ସାଇବର ଠକେଇ: କାରଣ ଓ ନିରାକରଣ

ଅନନ୍ତ ଚରଣ ସ୍ବାଇଁ

ଡିଜିଟାଲ ପେମେଣ୍ଟର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି। ଉଭୟ ଅର୍ଥ ଗ୍ରହଣକାରୀ ଓ ଅର୍ଥ ପ୍ରଦାନକାରୀ, ଅର୍ଥ ପ୍ରେରଣ ପାଇଁ ବୈଦ୍ୟୁତିକ ମାଧ୍ୟମ ବ୍ୟବହାର କରିଥାଆନ୍ତି। ଡିଜିଟାଲ କାରବାର ଯେ କୌଣସି ସମୟରେ ଯେ କୌଣସି ସ୍ଥାନରୁ ଅତି ସହଜ ଓ ସୁବିଧାରେ କରିହେବ। ଆର୍ଥିକ ବର୍ଷର ତୃତୀୟ ତ୍ରୟମାସିକରେ ଆମ ଦେଶରେ ୩୮୧୩ ଲକ୍ଷ କୋଟି ଟଙ୍କାର ୨୩,୧୦୬ ବିଲିଅନ ସଂଖ୍ୟକ ଡିଜିଟାଲ କାରବାର ହୋଇଥିଲା। ଡିଜିଟାଲ ପେମେଣ୍ଟ ବଢ଼ିବା ସହ ଡିଜିଟାଲ ଠକେଇ ବା ସାଇବର ଠକେଇର ସଂଖ୍ୟା ମଧ୍ୟ ବଢି ଚାଲିଛି। ଦିନକୁ ଦିନ ଠକମାନେ ଅଭିନବ ଉପାୟରେ ସାଧାରଣ ଜନତାଙ୍କ ରୋଜଗାର ଅର୍ଥକୁ ଲୁଟିନେଉଛନ୍ତି। ସାଇବର ଠକେଇ କିପରି ସଙ୍ଗଠିତ ହେଉଛି ଏବଂ ଆମେ ନିଜକୁ ଏପରି ଠକାମିରୁ କିପରି ଦୂରେଇ ରଖିବା , ସେ ବିଷୟରେ ଜାଣିବା ସଙ୍ଗେ ସଙ୍ଗେ ତା’ର ପ୍ରତିକାର କରିବା ଅତ୍ୟନ୍ତ ଜରୁରୀ।

ଫିସିଂ ଲିଙ୍କ୍‌: ଏହା ବ୍ୟାଙ୍କ କିମ୍ବା ଇ-ବାଣିଜ୍ୟ କମ୍ପାନୀର ୱେବସାଇଟ ଭଳି ଦେଖାଯାଉଥିବା ଏକ ନକଲି ୱେବ୍‌ସାଇଟ। ଦକ୍ଷ ସାଇବର ଠକମାନେ ଏହାକୁ ପ୍ରସ୍ତୁତ କରିଥାଆନ୍ତି। ଏହି ୱେବସାଇଟକୁ ଆସିବାକୁ ରାସ୍ତା ବା ଲିଙ୍କ୍‌କୁ ସର୍ଟ ମେସେଜ୍ ସର୍ଭିସ୍(SMS)/ବିଭିନ୍ନ ସୋସିଆଲ ମିଡିଆ/ଇ-ମେଲ୍ ମାଧ୍ୟମରେ ପ୍ରଚାର କରାଯାଏ। ଅନେକ ଗ୍ରାହକ ଏହାର ସତ୍ୟାସତ୍ୟ ଯାଞ୍ଚ ନକରି ଏହି ଲିଙ୍କରେ କ୍ଲିକ୍‌ କରନ୍ତି ଏବଂ ବ୍ୟକ୍ତିଗତ ପରିଚୟ ନମ୍ବର (PIN), ଗୋଟିଏ ଥର ପାସ୍ ୱାର୍ଡ(OTP) ପରି ନିଜସ୍ବ ଗୋପନୀୟ ତଥ୍ୟର ସୂଚନା ପ୍ରଦାନ କରନ୍ତି। ଏହି ବ୍ୟକ୍ତିଗତ ଗୁପ୍ତ ସୂଚନାଗୁଡିକ ଠକମାନଙ୍କ ହସ୍ତଗତ ହୁଏ। ଫଳରେ ନିର୍ଦୋଷ ଗ୍ରାହକଙ୍କୁ ଠକିବାର ପଥ ପରିଷ୍କାର ହୋଇଯାଏ ।

ଭିସିଂ କଲ୍ : ଠକମାନେ ନିଜକୁ ବ୍ୟାଙ୍କର, କମ୍ପାନୀ କର୍ମଚାରୀ, ସରକାରୀ ଅଧିକାରୀ ଇତ୍ୟାଦିର ପରିଚୟ ଦେଇ ଟେଲିଫୋନ୍‌, ଇ-ମେଲ ଓ ସୋସିଆଲ ମିଡିଆ ମାଧ୍ୟମରେ ଗ୍ରାହକ ନିକଟରେ ପହଞ୍ଚନ୍ତି। ପୂର୍ବରୁ ଗ୍ରାହକର ଆକାଉଣ୍ଟ ନମ୍ବର, ଜନ୍ମ ତାରିଖ, ନାମ ଇତ୍ୟାଦିର ସୂଚନା ସେମାନଙ୍କ ପାଖରେ ଥାଏ। ଏହାଦ୍ୱାରା ସେମାନଙ୍କ ଉପରେ ଗ୍ରାହକର ଆତ୍ମବିଶ୍ୱାସ ଜନ୍ମେ। କୌଣସି କାରଣବଶତଃ କାମ କରୁ ନ ଥିବା ଡେବିଟ୍‌ କାର୍ଡକୁ କାର୍ଯ୍ୟକ୍ଷମ କରାଇବା, କ୍ରେଡିଟ କାର୍ଡରେ ସୁଧ କମ୍‌ କରିଦେବା , କୌଣସି ବିବାଦୀୟ କାରବାର (transaction)ର ସମାଧାନ କରିଦେବାର ଛଳନାକରି, ବିଶ୍ବାସ ଜନ୍ମାଇ ସେହି ଆଳରେ ଗ୍ରାହକଠାରୁ କୌଶଳକ୍ରମେ ପାସୱାର୍ଡ/ ଗୋଟିଏ ଥର ପାସୱାର୍ଡ (OTP/ ବ୍ୟକ୍ତିଗତ ପରିଚୟ ନମ୍ବର (PIN)/କାର୍ଡ ଯାଞ୍ଚ ମୂଲ୍ୟ(CVV )ପରି ଗୁପ୍ତ ସୂଚନା ସଂଗ୍ରହ କରି ପରବର୍ତ୍ତୀ ସମୟରେ ଗ୍ରାହକ ଖାତାରୁ ସମସ୍ତ ଟଙ୍କା ଠକି ନିଅନ୍ତି।

ଅନ୍‌ଲାଇନ ବିକ୍ରୟ ପ୍ଲାଟଫର୍ମ ଜନିତ ଠକେଇ: ଅନ୍‌ଲାଇନ ବିକ୍ରୟ ପ୍ଲାଟଫର୍ମରେ ଠକମାନେ, ନିଜକୁ କ୍ରେତାର ପରିଚୟ ଦେଇ ବିକ୍ରେତାଙ୍କଠାରୁ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବା ବିକ୍ରୟ ସମଗ୍ରୀ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରନ୍ତି। ବିକ୍ରୟ ସମୟରେ ହେଉଥିବା ଟଙ୍କା ପଇସା କାରବାର ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ୍‌ ମାଧ୍ୟମରେ କରିବାକୁ ସ୍ଥିର କରାଯାଏ। ଛୋଟ ଅଙ୍କର ଏକ ଅନୁରୋଧ ରାଶି (Request money) ପ୍ରଥମରେ କ୍ରେତାର ଖାତାକୁ ପଠାଇବା ପାଇଁ ବିକ୍ରେତାଙ୍କ ପାଖରେ ସର୍ତ୍ତ ରଖାଯାଏ । କାରବାର ନକଲେ ସେମାନଙ୍କ ଦ୍ରବ୍ୟ କିଣିବା ପାଇଁ ଅଗ୍ରାହ୍ୟ କରିଦିଅନ୍ତି । ସୁଯୋଗ ହାତଛଡ଼ା ନକରି ବିକ୍ରେତା ତୁରନ୍ତ କ୍ରେତାର ସର୍ତ୍ତରେ ରାଜି ହୋଇଯାଏ । ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ (UPI) ଆପ୍ ମାଧ୍ୟମରେ କ୍ରେତା ଖାତାକୁ ଉକ୍ତ ଅନୁରୋଧ ରାଶି (Request money) ପଠାଇବା ସମୟରେ ବ୍ୟକ୍ତିଗତ ପରିଚୟ ନମ୍ବର (PIN) ଦେବାକୁ ପଡିଥାଏ। ବ୍ୟକ୍ତିଗତ ପରିଚୟ ନମ୍ବର (PIN) ଦେବା ସଙ୍ଗେ ସଙ୍ଗେ ବିକ୍ରେତାର ବ୍ୟାଙ୍କ ଖାତାରୁ ସମସ୍ତ ଟଙ୍କା ଠକଙ୍କ ଖାତାକୁ ଚାଲିଯାଏ। ଏଠାରେ ଜାଣିବା ଦରକାର ଯେ ଯେକୌଣସି ବିକ୍ରୟ ପ୍ରକ୍ରିୟାରେ ବି​‌େ​‌କ୍ରତାଙ୍କ ଖାତାକୁ ଟଙ୍କା ଆସିବା କଥା ଓ ଓଲଟା ବି‌େ‌କ୍ରତାକୁ କାହିଁକି ଅନୁରୋଧ ରାଶି (Request money) ଦେବାକୁ ବାଧ୍ୟ କରାଯାଏ । ଏହା ଠକମାନଙ୍କର ଏକ ଚାଲ୍।

ଅଜ୍ଞାତ / ଯାଞ୍ଚ ହୋଇନଥିବା ମୋବାଇଲ୍ ଆପ୍ ବ୍ୟବହାର ହେତୁ ଠକେଇ
ଅନେକ ସଂଖ୍ୟକ ମୋବାଇଲ ଆପ୍‌ ବିଭିନ୍ନ ସୋସିଆଲ ମିଡିଆରେ ଘୂରିବୁଲୁଛି। ଠକମାନେ ମଧ୍ୟ କେତେକ ମୋବାଇଲ ଆପ୍‌ର ନକଲ କରି ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଗ୍ରାହକଙ୍କ ନିକଟରେ ପହଞ୍ଚୁଛନ୍ତି। ମୋବାଇଲରେ ଏପରି ନକଲି ଆପ୍‌କୁ ଡାଉନଲୋଡ କରିବା ମାତ୍ରକେ, ଠକଟି ଗ୍ରାହକର ଡିଭାଇସରେ ପ୍ରବେଶ କରି, ଗଚ୍ଛିତ ସମସ୍ତ ଗୁପ୍ତ ତଥ୍ୟ ସଂଗ୍ରହ କରିଥାଏ । ଏପରି କି ମୋବାଇଲ ଆପ ଡାଉନଲୋଡର ପୂର୍ବ ଓ ପରବର୍ତ୍ତୀ ସମୟରେ ଆସୁଥିବା ସମସ୍ତ OTP ପାଇଥାଆନ୍ତି। ପରେ, ଏସବୁ ଗୁପ୍ତ ତଥ୍ୟର ବ୍ୟବହାର କରି ସେ ଗ୍ରାହକର ଖାତାରୁ ଟଙ୍କା ଠକି ନିଆଯାଏ।

ଏଟିଏମ୍ କାର୍ଡ ସ୍କିମିଂ : ଏଟିଏମର ସୁବିଧା ସୁଯୋଗ ପାଇଁ ଏହାର ଲୋକପ୍ରିୟତା ଅନେକ ଗୁଣ ବଢି ଯାଇଛି। ଏଟିଏମ କାରବାର ଦ୍ବାରା ଗ୍ରାହକଙ୍କୁ କିପରି ଠକିହେବ ସେ ଦିଗରେ ଠକମାନଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ଠକମାନେ ଏଟିଏମ ଉପରେ ତୀକ୍ଷ୍ଣ ନଜର ରଖି ଥାଆନ୍ତି। ସୁଯୋଗ ମିଳିଲେ, ଏଟିଏମ ମେସିନରେ ବେଆଇନ ଭାବେ ସ୍କିମିଂ ଡିଭାଇସ ଲଗାଇଦିଅନ୍ତି । ଏଟିଏମ ମେସିନର କି ପ୍ୟାଡ ଉପରେ ଏକ ନକଲି କି ପ୍ୟାଡ ସ୍ଥାପନ କରି କାର୍ଡଧାରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରନ୍ତି। ବେଳେବେଳେ ଗୁପ୍ତ କ୍ୟାମେରା ଦ୍ବାରା ହେଉ ବା ଗ୍ରାହକକୁ ସାହାଯ୍ୟ କରିବାର ଛଳନା କରି ସେମାନଙ୍କର ଏଟିଏମ ପିନ୍‌ ନମ୍ବର ସଂଗ୍ରହ କରି ଥାଆନ୍ତି। ନକଲି ଡେବିଟ୍ ବା କ୍ରେଡିଟ୍ କାର୍ଡ ତିଆରି କରିବା ପାଇଁ ଅପରାଧୀମାନେ ଏସବୁ ତଥ୍ୟକୁ ବ୍ୟବହାର କରି ପୀଡ଼ିତାର ଆକାଉଣ୍ଟରୁ ଚୋରି କରନ୍ତି ।

ସ୍କ୍ରିନ୍ ସେୟାର୍ ଆପ୍ / ରିମୋଟ ଆକ୍ସେସ୍ ବ୍ୟବହାର କରି ଠକେଇ : ଠକମାନେ ସ୍କ୍ରିନ୍ ସେୟାର୍ ଆପ୍ / ରିମୋଟ ଆକ୍ସେସ୍ ଆପ୍‌ର ଲିଙ୍କ୍‌କୁ ଗ୍ରାକକଙ୍କୁ ପଠାଇ ଥାଆନ୍ତି। ଜ୍ଞାତ ବା ଅଜ୍ଞାନତା ବଶତଃ ଗ୍ରାହକ ଉକ୍ତ ଆପ୍‌କୁ ନିଜ ମୋବାଇଲ, ଲ୍ୟାପଟପ କିମ୍ବା କମ୍ପ୍ୟୁଟରରେ ଡାଉନଲୋଡ କଲା ମାତ୍ରକେ ଅପରାଧୀ ଦୂରରେ ରହି ଗ୍ରାହକର ସମସ୍ତ ତଥ୍ୟକୁ ଦେଖିବା ସହ ନିଜ ଇଚ୍ଛାନୁସାରେ ନିୟନ୍ତ୍ରଣ କରିବାକୁ ସକ୍ଷମ ହୁଏ। ଏହାଦ୍ବାରା ଗ୍ରାହକକୁ ଠକିବାର ରାସ୍ତା ଉନ୍ମୁକ୍ତ ହୋଇଯାଏ।

ସିମ୍ ସ୍ବାପ୍/ ସିମ୍ କ୍ଲୋନିଂ : ଠକମାନେ ସାଧାରଣତଃ ଟେଲିଫୋନ/ ମୋବାଇଲ ନେଟୱର୍କ କର୍ମଚାରୀର ପରିଚୟ ଦେଇ ବିଭିନ୍ନ ସୁବିଧା ଯୋଗାଇବା ଛଳରେ ଆକାଉଣ୍ଟ ସହ ପଞ୍ଜୀକୃତ ହୋଇଥବା ମୋବାଇଲ ନମ୍ବର ଓ ଗ୍ରାହକର ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରନ୍ତି । ପରେ ଏହା ସାହାଯ୍ୟରେ ଡୁପ୍ଲିକେଟ ବା ନକଲି ସିମ ଯୋଗାଡ କରି ଗ୍ରାହକ ଆକାଉଣ୍ଟରୁ ଚୋରି କରିଥାଆନ୍ତି। ନକଲି ସର୍ଚ୍ଚ ଇଞ୍ଜିନ୍ ମାଧ୍ୟମରେ ଠକେଇ ଓ ବ୍ୟାଙ୍କ, ବୀମା କମ୍ପାନୀ, ଆଧାର ଅପଡେଟ୍ ସେଣ୍ଟର ଇତ୍ୟାଦି ସମ୍ପର୍କ ବିବରଣୀ ବା ଗ୍ରାହକଙ୍କ ଯତ୍ନ(Customer care) ନମ୍ବର ପାଇବା ପାଇଁ ଗ୍ରାହକମାନେ ସର୍ଚ୍ଚ ଇଞ୍ଜିନ ବ୍ୟବବହାର କରିଥାଆନ୍ତି। ଏହାର ସୁଯୋଗ ନେଇ ଠକମାନେ ନକଲି ସର୍ଚ୍ଚ ଇଞ୍ଜିନ ପ୍ରସ୍ତୁତ କରି ସେଥିରେ ବ୍ୟାଙ୍କ ବା କମ୍ପାନୀର ନକଲି ଯୋଗାଯୋଗ ନମ୍ବର ପ୍ରଦର୍ଶିତ କରନ୍ତି। ଏହା ଗ୍ରାହକ ଜାଣିପାରେ ନାହିଁ। ଗ୍ରାହକ ଏହି ନମ୍ବରରେ କଲ୍‌ କରିବାପରେ, ଠକମାନେ ବ୍ୟାଙ୍କ କିମ୍ବା କମ୍ପାନୀର ପ୍ରତିନିଧି ବୋଲି ପରିଚୟ ଦେଇ ଗ୍ରାହକର ଗୁପ୍ତ ବିବରଣୀ ସଂଗ୍ରହ କରିଥାଆନ୍ତି। ପରେ ଏହି ଗୁପ୍ତ ତଥ୍ୟ ସାହାଯ୍ୟରେ ଗ୍ରାହକ ଖାତାରୁ ଟଙ୍କା ଠକିନିଅନ୍ତି।

QR କୋଡ୍ ସ୍କାନ୍ ମାଧ୍ୟମରେ ସ୍କାମ : ଟଙ୍କା କାରବାରରେ Quick Response (QR) codeର ବ୍ୟବହାର କରାଯାଉଛି। ବିଭିନ୍ନ ବାହାନା ଦେଖାଇ ଠକମାନେ ବେଳେ ବେଳେ ଗ୍ରାହକ ସହ ଯୋଗାଯୋଗ କରନ୍ତି ଓ ଗ୍ରାହକର ଫୋନରେ ଆପ୍ ବ୍ୟବହାର କରି କୁଇକ୍ ରେସପନ୍ସ (QR) କୋଡ୍ ସ୍କାନ କରିବାପାଇଁ ପ୍ରବର୍ତ୍ତାଇ ଥାଆନ୍ତି ବା ବାଧ୍ୟ କରନ୍ତି। ଏହିପରି (QR) କୋଡ୍ ସ୍କାନ କରି ଗ୍ରାହକମାନେ ଅଜାଣତରେ ଠକମାନଙ୍କୁ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଅନୁମତି ଦେଇଥାଆନ୍ତି । ସୋସିଆଲ୍ ମିଡିଆ ମାଧ୍ୟମରେ ଠକେଇ: ସୋସିଆଲ ମିଡିଆର ବ୍ୟବହାର ଅନେକ ଗୁଣ ବଢିଯାଇଛି ଓ ଠକମାନେ ଫେସ ବୁକ, ଇନଷ୍ଟାଗ୍ରାମ, ଟ୍ବିଟର ଆଦି ସୋସିଆଲ ମିଡିଆର ବିଭିନ୍ନ ଉପାୟରେ ଗ୍ରାହକଙ୍କୁ ଠକୁଛନ୍ତି। ଏକ ନକଲି ଆକାଉଣ୍ଟ ଖୋଲି ଉପୋଭୋକ୍ତଙ୍କ ସାଙ୍ଗମାନଙ୍କ ଜରୁରୀ ଚିକିତ୍ସା ପାଇଁ ଅନୁରୋଧ କରନ୍ତି। ଠକମାନଙ୍କ କଥାରେ ବିଶ୍ବାସକରି ଉପଭୋକ୍ତା ସେମାନଙ୍କର ବ୍ୟକ୍ତିଗତ ସୂଚନା ସେୟାର (ଅଂଶୀଦାର) କରିଦିଅନ୍ତି। ଗୁପ୍ତ ସୂଚନା ପାଇବାପରେ ଠକମାନେ, ଉପଭୋକ୍ତାଙ୍କୁ ବ୍ଳାକମେଲ କରନ୍ତି କିମ୍ବା ସେମାନଙ୍କଠାରୁ ଟଙ୍କା ଲୁଟି ନିଅନ୍ତି।

ଜୁସ୍ ଜ୍ୟାକିଂ : ମୋବାଇଲ ବହୁଳ ବ୍ୟବହାର ଓ ଲୋକଙ୍କ ସୁବିଧା ପାଇଁ ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ କରିବାର ସୁବିଧା କରାଯାଇଛି ଓ ଠକମାନେ ଏହି ଚାର୍ଜିଂ ପୋର୍ଟର ବ୍ୟବହାର କରି ଗ୍ରାହକର ଫୋନକୁ ମାଲୱେଆର୍ ସ୍ଥନାନ୍ତର କରିଥାଆନ୍ତି ଓ ତା’ପରେ , ଗ୍ରାହକଙ୍କ ମୋବାଇଲ ଫୋନ( ଜୁସ ଜ୍ୟାକିଂ)ରୁ ଇ-ମେଲ, SMS, ପାସୱାର୍ଡ ପରି ସଞ୍ଚିତ ଗୁପ୍ତ ତଥ୍ୟ ସଂଗ୍ରହ କରି ସେମାନଙ୍କୁ ଠକି ଥାଆନ୍ତି।

ଲଟେରୀ ଠକେଇ : ଇ-ମେଲ କିମ୍ବା ଫୋନ କଲ ଦ୍ବାରା ଗ୍ରାହକର ଏକ ବଡ ଲଟେରୀ ଜିତିବା ଖବର ଦିଅଯାଏ। ବିଜେତାର ଅସଲି ପରିଚୟ ଯାଞ୍ଚ କରିବା ଆଳରେ, ତାହାର ବ୍ୟାଙ୍କ ଆକାଉଣ୍ଟ କିମ୍ବା କ୍ରେଡିଟ କାର୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଏକ ୱେବସାଇଟରରେ ଭରିବାକୁ କୁହାଯାଏ। ​‌େ​‌କତେକ କ୍ଷେତ୍ରରେ ଠକମାନେ ନିଜକୁ ଆର.ବି.ଆଇର ପ୍ରତିନିଧି କିମ୍ବା ଏକ ବିଦେଶୀ ବ୍ୟାଙ୍କ / କମ୍ପାନୀ / ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନର ପ୍ରତିନିଧିର ପରିଚୟ ଦେଇଥାଆନ୍ତି ଓ କିପରି ଅଧିକ ପରିମାଣର ଜିତିବା ରାଶି ବା ଅଧିକ ପରିମାଣର ବିଦେଶୀ ମୁଦ୍ରା ମିଳିପାରିବ ସେଥିପାଇଁ ପ୍ରଥମେ କିଛି ଟଙ୍କା ସେମାନଙ୍କ ପାଖକୁ ପଠାଇବା ପାଇଁ ବାଧ୍ୟ କରନ୍ତି। ଟଙ୍କା ପାଇଲା ପରେ ସେମାନେ ବିଜେତା ସହ ସମସ୍ତ ସମ୍ପର୍କ ଛିନ୍ନ କରି ଉଭାନ ହୋଇଯାଆନ୍ତି।

ଅନ୍‌ଲାଇନ ଚାକିରି ଠକେଇ :ଚାକିରି ଦେବା ନାଁରେ ଠକମାନେ ନକଲି ୱେବସାଇଟ ତିଆରି କରନ୍ତି ଓ ଚାକିରି ଆଶାୟୀ ପ୍ରାର୍ଥୀ ଏହି ୱେବସାଇଟରେ ପଞ୍ଜୀକରଣ ସମୟରେ ନିଜର ଆକାଉଣ୍ଟ ସମ୍ବନ୍ଧୀଯ ସମସ୍ତ ତଥ୍ୟ ଭରିଥାଏ। ବେଳେ ବେଳେ ଠକମାନେ କେତେକ ଖ୍ୟାତିସମ୍ପନ୍ନ କମ୍ପାନୀ ଅଧିକାରୀର ପରିଚୟ ଦେଇ ନକଲି ସାକ୍ଷାତକାର ସହ ଚାକିରି ପ୍ରଦାନ କରିଥାଆନ୍ତି। ଚାକିରି ଆଶାୟୀ ପ୍ରାର୍ଥୀଙ୍କୁ ପଞ୍ଜୀକରଣ, ବାଧ୍ୟତାମୂଳକ ତାଲିମ, ଲ୍ୟାପଟପ ଆଦି ଉପକରଣ ପାଇଁ ଅଗ୍ରିମ ଟଙ୍କା ଜମା କରିବାକୁ ବାଧ୍ୟ କରାଯାଏ। ଟଙ୍କା ପାଇଲା ପରେ ଠକମାନେ ପ୍ରଚ୍ଛଦପଟରୁ ଗାଏବ ହୋଇଯାଆନ୍ତି। ଏହିପରି ଭାବେ ସେମାନେ ନିରୀହ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଠକିଥାଆନ୍ତି।

ଟଙ୍କା ଖଚର ବା ମନି ମ୍ୟୁଲ(Money mules); ଟଙ୍କା ଖଚର ହେଉଛି ଜଣେ ବ୍ୟକ୍ତି ଯିଏ ବେଆଇନ ଭାବରେ ଅର୍ଜନ ହୋଇଥିବା ଟଙ୍କା (ଚୋରି)କୁ ଗ୍ରହଣ କରି କିଛି କମିସନ ବଦଳରେ ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିଥାଆନ୍ତି। କିଛି ଟଙ୍କା ଖଚର ଜାଣନ୍ତି ଯେ ସେମାନେ ଅାପରାଧିକ କାର୍ଯ୍ୟକଳାପରେ ସାହାଯ୍ୟ କରୁଛନ୍ତି; କିନ୍ତୁ ଅନ୍ୟମାନେ ଜାଣି ନଥାନ୍ତି ଯେ ସେମାନଙ୍କର କାର୍ଯ୍ୟ ଠକମାନଙ୍କୁ ସାହାଯ୍ୟ କରୁଛି। ଠକମାନେ ପ୍ରଥମେ ଟଙ୍କା ଖଚର କାର୍ଯ୍ୟ କରିବାକୁ ରାଜିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ସହ ଯୋଗାଯୋଗ କରନ୍ତି। ଆକର୍ଷଣୀୟ କମିସନ୍ ବଦଳରେ ନିଜ ଆକାଉଣ୍ଟରେ ଟଙ୍କା ଗ୍ରହଣ କରିବାକୁ ମନାଇଥାଆନ୍ତି। ଏହି ପ୍ରସ୍ତାବରେ ବ୍ୟକ୍ତିଟି ସମ୍ମତି ପ୍ରଦାନ କଲେ, ଠକମାନେ ଅନ୍ୟ ଆକାଉଣ୍ଟର ଠକି ଆଣୁଥିବା ଟଙ୍କା ଏହି ଖାତାକୁ ଆସିଥାଏ। ପରେ ଏହାକୁ ଟଙ୍କା ଆକାରରେ ଉଠାଇ ନିଆଯାଏ ବା ଅନ୍ୟ ଏକ ଖାତାକୁ ବେଳେବେଳେ ଅନ୍ୟ ଦେଶକୁ ବି ସ୍ଥାନାନ୍ତରିତ (transfer)କରାଯାଏ। ଯେତେବେଳେ ଠକେଇ ଧରାପଡେ ଏବଂ ପୁଲିସ ବା ତଦନ୍ତ ଅଧିକାରୀ ଟଙ୍କାର ଗତିବିଧି ଅନୁଧ୍ୟାନ କରନ୍ତି, ସେତେବେଳେ ନିରୀହ ଗ୍ରାହକ ଆକାଉଣ୍ଟର ତଦନ୍ତ ପରିସରକୁ ଆସିଥାଏ । ବିଚରା ନିରୀହ ଗ୍ରାହକ ଧରାପଡି ଦଣ୍ତିତ ହୁଏ କିନ୍ତୁ ଅସଲି ଠକ ଧରାନପଡି ଖସିଯାଏ।

ଋଣ ନାଁରେ ନକଲି ବିଜ୍ଞାପନ : ଋଣର ଆକର୍ଷଣୀୟ ଅଫର ଦେଇ ଠକମାନେ ବିଜ୍ଞାପନ ଦିଅନ୍ତି। ବିନା ବନ୍ଧକରେ, କମ ସୁଧରେ, ଅତି ସୁବିଧାରେ ଏବଂ ଖୁବ୍‌ ଶିଘ୍ର ଋଣ ମିଳୁଥିବାରୁ, ଗ୍ରାହକମାନେ ଏପରି ନକଲି ପ୍ରତିଶ୍ରୁତିରେ ବିଶ୍ବାସ କରି ଋଣ ମଞ୍ଜୁରୀ ବାବଦକୁ ଆନୁଷଙ୍ଗିକ ଖର୍ଚ୍ଚ ଠକମାନଙ୍କ ପାଖକୁ ପଠାଇଥାଆନ୍ତି। ଟଙ୍କା ପାଇଲାପରେ ଠକମାନେ ଋଣ ବିତରଣ ନକରି ସମସ୍ତ ପ୍ରକାରର ଯୋଗାଯୋଗର ରାସ୍ତା ବନ୍ଦ କରିଦିଅନ୍ତି। ବିଚରା ଗ୍ରାହକ ଠକମିର ଶିକାର ହୁଏ।

ଟଙ୍କା ସଞ୍ଚାଳନ(Money circulation)/ ପୋଞ୍ଜି/ମଲ୍ଟି ଲେଭଲ୍ ମାର୍କେଟିଂ (MLM): ଟଙ୍କା ସଞ୍ଚାଳନ(Money circulation) / ପୋଞ୍ଜି / ମଲ୍ଟି ଲେଭଲ୍ ମାର୍କେଟିଂ (MLM) ହେଉଛି ଠକାମିର ଆଉ ଏକ ରୂପ। ଅଧିକ ଲାଭର ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଆକୃଷ୍ଟ କରାଯାଏ। ଏହି ଯୋଜନାରେ ପଞ୍ଜୀକରଣ କରୁଥିବା ନୂତନ ଲୋକମାନଙ୍କ ସଂଖ୍ୟା ଅନୁସାରେ ଯୋଗାଡକାରୀକୁ କମିସନ ମିଳେ । ଏହି ମଡେଲ ବା ଏହାର କାର୍ଯ୍ୟଶୈଳୀ କିଛି ଦିନ ପରେ ଅଚଳ ହୋଇଯାଏ କାରଣ ଯୋଜନାରେ ଯୋଗଦେଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଧୀରେ କମ ହୋଇଯାଏ । ଏହି ସମୟରେ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ବା ବ୍ୟକ୍ତି ଯୋଜନାଟିକୁ ବନ୍ଦ କରି ଏଥିରେ ଲାଗିଥିବା ସମସ୍ତ ଟଙ୍କା ନେଇ ଅଦୃଶ୍ୟ ହୋଇଯାଆନ୍ତି। ଗ୍ରାହକର ଟଙ୍କା ଫେରିପାଇବା ଆଶା କ୍ଷୀଣ ହୋଇଯାଏ। ଦ୍ରୁତଗତିରେ ବଢୁଥିବା ସାଇବର କ୍ରାଇମ(ଠକେଇ)ରୁ ଦୂରେଇ ରହିବା ପାଇଁ ଅଧୁକରୁ ଅଧିକ ସତର୍କତା ଆବଶ୍ୟକ। ଠକମାନେ ଭିନ୍ନ ଭିନ୍ନ ଉପାୟରେ ଭିନ୍ନ ଭିନ୍ନ କୌଶଳ ଅବଲମ୍ବନ କରି ଗ୍ରାହକଙ୍କୁ ଠକୁଛନ୍ତି। କେଉଁ ପ୍ରକାରର ଠକେଇ, କିଭଳି ଭାବେ ଏହା ସଙ୍ଗଠିତ ହୁଏ, ଏ ସମ୍ବନ୍ଧରେ ସମ୍ୟକ ଧାରଣା ଥିଲେ ଏପରି ଠକାମିରୁ ବଞ୍ଚିବା ସହଜ ହୋଇଯାଏ। ଡିଜିଟାଲ କାରବାର ସମୟରେ କେତୋଟୋ ଜରୁରୀ ବ୍ୟାବହାରିକ ଦିଗ ପ୍ରତି ଗୁରୁତ୍ବର ସହ ଧ୍ୟାନ ଦେଲେ ଅନେକ ପ୍ରକାରର ସାଇବର ଠକାମିରୁ ନିଜକୁ ଦୂରେଇ ରଖିହେବ।

ଗ୍ରାହକ ଯେତେ ସତର୍କ ଓ ସାବଧାନ ରହିଲେ ବି ଠକମାନେ ସର୍ବଦା ନୂଆନୂଆ ଉପାଯରେ ଠକିବାର ଯୋଜନା ପ୍ରସ୍ତୁତ କରନ୍ତି ଓ ସମସ୍ତ ପ୍ରକାର ସାବଧାନତା ସତ୍ତ୍ବେ ବା ଅସାବଧାନତା ହେତୁ ସାଇବର ଠକାମିରେ ପଡିଲେ, ବିଚଳିତ ନ ହୋଇ ସ୍ଥିରତାର ସହ ଏହାକୁ ସାମନା କରିବାକୁ ପଡିବ । ବ୍ୟାଙ୍କ ଶାଖା କିମ୍ବା ଫୋନ ବ୍ୟାଙ୍କିଙ୍ଗ୍‌ ସହାୟତାରେ ଆକାଉଣ୍ଟରୁ ସମସ୍ତ ରକମର କାରବାର ବନ୍ଦ କରିଦେଲେ ଆଉ ଅଧିକ ଠକାମିର ପଡିବାର ଆଶଙ୍କା ନଥାଏ। ପରେ ପରେ ଇଣ୍ଟରନେଟ ପାସୱାର୍ଡ, ବ୍ୟକ୍ତିଗତ ପରିଚୟ ନମ୍ବର (Pin) ଆଦି ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ବଦଳାଇ ଦେଲେ ଆକାଉଣ୍ଟ ସୁରକ୍ଷିତ ରହି ପାରିବ।

Comments are closed.