳେ ତେଲ ଅଛି। ମାଟି ନ ରହିଲେ କଳକାରଖାନା ବି ବସି ପାରିବ ନାହିଁ। ତେଣୁ ଆମ ପାଇଁ ମାଟି ବି ଜରୁରୀ। ଏଥିରୁ ଠିକ୍‍ ବୁଝିହେଉଛି, ଆମର ବା-ପା-ମା ସୁସ୍ଥ ରହିଲେ ଆମେ ଯାଇ ଭଲରେ ବଞ୍ଚିପାରିବା।

ଆମର ମୂଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ପୃଥିବୀରେ ପ୍ରାକୃତିକ ସଂପଦ ରହିଛି; କିନ୍ତୁ ସେ ଆମର ଲୋଭକୁ ପୂରଣ କରିପାରିବ ନାହିଁ। ଆମେ କିନ୍ତୁ ଆମର ଲୋଭକୁ ପୂରଣ କରିବା ପାଇଁ ପ୍ରାକୃତିକ ସଂପଦର ଅବିବେକୀ ବ୍ୟବହାର କରି ଚାଲିଛୁ। ଆମର ଅମାନୁଷିକ ବ୍ୟବହାର ଫଳରେ ପୃଥିବୀର ମାଟି, ପାଣି ଓ ପବନ ଦୂଷିତ ହେଉଛି। ମାଟି, ପାଣି, ପବନ, ଗଛଲତା, ଜୀବଜନ୍ତୁ, ପାହାଡ଼ପର୍ବତ ସମସ୍ତଙ୍କୁ ନେଇ ପରିବେଶ ଗଠିତ। ଆମର ଅମାନୁଷିକ ବ୍ୟବହାର ପୃଥିବୀର ନିର୍ମଳ ପରିବେଶକୁ ଦୂଷିତ କରୁଛି। ଏହାର ମାଟି-ପାଣି-ପବନରେ ବିଷ ମିଶୁଛି। ତେଣୁ ଆମର ବା-ପା-ମା ବଦଳି ଯାଉଛି। ଆମ ବା-ପା-ମାର ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗିଛି। ପୃଥିବୀ ଏବେ ମୁମୂର୍ଷୁ ଅବସ୍ଥାରେ ରହିଛି।

ଆମ ବା-ପା-ମାର ମୁମୂର୍ଷୁ ଅବସ୍ଥା ପାଇଁ ଆମେ ହିଁ ଦାୟୀ, ଆମର ଲୋଭ ଦାୟୀ। ଆଜି ଆମକୁ କଳକାରଖାନା ଓ ସହରୀକରଣର ନିଶା ଘାରିଛି। ଚାଷ ବଦଳରେ ଜମି ବେପାର ଆମକୁ ଖୁସି ଦେଉଛି। ଆମ ଗାଆଁର ଚାଷ ଜମି ଉପରେ କଳକାରଖାନା ବସୁଛି। ମୋବାଇଲ୍‍ ଟାୱାର ବସୁଛି। ତେଣୁ ଚାଷଜମି କମି ଯାଉଛି। ଯେଉଁଠି ଜଙ୍ଗଲ ଥିଲା, ହାତୀବାଘ ଥିଲେ, ସେଠାରେ ଆଜି ବଡ ବଡ କୋଠା ଛିଡ଼ାହୋଇଛି। ଜଙ୍ଗଲ ସଫା ହେଉଛି, ସହର ସୃଷ୍ଟି ହେଉଛି। ଜଙ୍ଗଲ ସଫା ହେଉଛି, କଳକାରଖାନା ବସୁଛି। ଆମେ ଉନ୍ନତି କରୁଛୁ, ଆମେ ସଭ୍ୟ ହେଉଛୁ, ଆମେ ବିଜ୍ଞାନଯୁଗ ସହିତ ତାଳ ଦେଇ ଆଗକୁ ଆଗକୁ ଯାଉଛୁ; କିନ୍ତୁ ସଭ୍ୟତାର ବିକାଶ ନାମରେ ସବୁଜିମା ନଷ୍ଟ ହେଉଛି। ଯାନବାହନ ସଂଖ୍ୟା ବି ବଢୁଛି। ଅଧିକରୁ ଅଧିକ କଳକାରଖାନା ନିର୍ମାଣ ହେଉଛି। କଳକାରଖାନାରୁ ନିର୍ଗତ ବିଷାକ୍ତ ଆବର୍ଜନା ମୃତ୍ତିକାକୁ ଦୂଷିତ କରୁଛି। ଆମ ଗାଆଁ ପାଖରେ ବସିଥିବା ରବର କାରଖାନା, କାଗଜକଳ ଓ ସାର କାରଖାନା କେମିତି ଦୁର୍ଗନ୍ଧ ଛାଡୁଛି, କେମିତି ଆମ ନଦୀପାଣିକୁ ଦୂଷିତ କରୁଛି, କେମିତି ଆମ ଅଞ୍ଚଳର ମାଟିକୁ ନଷ୍ଟ କରିଚାଲିଛି, ସେ କଥା ଆମେ ନିଜ ଆଖିରେ ଦେଖୁଛୁ, ନିଜେ ଅନୁଭବ କରିଛୁ। ସେଥିପାଇଁ ଆମ ଅଞ୍ଚଳରେ ଆଉ ଚାଷ ହୋଇପାରୁନି।

ଆଗରୁ ଗୋଟେ ଲଣ୍ଠନ ଦୁଇଟା ଡିବି ହେଲେ ରାତିର ଅନ୍ଧକାର ସମସ୍ୟା ଦୂର ହେଉଥିଲା। ଏବେ ଗାଆଁରୁ ଆରମ୍ଭ କରି ସହର ଯାଏ ସମସ୍ତେ ପକ୍କାଘରେ ରହୁଛନ୍ତି। ପୁଣି ପରିବାରର ସବୁ ସଦସ୍ୟଙ୍କ ଲାଗି ଅଲଗା ଅଲଗା କୋଠରି। ପ୍ରତି କୋଠରିରେ ଭିନ୍ନ ଭିନ୍ନ ରକମର ଆଲୁଅ ବ୍ୟବସ୍ଥା। ଯଦି ଗୋଟିଏ ପରିବାର ଲାଗି ୬ଟା କୋଠରିରେ ୧୫ଟା ବିଜୁଳିବତି ଜଳିବ, ତେବେ ଅଧିକ ବିଜୁଳି ଖର୍ଚ୍ଚ ତ ହେବ। ଆଜି ଗାଆଁରୁ ଆରମ୍ଭ କରି ସହର ଯାଏ ସମସ୍ତେ ଅଧିକ ସଂଖ୍ୟାରେ ବିଦ୍ୟୁତ୍‍ ଯନ୍ତ୍ରପାତି ବ୍ୟବହାର କରୁଛନ୍ତି। ଯନ୍ତ୍ରପାତି ଚାଲିବା ପାଇଁ ଅଧିକରୁ ଅଧିକ ବିଜୁଳିଶକ୍ତି ଦରକାର ହେଉଛି। କଳକାରଖାନା ପାଇଁ ବି ଆହୁରି ଅଧିକ ବିଜୁଳିଶକ୍ତି ଦରକାର ହେଉଛି। ଆମେ ମୁଖ୍ୟତଃ କୋଇଲା ଜାଳି ବିଜୁଳି ଉତ୍ପାଦନ କରୁ, ଯାହାକୁ ଆମେ ତାପଜ ବିଦ୍ୟୁତ୍‍ ବୋଲି କହୁ। ଆମର ୮୦ ପ୍ରତିଶତ ଅର୍ଥାତ୍‍ ୫ ଭାଗରୁ ୪ ଭାଗ ବିଜୁଳିଶକ୍ତି ଉତ୍ପାଦନ ପାଇଁ କୋଇଲା ଉପରେ ନିର୍ଭର କରିବାକୁ ପଡେ। ତେଣୁ ଅଧିକ ବିଦ୍ୟୁତ୍‍ ଉତ୍ପାଦନ ସକାଶେ ତାପଜ ବିଦ୍ୟୁତ୍‍ କେନ୍ଦ୍ରରେ ଅଧିକ କୋଇଲା ଜାଳିବାକୁ ପଡୁଛି। କୋଇଲା ଜଳିଲେ ପ୍ରଚୁର ଧୂଆଁ ବାହାରୁଛି। ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧିପାଉଛି। ପୃଥିବୀର ଜଳବାୟୁକୁ ଅନିୟମିତ କରୁଥିବା କାରକଗୁଡିକ ମଧ୍ୟରୁ ଅଙ୍ଗାରକାମ୍ଳ ଅନ୍ୟତମ। ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ଅଧିକ ହେଉଛି ବୋଲି ଅଧିକ ଗରମ ହେଉଛି। ଠିକ୍‍ ଭାବରେ ଶୀତଋତୁ ଆସୁନାହିଁ। ଠିକ୍‍ ଭାବରେ ବର୍ଷା ହେଉନାହିଁ। ଜଳବାୟୁ ସଂପର୍କିତ ସବୁ ବିଷୟରେ ପରିବର୍ତ୍ତନ ଦେଖାଦେଉଛି।

prayash

ଆଜି ଆମେ ନିଜକୁ ଉନ୍ନତ ବୋଲି ଦାବି କରୁ। ଅସଲରେ ଆମ ଉନ୍ନତିର ଧାରା ନିରନ୍ତରଧର୍ମୀ ନୁହେଁ। ଉନ୍ନତି ଆଳରେ ଆମର ପ୍ରତିଟି ଅଗ୍ରସର ପାଦ ପରିବେଶ ଉପରେ କୁପ୍ରଭାବ ପକାଏ। ଏହି ଉନ୍ନତିକୁ ନିରନ୍ତର କହିପାରିବା ନାହିଁ। ଗଛଲତା, ପଶୁପକ୍ଷୀ ଓ ଜୀବାଣୁଭୂତାଣୁଙ୍କୁ ମିଶେଇଲେ ପୃଥିବୀରେ ପ୍ରାୟ ୮୭ ଲକ୍ଷ ପ୍ରଜାତିର ଜୀବନ ରହିଛି। ସେମାନଙ୍କ ମଧ୍ୟରୁ ମଣିଷ ଅନ୍ୟତମ। ପରିତାପର ବିଷୟ, ୮୭ ଲକ୍ଷ ପ୍ରଜାତି ଲକ୍ଷ ଲକ୍ଷ ବର୍ଷ ଧରି ପୃଥିବୀରେ ବାସକରି ଆସୁଥିଲେ ବି ଯେଉଁ ପରିବର୍ତ୍ତନ ଘଟି ନଥିଲା, ଏଇ ମାତ୍ର ୩୦୦ ବର୍ଷ ଭିତରେ ମଣିଷର ଶିଳ୍ପବିପ୍ଳବ ଧରିତ୍ରୀକୁ ମୁମୂର୍ଷୁ ଅବସ୍ଥାକୁ ନେଇଯାଇଛି। ଆମର ବା-ପା-ମା ଅଜି ସୁସ୍ଥ ଅବସ୍ଥାରେ ନାହାନ୍ତି। ଯାହା ଯୋଜନା କରାଯାଉଛି, ସେସବୁ କେବଳ ମଣିଷର ସ୍ୱାର୍ଥ ସକାଶେ ହେଉଛି। ଜୀବଜନ୍ତୁ, ଗଛଲତା ଓ କୀଟପତଙ୍ଗର ସ୍ୱାର୍ଥକୁ ହେୟଜ୍ଞାନ କରାଯାଉଛି।

ଆମର ଅବିବେକୀ କାର୍ଯ୍ୟକଳାପ ଜଳବାୟୁକୁ ଅନିୟମିତ କରିଛି। ବର୍ଷା ନାହିଁ କି ଶୀତ ନାହିଁ। ବହିରେ ପଢିଥିଲୁ ବାର ମାସରେ ଛଅଟା ଋତୁ। ସେସବୁ ଋତୁ କାହିଁ ? ପୃଥିବୀରେ ସବୁଠି ଦୂଷିତ ପରିବେଶର ସ୍ୱାକ୍ଷର ଦେଖିବାକୁ ମିଳୁଛି। ସର୍ବଂସହା ଧରିତ୍ରୀର ନୀରବତାର ସୁଯୋଗ ନେଇ ଆମର ପରିବେଶକୁ ଆମେ ନିଜେ ନଷ୍ଟ କରିଛୁ। ସୁନ୍ଦର ସବୁଜ ଧରିତ୍ରୀ ଆଜି ବିବର୍ଣ୍ଣ ଦିଶୁଛି। ଆମର କୋଠାବାଡ଼ି କରିବାର ନିଶା ହେତୁ ସବୁଜ ଗଛଲତା ବଳି ପଡୁଛନ୍ତି। ଜଳବାୟୁ ନିୟମିତ ହେବା ପାଇଁ ସୁସ୍ଥ ବାୟୁମଣ୍ଡଳ ଜରୁରୀ। ସୁସ୍ଥ ବାୟୁମଣ୍ଡଳ ପାଇଁ ଘନ ଜଙ୍ଗଲ ଜରୁରୀ। ତେଣୁ ଜଙ୍ଗଲ ନଷ୍ଟ ନକରି ଧରିତ୍ରୀକୁ ସବୁଜ କରିବା ଦିଗରେ ପ୍ରୟାସ ଜାରିରହିବା ଆବଶ୍ୟକ। ଗାଆଁ ଓ ସହରକୁ ଗଛ ଓ ଉଦ୍ୟାନରେ ଭରି ଦେବା ପାଇଁ ଜନସଚେତନତା ସୃଷ୍ଟି ହେବା ଦରକାର। ଅଂଶୁଘାତ, ଜାଗତିକ ଉଷ୍ଣତା ବୃଦ୍ଧି ଓ ସବୁଜଗୃହ ପ୍ରଭାବ ଭଳି ସମସ୍ୟାର ସମାଧାନ ଦିଗରେ ସବୁଜିମା ସହାୟକ ହେବ। ଆଜି ପ୍ରଦୂଷଣକୁ ଦୃଢ ବିରୋଧ କରିବା ସହିତ ଆମର ଗ୍ରହର ପୁନରୁଦ୍ଧାର ଜରୁରୀ ହୋଇପଡିଛି। ନହେଲେ ଦିନ ଆସିବ, ପୃଥିବୀ ଆମର ମୌଳିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବ ନାହିଁ। ଯାହା ଜଣାପଡୁଛି ସେତେବେଳେ ଅନ୍ୟ ଜୀବଜଗତ ସହିତ ମଣିଷ ବି ଧରାପୃଷ୍ଠରୁ ନିଶ୍ଚିହ୍ନ ହୋଇଯିବ।

ପିଇବା ପାଣି ପ୍ରସଙ୍ଗରେ କଥାଟିଏ ମନେ ପଡିଲା। ଆମ ପୃଥିବୀକୁ ଜଳଗ୍ରହ ବୋଲି କୁହାଯାଏ। କାରଣ ପୃଥିବୀ ଗ୍ରହରେ ପ୍ରଚୁର ଜଳ ଅଛି; କିନ୍ତୁ ସବୁ ଜଳକୁ ଆମେ ପିଇ ପାରିବା ନାହିଁ କି ଚାଷ କାମରେ ଲଗେଇ ପାରିବା ନାହିଁ। ଯଦି ସମୁଦାୟ ଜଳକୁ ଏକ ବାଲଟି ଧରିବା, ତେବେ ଆମ ବ୍ୟବହାର ଉପଯୋଗୀ ଜଳର ପରିମାଣ ମାତ୍ର ଏକ ଚାମଚ। ସେଥିପାଇଁ ଆଜି ପାଣିର ମୂଲ୍ୟ ତେଲଠାରୁ ଅଧିକ। ଏମିତି ଦେଖିଲେ ମନେ ହେଉଛି କି ସବୁଠି ଜଳ ଅଛି। ହେଲେ କୋଉଠିକି ବୁଲିବାକୁ ବାହାରିଲେ ଆମକୁ ପାଣି ବୋତଲ ନେବାକୁ ପଡୁଛି। ତେଣୁ ଜଳର ଭଣ୍ଡାର ଭିତରେ ଜଳାଭାବ। ଆମ ଜେଜେ-ଜେଜେମା ହୁଏତ କେବେ ଭାବି ନଥିବେ ଆମେ ଏମିତି ବୋତଲରେ ପାଣି ଧରି ବୁଲିବା। ତେଣୁ ଆଜି ସେମାନଙ୍କୁ ପାଣିବୋତଲ ଧରି ଦୁଆର ଦୁଆର ବୁଲିବା କଥାଟା ଅବାଗିଆ ଲାଗୁଥିବ। ଆମ ଜେଜେ-ଜେଜେମାଙ୍କ ପରି ଆଜି ଆମେ ବି କେବେ ଭାବିନାହୁଁ ଯେ ଦିନ ଆସିବ ଯେତେବେଳେ କଳକାରଖାନା-ଗାଡିମୋଟର ସକାଶେ ବାୟୁମଣ୍ଡଳ ଅତିମାତ୍ରାରେ ଦୁଃସ୍ଥ ହୋଇଯିବ, ଆମକୁ ଅମ୍ଳଜାନ ଯୋଗାଇ ପାରିବ ନାହିଁ। ସେତେବେଳେ ଆମର ନାତିନାତୁଣୀମାନେ ପିଠିରେ ଅମ୍ଳଜାନ ଥଳି ଝୁଲେଇବେ ଏବଂ ନାକରେ ଅମ୍ଳଜାନ ନଳୀ ପୂରେଇ ବୁଲିବେ।

ପୃଥିବୀ ଗ୍ରହର ବିଭିନ୍ନ ପରିବେଶ ଜନିତ ସମସ୍ୟା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ଓ ସମସ୍ୟାର ସମାଧାନ ଦିଗରେ ଚିନ୍ତା କରିବା ପାଇଁ ୧୯୬୯ ମସିହାରେ ଏକ ବିଶେଷ ପ୍ରସ୍ତାବ ଅଣାଯାଇଥିଲା। ଏଭଳି ଏକ ପୁଣ୍ୟ ପ୍ରୟାସକୁ ଅଧିକ ଜନାଦୃତ କରିବା ପାଇଁ ଏକ ବିଶେଷ ଦିବସର ପରିକଳ୍ପନା କରାଗଲା। ସେହି ପରିପ୍ରେକ୍ଷୀରେ ଧରାପୃଷ୍ଠରେ ସୀମାତୀତ ପ୍ରଦୂଷଣ, ଧରିତ୍ରୀର ମୁମୂର୍ଷୁ ଅବସ୍ଥା ଏବଂ ବାୟୁ-ପାଣି-ମାଟିର ପରିବର୍ତ୍ତନ ବିଷୟରେ ଜନସାଧାରଣଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ପାଳିତ ହେଉଛି ‘ଧରିତ୍ରୀ ଦିବସ’। ୧୯୭୦ ମସିହାରୁ ସାରା ପୃଥିବୀର ୧୯୨ଟି ଦେଶରେ ଏପ୍ରିଲ ୨୨ ତାରିଖରେ ଏହି ଦିବସ ପାଳନ କରାଯାଉଛି। ପରିବେଶର ସୁରକ୍ଷା ଓ ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରିବା ସକାଶେ ପ୍ରତି ବର୍ଷ ଜନସାଧାରଣଙ୍କୁ ମଧ୍ୟ ଏକ ସନ୍ଦେଶ ଦିଆଯାଇଥାଏ।

ଆଜି ଆମ ପୃଥିବୀ ଗ୍ରହର ସୁରକ୍ଷା ପାଇଁ ପୁଞ୍ଜି ବିନିଯୋଗ କରିବାର ସମୟ ଆସିଛି। ସେଥିପାଇଁ ଆମର ଅନେକ ଦାୟିତ୍ୱ ରହିଛି। ବିଭିନ୍ନ ସଭାସମିତି ଓ ସଂପାନରେ ସନ୍ଦେଶ ମାଧ୍ୟମରେ ଆମର ମନୋବୃତ୍ତି ଓ କାର୍ଯ୍ୟକଳାପରେ କେତେକ ସୁଧାର ଆଣିବା ପାଇଁ ପ୍ରୟାସ ଜରୁରୀ ହୋଇପଡିଛି। ପରିବେଶକୁ ସୁସ୍ଥ ରଖିବା ସକାଶେ ଆମର ଖାଦ୍ୟ ଉତ୍ପାଦନ, ଯାତାୟାତ ବ୍ୟବସ୍ଥା, ବିଜୁଳିଶକ୍ତି ଉତ୍ପାଦନ ଓ ଆମୋଦ ପ୍ରମୋଦ ଢାଞ୍ଚାରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡିଛି। ଆମର ଉନ୍ନତି ସହିତ ପରିବେଶ ସୁସ୍ଥ ରହିବା ଦରକାର। ସେଭଳି ଉନ୍ନତିକୁ ନିରନ୍ତର ଉନ୍ନତି କହିପାରିବା। ଆମର ଉନ୍ନତି କାର୍ଯ୍ୟକ୍ରମ ଫଳରେ ପରିବେଶ ପ୍ରଦୂଷିତ ହେଲେ, ସେଭଳି ଉନ୍ନତି କିଛି ଦିନ ପରେ ଆମକୁ ଦୁଃଖ ଦେବ – ଏ କଥା ଆଜି ପ୍ରମାଣିତ ହୋଇସାରିଛି। ଯେମିତି ଶିଳ୍ପ ବିପ୍ଳବର କୁପ୍ରଭାବ ବାୟୁ-ପାଣି-ମାଟିକୁ ଆଜି ନଷ୍ଟ କରିଦେଇଛି। ପ୍ରଦୂଷଣକୁ ବନ୍ଦ କରିବା ପାଇଁ ସମାଧାନର ସୂତ୍ର ବିଜ୍ଞାନ ଆମକୁ କହିସାରିଛି। ଆମେ ସେହି ସୂତ୍ରକୁ ଉଚିତ୍‍ କାମରେ ଲଗେଇବା। ଆଜିର ପରିବେଶ ଜନିତ ସମସ୍ୟାଗୁଡିକ ସଂପର୍କରେ ଇଣ୍ଟରନେଟ୍‌, ଫେସବୁକ୍‍, ହ୍ୱାଟ୍‍ସ୍‍ଆପ୍‍ ଓ ଟୁଇଟର ଜରିଆରେ ସମାଜକୁ ସଚେତନ କରିଯାଇ ପାରିବ। ଆମର ପରିବେଶ ବିରୋଧୀ ସଂସ୍କାର ଜାରି ରହିଲେ ଆମର ଧରିତ୍ରୀ ଆଉ ବାସୋପଯୋଗୀ ଗ୍ରହ ହୋଇ ରହିବ ନାହିଁ। ସତ କହିଲେ, ଆମ ପାଖରେ ଆଉ ସମୟ ନାହିଁ। ସମଗ୍ର ପୃଥିବୀବାସୀଙ୍କର ପ୍ରୟାସ ଜାରି ରହିଲେ ଜାଗତିକ ସମସ୍ୟାର ସମାଧାନ ଅସମ୍ଭବ ନୁହେଁ। ତେଣୁ ଏହି ଦିଗରେ ସମସ୍ତଙ୍କର ଆନ୍ତରିକତା ଏକାନ୍ତ ଆବଶ୍ୟକ।

kalyan agarbati

Comments are closed.