Patra electronics

ରାଜା ଅନ୍ଧକୁ ପ୍ରଜା ଅନ୍ଧ

ସବୁ ପ୍ରକାର ବା କିସମ ଲୋକର ନିଜସ୍ବ ନୀତି, ଔଚିତ୍ୟ ବା ବିଚାରବୋଧ ରହିଛି ଯାହାକୁ ଇଂରାଜୀରେ Ethics କହନ୍ତି। ଜଣେ ସାଧୁ ସନ୍ଥଙ୍କର ଯେମିତି ଜଣେ ଡକେଇତର ବି ସେମିତି କିଛି ନୀତିଗତ ରେଖା ନିର୍ଦ୍ଧାରିତ। ଘୋର ଯୁଦ୍ଧ ସମୟରେ କୌଣସି ଯୋଦ୍ଧା ଯଦି କୌଣସି କାରଣରୁ ଯୁଦ୍ଧ ପାଇଁ ଅସହାୟ ଅବସ୍ଥା ପ୍ରାପ୍ତ ହେଲା, ସେଇ ଅବସ୍ଥାର ସୁଯୋଗ ନେଇ ତାକୁ ହତ୍ୟା କରିବା ନିଷେଧ କରାଯାଇଛି। ଅବଶ୍ୟ ମହାଭାରତ ଯୁଦ୍ଧରେ କର୍ଣ୍ଣଙ୍କର ଏଭଳି ଅବସ୍ଥାରେ ତାଙ୍କୁ ଶରାଘାତ କରିବା ନିଷିଦ୍ଧ ଥିଲେ ମଧ୍ୟ ଅଜେୟ କର୍ଣ୍ଣଙ୍କୁ ହତ୍ୟା ପାଇଁ କୃଷ୍ଣଙ୍କ ବାରମ୍ବାର ପ୍ରରୋଚନାରେ ଅର୍ଜୁନ ତାଙ୍କୁ ହତ୍ୟା କରି ଯୋଦ୍ଧା ପାଇଁ କଳଙ୍କ ସୃଷ୍ଟି କରିଥିଲେ। ସେମିତି ଭୀଷ୍ମ ପିତାମହ କୌଣସି ସ୍ତ୍ରୀ ସହ ଯୁଦ୍ଧ ନ କରିବା ପ୍ରତିଜ୍ଞାକୁ ରକ୍ଷା ପାଇଁ କୁଚକ୍ରାନ୍ତ ପ୍ରେରିତ ‘ଶିଖଣ୍ଡୀ’ ସହ ଯୁଦ୍ଧ କଲେ ନାହିଁ ଓ ଏକପାଖିଆ ଶରାଘାତରେ ପ୍ରାଣ ଦେଲେ ପଛେ ପ୍ରତିଜ୍ଞା ବା ସତ୍ୟ ଲଙ୍ଘନ କରି ନ ଥିଲେ। ଧନ ସମ୍ପତ୍ତି ଲୁଟି ପାଇଁ ଡକେଇତି କରୁଥିବା ଡକାୟତ ଏପରି କାର୍ଯ୍ୟ କରୁଥିବା ସମୟରେ ଧନ ପାଇଁ ହତ୍ୟା କରୁଥିଲେ ମଧ୍ୟ ସେ ଘରେ ଥିବା ରୂପବତୀ ଷୋଡ଼ଶୀକୁ ସ୍ପର୍ଶ ବି କରୁ ନ ଥିଲା। ଯେଉଁ ଡକାୟତ ଏପରି କଲା, ସେ ଜାଣ ମଲା। ସେମିତି ବୋହୁଥିବା ପାଣି, ଚାଲୁଥିବା ସାଧୁ ବା ସନ୍ନ୍ୟାସୀଙ୍କୁ ନିର୍ମଳ ବୋଲି କୁହାଯାଇଛି। ସାଧୁ ବା ସନ୍ନ୍ୟାସୀଟିଏ ଘର ବାଡ଼ି କରି ରହିଲା ତ ତାଙ୍କ ନିର୍ମଳତାରେ ଦାଗ ଲାଗିଲା। ‘‘ସବ୍‌ କୌପୁନି ବା‌େ‌ସ୍ତ’’ର ଆଖ୍ୟାୟିକା ଏ କ୍ଷେତ୍ରରେ ବେଶ୍‌ ଏକ ଉଦାହରଣ। ସେମିତି ଜମାହୋଇ ରହୁଥିବା ପାଣିରେ ନିର୍ମଳତା ଆସିବ କୁଆଡ଼ୁ। ଅବଶ୍ୟ ନିର୍ମଳ ହେବାର ଭାବରେ ଜୀବନକୁ ମାର୍ଜିତ ପ୍ରୟାସ କରୁଥିବା ଲୋକ ପାଇଁ ଏ ସବୁ ଉଦାହରଣ ଖାପ ଖୁଆଏ, ମାତ୍ର ଅସନା ଅସଜଡ଼ା ଜୀବନ ଢଙ୍ଗ ଯାହାଙ୍କର ତା’ ପାଇଁ ଏ ନିୟମ କୁ ଫାବେ? ଏବେ ତ ଗୀତ ବୋଲାଗଲାଣି, ‘‘ରାମ ତେରୀ ଗଙ୍ଗା ମୈଲି ହୋ ଗୟି, ପାପିୟୋଁକେ ପାପ ଧୋତେ ଧୋତେ।’’ ନୀତିନିୟମ, ଉଚିତ୍‌ ବୋଧ ଭ୍ରଷ୍ଟ ଏ ମଣିଷ ଏବେ ଓଲିଆ। ଅଧ୍ୟାତ୍ମ ରାମାୟଣରେ ଲେଖା ଯାଇଛି, ‘‘ପ୍ରାପ୍ତେ କଳିଯୁଗେ ଘୋରେ ନରାଃ ପୁଣ୍ୟ ବିବର୍ଜିତାଃ, ଦୁରାଚାର ରତାଃ ସର୍ବେ ସତ୍ୟବାର୍ତ୍ତା ପରାଙ୍‌ମୁଖାଃ।’’ ପୁରୁଷ ବା ସ୍ବାମୀମାନଙ୍କ ବିଷୟରେ କୁହାଯାଇଛି, ସେମାନେ ‘‘ସ୍ତ୍ରୀ ଦେବା, କାମକିଙ୍କରାଃ’’ ହେବେ। ‘‘ସର୍ବେ ହୋଇବେ ଏକାକାର ନ ଥିବ ବେଦର ବିଚାର।’’ ଅନିତ୍ୟ ସ୍ବାର୍ଥ ପାଇଁ, ‘ଯାହାକୁ ଯେମିତି ଆସିଲା, ହାତ ଟେକି ଟେକି ନାଚିଲା।’ ମାତ୍ର ଏ ବିଷମ କାଳରେ ମାନବୋଚିତ ଧର୍ମ ବା ‘ଏଥିକ୍‌’ର ଉଦାହରଣ କାଇଁ? ଯାହାର ଅଛି ବା ଥିବ ସେ ତ ମହାତ୍ମା। ସେ ସବୁ ଗାନ୍ଧୀଙ୍କଠେଇ ଥିଲା। ବ୍ରିଟିଶ୍‌ ସରକାର ବିରୋଧରେ ଅସହଯୋଗ ଆନ୍ଦୋଳନ ଡାକରା ଦେଲେ, ଇୟେ ତ ଅସ୍ତ୍ର ନୁହେଁ ନୈତିକତାର ଲଢ଼େଇ ଥିଲା। ବିବ୍ରତ ହୋଇଗଲା ବ୍ରିଟିଶ୍‌ ସରକାର। ଏ ସମୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ଘୋଷିତ ହୋଇଗଲା। ଢେର ଅସହାୟ ଅବସ୍ଥା ବ୍ରିଟିଶ୍‌ ସାମ୍ରାଜ୍ୟ ପାଇଁ ପହଞ୍ଚିଲା। ସାଧାରଣ ଆନ୍ଦୋଳନକାରୀମାନେ ଢେର୍‌ ଆନନ୍ଦିତ ହେଲେ। ଏଇ ମଉକାରେ ବ୍ରିଟିଶ୍‌ ଶାସନକୁ ଦୋହଲାଇ ଦେବାର ଗୋଟେ ଅପୂର୍ବ ସୁଯୋଗ ପ୍ରଭୁ ଦେଲେ ନା କ’ଣ। ନେହେରୁ, ପଟେଲ ପ୍ରମୁଖ ସେତେବେଳେ କାରାଗାରରୁଦ୍ଧ ଥାଆନ୍ତି। ‘‘ନଇଁ ପଡ଼ିଥିବା ବେଳେ, ବିଧାଏ ମାରିବ ବଳେ’’ ବୋଲି କଥାଟିଏ ଅଛି। ମାତ୍ର ଗାନ୍ଧୀ ଏ ଅନୈତିକ, କାପୁରୁଷୋଚିତ ନୀତିଠୁ ବହୁ ଦୂରରେ ଥିଲେ। ବ୍ରିଟିଶ୍‌ ସରକାରଙ୍କୁ ତାଜୁବ କରି ସେ ଏ ସମୟରେ ଏ ଅସହାୟ ସରକାର ବିରୁଦ୍ଧରେ ଆନ୍ଦୋଳନ ଠିକ୍ ନୁହଁ ବିଚାର କରି, ଅସହଯୋଗ ଆନ୍ଦୋଳନ ପ୍ରତ୍ୟାହାର କରିନେଲେ। ନେହେରୁ, ପଟେଲ ପ୍ରମୁଖ କାରାରୁଦ୍ଧ ଉତ୍ତୁଙ୍ଗ ନେତୃବୃନ୍ଦ ଏଥିରେ ଢେର ଆହତ ଓ କ୍ଷୁବ୍ଧ ହେଲେ ବି ଗାନ୍ଧୀ ତ ଗାନ୍ଧୀ, ପୁରାଣ ପରି ଇତିହାସରେ ମଧ୍ୟ ଏମିତି ଉଦାହରଣ ଢେର୍‌। ଆଜିକୁ ଏ ସବୁ ଗପ ବନିଗଲାଣି। ତେବେ କାହିଁ ନା କାହିଁ ସାଧୁ, ତ୍ୟାଗୀ ଓ ସତ୍ୟନିଷ୍ଠ ବ୍ୟକ୍ତି ଅଛନ୍ତି, ସେଇଥି ପାଇଁ ଏ ଜଗତ ତିଷ୍ଠିଛି। ‘‘ତେନୈତେ ଧାର୍ଯ୍ୟତେ ଜଗତ୍‌’’ ସେମାନଙ୍କ ସଂଖ୍ୟା କୋଉ କାଳେ ବି ହାଉଯାଉ ବା ବିପୁଳ ନ ଥିଲା। ସେମାନେ ସବୁ ‘‘ଏକଶ୍ଚନ୍ଦ୍ର ତମୋହନ୍ତି’’। ଗୋଟିଏ ଚନ୍ଦ୍ର ଯେ ବିପୁଳ ଜ୍ୟୋତ୍ସ୍ନା ବିକିରଣ କରି ଅନ୍ଧାର ନାଶେ, କୋଟିଏ ତାରାରେ କି କାମ? ସେଇଥିପାଇଁ ବି କୁହାଗଲା ‘‘ଶୈଳେ ଶୈଳେ ନ ମାଣିକ୍ୟଂ ମୌକ୍ତିକମ୍‌ ନ ଗଜେ ଗଜେ, ସାଧବୋ ନହି ସର୍ବତ୍ର ଚନ୍ଦନଂ ନ ବନେବନେ।’’

ତେବେ ଆଜିର ଯାହା ଅବସ୍ଥା ସୃଷ୍ଟି ହୋଇଛି, ସେଥିରେ ଡକାୟତି ତା ନୀତିଭ୍ରଷ୍ଟ ହେଉଛି। ସମ୍ପତ୍ତି ଲୋଭରେ ଡକାୟତି କଲାବେଳେ, ସିଂହ ଆଗରେ ତ୍ରସ୍ତା ହରିଣୀ ପରି ଥରୁଥିବା ନବ ଯୌବନାକୁ ମାଡ଼ ମାରି ଉପଭୋଗ କରୁଛି। ଆରେ ପାଷଣ୍ଡ, ନିର୍ବୋଧ! ବଳାତ୍କାରରେ କି ଆନନ୍ଦ ଥାଏ?? କୁହା ତ ଯାଇଛି ‘‘କବିତା ବନିତା ଚୈବ ସରସା ସ୍ବୟମାଗତା, ବଳାଦାକୃଶ୍ୟମାଣା ଚେତ୍‌ ସରସା ବିରସାୟତେ।’’ ଏବେ ସେମିତି ଅବସ୍ଥା ସୃଷ୍ଟି ହୋଇଛି। ଭାବ, ନୈତିକତା, ମଣିଷପଣିଆ ଚୁଲିକି ଯାଇଛି। ଏବେ ଜୀବପଣିଆ, ଭୋଗ, ଜୀବନ ଓ ବଞ୍ଚିବା। ମୃତ୍ୟୁ କେବଳ ଗୋଟିଏ ଭୟ। ମଣିଷ ପଶୁ ସମାନ। ଏ ସବୁ କଥାକୁ କେତେକେ ବିଷାଦବାଦ ବା ‘ପେସିମିଜିମ୍‌’ ବୋଲି ନାକ ଟେକିବେ, ମାତ୍ର ସତ ତ ସତ। ‘‘ବାଘ ଆସୁଛି’’ କହିଲେ, ‘‘ପିଲେ ଆଖି ମୁଦି ଦେଇ ବାଘ ହାବୁଡ଼ରୁ ରକ୍ଷାର ଦୟନୀୟ ଭାବ ପରି, କମଳ ଘୋଡ଼ି ହୋଇ ଶୋଇଲେ ଯମ କି ଛାଡ଼ିବ! ସତରେ ମଣିଷର ଏମିତି ଦୟନୀୟ ଅବସ୍ଥା କେବେ ବି ସୃଷ୍ଟି ହୋଇ ନ ଥିଲା। ଏବେ କଲମି ଗଛ ପରି କଲମି ପିଲା ବି ବିଜ୍ଞାନ ସୃଷ୍ଟି କଲାଣି। ସେଥିରେ ଗୋତ୍ର ଫୋତ୍ର ଭାବ ନାହିଁ। ‘‘ବାପ୍‌ସେ ବେଟା ଜ୍ୟାଦା’’ କୋଉ ଏଙ୍କଠି ଖାପିବ କି ଫାବିବ। ଏଙ୍କ ବାପ ଖୋଜା ଏକ ଆୟାସସାଧ୍ୟ ବ୍ୟାପାର। ଏମିତି ଯୁଗରେ ବିରୋଧୀ ଦଳ ହେଉ କି ସରକାରୀ ଦଳ ହେଉ କି ସରକାରୀ କର୍ମକର୍ତ୍ତା ହୁଅନ୍ତୁ, କିଏ କାହାକୁ କମ୍‌ ନୁହନ୍ତି। ‘‘ଦିହିଁ ଦିହେଁ ସରିସମ କେହି ନୁହଁ ଊଣା, ଏକେ ଟିକିଏ ତାଳ ଦେଉଳେ ଧାରଣା’’ ନଡ଼ିଆ ତାଳ ବିଷୟରେ ୟେ ଆମ ଗାଁ ଗହଳିରେ ପ୍ରଚଳିତ ହଜିଯାଇଥିବା ଯୁଗର ଏକ ଢଗ। ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରତିବାଦ ପାଇଁ ବିଜେପି ନେତୃତ୍ବର ଏକ ବିଶାଳ ସମାବେଶ ସମ୍ବଲପୁରଠାରେ ହେଉଥିଲା। ପ୍ରତିବାଦ-ଭାବ ପ୍ରବଣ ଜନତା ଲକ୍ଷ୍ମଣରେଖା ଡେଇଁବା ଉଦ୍ୟମ କରିବାରୁ ନିୟୋଜିତ ପୁଲିସ ବାହିନୀ ଏହାର ପ୍ରତିରୋଧ କଲାବେଳେ ବଳ ତ ପ୍ରୟୋଗ ହିଁ କରିବେ। ସେଠି ସଂସ୍କୃତ ଶ୍ଳୋକ ବା ଆଇ.ପି.ସି., ସି.ଆର୍‌.ପି.ସି. ଧାରା ମାଇକରେ କହିଲେ କୁ କାମ ଦେବ? ମାଲିକ ଗୋସେଇଁ କହନ୍ତି, ଜଣେ ଧର୍ମପରାୟଣ ବ୍ୟକ୍ତି, ତାଙ୍କର ଏକ ସୁନ୍ଦର ଗୋଲାପ ବଗିଚା ଥାଏ। ଦିନେ ଓଲିଆ ଗାଈଟାଏ ବାଡ଼ ଭାଙ୍ଗି ବଗିଚାରେ ପଶିଗଲା। ମାଳୀ ଦେଖିଲା ‘ଗୋ-ମାତା’ ୟେ ମାରିବ କେମିତି? ସେଠି କର ଯୋଡ଼ି ଗୋମାତାକୁ ପ୍ରାର୍ଥନା କଲା, ‘‘ହେ ଗୋ-ମାତା, ଏଇଟା ମୋର ମାଲିକଙ୍କ ପ୍ରିୟ ଗୋଲାପ ବଗିଚା, ତମେ ପାର୍ଶ୍ବସ୍ଥ ଘାସ ଖାଅ। ଏକୁ ନଷ୍ଟ କରି ଦିଅନି।’’ ମାତ୍ର ଗୋ-ମାତା ତ ଭିନ୍ନ ଭାଷା ବୁଝିବା ଜୀବ। ହଠାତ୍‌ ମାଲିକଙ୍କ ପୁଅ ପଶିଆସି ବାଡ଼ିଟେ ଧରି ‘‘ଛେଇ ଛେଇ’’ କରିବାରୁ ଗୋମାତା ହାଇଜମ୍ପ ମାରି ଭାଗା। ତେଣୁ ଯିଏ ଯେଉଁ ଭାଷା ବୁଝିବା କଥା ତାକୁ ସେଥିରେ ବୁଝାଇବା ଦରକାର। ଏ ପ୍ରବଣ ଉଛୁଳା ଜନତା, ବଳକୁ ହିଁ ବୁଝନ୍ତି। ଅସହଯୋଗ ଆନ୍ଦୋଳନ, ଲବଣ ସତ୍ୟାଗ୍ରହ ବେଳେ ବ୍ରିଟିଶ୍‌ ପୁଲିସର ଲାଠି, ବୁଟ ମାଡ଼କୁ ନିରବରେ ସହି ଏହା ସତ୍ୟାଗ୍ରହତାର ପ୍ରମାଣ କରୁଥିଲେ। ପୁଲିସ ଉପରକୁ ଢେଲା ଫିଙ୍ଗିଥିଲେ, ତା’ ଆଉ ଅହିଂସା ହୋଇ କୋଉ ରହିଲା? ବିରୋଧୀ ଦଳ ନେତା ଜୟନାରାୟଣ ଜଣେ ଏମିତି ସେମିତି ନେତା ନୁହନ୍ତି। ଖୋଦ ନାରାୟଣ ଦୁଆରୀ ପୁରାଣର ‘ଜୟ ବିଜୟ’ରୁ ଏ ଜୟ ସେମିତି ଜଣେ କଡ଼ା ଦୁଆରୀ ପୂର୍ବଜନ୍ମରେ ବୋଧେ ଥିଲେ। କି ପ୍ରତାପ ଲୋ ବୋପା। କେତେ ମକଦ୍ଦମା ତାଙ୍କ ନାଁରେ ଅଛି, ଜିଅଲ ବି ଯାଇଛନ୍ତି। ତାଙ୍କର କାହାକୁ ଖାତିର ନାହିଁ। ଷଣ୍ଢମାର୍କା ଜାଣ। ତେବେ ତାଙ୍କ ଆଗରେ ପୁଲିସ ସବ୍‌-ଇନ୍‌ସପେକ୍ଟର କି ଗୋଟେ ଜୀବ! ଟିକିଟେ ବୋଲି ଜାଣ, ମାତ୍ର ଶିବଙ୍କ ବେକରେ ଗୁଡ଼ା ସାପର ପ୍ରତାପ ସେ ଜାଣିଥିବେ। ପ୍ରତିଦିନ ପ୍ରାତଃ ଜଳଖିଆ ବ୍ରେକ୍‌ଫାଷ୍ଟରେ ଦି’ତିନିଟା ନାଗ ଗୋଖର ଖାଉଥିବା ଗରୁଡ଼ ମହାରାଜ, ଶିବଙ୍କ ଆଗରେ ଠିଆ ହୋଇଥିବା ବେଳେ ଏଗୁଡ଼ା ତାଙ୍କ ଖାଦକଙ୍କୁ ଦେଖି ନ ଡରି ଫୁଁ ଫୁଁ କରନ୍ତି ଓ ନାରାୟଣଙ୍କ ବାହନ ଗରୁଡ଼ ମହାରାଜ ତାଙ୍କୁ ସହିଥା’ନ୍ତି। କବିବର ରାଧାନାଥ ତ କହିଲେ, ‘‘ଗରୁଡ଼ ଉପରେ ଦେଖାନ୍ତି ପ୍ରତାପ, ସେ ଯେଣୁ ଅଟନ୍ତି ଶିବଙ୍କର ସାପ।’’ ମାତ୍ର ଜୟନାରାୟଣ ବାବୁ ପ୍ରଭୁ ଶିବଙ୍କୁ ଲଙ୍ଗଳା କରି ସାପଗୁଡ଼ାଙ୍କୁ ଖାଇଦେବା ଲୋକ। ପୁଲିସ ପୋଷାକରେ କୁତୁକୁତୁ ଏ ନାରୀ ପ୍ରତିଭା କୁ ଏସନ ବ୍ୟବହାରର ପ୍ରତିବାଦ କଲେଣି। କିରେ ଏଥିରେ ନାରୀ ଅସମ୍ମାନ ପ୍ରଶ୍ନ କାହିଁ? ଇଏ ତ ଜବ୍‌ ହାଜାର୍ଡ଼ କର୍ତ୍ତବ୍ୟର ତାଡ଼ନା ବା ଝଟକା। ପୁଲିସ ଅପରାଧୀଙ୍କ ମାମଲା, ବଳ କେଉଁଠି କେମିତି ପ୍ରୟୋଗ ହୁଏ ସେ ଅଙ୍କ ବୋଧେ ସମ୍ପୃକ୍ତା ପୁଲିସ ହାକିମ କି ବିରୋଧୀ ନେତା ଜୟନାରାୟଣଜୀ ପଢ଼ି ନାହାନ୍ତି। ‘‘ରାଜା ଅନ୍ଧକୁ ପ୍ରଜା ଅନ୍ଧ, ଯାହା କରିବେ ଅଚ୍ୟୁତାନନ୍ଦ।’’ ସାଧାରଣଙ୍କ ପାଇଁ ଭାଷା, ଭାବ ଓ ହିସାବ ଅଛି, ମାତ୍ର ଅସାଧାରଣ, ଅପ୍ରାକୃତିକ (uncommon and abnormal) ପାଇଁ ତା’ ଆମ ପାଖେ ନିଅନ୍ତି। ଭସ୍ମାସୁର ଯୋଗ ଏ ସଭିଙ୍କୁ ଅଛି, ସେ ତାତିରେ ଆମେ ପୋଡ଼ିପାଡ଼ି ଯାହା ହେଉଛେ। ଜୟ ଜଗନ୍ନାଥ!

Comments are closed.