ଭାରତରେ ଭାରତକୁ ଖୋଜୁଥିବା

ଈପ୍ସିତା ମହାନ୍ତି

ଗାନ୍ଧୀ, ଗୋପବନ୍ଧୁ, ମର୍ଯ୍ୟାଦା ପୁରୁଷ ଶ୍ରୀରାମ, ପ୍ରଭୁ ଶ୍ରୀକୃଷ୍ଣ, ଭଗବାନ ବୁଦ୍ଧଦେବଙ୍କ ଜନ୍ମଭୂମି ହେଉଛି ପବିତ୍ର ଭାରତ। ଏହିଠାରୁ ହିଁ ସାରା ଦୁନିଆକୁ ଅହିଂସାର ବାର୍ତ୍ତା ବିଚ୍ଛୁରିତ ହୋଇଥିଲା। ଏକଦା କଳା, ସାହିତ୍ୟ, ଜ୍ଞାନ, ବିଜ୍ଞାନ, କାରିଗରୀ ଆଦି ବିଦ୍ୟା ସହ ଅମାପ ଧନଦୌଲତରେ ପରିପୂର୍ଣ୍ଣ ଥିଲା ମୋ’ ଦେଶ ଭାରତବର୍ଷ। ଯେଉଁଥିପାଇଁ ସମୟକ୍ରମେ ବିଦେଶୀଙ୍କ ଦ୍ବାରା ସେ କେବଳ ଲୁଣ୍ଠିତ ହୋଇନି ଶୋଷିତ ଓ ଶାସିତ ମଧ୍ୟ ହୋଇଛି। ଦିନଥିଲା ଶିକ୍ଷା ଗ୍ରହଣ ପାଇଁ ଏଠାକାର ତକ୍ଷଶିଳା, ନାଳନ୍ଦା ଭଳି ଶିକ୍ଷାନୁଷ୍ଠାନକୁ ବହୁସଂଖ୍ୟକ ବିଦେଶୀ ଶିକ୍ଷାର୍ଥୀଙ୍କ ସୁଅ ଛୁଟୁଥିଲା। ଏବେ କିନ୍ତୁ ଗଙ୍ଗା ଓଲଟା ବହୁଛି, ଭାରତୀୟମାନେ ଆଜି ଶିକ୍ଷା ଗ୍ରହଣ ପାଇଁ ବିଦେଶକୁ ଦୌଡୁଛନ୍ତି। ସ୍ବାଧୀନ ଭାରତରେ ପୂର୍ବର ଏଭଳି ଅନେକ ଜିନିଷ, କଥା, ଗାଥା ଆଜି ବିଲୁପ୍ତପ୍ରାୟ। ‘ଖୋଜିଲେ ବି ପାଇବନି‘ ଅବା ‘ଖୋଜୁଥିବ ବସି‘ ଏଭଳି କଥା ଆଜି ଭାରତରେ ବହୁଳ ଭାବେ ଶୁଣିବାକୁ ମିଳୁଛି। ଯେତେବେଳେ ମୁଁ ଏହି ଶବ୍ଦଗୁଡିକୁ ଶୁଣେ ସେତେବେଳେ ମୋ’ ମନକୁ ଆପେଆପେ ଗୋଟିଏ କଥା ଚାଲିଆସେ ଯେ, ଭାରତ ଭଳି ଏହି ମହାନ ଦେଶରେ ଲାଞ୍ଚ, ମିଛ, ଅନୀତି, ଦୁର୍ନୀତି, ଅପରାଧ, ଅନ୍ୟାୟ, ଠକେଇ ଇତ୍ୟାଦି ତ ପ୍ରଚୁର ପରିମାଣରେ ଉପଲବ୍ଧ। ଏମିତି ଆଉ କେଉଁ ଅଭାଗା ଜିନିଷ ବା ବସ୍ତୁ ଏଠାରେ ରହିଛି ଯାହା ଡାଇନୋସର ପରି ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବ ଏବଂ ତାହାକୁ ପାଇବା ପାଇଁ ଆମକୁ ଖୋଜିବାକୁ ପଡିବ ?

ଲାଞ୍ଚ ! ଏହା କ’ଣ ସତରେ କେବେ ବିଲୁପ୍ତ ହୋଇପାରେ? ଲାଞ୍ଚ ଆମ ଦେଶର ଏକ ମହାନ କଳା ! କଳାର ମୃତ୍ୟୁ ନାହିଁ। ଭାରତରେ ଲାଞ୍ଚର ଅସ୍ତିତ୍ୱ କଥା ଯଦି ଚିନ୍ତା କରିବା ତେବେ ଗୋଟିଏ କଥା ସତ ଯେ, ଯେତେ ଦିନ ଯାଏ ମାନବରୂପୀ ଦୁଇଗୋଡ଼ିଆ ପ୍ରାଣୀ ଏଠାରେ ରହିଥିବେ ସେତେଦିନ ପର୍ଯ୍ୟନ୍ତ ଭାରତରେ ଲାଞ୍ଚ ରହିଥିବ। ଏହାର ସୁରକ୍ଷା ପାଇଁ ଭାରତବାସୀ ସ୍ବୟଂ ପ୍ରାଣବଳି ଦେଇଦେବେ ପଛେ, ଏହି କଳାକୁ କ୍ଷତି ପହଞ୍ଚାଇବାକୁ ଦେବେ ନାହିଁ। କାରଣ ଲାଞ୍ଚ ବିଲୁପ୍ତ ହୋଇଗଲେ ଆମେ ଭାରତୀୟମାନେ ବଞ୍ଚିବା କିପରି ? ଲାଞ୍ଚ ନେବା କୌଣସି ପିଲା ଖେଳ ନୁହେଁ! ଏହି ବିପଜ୍ଜନକ କାର୍ଯ୍ୟରେ ଅପରିଚିତ ବ୍ୟକ୍ତି ଝାଳନାଳ ହୋଇଯିବେ। ସେମାନଙ୍କ ଅାଖିକାନ ଅନ୍ଧକାର ହୋଇଯିବ। ଲାଞ୍ଚ ନେବା ପୂର୍ବରୁ ଲାଞ୍ଚ ଦେବାକୁ ମଧ୍ୟ ପଡିଥାଏ। ଯେମିତି, ପ୍ରଥମେ ଲାଞ୍ଚ (ଉତ୍କୋଚ) ଦେଇ ଚାକିରିରେ ପ୍ରବେଶ କରିବାକୁ ପଡେ। ତା’ପରେ ଲାଞ୍ଚ ନେଇ ନିଜ ଜ୍ଞାତିକୁଟୁମ୍ବଙ୍କ ପେଟ ଭରିବାକୁ ପଡିଥାଏ। ଆଶ୍ଚର୍ଯ୍ୟ ହେଲେ ବି ଏକଥା ସତ ଯେ, ଆମ ଦେଶର ବସ୍ତି ଅଞ୍ଚଳର ଭଙ୍ଗା କୁଡିଆରେ ବସବାସ କରୁଥିବା ନାଗରିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ସମସ୍ତ ନାଗରିକଙ୍କୁ ଲାଞ୍ଚ ଦେବାକୁ ପଡିଥାଏ। ବାସ୍ତବିକ୍ ଯାହାର କ୍ଷେତ୍ର ଯେତେ ବ୍ୟାପକ ତାହାର ବିଲୁପ୍ତି ସେତେ ଅସମ୍ଭବ। ଏହି ଦୃଷ୍ଟିରୁ ଚିନ୍ତା କଲେ ବୁଝି ପାରିବା ଯେ ଲାଞ୍ଚର ବିଲୁପ୍ତି ଅସମ୍ଭବ। ଚା-ପାଣି (ଲାଞ୍ଚ) ବିନା ତୋ ପଦୋନ୍ନତିର ଫାଇଲଟିକୁ ମୁଁ ଖୋଜିଦେବି, ଏ କଥା କୁମ୍ଭୀରଟି କେବେ ଛୋଟ ମାଛକୁ କହିବ କି ? ବାସ୍ତବରେ ଲାଞ୍ଚ ବିନା ନିଜ ଫାଇଲକୁ ଆମେ ଖୋଜିଲେ ମଧ୍ୟ ପାଇବାନି !

ଭାରତରେ ଧାର୍ମିକ ସଂକୀର୍ଣ୍ଣତା ଆଜି ଚେର ମେଲାଇ ଚାଲିଛି। ଚାରିଆଡ଼େ ଅସହିଷ୍ଣୁତାର ବାତାବରଣ। ଏହାର ଅନ୍ତ କିନ୍ତୁ ଅସମ୍ଭବ ! କାରଣ ରାମ, ରହିମ, ଗୁରୁ, ସାହେବ, ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ୱାର ଆଦି ନାମରେ ଯେଉଁମାନେ କ୍ଷମତାର ଚୌକି ହାତେଇବାକୁ ଯୋଜନା କରୁଛନ୍ତି, ସେହି ରାଜନେତାଙ୍କ ଭବିଷ୍ୟତ କ’ଣ ହେବ ? ଏପରି ହେଲେ ହିନ୍ଦୁ, ମୁସଲମାନ, ଶିଖ୍, ଇସାହୀ, ଆଦିବାସୀ, ଦଳିତ, ବ୍ରାହ୍ମଣ, ପଛୁଆବର୍ଗ ଆଦି ରୂପରେ ସେମାନଙ୍କ ଦ୍ବାରା ସୃଷ୍ଟି ହୋଇଥିବା ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବନି ! ତେଣୁ ଏଭଳି ଚିନ୍ତାଧାରା ରଖୁଥିବା ନେତାଗଣ ଏହାର ଅନ୍ତ ଘଟାଇବାକୁ କେବେ ବି ଚାହିଁବେ ନାହିଁ କିମ୍ବା ଅନୁମତି ମଧ୍ୟ ଦେବେନି। କାରଣ ସେମାନଙ୍କ ପଛପଟୁ ଚୌକି ଖସିଯିବ। ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଭଳି ବିଶାଳ ହୃଦୟର ରାଜନେତାଙ୍କୁ ଭାରତୀୟ ଜନଗଣ ଖୋଜି ପାଇବା ଅସମ୍ଭବ।

କ୍ରିକେଟ ହେଉ କି ଫୁଟବଲ୍ ଅବା ହକି, ଖେଳ ପ୍ରତି ଭାରତୀୟଙ୍କର ରହିଛି ଅକୁଣ୍ଠ ଭଲପାଇବା। ଏହାକୁ ଆମେ କ୍ରୀଡା ପ୍ରତି ଭାରତୀୟଙ୍କ ଦୁର୍ବଳତା ବୋଲି ମଧ୍ୟ କହି ପାରିବା। ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଆମ ଭାରତୀୟ ଦଳ କ୍ବଚିତ୍‌ ଜିତୁଛନ୍ତି କିନ୍ତୁ ଅଧିକାଂଶ ସମୟରେ ହାରି ଚାଲିଛନ୍ତି। ହାରିବା ଭାରତୀୟଙ୍କ ଅଭ୍ୟାସରେ ପରିଣତ ହୋଇଗଲାଣି। ଭାରତୀୟ ଖେଳାଳି ନିଦରୁ ଉଠି ଜାଗ୍ରତ ହେଲେ, ଚମତ୍କାରିତା ଦେଖାଇଲେ ବିଜୟକୁ ଖୋଜି ପାଇବେ; କିନ୍ତୁ ଭାରତୀୟ ଖେଳାଳିଙ୍କ ଠାରେ ଜିତିବା ପାଇଁ ଆବଶ୍ୟକ ହେଉଥିବା ଧୈର୍ଯ୍ୟ ଏବଂ ନିଷ୍ଠାର ଅଭାବ ରହିଛି। ଏହି କାରଣରୁ ହାରିବା ସେମାନଙ୍କ ପିଛା ଛାଡୁ ନାହିଁ। ଏଭଳି ସ୍ଥିତିରେ ବିଜୟକୁ ଖୋଜି ପାଇବା ଆମ ଭାରତୀୟଙ୍କ ପାଇଁ ଅସମ୍ଭବ ମନେହୁଏ। ଏମିତି ବି ସମୟ ଆସିବ ଖେଳାଳିମାନେ ଅର୍ଥ ଲୋଭରେ ଆକସ୍ମିକ ଭାବେ ଜିତିବାକୁ ଥିବା ସେହି ଗୋଟାଏ ଦିଇଟା ମ୍ୟାଚକୁ ମଧ୍ୟ ହାରିବା ଆରମ୍ଭ କରିଦେବେ, ଏହା ଅସମ୍ଭବ ନୁହେଁ। ଏପରି ହେଲେ ଆମେ ଭାରତୀୟ କ୍ରୀଡ଼ାପ୍ରେମୀ ନିଜ ଦଳର ବିଜୟ ଖବରକୁ ଖବରକାଗଜରେ ଖୋଜିବାରେ ଲାଗିବା।

ଆମେ ଭାରତୀୟମାନେ ଅନ୍ୟ ଏକ କ୍ଷେତ୍ରରେ କିନ୍ତୁ ବହୁତ ଅଗ୍ରଗତି କରିଛନ୍ତି। ସେହି କ୍ଷେତ୍ରଟି ହେଉଛି ’ପାଚନ ବା ହଜମ ଶକ୍ତି’। ଏକଦା ଦାନବୀର ହରିଶ୍ଚନ୍ଦ୍ରଙ୍କ ଭଳି ରାଜା ମଧ୍ୟ ସାମାନ୍ୟ ମିଛକୁ ହଜମ କରିପାରୁ ନ ଥିଲେ। ଆଜି କିନ୍ତୁ ମିଛ କହିବା ଛାଡନ୍ତୁ, ଭାରତୀୟମାନେ ପଶୁଙ୍କ ଖାଦ୍ୟ ଠାରୁ ଆରମ୍ଭ କରି ଚାରା ସମେତ ବିଡା ବିଡା ନୋଟକୁ ମଧ୍ୟ ଅତି ସହଜରେ ଖାଇ ପାରୁଛନ୍ତି। ନାଳଠାରୁ ପୋଲ ଯାଏ, ପାଇଖାନାଠାରୁ ରାସ୍ତାଘାଟ ସବୁ ଠିକା କାମରେ ଏମାନଙ୍କୁ ଦରକାର ପର୍ସେଣ୍ଟେଜ, ମାନେ ପିସି। କଥା ପଦକେ ଏମାନେ ପଇସା ଖୋଜନ୍ତି। ସତେ ଯେମିତି ଏମାନଙ୍କୁ ସବୁ କିଛି ନିଅଣ୍ଟ ! ବଡ଼କଥା ହେଉଛି ଏମାନେ ବିନା ହଜମୋଲା ଗୋଲିରେ ଅନାୟା ସରେ ଏସବୁକୁ ଖାଇ ହଜମ କରି ପାରୁଛନ୍ତି ! ଏଥିପାଇଁ ଆମ ଭାରତୀୟମାନେ ଗର୍ବ ଅନୁଭବ ବି କରନ୍ତି। ଅଭିମାନର ସହକାରେ କେହିକେହି ଏ କଥା ମଧ୍ୟ କହନ୍ତି ଯେ ‘ଯାହାର ହଜମ ଶକ୍ତି ଦୁର୍ବଳ’ ଭାରତରେ ସେହିପରି ନାଗରିକଙ୍କୁ ତୁମେ ଖୋଜିଲେ ମଧ୍ୟ ପାଇବ ନାହିଁ।

ଆଜିର ଭାରତ ଆଧୁନିକତା ଆଡକୁ ଦ୍ରୁତଗତିରେ ଅଗ୍ରସର ହେଉଛି। ଆଧୁନିକତା ଖରାପ ନୁହେଁ; କିନ୍ତୁ ଆଧୁନିକତା ନାମରେ ନିଜ ପରମ୍ପରା ଓ ସଂସ୍କୃତିକୁ ଭୁଲିଯିବା ଆଦୌ ସ୍ପୃହଣୀୟ ନୁହେଁ। ଏହି ଉଗ୍ର ଆଧୁନିକତା ହେତୁ କ୍ଷୀର ପିଉଥିବା ଝିଅଙ୍କ ଠାରୁ ଆରମ୍ଭ କରି ୮୦ ବର୍ଷ ବୟସ୍କା ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ଆଧୁନିକତାକୁ ଆବୋରି ନେଇଥିବା ଆଜିର ଯୁବପିଢ଼ି ନିଜ ଗୁରୁଜନଙ୍କୁ ଏ କଥା ମଧ୍ୟ କହିଚାଲିଛନ୍ତି ଯେ, ଏହି ଦେଶରେ ତୁମେ ପ୍ରାଚୀନ ସଭ୍ୟତା ଏବଂ ସଂସ୍କୃତିକୁ ଖୋଜିଲେ ମଧ୍ୟ ଆଉ ପାଇବନି। ଅନୀତି, ଦୁର୍ନୀତି, ଲାଞ୍ଚ, ମିଛ ଭଳି ଆଧୁନିକ ଶବ୍ଦଗୁଡ଼ିକ ଚିରକାଳ ପାଇଁ ଏଠାରେ ବଜାୟ ରହିବ। କାରଣ ସାରା ଭାରତରେ ଏମାନଙ୍କର ଚେର ମାଡି ସାରିଲାଣି। ଏଠାରୁ କେବଳ ମାନବିକତା ରୂପକ ଚେରକୁ ହିଁ ସହଜରେ ମୂଳୋତ୍ପାଟନ କରାଯାଇ ପାରିବ। ମାନବ ରୂପରେ ଛଦ୍ମବେଶରେ ଏଠାରେ ବାସ କରୁଥିବା ଦାନବମାନେ ଦେଶର ହିତ ଚାହୁଁଥିବା ଲୋକଙ୍କୁ ଏ କଥା କହି ପରିହାସ କରନ୍ତି ଯେ ଭାରତ ନାମକ ଏହି ମହାନ ଦେଶରେ ତୁମେ ଭାରତକୁ ଖୋଜିବାରେ ଲାଗିଥିବ ଅଥଚ ‘ଖୋଜିଲେ ବି ପାଇବନି’।

Comments are closed.