ଐକିକ ନାଗରିକ ସଂହିତା କାହିଁକି?

ଅନନ୍ତ ଚରଣ ସାହୁ

ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୪୪, ଉପଧାରା ୪ ଅନୁଯାୟୀ ସମ୍ବିଧାନ ନୀତି ନିର୍ଦେଶୀ ତତ୍ତ୍ବରେ ସ୍ପଷ୍ଟ ଭାବେ ନିର୍ଦେଶିତ ହୋଇଅଛି ଯେ ଭବିଷ୍ୟତରେ ଭାରତୀୟ ନାଗରିକଙ୍କ ପାଇଁ ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଏକ ଐକିକ ତଥା ସମନ୍ବିତ ନାଗରିକ ସଂହିତା ପ୍ରଣୟନ ଆବଶ୍ୟକ। ଏହି ନିର୍ଦେଶନାର ଉଦ୍ଦେଶ୍ୟ ଅତ୍ୟନ୍ତ ମହତ: ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ଓ ବର୍ଗ ନିର୍ବିଶେଷରେ ସମଗ୍ର ଭାରତୀୟଙ୍କ ମଧ୍ୟରେ ଏକ ଐକିକ ନାଗରିକ ଆଇନ ପ୍ରଣୟନ ଫଳରେ ସମଗ୍ର ରାଷ୍ଟ୍ରକୁ ଏକ ସୂତ୍ରରେ ବାନ୍ଧି ରଖିବା।

prayash

ଯଦିଓ ସ୍ବାଧୀନତା ପ୍ରାପ୍ତିର ୭୬ ବର୍ଷ ପରେ ମଧ୍ୟ ଏହି ସଂହିତାର ପ୍ରଚଳନ ହୋଇ ପାରିନାହିଁ, ତଥାପି ଏହାର ପ୍ରଚଳନ ଓ ଉପଲବ୍ଧିକୁ ସମାଜ ଗ୍ରହଣ କରିବା ଅବସ୍ଥାରେ ରହିଛି। ଏହି ଲକ୍ଷ୍ୟରେ ଗୋଆ ରାଜ୍ୟ ଏକ ଜ୍ବଳନ୍ତ ଦୃଷ୍ଟାନ୍ତ। ସ୍ବାଧୀନ ଭାରତରେ ମିଶିବା ପୂର୍ବରୁ ବିଦେଶୀ ପର୍ତ୍ତୁଗୀଜ ଶାସନ କାଳରେ ଏଠାରେ ଐକିକ ନାଗରିକ ସଂହିତା ପ୍ରଚଳନ ହୋଇଛି। ନିକଟ ଅତୀତରେ ଗୁଜରାଟ ରାଜ୍ୟ ସରକାର ମଧ୍ୟ ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରି ଏହି ଉଦ୍ଦେଶ୍ୟରେ ଏକ ବିଶେଷ କମିଟି ଗଠନପୂର୍ବକ ସେହି ରାଜ୍ୟରେ ଐକିକ ନାଗରିକ ସଂହିତାର ପ୍ରଚଳନ ପାଇଁ କେତେ ସମ୍ଭାବନା ରହିଛି, ତାହା ପରୀକ୍ଷାନିରୀକ୍ଷା ପୂର୍ବକ ଐକିକ ନାଗରିକ ସଂହିତାକୁ ଆଇନରେ ପ୍ରଣୟନ କରି କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ଏକ ଚିଠା ଆଇନ ପ୍ରସ୍ତୁତ ପାଇଁ ନିର୍ଦେଶ ଦେଇଛନ୍ତି; କିନ୍ତୁ ସମଗ୍ର ଭାରତ ପରିବର୍ତ୍ତେ ଗୋଟିଏ ରାଜ୍ୟରେ ସ୍ବତନ୍ତ୍ର ଭାବରେ ଏଭଳି ଏକ ଆଇନ ପ୍ରଚଳନ କେତେଦୂର ବାସ୍ତବ? ସମଗ୍ର ଭାରତପାଇଁ ଏକ ପ୍ରକାର ନାଗରିକ ଆଇନ ପ୍ରଚଳନ ନହେଲେ, ସାମାଜିକ ସନ୍ତୁଳନରେ ବିଭ୍ରାଟ ସୃଷ୍ଟି ହେବ। ସେହି ଉଦ୍ଦେଶ୍ୟରେ ଅତୀତରେ ଭାରତ ସରକାର ଏକ ହିନ୍ଦୁ କୋଡ୍‌ ପ୍ରଚଳନ କରିଥିଲେ। ୧୯୫୫ ମସିହାରେ ଭାରତର ତତ୍‌କାଳୀନ ଆଇନ ମନ୍ତ୍ରୀ ବି.ଆର.ଆମ୍ବେଦକରଙ୍କ ଦ୍ବାରା ପ୍ରସ୍ତୁତ ଓ ଭାରତର ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଦ୍ବାରା ସମର୍ଥିତ ଏହି ଆଇନଟି ହିନ୍ଦୁ ବୈବାହିକ, ଉତ୍ତରାଧିକାର, ମୁରବିତ୍ବ, ପୋଷ୍ୟସନ୍ତାନ ଗ୍ରହଣ, ହିନ୍ଦୁମାନଙ୍କ ମଧ୍ୟରେ ପ୍ରଚଳିତ ବିଭିନ୍ନ ନୀତି ନିୟମଗୁଡ଼ିକୁ ସମନ୍ବିତ କରି ଗୃହୀତ ହୋଇଥିଲା। ଏହା ଫଳରେ ହିନ୍ଦୁମାନଙ୍କ ପୂର୍ବରୁ ପ୍ରଚଳିତ ସାମାଜିକ ପ୍ରଥା ଓ ପରମ୍ପରା ପରିବର୍ତ୍ତେ, ଏକ ସମନ୍ବିତ ନାଗରିକ ଆଇନ ପ୍ରଚଳନ ପାଇଁ ହିନ୍ଦୁ କୋଡ ଗୃହୀତ ହୋଇଥିଲା। ଏହାସତ୍ତ୍ବେ ହିନ୍ଦୁମାନଙ୍କ ମଧ୍ୟରେ ସାମାଜିକ କ୍ଷେତ୍ରରେ ପ୍ରାଚୀନ ପ୍ରଥା ଓ ପରମ୍ପରାଗୁଡ଼ିକ ଚାଲୁ ରହିଛି। ଯେ ପର୍ଯ୍ୟନ୍ତ ସମଗ୍ର ଭାରତରେ ବିଭିନ୍ନ ଧର୍ମ ସମ୍ପ୍ରଦାୟ, ଗୋଷ୍ଠୀ ଓ ଜାତି ନିର୍ବିଶେଷରେ ଏକ ଐକିକ ନାଗରିକ ସଂହିତାର ପ୍ରଚଳନ ନ ହୋଇଛି, ସେ ପର୍ଯ୍ୟନ୍ତ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ସର୍ବଭାରତୀୟ ରାଷ୍ଟ୍ର ଓ ଐକ୍ୟ ଚେତନାର ପରିକଳ୍ପନା ସମ୍ଭବ ନୁହେଁ।

କେବଳ ଭାରତୀୟଙ୍କ ପାଇଁ ନୁହେଁ; ବସ୍ତୁତଃ ପୃଥିବୀର ପ୍ରତ୍ୟେକ ପ୍ରଗତିଶୀଳ ସ୍ବାଧୀନରାଷ୍ଟ୍ର ଏହି ଐକିକ ନାଗରିକ ସଂହିତାକୁ ପରୋକ୍ଷ ଭାବରେ ପ୍ରଚଳନ କରୁଛନ୍ତି। ଏହି ଉଦ୍ଦେଶ୍ୟରେ କେତେକ ରାଷ୍ଟ୍ରରେ ନାଗରିକଙ୍କ ମଧ୍ୟରେ ପରୋକ୍ଷ ଭାବରେ ଆନ୍ଦୋଳନ ମଧ୍ୟ ଚାଲିଛି। ଉଦାହରଣ ସ୍ବରୂପ: ଇରାନ୍‌, ଇଣ୍ଡୋନେସିଆ ଭଳି ମୁସ୍‌ଲିମ ବହୁଳ ରାଷ୍ଟ୍ରଗୁଡ଼ିକରେ ମଧ୍ୟ ବୈବାହିକ କ୍ଷେତ୍ରରେ ଏକ ସମନ୍ବିତ ଆଇନ ପ୍ରଚଳନ ପାଇଁ ଆନ୍ଦୋଳନ ଚାଲିଛି। ନିକଟ ଅତୀତରେ ଭାରତରୁ ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ତିନି ତଲାକ୍‌ (ଛାଡ଼ପତ୍ର) ପ୍ରଥାର ଆଇନଗତ ଉଚ୍ଛେଦ ହୋଇସାରିଛି। ବହୁପତ୍ନୀ-ଗ୍ରହଣ ପ୍ରଥା ମଧ୍ୟ କେତେକ ରାଷ୍ଟ୍ରରୁ ଉଚ୍ଛେଦ ହୋଇସାରିଛି; କିନ୍ତୁ ଭାରତରେ ଏବେ ମଧ୍ୟ କେତେକ ସମ୍ପ୍ରଦାୟ ମଧ୍ୟରେ ଏହାର ପ୍ରଚଳନ ରହିଛି। ଐକିକ ନାଗରିକ ସଂହିତା ଗୃହୀତ ହେଲେ ଏହି ପ୍ରଥା ଭାରତରୁ ମଧ୍ୟ ଲୋପ ପାଇବ। ପରୋକ୍ଷ ଭାବରେ ଭାରତ ସରକାର ବହୁପତ୍ନୀ ଗ୍ରହଣ ପ୍ରଥାକୁ ଲୋପ କରିବା ଉଦ୍ଦେଶ୍ୟରେ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହି ଆଇନ ଲାଗୁ କରିଅଛନ୍ତି। ମୁସ୍‌ଲିମ୍‌ ସମ୍ପ୍ରଦାୟ ମଧ୍ୟରେ ପ୍ରଚଳିତ ବୁର୍ଖା, ନକାବ୍‌, ହିଜାବ୍‌ ପ୍ରଭୃତି ମୁଖ ଆଚ୍ଛାଦନକାରୀ ପୋଷାକଗୁଡ଼ିକ ପ୍ରଚଳନ, ଶିକ୍ଷାନୁଷ୍ଠାନଗୁଡ଼ିକର ପ୍ରଚଳିତ ଶୃଙ୍ଖଳିତ ଡ୍ରେସ-କୋଡ୍‌ରେ ବ୍ୟତିକ୍ରମ ସୃଷ୍ଟି କରିଛି। ତେଣୁ ଦେଶର କେତେକ ଅଞ୍ଚଳର ଶିକ୍ଷାନୁଷ୍ଠାନରେ ହିଜାବ୍‌ ପରିଧାନ କରିବାକୁ ନିଷିଦ୍ଧ କରାଯାଇଛି। ଭବିଷ୍ୟତରେ ଭାରତକୁ ଏକ ପ୍ରଗତିଶୀଳ, ସଂସ୍କାରାତ୍ମକ, ସମନ୍ବିତ ଓ ସାମଗ୍ରିକ ରାଷ୍ଟ୍ରଚେତନା ସମ୍ପନ୍ନ ରାଷ୍ଟ୍ରରେ ପରିଣତ କରିବାପାଇଁ ଏକ ସର୍ବଗ୍ରହଣୀୟ ଐକିକ ନାଗରିକ ସଂହିତା ପ୍ରଣୟନ ଅନିବାର୍ଯ୍ୟ ହୋଇପଡ଼ିଛି। ଫଳରେ ଧର୍ମ- ସମ୍ପ୍ରଦାୟ ମଧ୍ୟରେ ରହିଥିବା ଧାର୍ମିକ ବି​‌େ​‌ଦ୍ବଷ, ଜାତିପ୍ରଥାରେ ଥିବା ହୀନମନ୍ୟତାର ବିଲୋପ ଘଟି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ପରିକଳ୍ପନା ଯଥାର୍ଥରେ ଫଳପ୍ରଦ ହୋଇପାରିବ।

kalyan agarbati

Comments are closed.