Patra electronics

ହଳଦୀବସନ୍ତର ଇତିକଥା

ବିଶ୍ବଭାରତୀ

ଥରେ ସହରର ମାୟା ଲାଗିଗଲେ ଆଉ ଗାଁ ଭୂଇଁ ଭଲ ଲାଗେନି। କଇଁ‌େପାଖରୀ, କିଆଗୋହିରି, ମାଛଧରା, ନଈପହଁରା, କାଇଁଚମାଳି, ବଇଁଚକୋଳିର ସୁମଧୁର ବାଲ୍ୟସ୍ମୃତି ଭାରି ପାଣିଚିଆ ଲାଗେ। ଆଉ ଯାନିଯାତ ସହୀସଙ୍ଗାତ ଆକର୍ଷିତ କରିପାରନ୍ତିନି ପୁନଶ୍ଚ ଗାଁ ମାଟିକୁ ବାହୁଡ଼ିଯିବାକୁ; କିନ୍ତୁ ଜଣେ ପ୍ରକୃତିପ୍ରେମୀ ଭଦ୍ରବ୍ୟକ୍ତି ଦୀର୍ଘ ତିରିଶିବର୍ଷ​‌ ସେକ୍ରେଟାରିଏଟ୍‌ରେ ଚାକିରି କରିବା ପରେ ମଧ୍ୟ ଅବସର ପ୍ରାପ୍ତି ପରେ ଭୁବନେଶ୍ବରରେ ଅଟକି ନଯାଇ ଗାଁକୁ ଲେଉଟିଗଲେ। ଲକ୍ଷ୍ୟଥିଲା, ଭିଟାମାଟିର ପୁନରୁଦ୍ଧାର କରିବେ ଓ ଗାଈବଳଦ ପାଳି ନିଜେ ଚାଷ କରିବେ। ଗାଁରେ ପହଞ୍ଚି ସେ ଯଥାଶୀଘ୍ର ପୂରାଦମ୍‌ରେ କାମରେ ଲାଗିଗଲେ। ତେବେ ସକାଳର କଅଁଳିଆ ଖରାରେ ଘର ପଛପଟ ବାରିରେ କାମ କରିବାକୁ ତାଙ୍କୁ ସବୁଠୁ ଭଲ ଲାଗୁଥିଲା। କାରଣ ସେଠି ରାତି ନପାହୁଣୁ ପୁରୁଣା ବଡ଼ବଡ଼ ଗଛଗୁଡ଼ିକ ଅସଂଖ୍ୟ ପକ୍ଷୀଙ୍କର ମଧୁର କାକଳୀରେ ଭରିଯାଉଥିଲା। ସବୁ ଚଢ଼େଇଙ୍କ ଭିତରୁ ଊଳ ପିଙ୍ଗଳବର୍ଣ୍ଣା ହଳଦୀବସନ୍ତଗୁଡ଼ିକ ସବୁଠାରୁ ଆକର୍ଷଣୀୟ ଥିଲେ ଏବଂ ସେମାନଙ୍କର ମନମୁଗ୍ଧକର ସଂଗୀତ ତଥା ପତ୍ର ଗହଳରେ ଲୁଚକାଳି ଖେଳ ତତୋଽଧିକ ଚିତ୍ତାକର୍ଷକ ଥିଲା।

ବାରିଟି ଅତ୍ୟଧିକ ଛାଇ ହୋଇଯାଉଥିବାରୁ ଦିନେ ଭଦ୍ରବ୍ୟକ୍ତି ‘ଦରକାରୀ ଫଳଗଛ’ ଗୁଡ଼ିକ ରଖି ‘ଅଦରକାରୀ ସାହାଡ଼ାଗଛ’ ଗୁଡ଼ିକ କାଟିଦେଲେ। କିଛି ଦିନପରେ ସେ ଲକ୍ଷ୍ୟ କଲେ ଯେ ତାଙ୍କ ବାରିକୁ ଆଉ ହଳଦୀବସନ୍ତ ଆସୁନାହାନ୍ତି। କଥାଟା ସେ ଯେତେବେଳେ ତାଙ୍କ ବୃଦ୍ଧ କକାଙ୍କୁ ପଚାରିଲେ, ସେ ଉତ୍ତର ଦେଲେ, ‘ଆରେ, ହଳଦୀବସନ୍ତମାନେ ସାହାଡ଼ାଗଛର କୋଳି ଖାଇବାକୁ ଭାରି ଭଲପାଆନ୍ତି। ସେଥିପାଇଁ ସେମାନେ ତୋ’ ବାରିକୁ ଆସନ୍ତି। ସାହାଡ଼ାଗଛ କେହି ଲଗାନ୍ତି ନାହିଁ। ଏଇ ଚଢ଼େଇମାନେ ହିଁ ଗୋଟିଏ ଗଛରୁ କୋଳିଖାଇ ଆଉ କୋଉଠି ମଳତ୍ୟାଗ କଲେ ସେଠି ଗଛ ଉଠେ। ଗମ୍ଭୀର ଦେଖାଗଲେ ଭଦ୍ରବ୍ୟକ୍ତି। ସେ ପୁନଶ୍ଚ ପ୍ରଶ୍ନକଲେ, ସାହାଡ଼ାଗଛ କ’ଣ କିଛି କାମରେ ଲାଗେ? ବୃଦ୍ଧ କହିଲେ, ‘ମୁଁ ଜାଣିବାରେ ସାହାଡ଼ା ଦାନ୍ତକାଠି ଘଷିଲେ କିଛି ଦାନ୍ତରୋଗ ହୁଏନାହିଁ କି ସହଜେ ଦାନ୍ତ ପଡ଼େନାହିଁ। (ନବେ ବର୍ଷ ବୟସରେ ତାଙ୍କର ନିଖୁଣ ଦାନ୍ତଗୁଡ଼ିକ ତା’ର ପ୍ରମାଣ ଥିଲା) ତା’ଛଡ଼ା ମଙ୍ଗଳ ଦୋଷଥିଲେ ବର ବା ବଧୂକୁ ଦୋଷ କାଟିବାକୁ ପ୍ରଥମେ ସାହାଡ଼ା ଗଛ ସହିତ ବିଭା କରିଦିଆଯାଏ। ୟା’ଛଡ଼ା ଆଉ କ’ଣ ଉପକାର ମୁଁ ଜାଣିନି, ହୁଏତ ବଇଦେ ଜାଣିଥିବେ।

ଅତ୍ୟନ୍ତ ବିବ୍ରତ ବୋଧକଲେ ଭଦ୍ରବ୍ୟକ୍ତି। କେତେ ବଡ଼ ଅକ୍ଷମଣୀୟ ଅପରାଧ କଲି ମୁଁ! ମୋ ବାରିକୁ ହଳଦୀବସନ୍ତ ଆସିଥାନ୍ତେ, ସାହାଡ଼ା କୋଳି ଖାଇ ଅନ୍ୟ କେଉଁଠି ମଳତ୍ୟାଗ କରିଥାନ୍ତେ। ସେଠି ସାହାଡ଼ାଗଛ ଉଠିଥାନ୍ତା ଏବଂ ଏଇ ହଳଦୀବସନ୍ତମାନଙ୍କର ଭବିଷ୍ୟତ ବଂଶଧରଙ୍କୁ ଖାଦ୍ୟ ଯୋଗାଇଥାନ୍ତା। ସେମାନେ ପୁଣି ସେଠୁ ମଞ୍ଜିନେଇ ଆଉ କୋଉଠି ସାହାଡ଼ା ଗଛ ସୃଷ୍ଟି କରିଥାନ୍ତେ ଯାହା ତା’ ପରବର୍ତ୍ତୀ ପିଢ଼ିର ହଳଦୀବସନ୍ତଙ୍କୁ ଖାଦ୍ୟ ଯୋଗାଇଥା’ନ୍ତା। ଏପରି ଭାବରେ ହଳଦୀବସନ୍ତ ଓ ସାହାଡ଼ାଗଛ ପିଢ଼ି ପରେ ପିଢ଼ି ପରସ୍ପର ବଂଶବୃଦ୍ଧିରେ ସାହାଯ୍ୟ କରିଥାନ୍ତେ। ତା’ଛଡ଼ା, ହୁଏତ ମୁନିଋଷିମାନେ ପୂର୍ବରୁ ଆବିଷ୍କାର କରିିଥିବା ସାହାଡ଼ା ଗଛର ଔଷଧୀୟ ଗୁଣଗୁଡ଼ିକୁ ଆମ ପରି ଅଯୋଗ୍ୟମାନେ ଭୁଲିଯାଇଛୁ ବା ନିଜେ ଆବିଷ୍କାର କରିବାରେ ଅକ୍ଷମ ହୋଇଛୁ। କିଏ ଜାଣେ, କୌଣସି ଦୁଃସାଧ୍ୟ ଦୁରାରୋଗ୍ୟ ବ୍ୟାଧିର ଉପଶମର ରହସ୍ୟ ସାହାଡ଼ା ଗଛରେ ଥାଇପାରେ! ମଙ୍ଗଳଦୋଷ ଦୂର କଲାପରି ଅତି ସୂକ୍ଷ୍ମ ସ୍ତରରେ ଜୀବଜଗତ ଉପରେ ତା’ର କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରଭାବ ଥାଇପାରେ! ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟଗୁଡ଼ିକରୁ ରକ୍ଷା ପାଇବାର କଳା ଓ ବିଜ୍ଞାନ ହୁଏତ ସାହାଡ଼ା ଗଛକୁ ଜଣାଥାଇପାରେ! ହଳଦୀ ବସନ୍ତର ମଧ୍ୟ ବୀଜବିକ୍ଷେପ ପରି ମନୁଷ୍ୟ ସମାଜ, ଜୀବଜଗତ ସର୍ବୋପରି ପ୍ରକୃତି ପାଇଁ କୌଣସି ଚମତ୍କାର ଅବଦାନ ଥାଇପାରେ! ଯଦି କେବେ ସୁଦୂର ଭବିଷ୍ୟତରେ ଆମର କୌଣସି ସୁଯୋଗ୍ୟ ଦାୟାଦ ଏ ଗୋପନ ରହସ୍ୟ ଉନ୍ମୋଚନ କରିବାରେ ସକ୍ଷମ ହୁୁଅନ୍ତି, ତେବେ ସେତେବେଳକୁ ହଳଦୀବସନ୍ତ ଓ ସାହାଡ଼ାଗଛ ଆଉ ଥିବେ ତ? ମରିସସ୍‌ ଦେଶରେ ଡ଼ୋଡ଼ୋ ଚଢ଼େଇର ବିଲୁପ୍ତି ପରେ କାଲ୍‌ବେରିଆ ଗଛର ବିଲୁପ୍ତି ଯେପରି ସୁନିଶ୍ଚିତ ହୋଇଗଲା, ସେ ପରିସ୍ଥିତି ଉପୁଜିବନି ତ? ସେହି ଦିନ ହିଁ

ଭଦ୍ରବ୍ୟକ୍ତି ଶପଥ କଲେ- କେବଳ ଜୀବନ ଉପରେ ବିପଦ ପଡ଼ିଲା ଭଳି ଅବସ୍ଥା ନପହଞ୍ଚିଲେ ପ୍ରକୃତିର କୌଣସି ବିଭବର କ୍ଷତିକରିବାର ଅପରାଧ କରିବେ ନାହିଁ।
ଆମ ଜୀବନ କାଳ ମଧ୍ୟରେ ଆମେ ଏପରି କେତେ ଜଘନ୍ୟ ଅପରାଧ ଘଟାଇ ସାରିଲେଣି? ପୃଥିବୀର ପ୍ରତି ଇଞ୍ଚ ମାଟିରେ, ପାଣିରେ, ପବନରେ ପ୍ରତି କ୍ଷଣ ନିରନ୍ତର ଭାବରେ ଅଗଣିତ କ୍ରିୟା ପ୍ରତିକ୍ରିୟା ସଂଘଟିତ ହୋଇଚାଲିଛି। ଆଉ, ଏ ସମସ୍ତ କ୍ରିୟା, ପ୍ରତିକ୍ରିୟା ପରସ୍ପର ସହିତ ଉଭୟ ସ୍ଥୂଳ ତଥା ସୂକ୍ଷ୍ମ ସ୍ତରରେ ଏପରିଭାବେ ଛନ୍ଦାଛନ୍ଦି ହୋଇ ରହିଛନ୍ତି ଯେ ସେଥିରୁ କୌଣସି ଏକ କ୍ଷୁଦ୍ର ଅଂଶରେ ସାମାନ୍ୟ ମାତ୍ର ବ୍ୟତିକ୍ରମ ଘଟିଲେ ସମ୍ପୂର୍ଣ୍ଣ ବ୍ୟବସ୍ଥାର ଛନ୍ଦ ବିଗିଡ଼ିଯାଏ। ଶୃଙ୍ଖଳାରେ ଯେଉଁ ଅଚିନ୍ତନୀୟ ପରିବର୍ତ୍ତନ ଘଟେ, ତାହାକୁ ସଜାଡ଼ି ପୂର୍ବସ୍ଥିତି ଫେରାଇ ଆଣିବାକୁ ହୁଏତ ବହୁମୂଲ୍ୟ ଦେବା ପାଇଁ ହୁଏ, ଅଥବା ଯେତେ ମୂଲ୍ୟ ଦେଲେ ମଧ୍ୟ ପୁନଶ୍ଚ ପୂର୍ବସ୍ଥିତି ଫେରାଇ ଆଣିବା ଅସମ୍ଭବ ହୋଇପଡ଼େ। ଏ ଗଭୀରତତ୍ତ୍ବ ବୁଝିବାକୁ ଗୋଟିଏ ଉଦାହରଣ ଯଥେଷ୍ଟ। ପ୍ରାୟ ପଚାଶବର୍ଷ ତଳେ ଇଣ୍ଡୋନେସିଆରେ ମଶା ସଂଖ୍ୟା ପ୍ରବଳ ମାତ୍ରାରେ ବଢ଼ିଯାଇ ମ୍ୟାଲେରିଆ ବ୍ୟାପିଲା। ସେ ସମୟର ସେଠାକାର ସାମରିକ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତ୍ୟେକ ଘରର ସନ୍ଧିକନ୍ଦିରେ ତୁହାକୁତୁହା ପ୍ରଚୁର ଡିଡିଟି ​‌େସ୍ପ୍ର କଲେ। ଫଳରେ ଖୁବ୍‌ ଶୀଘ୍ର ମଶାବଂଶ ଲୋପପାଇ ମ୍ୟାଲେରିଆ ନିରାକରଣ ହୋଇଗଲା। ସରକାର ଓ ଲୋକେ ଏହାକୁ ଏକ ବିରାଟ ସଫଳତା ମନେକରି ଖୁସିହେଲେ; କିନ୍ତୁ ମଶାଙ୍କ ସହିତ ମାଛିମାନେ ମଧ୍ୟ ବହୁ ସଂଖ୍ୟାରେ ମରି ଚାରିଆଡ଼େ ପଡ଼ିଲେ। ସେଇ ବିଷାକ୍ତ ମୃତ ମାଛିମାନଙ୍କୁ ଖାଇ ଝିଟିପିଟିମାନେ ବିଷଜ୍ବାଳାରେ ଛଟପଟହୋଇ କାନ୍ଥରୁ ତଳକୁ ଖସିପଡ଼ିଲେ। ପରିସ୍ଥିତି ଏମିତି ହେଲା ଯେ ବିଲେଇମାନେ ତଳେ ପଡ଼ିଥିବା ଝିଟିପିଟିକୁ ଖାଇ ତାଙ୍କର ମଧ୍ୟ ବଂଶ ଲୋପପାଇବାକୁ ବସିଲା। ବିଲେଇଙ୍କ ଅନୁପସ୍ଥିତିରେ ମୂଷାବଂଶ ହୁହୁ ହୋଇ ବଢ଼ିଚାଲିଲା ଏବଂ ପ୍ଲେଗ୍‌ରୋଗ ବ୍ୟାପି ମହାମାରୀର ଭୟଙ୍କର ରୂପ ଧାରଣ କଲା। ଶସ୍ୟ ଭଣ୍ଡାର ସବୁ ସୁରକ୍ଷିତ ରଖିବା ଅସମ୍ଭବ ହୋଇପଡ଼ିଲା। ଶେଷରେ ଏ ଅସମ୍ଭାଳ ଅବସ୍ଥା ସଜାଡ଼ିବାକୁ ଇଣ୍ଡୋନେସିଆ ସରକାର ବିଦେଶରୁ ବିଲେଇ ଆମଦାନୀ କରିବାକୁ ବାଧ୍ୟହେଲେ। ବିଲେଇମାନଙ୍କୁ ଏୟାରଲିଫ୍ଟ କରି ବିଭିନ୍ନ ଦ୍ବୀପପୁଞ୍ଜରେ ଛଡ଼ାଗଲା। ଡିଡିଟି ଦ୍ବାରା ମଶା ମାରିବା ଦ୍ବାରା ଯେ ଏଭଳି ପରିସ୍ଥିତିର ସୃଷ୍ଟିହେବ, ଏ କଥା କିଏ ଚିନ୍ତା କରିଥିଲା।

ପ୍ରକୃତିର ବ୍ୟବସ୍ଥା ବିଷୟରେ ଆମେ କ’ଣ ବା ଜାଣିଛେ? କିଛି ବି ଜାଣିନେ। ଏମିତି କି ରାତି ପାହିଲେ ଦେଖୁଥିବା ଆମ ଚାରିପଟର ଅତି ପରିଚିତ ପ୍ରକୃତିରେ ଲୁଚି ରହିଥିବା ଅନେକ ଆଶ୍ଚର୍ଯ୍ୟଜନକ ଗୂଢ଼ ରହସ୍ୟଗୁଡ଼ିକ ବିଷୟରେ ମଧ୍ୟ ଆମେ ସମ୍ପୂର୍ଣ୍ଣ ଅଜ୍ଞ। ପ୍ରତିଦିନ ଆମେ ତାକୁ ଯେତେ ନିରୀକ୍ଷଣ କରୁଥିବା ସେତେ ନୂଆନୂଆ ତଥ୍ୟ ଆବିଷ୍କାର କରୁଥିବା। ବିଶିଷ୍ଟ ପ୍ରକୃତିବିଜ୍ଞାନୀ ଜିମ୍‌କର୍‌ବେଟ୍‌, ଯିଏ ନରଖାଦକ ବାଘଶିକାର କରିବାକୁ କୁମାୟୁଁ ପରି ହିମାଚଳ ପ୍ରଦେଶର ଅନେକ ଇଲାକାକୁ ତନ୍ନତନ୍ନ କରି ପରଖିଥିଲେ ଏବଂ ସେ ସମ୍ବନ୍ଧରେ ଅଗାଧ ଜ୍ଞାନ ଅର୍ଜନ କରିଥିଲେ, ସେ କହନ୍ତି, ‘ମୋର ମନେହୁଏ ଯେ ଏଇ ପରିଚିତ ଅଞ୍ଚଳ ବିଷୟରେ ମୁଁ ବିଶେଷ କିଛି ଜାଣିନାହିଁ। ପ୍ରକୃତିକୁ ନିରୀକ୍ଷଣ କରିବାରେ ବହୁତ ଆନନ୍ଦ ମିଳେ। ଏଥିପାଇଁ ଆବଶ୍ୟକ ଆପଣଙ୍କ ଅନୁସନ୍ଧିତ୍ସା ଓ ଅଧ୍ୟୟନଶୀଳତା। ଦୀର୍ଘ ଅର୍ଦ୍ଧଶତାବ୍ଦୀର ପ୍ରକୃତିଶିକ୍ଷା ପରେ ପରିଶେଷରେ ଆପଣଙ୍କର ମଧ୍ୟ ହୃଦ୍‌ବୋଧ ହେବ ଯେ ପ୍ରକୃତିର ଅନନ୍ତ ରହସ୍ୟର ଅତି ସାମାନ୍ୟ ଅଂଶମାତ୍ର ଆପଣଙ୍କ ସମ୍ମୁଖରେ ଉନ୍ମୋଚିତ ହୋଇଛି। ଜୀବନବ୍ୟାପୀ ସାଧନା ପରେ ହିଁ ଆପଣ ଉପଲବ୍ଧି କରିବେ ଯେ ଏ କ୍ଷେତ୍ରରେ ଚିରକାଳ ପାଇଁ ଆପଣ ଜଣେ ନୂତନ ଶିକ୍ଷାର୍ଥୀ; ଆପଣଙ୍କ ସମ୍ମୁଖରେ ଜ୍ଞାନର ଏକ ଅଶେଷ ଭଣ୍ଡାର।’ (ଜଙ୍ଗଲ ତଥ୍ୟ, ଜିମ୍‌ କର୍‌ବେଟ୍‌)।
ହଜାର ହଜାର ବର୍ଷ ଧରି ଆମ ପୂର୍ବପୁରୁଷମାନେ ପ୍ରକୃତିକୁ ନିରବଚ୍ଛିନ୍ନ ଭାବରେ ଅନୁଧ୍ୟାନ କରି ଅନେକ ବିସ୍ମୟକର ଗୁରୁତ୍ବପୂର୍ଣ୍ଣ ତଥ୍ୟସବୁ ଆବିଷ୍କାର କରିଥିଲେ। ଏଇ ଯେମିତି, ହଳଦୀବସନ୍ତ ପରି ଅନେକ ପକ୍ଷୀ ବିଭିନ୍ନ ଗଛର ଫଳ ଖାଇ ମଳତ୍ୟାଗ କଲେ ସେଥିରୁ ସେଇ ଗଛ ସୃଷ୍ଟି ହୁଏ। ଚନ୍ଦନ, ଡିମିରି, ବର, ଅଶ୍ବତ୍‌ଥ ପରି କେତେକ ଗଛ ଅଛି, ଯାହା କେବଳ ପକ୍ଷୀ ମଳରୁ ହିଁ ସୃଷ୍ଟିହୁଏ। ଆଜି ପର୍ଯ୍ୟନ୍ତ ଏସବୁ ଗଛଗୁଡ଼ିକୁ ଶତଚେଷ୍ଟା ସତ୍ତ୍ବେ କୌଣସି ଆଧୁନିକ ପ୍ରୟୋଗଶାଳାରେ କୃତ୍ରିମ ଭାବରେ ସୃଷ୍ଟି କରିବା ସମ୍ଭବ ହୋଇନାହିଁ। ଔଷଧୀୟ ଗୁଣଯୁକ୍ତ ଏହି ବୃକ୍ଷଗୁଡ଼ିକୁ ଏହି କାରଣରୁ ପୂଜା କରାଯାଏ, ନଷ୍ଟ କରାଯାଏ ନାହିଁ। ଠିକ୍‌ ସେମିତି, ଅତି ଦ୍ରୁତଗତିରେ ବୃଦ୍ଧି ପାଉଥିବା ଅନେକ କୀଟ ପତଙ୍ଗଙ୍କୁ ଖାଇ ସେମାନଙ୍କ ସଂଖ୍ୟା ନିୟନ୍ତ୍ରଣ କରୁଥିବାରୁ ଏବଂ ବୀଜବିକ୍ଷେପ କରି ଅସଂଖ୍ୟ ବୃକ୍ଷରାଜି ସୃଷ୍ଟି କରୁଥିବାରୁ କୁମ୍ଭାଟୁଆ, ହଳଦୀବସନ୍ତ ପରି ପକ୍ଷୀମାନଙ୍କୁ ଶୁଭମାନ୍ୟ କରାଯାଏ।

ଆମେ ମଣିଷମାନେ, କେବଳ ନିଜର ସ୍ବାର୍ଥପାଇଁ, ସୁଖସୁବିଧା ପାଇଁ, ପୃଥିବୀର ଅକଳନ୍ତି ସ୍ଥାନରୁ ଅନେକ ବୃକ୍ଷଲତା ନଷ୍ଟ କରିସାରିଛୁ, ଯାହା ଏକଦା ଅଗଣିତ ପଶୁପକ୍ଷୀ, ସରୀସୃପ,କୀଟ ପତଙ୍ଗଙ୍କର ବାସସ୍ଥାନ ଥିଲା। ଭାତହାଣ୍ଡି ଥିଲା। ସେ ସମସ୍ତଙ୍କୁ ଆମ ସ୍ବାର୍ଥ ପାଇଁ ‘ଅଦରକାରୀ’ ମନେକରିଥିବାରୁ ଆଜି ଅସଂଖ୍ୟ ବୃକ୍ଷଲତା ଓ ଜୀବଜନ୍ତୁ ବିଲୁପ୍ତ; ଆହୁରି ଅନେକ ବିଲୁପ୍ତିର ଦ୍ବାର ଦେଶରେ। ଆଜି ହଳଦୀବସନ୍ତର ବିଲୁପ୍ତିର ପାଳି ପଡ଼ିଛି। ପ୍ରସ୍ତୁତ ହୋଇଯିବା; କାଲି ଆମ ପାଳି ଆସିଯିବ।

Comments are closed.