ଦରବୃଦ୍ଧିର ପ୍ରହାର

ଶ୍ୟାମସୁନ୍ଦର ଅଗ୍ରୱାଲା

କଥାଟିଏ ଆପଣ ଶୁଣିଥିବେ। ଯେତେବେଳେ ଛୋଟ ପିଲାଟିଏ ତାହାର ଜୋତା ହଳେ ନ ଥିବାରୁ ଭଗବାନଙ୍କ ପାଖରେ ଅଭିଯୋଗ କରିଥିଲା, ମନ୍ଦିରର ପୂଜାରୀ ତାକୁ ବୁଝେଇ ସୁଝେଇ କହିଥିଲେ “ତୁ ଥରେ ତୋ’ର ପଡ଼ୋଶୀ ଘରର ପିଲାଟିକୁ ଦେଖେ, ଯାହାର ଗୋଡ଼ ଦୁଇଟି ନାହିଁ। ତୋ’ର ଅନ୍ତତଃ ଦୁଇଟିଯାକ ଗୋଡ଼ ତ ଅଛି। ତେଣୁ ତୁ ଦୁଃଖ କରୁଛୁ କାହିଁକି?” ଏ କଥା ଶୁଣି ପିଲାଟି ହଠାତ୍‍ ତା’ର ଅଭିଯୋଗ ପ୍ରତ୍ୟାହାର କରିଦେଲା ଓ ନିଜକୁ ଭାଗ୍ୟବାନ ମନେ କରି ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଦେବାକୁ ଲାଗିଲା। ସେ ଭାବିଲା ଭଗବାନ ତାକୁ ଜୋତା ନ ଦେଲେ କ’ଣ ହେଲା, ଦୁଇଟି ଯାକ ଗୋଡ଼ ତ ଦେଇଛନ୍ତି!

ଠିକ୍‍ ଏହି କଥା ପରି ବର୍ତ୍ତମାନ ଯେତେବେଳେ ଭାରତୀୟ ବଜାରରେ ଆକାଶଛୁଆଁ ଦରବୃଦ୍ଧି ପାଇଁ ସରକାରଙ୍କ ଅପାରଗତାକୁ ନେଇ ଅଭିଯୋଗ କରାଯାଉଛି, ସେତେବେଳେ ଆମ ସରକାରଙ୍କର ତଥାକଥିତ ଭକ୍ତବୃନ୍ଦ ଏହାର ଉତ୍ତର ଦେଇ କହୁଛନ୍ତି ଯେ ଆପଣମାନେ ଆମ ପଡ଼ୋଶୀ ଦେଶମାନଙ୍କରେ ଘଟୁଥିବା ଦରବୃଦ୍ଧିକୁ ଦେଖୁନାହାନ୍ତି କାହିଁକି? ସିଂହଳରେ ପେଟ୍ରୋଲ ଲିଟରର ଦାମ ବର୍ତ୍ତମାନ ପାଞ୍ଚଶହ ଟଙ୍କା ଆଉ ପାକିସ୍ତାନରେ ଯେତେ ଟଙ୍କା ଦେଲେ ବି ପିଇବାକୁ ଚା’ ଟିକେ ମିଳୁନାହିଁ। ନେପାଳ ଓ ବାଂଲାଦେଶର ଅର୍ଥନୀତି ଭୁଶୁଡ଼ି ପଡ଼ିଲାଣି। ଚାରିଆଡ଼େ ଅଭାବ ଅନଟନର ହାହାକାର ଶୁଭୁଛି। ଏ ସବୁ ଦେଖିଲେ ଆପଣମାନେ ଆମ ଦେଶରେ ନିଜକୁ ଭାଗ୍ୟବାନ ମନେ କରୁ ନାହାନ୍ତି କି? ତେଣୁ ଏତେ ଅଭିଯୋଗ କରୁଛନ୍ତି କାହିଁକି?

ଏ’ମାନଙ୍କର ଏହିପରି ଯୁକ୍ତି ଯଥାର୍ଥ ମନେ ହୁଏ। କଥାରେ ଅଛି ‘ନାହିଁ ମାମୁ ଠାରୁ କଣା ମାମୁ ଭଲ’। ମାଡ଼ ଖାଇବା ଅପେକ୍ଷା ଗାଳି ଶୁଣିବା ଭଲ ନୁହେଁ କି? ଗୋଟିଏ ଗାଁରେ ବାପପୁଅ ଦୁଇଜଣ ରହୁଥିଲେ। ବାପଟି ବଡ଼ କଳିଆ ବୁଢ଼ାଟେ ଥିଲା। ଦିନ ରାତି ସମସ୍ତଙ୍କ ସହିତ ଅଯଥାରେ ଗୁଡ଼ାଏ କଳି କଜିଆ କରୁଥିଲା। ଘର ଦୁଆର ବନ୍ଧ ଉପରେ ବସିପଡି଼ ରାସ୍ତାରେ ଯିଏ ଯାଉଥିଲା ତାଙ୍କୁ ଗୁଡ଼ାଏ ଗାଳି ଗୁଲଜ କରୁଥିଲା। ଦିନେ ବାପଟି ମରିଯିବା ପୂର୍ବରୁ ତା’ ପୁଅକୁ ଡାକି କହିଲା “ଦେଖ ମୋତେ ଗାଁ ଲୋକମାନେ ଛି ଛାକର କରୁଛନ୍ତି। ମୋ ଅନ୍ତେ ତୁ କିନ୍ତୁ ଏମିତି କାମ କରିବୁ ଯେ ଗାଁ ଲୋକମାନେ ମୁଁ ତୋ ବାପ ବୋଲି କହି ମୋତେ ପ୍ରଶଂସା କରିବେ।” ପୁଅଟି ବଡ଼ ହରଡ଼ଘଣାରେ ପଡି଼ଗଲା। ଗାଁ ଲୋକମାନେ ବାପକୁ ଘୃଣା କରୁଥିଲେ। ଏହା କିପରି ସମ୍ଭବପର ହେବ? ତେଣୁ ସେ କ’ଣ କଲା ନା ଗୋଟେ ଲମ୍ବା ବାଡି଼ ଧରି ଦୁଆର ବନ୍ଧ ଉପରେ ବସି ପଡି଼ଲା ଆଉ ଯିଏ ସେବାଟେ ଗଲା ସେମାନଙ୍କୁ ବାଡି଼ରେ ପିଟିବାକୁ ଦୌଡି଼ଲା। କେତେଜଣ ଦୌଡି଼ ନପାରି ଖଣ୍ଡିଆ ଖାବରା ହୋଇଗଲେ। ଏ କଥା ଦେଖି ଗ୍ରାମବାସୀମାନେ ବାପାକୁ ପ୍ରଶଂସା କରି କହିଲେ “ଆରେ, ୟା’ ବାପଟା କେତେ ଭଲ ଥିଲା। ସେ ତ ଖାଲି ମୁହଁରେ ଗାଳିଗୁଲଜ କରୁଥିଲା ଆଉ ଇୟେ ତ ହାତରେ ବାଡି଼ଧରି ସମସ୍ତଙ୍କୁ ରକ୍ତାକ୍ତ କରିସାରିଲାଣି।”

ଆଜ୍ଞା, ବର୍ତ୍ତମାନ ଆମ ବଜାରର ଦରବୃଦ୍ଧି ଆମକୁ ଖାଲି ଗାଲିଗୁଲଜ କରୁଥିବା ବେଳେ ପଡ଼ୋଶୀ ଦେଶର ଲୋକମାନଙ୍କୁ ମାଡ଼ ମାରି ଖଣ୍ଡିଆ ଖାବରା କରିସାରିଲାଣି; କିନ୍ତୁ ଆପଣମାନଙ୍କୁ ଖାଲି ବଜାରର ଗାଳି ଶୁଭୁଛି କିନ୍ତୁ ବାଡି ଦିଶୁନାହିଁ। ପାକିସ୍ତାନ ଓ ସିଂହଳ ଦେଶର ଲୋକମାନେ ଖଣ୍ଡିଆ ଖାବରା ହୋଇ ରକ୍ତାକ୍ତ ସଂଘର୍ଷ କରୁଛନ୍ତି ଅଥଚ ଆପଣମାନେ ଖାଲି କିଛି ଗାଳି ଶୁଣି ଅଯଥାରେ ଆମ ଦେଶକୁ ବଦନାମ କରୁଛନ୍ତି। ଏଠି ମାତ୍ର ପଚାଶ ଟଙ୍କା ଗ୍ୟାସ ଦର ବଢ଼ିଯିବାରୁ ଆପଣମାନେ ରାସ୍ତାକୁ ଓହ୍ଲେଇ ପଡୁଛନ୍ତି। ପାକିସ୍ତାନରେ ଗ୍ୟାସ ଦର କେତେ ବଢ଼ିଛି ଜାଣିଛନ୍ତି? ଶୁଣିଲେ ଆପଣଙ୍କୁ ମାଡ଼ ଖାଇବା ଅପେକ୍ଷା ଆମ ଦେଶରେ ଗାଳି ଶୁଣିବାକୁ ନିଶ୍ଚିତ ଭଲ ଲାଗିବ।

ବନ୍ଧୁଗଣ, ଆମ ଦେଶରେ ସରକାର ଯାହାର ହେଉ ନା କାହିଁକି ଯାହା ସବୁ ଏଠି ଭଲ ହେଉଛି ସବୁ ଆମ ସରକାର କରିଛି ଆଉ ଯାହା ସବୁ ବିଭ୍ରାଟ ହେଉଛି ସେ ସବୁ କିଏ ତ ପୂର୍ବ ସରକାରଙ୍କର ଭୁଲ ନୀତି ଯୋଗୁଁ ହେଉଛି କିମ୍ବା ବିଶ୍ୱ ଅର୍ଥନୀତିର କୁପ୍ରଭାବରେ ହେଉଛି। ବର୍ତ୍ତମାନ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ, ବଜାରରେ ଦରବୃଦ୍ଧିର ସଫେଇ ନିମନ୍ତେ ବହୁତ ସୁହାଉଛି। ହାଟରେ ପରିବା ଦୋକାନୀକୁ ଯଦି ପଚାରୁଛନ୍ତି “କିହୋ ପିଆଜ ଦର ଏତେ କାହିଁକି? ସେ କହୁଛି, ଆଜ୍ଞା, ଆପଣ ଖବରକାଗଜ ପଢୁନାହାନ୍ତି କି? ରୁଷିଆ ଆଉ ୟୁକ୍ରେନ ଭିତରେ ପରା ଘମାଘୋଟ ଲଢ଼େଇ ଚାଲିଛି। ପିଆଜ ଆସିବ କେଉଁଠୁ? ଉଜବେକିସ୍ତାନରେ ପିଆଜ କିଲୋକୁ ଦୁଇଶହ ହେଲାଣି। ଇଂଲଣ୍ଡରେ ଯେତେ ଦାମ ଦେଲେ ବି ପିଆଜ ବଜାରରେ ନାହିଁ। ସେଠି ଦେକାନୀମାନେ ଗଣି ଗଣି ପିଆଜ ଦେଉଛନ୍ତି। ମୁଁ ବୋଲି ପାଟି ତୁଣ୍ଡ କରି ଏତିକି ପିଆଜ ଗୋଦାମରୁ ଆଣିଛି।” ଏ କଥା ଶୁଣି ଆପଣ ଭାବିବେ ଯେ ହଉ ପଛେ ଦର ତିନିଗୁଣ କିନ୍ତୁ ପିଆଜ ତିନିଟା ମିଳୁଛି ତ? ଇଂଲଣ୍ଡର ଲୋକମାନଙ୍କଠାରୁ ଆମେ ଅଧିକ ଭାଗ୍ୟବାନ ନୋହୁଁ କି?

କଂଗ୍ରେସ ସରକାରଙ୍କ ଅମଳରେ ଯେତେବେଳେ ଗ୍ୟାସ ଦରବୃଦ୍ଧି ହେଉଥିଲା ସେତେବେଳେ ବିରୋଧୀଦଳର ନେତ୍ରୀମାନେ ମୁଣ୍ଡରେ ଗ୍ୟାସ ହାଣ୍ଡି ମୁଣ୍ଡେଇ ରାସ୍ତାରେ ବସି ପଡୁଥିଲେ। ସେତେବେଳେ ସରକାର ତୈଳର ବିଶ୍ୱ ବଜାର ପ୍ରଭାବ ଯୋଗୁଁ ଏହି ଦରବୃଦ୍ଧି ବାଧ୍ୟବାଧକତା କହି ଯୁକ୍ତି ବାଢୁଥିଲେ; କିନ୍ତୁ ବିରୋଧୀ ନେତ୍ରୀମାନେ ଏହାକୁ କର୍ଣ୍ଣପାତ ନ କରି ‘ହାୟ’ ‘ହାୟ’ କହି ଖଣ୍ଡମଣ୍ଡଳ ପ୍ରକମ୍ପିତ କରିଦେଉଥିଲେ। ବର୍ତ୍ତମାନ ପାଶା ପଲଟିଯାଇଛି। କଂଗ୍ରେସ ନେତ୍ରୀମାନେ ଗ୍ୟାସ ହାଣ୍ଡି ମୁଣ୍ଡରେ ନଦି ରାସ୍ତା ଉପରେ ବସି ପଡୁଛନ୍ତି ଆଉ ସରକାର ପୁନଶ୍ଚ ସେହି ବିଶ୍ୱ ବଜାରର ତୈଳଦରର ଅସ୍ଥିରତା ଯୋଗୁଁ ବଢୁଛି ବୋଲି ସଫେଇ ଦେଉଛନ୍ତି। କଂଗ୍ରେସ ମୁଖପାତ୍ରମାନେ କହୁଛନ୍ତି ଆମ ସମୟରେ ବଜାରରେ ଦରବୃଦ୍ଧି ହେଉଥିଲା ସତ; କିନ୍ତୁ ତୁମ ଭଳି ତିନିଗୁଣରୁ ଚାରିଗୁଣ ନୁହେଁ। ବନ୍ଧୁଗଣ, ପୁନଶ୍ଚ ସେହି ଯୁକ୍ତି, ଆମେ ତୁମର ଜୋତା ହଳକ ନେଇ ଯାଇଥିଲୁ ସତ କିନ୍ତୁ ତୁମେ ତ ଆମର ଗୋଡ଼ ଦି’ଟା କାଟିସାରିଲଣି। ଆମେ ତୁମକୁ ଗାଳି ଦେଉଥିଲୁ ସତ; କିନ୍ତୁ ତୁମେ ତ ଆମକୁ ପିଟି ପଟି ଖଣ୍ଡିଆ ଖାବରା କରିସାରିଲଣି।

Comments are closed.