ମଣିଷ ହଜିଛି

ସତ୍ୟ ନାରାୟଣ ମିଶ୍ର

ପାର୍ଥିବ ମଣିଷର ଯେତେବେଳେ କୌଣସି ଭୋଗ୍ୟ ବା ବ୍ୟବହାର୍ଯ୍ୟ ବସ୍ତୁ ହଜିଯାଇଥାଏ ବା ନଷ୍ଟ ହୋଇଯାଇଥାଏ ସେଥିରେ ମଣିଷ ଉଦ୍‌ବିଗ୍ନ ହୋଇଥାଏ ଓ ବ୍ୟସ୍ତ ହୋଇଥାଏ । କାରଣ ମଣିଷ ସବୁବେଳେ ଇଚ୍ଛା କରିଥାଏ ଯେ ତାହାର ଯେପରି କିଛି ଅସୁବିଧା ନ ହେଉ ଓ ମଣିଷ ସବୁବେଳେ ଭୋଗ୍ୟ ବସ୍ତୁର ପ୍ରାପ୍ତିରେ ସନ୍ତୋଷ ପ୍ରକଟ କରିଥାଏ ଓ କ୍ଷତିରେ ଦୁଃଖ ପ୍ରକଟ କରିଥାଏ । ଜୀବଦ୍ଦଶା ମଧ୍ୟରେ ମଣିଷ କେବେହେଲେ ନିଜକୁ ତର୍ଜମା କରି ନଥାଏ ଯେ ସେ ନିଜେ ହେଉଛି ଅନ୍ୟର ବା କ୍ଷଣସ୍ଥାୟୀ ଓ କେଉଁ ମୁହୂର୍ତ୍ତରେ ମଣିଷ ନିଜେ ହଜି ଯାଇପାରେ । ସେ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ମଣିଷ କିଛି ହଜାଇ ଦିଏ ସେତେବେଳେ ଉଦ୍‌ବେଳିତ ହୋଇ ମଣିଷ ଇତସ୍ତତଃ ହୋଇ ନିଜର ସଂଯମତା ହରାଇ ଦିଏ । କୌଣସି ବସ୍ତୁ, ପଦାର୍ଥ, ଗୃହପାଳିତ ପଶୁ ଆଦି ହଜିଗଲେ ମଣିଷ ତାହା ଯଥା ସମ୍ଭବ ଚେଷ୍ଟା କରି ଖୋଜିଥାଏ ।

ସାଧାରଣତଃ ଗୃହପାଳିତ ପଶୁ ପକ୍ଷୀ ଆଦି ହଜିଗଲେ ମଣିଷ ଏଣେତେଣେ ହୋଇ ଖୋଜି ବୁଲୁଥାଏ ପାଇବା ପାଇଁ ଓ ସେଥିପାଇଁ ସେ ବିଭିନ୍ନ କୌଶଳ ତଥା ପନ୍ଥା ମଧ୍ୟ ଅବଲମ୍ବନ କରିଥାଏ । ତେବେ ମଣିଷର ହଜିଯାଇଥିବା ବସ୍ତୁ ପଦାର୍ଥ ବା ଗୃହପାଳିତ ପଶୁ ନିଜର ଠିକଣା କହିପାରିନଥାନ୍ତି ବା ସେମାନେ ନିଜର ପରିଚୟ ଦେବାକୁ ଅସମର୍ଥ । ତେଣୁ ସେମାନଙ୍କୁ ଖୋଜି ବାହାର କରିବାରେ ମଣିଷ ଅସଫଳ ହୋଇଥାଏ ବୋଲି ମଣିଷ ଦୁଃଖ ପ୍ରକାଶ କରିଥାଏ । ମାତ୍ର ଭାଷା ବ୍ୟକ୍ତ କରିପାରୁଥିବା ଜ୍ଞାନୀ ଓ ଏକବିଂଶ ଶତାବ୍ଦୀର ଶ୍ରେୟଃ ମଣିଷ ନିଜେ ଯେତେବେଳେ ହଜିଯାଏ, ସେତେବେଳେ ତାକୁ ପୁଣି କିଏ ଖୋଜିବ । ବର୍ତ୍ତମାନର ଅଭିବୃଦ୍ଧିର ସମାଜରେ ଅନେକ କ୍ଷେତ୍ରରେ ମଣିଷ ହଜିବାର ସମ୍ବାଦ ଅନେକଙ୍କୁ ଚକିତ କରିଥାଏ । ମାତ୍ର ତାହା ସତ୍ୟ ଓ ନିଶ୍ଚିତ । ତେବେ ମଣିଷ ଏତେ ଜ୍ଞାନ, ଗୁଣ, ବିଦ୍ୟା, ଉତ୍କର୍ଷର ଅଧିକାରୀ ହୋଇ ମଧ୍ୟ ହଜି ଯାଉଛି ଓ ପୃଥିବୀକୁ ନିମିଷକରେ କରାୟତ୍ତ କରିପାରୁଥିବା ମଣିଷ ପୁଣି ତାହା ଖୋଜି ଖୋଜି ପାଉ ନାହିଁ । ସେଇଠି ମଣିଷ ହାରି ଯାଉଛି ଓ ହରେଇ ଦେଉଛି ନିଜର ପରିଚୟ ଯାହା ସଂପୂର୍ଣ୍ଣ ମଣିଷ ସମାଜ ସମସ୍ତ କୌଶଳ ପ୍ରୟୋଗ କରି ମଧ୍ୟ ବ୍ୟର୍ଥ ହେଉଅଛି। ଯେତେବେଳେ ମଣିଷ ହଜିଯାଏ ସେତେବେଳେ ମଣିଷ ସମାଜରେ ଏକ ଚଞ୍ଚକତା ସୃଷ୍ଟି ହୋଇଥାଏ ।

ଅନେକ ସମୟରେ ଖବରରେ ଜଣାଯାଏ ଯେ ବ୍ୟକ୍ତି ନିରୁଦ୍ଦିଷ୍ଟ, ପିଲା ଚୋରି, ମଣିଷ ହଜିଛି, ମଣିଷ ନିଖୋଜ ଇତ୍ୟାଦି ଇତ୍ୟାଦି ଓ ସେତେବଳେ ମଣିଷ ମନରେ ଏକ ଆତଙ୍କ ସୃଷ୍ଟି ହୋଇଥାଏ । ଭୋଗ୍ୟବସ୍ତୁ ବା ପଦାର୍ଥ, ଗୃହପାଳିତ ପଶୁ ପକ୍ଷୀକୁ ହୁଏତ ମଣିଷ ନେଇ ଅନ୍ୟସ୍ଥାନରେ ରଖିପାରେ ମାତ୍ର ମଣିଷ ହଜିବାର ଅର୍ଥ କେବଳ ମଣିଷ ମଣିଷକୁ ଚୋରି କରିଛି ବୋଲି ଅନାୟାସରେ ପ୍ରମାଣିତ ହୋଇଥାଏ । ଅତଏବ ମଣିଷ ହଜିବାର ଅର୍ଥ ମଣିଷ ଦ୍ବାରା ମଣିଷର ଅନୁପସ୍ଥିତି । ମଣିଷ ହେବା ଏକ ଦୁର୍ଲଭ ଜୀବନ ବୋଲି ଜଣାଯାଏ, ମାତ୍ର ବର୍ତ୍ତମାନର ପରିସ୍ଥିତିରେ ଏହା ଏକ ଦୁଃଖର ସମୟ ବୋଲି ଆଲୋଚନା ହୋଇଥାଏ, କାରଣ ବର୍ତ୍ତମାନ ମଣିଷ ସଦାବେଳେ ମଣିଷ ନିକଟରୁ ସବୁକିଛି ଆଶା କରୁଛି । ମଣିଷର ମାନବିକତାର ଦୃଷ୍ଟିକୋଣ କ’ଣ? ମଣିଷ ମାନବିକତା ପାଇଁ ନିଜକୁ ନିରେଖି ଦେଖି ନାହିଁ । ଯେତେବେଳେ ଆମେ ଆଉ ମଣିଷକୁ ମଣିଷ ଭାବରେ ଦେଖୁନାହୁଁ, କିନ୍ତୁ ଇଚ୍ଛା ଅନୁସାରେ ବ୍ୟବହାର ଓ ନିଷ୍କ୍ରିୟ ହେବାକୁ ଥିବା ବସ୍ତୁ ଭାବରେ ଯେତେବେଳେ ଆମେ ସେମାନଙ୍କୁ ସେମାନଙ୍କର ଚର୍ମର ରଙ୍ଗ, ଉପନାମ, ଚାକିରି ଉପରେ ଆଧାର କରି ବ୍ୟାଖ୍ୟା କରିଥାଉ । ସାଧାରଣରେ ଗୋଟିଏ ପ୍ରଶ୍ନ ମଣିଷ ମନରେ ଉଙ୍କିମାରିଥାଏ ଯେ ମଣିଷ ହଜିଯାଉଛି କ’ଣ ପାଇଁ । ସତରେ ସେ ଅଜ୍ଞତା ହେତୁ ହଜିଯାଉଛି ନା ତାକୁ ହଜେଇ ଦିଆଯାଉଛି । ଉପରୋକ୍ତ ବିବରଣୀକୁ ତର୍ଜମା କଲେ ଏହା ପ୍ରତୀୟମାନ ହୋଇଥାଏ ଯେ ଉପରୋକ୍ତ ଦୁଇଟି ଉକ୍ତିରେ ଯଥାର୍ଥତା ରହିଛି ।

ମଣିଷ ଅଜ୍ଞତା ହେତୁ ହଜି ଯାଉଛି ଓ କେତେବେଳେ ମଣିଷକୁ ହଜେଇ ଦିଆଯାଉଛି । ଯେତେବେଳେ ମଣିଷ ଅଜ୍ଞତା ହେତୁ ହଜି ଯାଉଛି ସେତେବେଳେ ମଣିଷ ନିକଟରେ ଥିବା ମଣିଷପଣିଆର ପୂର୍ଣ୍ଣଚ୍ଛେଦ ହୋଇ ଯାଉଛି ଓ ସେଥିପାଇଁ ମଣିଷ ନିଜର ପରାକାଷ୍ଠାକୁ ଗୁରୁତ୍ବ ନଦେଇ ନିଜର ପରିଚୟ ନିଜେ ହରାଇ ଦେଉଛି । ନିଜ ସମ୍ମୁଖରେ ଥିବା ସତ୍ୟ ଓ ବାସ୍ତବତାକୁ ହୃଦୟଙ୍ଗମ ନକରି ଅସତ୍ୟ ଓ ଅବାସ୍ତବତାରେ ନିମଜ୍ଜିତ ହୋଇ ମଣିଷ ହଜି ଯାଉଛି ନିଭୃତ କାରାଗାରରେ । ହଜିଯାଇଛି ମଣିଷର ବିବେକ, ମଣିଷ ପଦବାଚ୍ୟର ମର୍ଯ୍ୟାଦା, ମାନବିକ ମୂଲ୍ୟବୋଧ ତଥା ମଣିଷର ଅନ୍ତର୍ନିହିତ ଗୁଣାବଳୀ। ଅନେକ କ୍ଷେତ୍ରରେ ପରିଲକ୍ଷିତ ହୋଇଥାଏ ଯେ ମଣିଷର ଶାରୀରିକ ଅଙ୍ଗର ଉପସ୍ଥିତି କେତେକାଂଶରେ ରହିଥାଏ, ମାତ୍ର ମାନସିକ ଉପସ୍ଥିତି ହଜିଯାଇଥାଏ, ଅପର ପକ୍ଷରେ କେତେବେଳେ ମଣିଷର ମାନସିକ ଉପସ୍ଥିତି ରହିଥିବା ବେଳେ ଶାରୀରିକ ଉପସ୍ଥିତି ହଜିଯାଇଥାଏ ।

ସମାଜର ପ୍ରତ୍ୟେକ କ୍ଷେତ୍ରରେ ମଣିଷ ନିଜକୁ ଖୋଜି ପାଇନଥାଏ । ଅନ୍ୟପକ୍ଷରେ ମଣିଷ ସ୍ବାର୍ଥର ବଶବର୍ତ୍ତୀ ହୋଇ ମଣିଷକୁ ଚୋରି କରି ତାହାର ଶରୀରର ଅଂଶକୁ ବିକ୍ରିକରି ଅର୍ଥ ରୋଜଗାର କରୁଛି ଓ ଉକ୍ତ କାର୍ଯ୍ୟରେ ଯେଉଁମାନେ ସହାୟତା କରୁଛନ୍ତି ସେମାନଙ୍କର ମଧ୍ୟ ହଜିଯାଇଛି ମଣିଷର ମାନବିକ ଚିନ୍ତା । କୋମଳ ଶିଶୁଟିଏ ହୋଇଥାଉ ବା ଯୁବକ ଯୁବତୀଟିଏ ହୋଇଥାଉ ମଣିଷକୁ ହଜେଇ ଦିଆଯାଉଛି କେବଳ ଉଦ୍ଦେଶ୍ୟ ସାଧନ ନିମିତ୍ତ । ଯୁବତୀ ତରୁଣୀକୁ ହଜେଇ ଦିଆଯାଉଛି ଶରୀରକୁ ଉପଭୋଗ କରିବା ପାଇଁ ଓ ଯୁବକମାନଙ୍କୁ ହଜେଇ ଦିଆଯାଉଛି ସମାଜର ଘୃଣ୍ୟ, ନଗଣ୍ୟ କର୍ମରେ ଲିପ୍ତ କରିବା ପାଇଁ ତଥା ଛୋଟ ଛୋଟ ପିଲାମାନଙ୍କୁ ହଜେଇ ଦିଆଯାଉଛି ଶରୀରର ଅଂଶକୁ ବାହାର କରି ବିକ୍ରି କରିବା ପାଇଁ । ବାଃରେ ମଣିଷର ମଣିଷପଣିଆ। ମଣିଷ ସମାଜ ସୃଷ୍ଟି କରିଥିଲା ଓ ଏହା ହେଉଛି ତାହାର ନମୁନା। ମାନବିକତା ଏକ ମହାସାଗର; ଯଦି ସମୁଦ୍ରର କିଛି ବୁନ୍ଦା ମଇଳା ହୁଏ, ତେବେ ସମୁଦ୍ର ଅପରିଷ୍କାର ହୁଏ ନାହିଁ ।

ଜନସାଧାରଣଙ୍କୁ ସେମାନଙ୍କର ମାନବିକ ଅଧିକାରକୁ ଅସ୍ୱୀକାର କରିବା ହେଉଛି ସେମାନଙ୍କର ମାନବିକତାକୁ ଚାଲେଞ୍ଜ କରିବା। ପ୍ରେମ ଓ କରୁଣା ବିଳାସପୂର୍ଣ୍ଣତା ନୁହେଁ । ସେମାନଙ୍କ ବିନା ମାନବିକତା ବଞ୍ଚିପାରିବ ନାହିଁ । ମହାନ ଭାରତୀୟ କବି ରବୀନ୍ଦ୍ରନାଥ ଟାଗୋର ତାଙ୍କ ନୋବେଲ ପୁରସ୍କାର ବିଜେତା ଗୀତାଞ୍ଜଳିରେ ମାନବିକତା ଏବଂ ଧର୍ମ ଉପରେ ନିଜର ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ । ସେ ବିଶ୍ୱାସ କରୁଥିଲେ ଯେ ଈଶ୍ୱରଙ୍କ ସହିତ ଯୋଗାଯୋଗ କରିବାକୁ ହେଲେ ମାନବିକତାକୁ ପୂଜା କରିବାକୁ ପଡ଼ିବ । ଅସହାୟ ଲୋକଙ୍କୁ ସେବା କରିବା ଈଶ୍ୱରୀୟ ଶକ୍ତିର ସେବା କରିବା ସହିତ ସମାନ । ମାନବିକତା ଅତ୍ୟନ୍ତ ନିଃସ୍ୱାର୍ଥପର କାର୍ଯ୍ୟରୁ ଆସିଥାଏ ଓ ଏଥିରେ ଦୟା ଏକ ଭୂଷଣ ହିସାବରେ ଦୃଶ୍ୟମାନ ହୋଇଥାଏ । କିନ୍ତୁ ଆମେ ଭବିଷ୍ୟତରେ ଏକ ସମୃଦ୍ଧ ମାନବ ଜାତି ଭାବରେ ଅଗ୍ରଗତି କରୁଥିବାରୁ ମାନବିକତାର ଅର୍ଥ ଧୀରେ ଧୀରେ ଦୁର୍ନୀତିଗ୍ରସ୍ତ ହେଉଛି ।

ବର୍ତ୍ତମାନ ଆମେ ଏକ ଭୂଖଣ୍ଡରେ ବାସ କରୁଛୁ, ଯଦିଓ ଏହାକୁ ସୀମା ଦ୍ବାରା ବିଭକ୍ତ କରାଯାଇଛି, ମାତ୍ର ଏହା ସୀମାହୀନ । ଧର୍ମ କିମ୍ବା ଦେଶପ୍ରେମ ନାମରେ ଭୂଭାଗ ପାଇବା ପାଇଁ ରାଷ୍ଟ୍ରମାନେ ବର୍ତ୍ତମାନ ଯୁଦ୍ଧରେ ଲିପ୍ତ, ଯେଉଁଠି ଲକ୍ଷ ଲକ୍ଷ ନିରୀହ ଜୀବନ ହଜିଯାଏ ଓ ଆକୁଳ କ୍ରନ୍ଦନରେ ଚତୁର୍ଦିଗ ପ୍ରକମ୍ପିତ ହୋଇଯାଏ ଯେ ନିଜର ମଣିଷଟିଏ ହଜିଯାଇଛି। ଧର୍ମ, ଜାତି, ଜାତୀୟତା, ସାମାଜିକ-ଅର୍ଥନୈତିକ ଶ୍ରେଣୀ ଭଳି ମାନବ-ନିର୍ମିତ କାରକ ଦ୍ବାରା ବିଭାଜନର ପରିଣାମ ମାନବିକତାରୁ ଧୀରେ ଧୀରେ ବିଚ୍ଛିନ୍ନ ହେବାକୁ ଲାଗୁଛି । ପ୍ରଯୁକ୍ତି ବିଦ୍ୟାର ଜ୍ଞାନ କୌଶଳ ଓ ପୁଞ୍ଜିବାଦର ଏହି ଯୁଗରେ, ଆମେ ମାନବିକତା ବିସ୍ତାର କରିବା ଅତ୍ୟନ୍ତ ଆବଶ୍ୟକ । ସମାଜର ପ୍ରତ୍ୟେକ ଧର୍ମ ଆମକୁ ମାନବିକତା, ଶାନ୍ତି ଏବଂ ପ୍ରେମ ବିଷୟରେ କହିଥାଏ; କିନ୍ତୁ ମଣିଷ ସବୁବେଳେ ଏପରି କାର୍ଯ୍ୟରେ ଲିପ୍ତ ରହିଥାଏ ଯାହା ମାନବିକତାକୁ ଅସମ୍ମାନ କରିଥାଏ । ଆମକୁ ଏକ ପିଢି ଭାବରେ ଦୁନିଆରେ ବଞ୍ଚିବାକୁ ଚେଷ୍ଟା କରିବାକୁ ପଡ଼ିବ, ଯେଉଁଠାରେ ସମସ୍ତେ ନ୍ୟାୟପୂର୍ଣ୍ଣ ଜୀବନଯାପନ କରିପାରିବେ । କେତେବେଳେ ମଣିଷ ଖାଦ୍ୟ ଅ​ନ୍ବେଷଣରେ ହଜୁଛି ତ ପୁଣି କେତେବେଳେ ମଣିଷ ସ୍ବାର୍ଥ ପାଇଁ ହଜିଯାଉଛି, ଅନ୍ୟ କେତେବେଳେ ମଣିଷ ହଜିବା ପାଇଁ ମଣିଷ ଚକ୍ରାନ୍ତ କରି ହଜେଇ ଦେଉଛି ଯାହା ହେଉଛି ମାନବିକ ଚିନ୍ତାଧାରାର ଅବକ୍ଷୟ । ବର୍ତ୍ତମାନର ମଣିଷ ଅନ୍ୟାୟ, ଅନୀତି, ଦୁଷ୍କର୍ମ ଆଦି କରି ଆଇନ ହାତରେ ଧରା ନଦେବା ପାଇଁ ମଧ୍ୟ ମଣିଷ ଆତ୍ମଗୋପନ କରିଥାଏ ଓ ସେଇଠି ହଜିଯାଇଥାଏ ମଣିଷର ଉଭୟ ଶାରୀରିକ ଓ ମାନସିକ ଉପସ୍ଥିତି । ସେତେବେଳେ ମଣିଷ ସାମାଜିକ ପ୍ରାଣୀ ହିସାବରେ ସମାଜକୁ ଭୟ କରିଥାଏ କାରଣ ସେ ନିଜକୁ ନିଜେ ହଜିଯାଇଛି ଓ ହଜେଇଦେଇଛି ମଣିଷର ମାନବୀୟ ଚିନ୍ତାଧାରା। ତେଣୁ ମଣିଷ ନିଜକୁ ଆବିଷ୍କାର କରିବା ପୂର୍ବରୁ ନିଜେ ହଜି ନଯାଉ ଓ ମଣିଷକୁ ମଣିଷ ସ୍ବାର୍ଥର ମୋହରେ ମୋହିତ ନହୋଇ ହଜେଇ ନଦିଅନ୍ତୁ ।

Comments are closed.