ମିଛ ମାୟାର ସଂସାର

ନରେନ୍ଦ୍ର ସେଠୀ

ପ୍ରାଚୀନ ଭାରତୀୟ ସନାତନ ଧର୍ମରେ କୁହାଯାଇଛି ‘ମିଛ ମାୟାର ସଂସାର….ଏହା ନୁହେଁ କାହାରି’ ବା ସଂସାରରେ ସବୁ ହେଉଛି ଏକ ମାୟା ଓ କ୍ଷଣସ୍ଥାୟୀ। ଆମେ ଏହାକୁ ଏକ ପୁରାତନ ଢଗ ଢମାଳି କହିପାରୁ ନଚେତ କୋଉ ଏକ ପାଗଳ ସନ୍ୟାସୀର ଧ୍ୟାନସ୍ଥ କଲମରୁ ନିଃସୃତ ଏକ ସାଧାରଣ ଗୀତ କହିପାରୁ। ମାତ୍ର କଥାଟା ସେଇଆ ନୁହେଁ। ଏହାର ତାତ୍ପର୍ଯ୍ୟ ସେ ମହାନ ସନ୍ନ୍ୟାସୀ ଜଣକ କେମିତି ହଜାର ହଜାର ବର୍ଷ ତଳେ ହୃଦୟଙ୍ଗମ କଲେ ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । କାରଣ ହେଲା ଆଧୁନିକତମ ଶୃଙ୍ଖଳ ବିଜ୍ଞାନ ତତ୍ୱ (String Theory)ଅନୁସାରେ ଆମେ ଯେତେବେଳେ କୌଣସି ଜିନିଷକୁ ଦେଖୁ ତାହାର ବ୍ୟବହାର ବଦଳିଯାଏ ବା ଏକ ଜିନିଷର ପ୍ରକୃତି ତାକୁ କେହି ଦେଖୁଚି ନା ନାହିଁ ତାହା ଉପରେ ନିର୍ଭର କରେ । ଅନ୍ୟ ଅର୍ଥରେ ବାସ୍ତବିକତା ଏକ ଭ୍ରମ ମାତ୍ର ଓ ଏହା କେବେଳ ସତ ଲାଗେ ଆମେ ଯେତେବେ​‌େ​‌ଳ ଏହାକୁ ଦେଖୁ ଅର୍ଥାତ୍‌ ଆମ ଦେଖିବା ଓ ନଦେଖିବା ଉପରେ ଜିନିଷର ଅବସ୍ଥିତି ନିର୍ଭର କରେ ବା ଆମେ ନଦେଖିଲା ସମୟରେ ହୁଏତ ଜିନିଷ ଭଳି କିଛି ବସ୍ତୁ ନଥାଏ। ଶୃଙ୍ଖଳ ବିଜ୍ଞାନର ଏହି ତଥ୍ୟ ଅନୁସାରେ ସଂସାରର ସବୁ ଜିନିଷ ମିଛ ବା ମାୟା ସଦୃଶ। ତେଣୁ ଶୃଙ୍ଖଳ ତଥ୍ୟ ଆମକୁ ଏକବିଂଶ ଶତାବ୍ଦୀରେ କହିଲା ଯେ ‘ସବୁ ମିଛ ମାୟା’ ଯାହା ସେହି ପାଗଳ ସନ୍ନ୍ୟାସୀ ତାଙ୍କ ଗୀତରେ କହି ଯାଇଥିଲେ। ତାହାଲେ ଏହି ସଂସାର ଓ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ କଅଣ ମିଛ?

ଏହି ବ୍ରହ୍ମାଣ୍ଡର ଏତେଦିନ ତିଷ୍ଠି ରହିବା କଅଣ ଏକ ଭାଗ୍ୟ ? ବିଜ୍ଞାନ ଅନୁସାରେ ଏହି ବ୍ରହ୍ମାଣ୍ଡର ତିଷ୍ଠି ରହିବା ଏକ ‘ମିଥ୍ୟା ଶୂନ୍ୟସ୍ଥାନ ଉପବାଦ୍ୟ’ ଉପରେ ପର୍ଯ୍ୟବସିତ ଯାହାକୁ ଅଧିକ ଆଲୋଚନା କରିବା ଦ୍ୱାରା ମନରେ କୋକୁଆ ଭୟ ସୃଷ୍ଟି କରେ। ବିଜ୍ଞାନର ମୌଳିକ ନିୟମ ଅନୁସାରେ ଏକ ଭୌତିକ ପ୍ରଣାଳୀ ଯେମିତିକି ଆମ ବ୍ରହ୍ମାଣ୍ଡ ନିଜର ବଳକା ଶକ୍ତି କୋଣସି ଉପାୟରେ ତ୍ୟାଗ କରି ସବୁବେଳେ ସର୍ବନିମ୍ନ ଶକ୍ତି ସ୍ଥିତିରେ ରହିବାକୁ ଚେଷ୍ଟା କରିଥାଏ କିନ୍ତୁ ଗତାନୁଗତିକ ଶାସ୍ତ୍ରୀୟ ପଦାର୍ଥ ବିଜ୍ଞାନ ଅନୁସାରେ ଏକ ଭୌତିକ ପ୍ରଣାଳୀ ନିମ୍ନ ଶକ୍ତି ସ୍ଥିତିରେ ପହଞ୍ଚି ସାରିଥିଲେ ମଧ୍ୟ ସେଠାରୁ ଆହୁରି ଏକ ନିମ୍ନତର ଶକ୍ତି ଥିବା ସ୍ଥିତି ସମ୍ଭବ ଓ ଏହା ସେଠାକୁ ଯିବାକୁ ସର୍ବଦା ଚେଷ୍ଟା କରିବ। ଏହାକୁ ଏକ ଉଚ୍ଚ ପାହାଡ଼ ପାଖରେ ଥିବା ଛୋଟ ଉପତ୍ୟକାକୁ ବଲ୍ ଗଡିଯାଉଥିବା ସଙ୍ଗେ ତୁଳନା କରି ବୁଝାଯାଇପାରେ । ଯଦି ବଲଟି ଛୋଟ ସମତଳ ଉପତ୍ୟକାରୁ ବାହାରକୁ ଯିବ ତାହାହେଲେ ଏହା ପାହାଡ଼ ଠାରୁ ଆହୁରି ଦୂରକୁ ଗଡ଼ିଯିବ। କିନ୍ତୁ ରୋଚକ କଥା ହେଲା ବଲକୁ ଉପତ୍ୟକାରୁ ବାହାରିବା ପାଇଁ କୋଣସି ବାଟ ମିଳୁନି, ତେଣୁ ଏହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସେହି ଉପତ୍ୟକାରେ ରହିବ। ଠିକ ସେମିତି ଆମର ବ୍ରହ୍ମାଣ୍ଡ ଅନିଦ୍ଷର୍ଦ୍ଦି କାଳ ପାଇଁ ଏମିତି ତିଷ୍ଠି ରହିଛି। ଅର୍ଥାତ୍‌ ଯୋଉଦିନ ପାହାଡ଼ ପାଖ ଛୋଟିଆ ଉପତ୍ୟକାରୁ ଆହୁରି ନିମ୍ନ ଇଲାକାକୁ ଯିବାକୁ ବାଟ ମିଳିଯିବ ସେଦିନ ବ୍ରହ୍ମାଣ୍ଡ ବର୍ତ୍ତମାନର ସ୍ଥିତିକୁ ତ୍ୟାଗ କରିବ ଓ ଏହାର ଧ୍ୱଂସ ହେବା ଆରମ୍ଭ ହେଇଯିବ।

ବିଜ୍ଞାନର ଏହି ସଦ୍ୟତମ ‘ମିଥ୍ୟା ଶୂନ୍ୟସ୍ଥାନ’ ତଥ୍ୟ ନିଶ୍ଚୟ ଭୟାବହ ଓ ମନରେ ଆଶଙ୍କା ତିଆରି କରୁଛି ଏଥିରେ ସନ୍ଦେହ ନାହିଁ । ସେହିପରି ଭୌତିକ ବିଜ୍ଞାନର ଶୃଙ୍ଖଳ ତଥ୍ୟକୁ ଯଦି ବିଚାରକୁ ନିଆଯାଏ ତାହାହେଲେ ମଧ୍ୟ ଏହି ବ୍ରହ୍ମାଣ୍ଡ ଏକ ମିତସ୍ଥାୟୀ ଅବସ୍ଥାରେ ଅଛି ବା ଏହା ଯୋଉ ଅବସ୍ଥାରେ ଅଛି ତାହା ଏକ ଅସ୍ଥାୟୀ ଅବସ୍ଥା । ଅର୍ଥାତ ବ୍ରହ୍ମାଣ୍ଡ ଯେ କୌଣସି ସମୟରେ ଏକ ନିମ୍ନ ସ୍ତରକୁ ଯାଇପାରେ ଓ ଯଦି ଏହା ହୁଏ ଏହା ବିନାଶର କାରଣ ହେବ ଓ ସବୁ ଧ୍ୱଂସ ପାଇଯିବ। ସତରେ କେଡେ ସାମଞ୍ଜସ୍ୟ ବିଜ୍ଞାନ ଓ ଆଧ୍ୟାତ୍ମର ଏହି ତଥ୍ୟରେ !କିନ୍ତୁ ସୌଭାଗ୍ୟର କଥା ଯେ ଆସନ୍ତା କିଛି କୋଟି ବର୍ଷ ପାଇଁ ଏହି ଅବସ୍ଥା ଆସିବାର ସମ୍ଭାବନା ନାହିଁ । ମଣିଷର ଜୀବନ କାଳ ସୀମିତ ଅଟେ। କେବଳ ବ୍ୟକ୍ତି ଭାବରେ ନୁହେଁ; ସୃଷ୍ଟିର ଏକ ପ୍ରଜାତି ଭାବରେ ମଧ୍ୟ ଏହାର ସମୟ ସୀମିତ। ଗ୍ଲୋବାଲ ୱାର୍ମିଂ ଏବଂ ପ୍ରଦୂଷଣ ଭଳି ଅନେକ ବିପଦରୁ ମାନବିକତାକୁ ରକ୍ଷା କରିପାରିବା ଭଳି କ୍ଷମତା ବିଜ୍ଞାନ ରଖିଛି। ଏପରିକି ମହାଜାଗତିକ ବିକିରଣ ଭଳି ମାନବ ସଭ୍ୟତାକୁ ସମାପ୍ତ କଲା ପରି ବିପଦକୁ ମଧ୍ୟ ସଫଳତାର ସହିତ ମୁକାବିଲା କରାଯାଇପାରେ ଯଦି ପର୍ଯ୍ୟାୟ ସମୟ ଦିଆଯାଏ କିନ୍ତୁ ଅଦୃଶ୍ୟ ଭାବରେ ଆମ ପୃଥିବୀ ସହିତ ସମଗ୍ର ଆକାଶ ଗଙ୍ଗାକୁ ଧ୍ୱଂସ କଲାପରି କ୍ଷମତା ରଖିଥିବା ଏକ ପ୍ରଚଣ୍ଡ ମହାଜାଗତିକ ବିକିରଣ ଯଦି ଝଡ଼ ରୂପରେ ମାଡି ଆସେ ତେବେ କଣ ହେବ? କିଛି ଚିନ୍ତା କରିବାର ନାହିଁ, ସବୁ ମିଛ ମାୟାର ସଂସାର !!!

ଅନ୍ୟ ପକ୍ଷରେ ଯାହା ଆମ ପାଇଁ କୋଟି କୋଟି ବର୍ଷ ଲାଗୁଚି ତାହା ବ୍ରହ୍ମାଣ୍ଡ ପାଇଁ ଏକ ସ୍ୱଳ୍ପ ସମୟ ଅଟେ। ଏହି ବ୍ରହ୍ମାଣ୍ଡ ୧୪ଶହ କୋଟି ବର୍ଷ ପୂର୍ବେ ତିଆରି ହୋଇଥିଲା ଓ ପୃଥିବୀର ସୃଷ୍ଟି ସାଢେ ଚାରିଶ କୋଟି ବର୍ଷ ପୂର୍ବରୁ ହୋଇଥିଲା ବୋଲି ବିଜ୍ଞାନ ମତ ଦିଏ। ସରଳରେ ବୁଝିବା ନିମିତ୍ତ ଯଦି ପୃଥିବୀର ଏହି ବୟସକୁ ସଂକୁଚିତ କରି ସାଢେ ଚାରିଦିନ କରିଦିଆଯାଏ, ତାହାହେଲେ ମଣିଷର ଆବିର୍ଭାବ ମାତ୍ର ଚାରି ଘଣ୍ଟା ପୂର୍ବରୁ, ଶିଳ୍ପ ବିପ୍ଳବ ମାତ୍ର ଏକ ମିନିଟ ପୂର୍ବରୁ ହୋଇଛି। ଏହା ମଧ୍ୟରେ ମଣିଷ ପୃଥିବୀର ତିରିଶି ପ୍ରତିଶତ ଜଣାଗଲା ନଷ୍ଟ କରି ସାରିଲାଣି। ଏହି ସମୟ ଭିତରେ ଜଣେ ମଣିଷର ଆୟୁ କେତେ ସ୍ୱଳ୍ପ ଓ ଅସ୍ଥାୟୀ ତାହା କଳ୍ପନା କରାଯାଇ ପାରେ। ମାନବ ଇତିହାସର ଏ ପର୍ଯ୍ୟନ୍ତ ଉଠାଯାଇଥିବା ସବୁଠୁ କୌତୂହଳ ଫଟୋ ମଧ୍ୟରେ ୧୯୯୦ ମସିହାରେ ନାସାର ଭୟେଜର -୧ ଉପଗ୍ରହ ପୃଥିବୀର ଛଶହ ପଚାଶ କୋଟି କିଲୋମିଟର ଉପରେ ଥାଇ ନେଇଥିବା ଫଟୋରେ ପୃଥିବୀ ମହାକାଶରେ ଗ୍ରହ, ଉପଗ୍ରହ, ତାରା ପୁଞ୍ଜମାନଙ୍କ ମଧ୍ୟରେ ଭାସୁଥିବା ଏକ ନୀଳ ବିନ୍ଦୁ ସଦୃଶ ଦେଖା ଯାଇଥିଲା। ଏକ ଫଟୋକୁ ଦେଖି ଆମେରିକୀୟ ମହାକାଶଚାରୀ କାର୍ଲ ସାଗାନତାଙ୍କ ପୁସ୍ତକ ‘ଚବକ୍ଷର ଈକ୍ଷଙ୍କର ଊକ୍ଟଗ୍ଧ’ ରେ ଲେଖିଛନ୍ତି,ଆମ ପୃଥିବୀ ସମଗ୍ର ବ୍ରହ୍ମାଣ୍ଡ ଭିତରେ ଏକ ଛୋଟିଆ ଫିକା ନୀଳ ବିନ୍ଦୁ ସଦୃଶ। ଅର୍ଥାତ୍‌ ଆମର ଅବସ୍ଥିତି, ପ୍ରତିପତ୍ତି ଓ ଗର୍ବ ଅହଂକାର ସବୁ କ୍ଷଣିକ ମାତ୍ର।

Comments are closed.