ଦାରିଦ୍ର୍ୟ ହଟୁଛି ଓ ଦେଶ ଆଗକୁ ବଢୁଛି ବୋଲି କହି ଢୋଲ ପିଟୁଛନ୍ତି ସରକାର; ମାତ୍ର ବିକାଶର ଏହି ଗୋଲାପି ଚିତ୍ରକୁ ଉପହାସ କରୁଛି ନିକଟରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ସୂଚକାଙ୍କର ସାଙ୍ଘାତିକ ତଥ୍ୟ। ଆନ୍ତର୍ଜାତିକ ଖାଦ୍ୟନୀତି ଗବେଷଣା ପ୍ରତିଷ୍ଠାନ (ଆଇଏଫପିଆରଆଇ) ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଥିବା ୧୨୧ଟି ଦେଶ ମଧ୍ୟରେ ୧୦୭ ତମ ସ୍ଥାନକୁ ଠେଲିହେଇ ଯାଇଛି ଭାରତ। ଗତବର୍ଷ ତୁଳନାରେ ଭାରତ ୬ଟି ସ୍ଥାନ ତଳକୁ ଖସି ଆସିଛି ଏବଂ ଭାରତ ତୁଳନାରେ ଖୁବ୍ ଭଲ ସ୍ଥିତିରେ ଅଛନ୍ତି ପାକିସ୍ତାନ, ବାଂଲାଦେଶ ଓ ନେପାଳ ଆଦି ପଡ଼ୋଶୀ ରାଷ୍ଟ୍ର। କେବଳ ଚଳିତ ବର୍ଷ ନୁହେଁ; କ୍ରମାଗତ ଭାବେ ଏକ ଦଶନ୍ଧି ଧରି ଜାରି ରହିଛି ଭାରତର ନୈରାଶ୍ୟଜନକ ପ୍ରଦର୍ଶନ। ସରକାର ଏହାକୁ ଲୁଚାଇବା ପାଇଁ ଯେତେ ଚେଷ୍ଟା କଲେ ବି ଭୋକିଲା ଭାରତର ଚିତ୍ର କହୁଛି ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି ସରକାର।
୨୦୧୩ ମସିହାରୁ ଦେଶରେ କାର୍ଯ୍ୟକାରୀ ହେଉଛି ଖାଦ୍ୟ ସୁରକ୍ଷା ଆଇନ। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ରିଆତି ମୂଲ୍ୟରେ ଯୋଗାଇ ଦିଆଯାଉଛି ଚାଉଳ ଓ ଗହମ ଆଦି ଖାଦ୍ୟଶସ୍ୟ। ଏହା ସେତ୍ତ୍ବ କାହିଁକି ବଦଳୁନି କ୍ଷୁଧିତ ଭାରତର ଚିତ୍ର? ବିଶ୍ୱ କ୍ଷୁଧା ସୂଚକାଙ୍କ ତାଲିକାରେ କ୍ରମାଗତ ଭାବରେ କାହିଁକି ଖସି ଖସି ଯାଉଛି ତଳକୁ ? ସାଧାରଣତଃ ବୟସ ଅନୁସାରେ ସୁସ୍ଥ, ସବଳ ଓ ଉତ୍ପାଦନକ୍ଷମ ଜୀବନ ଯାପନ କରିବା ପାଇଁ ଶରୀର ଆବଶ୍ୟକ କରେ ସୁଷମ ଆହାର; ଅର୍ଥାତ୍ କ୍ଷୁଧା ନିରାକରଣ ସହିତ ଯୋଡ଼ି ହୋଇ ରହିଛି ଉତ୍ତମ ପୋଷଣର ଆବଶ୍ୟକତା। ଏହାକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହୋଇଛି ୨୦୧୩ ଖାଦ୍ୟ ସୁରକ୍ଷା ଅଧିନିୟମ। ଜନସାଧାରଣଙ୍କୁ ଉତ୍ତମ ଗୁଣବିଶିଷ୍ଟ ଓ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଉପଲବ୍ଧତା ଦ୍ୱାରା ମାନବର ଜୀବନଚକ୍ର ମଧ୍ୟରେ ଖାଦ୍ୟ ଓ ପୋଷଣ ସୁରକ୍ଷା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ। ଆମ ସମ୍ବିଧାନରେ ବି (୪୭ ଧାରା) ଏହା ରହିଛି। ଜନ ସାଧାରଣଙ୍କ ଜୀବନ ଜିଇବାର ସ୍ତର ଏବଂ ପୁଷ୍ଟି ସାଧନର ସ୍ତର ସମେତ ଜନସ୍ୱାସ୍ଥ୍ୟର ଉନ୍ନତି ଆଣିବା ସକାଶେ ଦେଶ ନିଜର କର୍ତ୍ତବ୍ୟ ନିର୍ବାହ କରିବା ଉଚିତ। ଏହି କର୍ତ୍ତବ୍ୟ ନିର୍ବାହରେ ଦେଶ ଯେ ବିଫଳ ହୋଇଛି ତାହା ସ୍ପଷ୍ଟ ଭାବରେ ଚେତେଇ ଦେଇଛି ବିଶ୍ୱ କ୍ଷୁଧା ସୂଚକାଙ୍କ ତଥ୍ୟ।
ସାଧାରଣତଃ ୪ଟି ବିଭାବକୁ ଭିତ୍ତିକରି ପ୍ରସ୍ତୁତ ହୁଏ ବୈଶ୍ୱିକ କ୍ଷୁଧାସୂଚୀ। ସେଗୁଡ଼ିକ ହେଲା (କ) ପୁଷ୍ଟିହୀନତା ବା କୁପୋଷଣ (ଜନସଂଖ୍ୟାର କେତେ ପ୍ରତିଶତ ପର୍ଯ୍ୟାପ୍ତ ପରିମାଣର ପୌଷ୍ଟିକ ଆହାର ଖାଇବାକୁ ପାଆନ୍ତିନି) (ଖ) ଶିଶୁ ଅପଚୟ ବା ଚାଇଲ୍ଡ ୱେଷ୍ଟିଙ୍ଗ (ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରୁ କେତେ ପ୍ରତିଶତଙ୍କ ଓଜନ ଉଚ୍ଚତା ଅନୁସାରେ କମ୍) (ଗ) ଶିଶୁ ଗେଡାହେବା ବା ଚାଇଲ୍ଡ ଷ୍ଟଂଣ୍ଟିଂ (ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ମଧ୍ୟରୁ କେତେ ପ୍ରତିଶତଙ୍କ ଉଚ୍ଚତା ବୟସ ଅନୁପାତରେ କମ୍) (ଘ) ଶିଶୁ ମୃତ୍ୟୁହାର (ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ମୃତ୍ୟୁ ହାର)। ୟୁନିସେଫ୍, ବିଶ୍ୱବ୍ୟାଙ୍କ, ଖାଦ୍ୟ ଓ କୃଷି ସଙ୍ଗଠନ ତଥା ଜାତିସଂଘ ଓ ଅନ୍ୟାନ୍ୟ ବହୁ ଦେଶୀୟ ସଙ୍ଗଠନରୁ ସଂଗୃହୀତ ତଥ୍ୟାବଳୀ ଆଧାରରେ ଶିଶୁର ଶାରୀରିକ ବିକାଶ ଓ ମୃତ୍ୟୁହାରକୁ ଅଧ୍ୟୟନ କରି ସାବ୍ୟସ୍ତ ହୁଏ ଭୋକ (ପୁଷ୍ଟିହୀନତା)ର ସ୍ତର।
ଗ୍ଲୋବାଲ ନ୍ୟୁଟ୍ରିସନ ସଂସ୍ଥାର ରିପୋର୍ଟ ଅନୁଯାୟୀ ଶିଶୁର ଅସ୍ୱାଭାବିକ ଉଚ୍ଚତାର କାରଣ ହେଉଛି ଦୀର୍ଘ କୁପୋଷଣ। ଆମ ଜାତୀୟ ପରିବାର ସର୍ବେକ୍ଷଣ ତଥ୍ୟ କହେ ଦେଶରେ ପାଞ୍ଚବର୍ଷ ବୟସ ତଳେ ଥିବା ୩୫ ଶତାଂଶ ଶିଶୁଙ୍କ ଉଚ୍ଚତା ବୟସ ଅନୁପାତରେ କମ୍। ଅର୍ଥାତ୍ ଦେଶରେ ୪ କୋଟିରୁ ଊର୍ଦ୍ଧ୍ବ ଶିଶୁ ଅସ୍ୱାଭାବିକ ଉଚ୍ଚତା ବିଶିଷ୍ଟ ଯାହା ବିଶ୍ୱରେ ସର୍ବାଧିକ। ବିଶ୍ୱ କ୍ଷୁଧା ସୂଚକାଙ୍କ ତଥ୍ୟ ବି କହେ ସାରା ବିଶ୍ୱରେ ୱେଷ୍ଟେଡ ଶିଶୁ (ଉଚ୍ଚତା ଅନୁପାତରେ କମ୍ ଓଜନ)ଙ୍କ ସଂଖ୍ୟା ଭାରତରେ ହିଁ ସବୁଠୁ ବେଶି। ଜାତିସଂଘ ରିପୋର୍ଟ ଅନୁସାରେ ସମଗ୍ର ବିଶ୍ୱରେ ପାଞ୍ଚବର୍ଷ ବୟସ ଭିତରେ ଯେତେ ଶିଶୁ କୁପୋଷଣ କାରଣରୁ ମୃତ୍ୟୁବରଣ କରନ୍ତି, ତାର ଏକ ପଞ୍ଚମାଂଶ ହେଉଛନ୍ତି ଭାରତୀୟ। ଭିନ୍ନଭିନ୍ନ ସଂସ୍ଥା ଦ୍ୱାରା ପ୍ରଦତ୍ତ ଉପରୋକ୍ତ ତଥ୍ୟାବଳୀ କହୁଛି, ଭାରତ ପୂରଣ କରିପାରୁନି ପିଲାଙ୍କ ପୋଷଣ ଆବଶ୍ୟକତା।
୧୯୭୫ ମସିହାରୁ ଦେଶରେ କାର୍ଯ୍ୟକାରୀ ହେଉଛି ସମନ୍ୱିତ ଶିଶୁ ବିକାଶ ଯୋଜନା। ଶିଶୁ ଓ ମହିଳା କଲ୍ୟାଣ ପାଇଁ ଗାଁ ଗାଁରେ ଖୋଲିଛି ଅଙ୍ଗନବାଡ଼ି କେନ୍ଦ୍ର। ସେମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବା ପାଇଁ ବିନିଯୋଗ ହେଉଛି ପର୍ଯ୍ୟାପ୍ତ ଅର୍ଥ। ମାତ୍ର ଜାତୀୟ ପରିବାର ସର୍ବେକ୍ଷଣ ତଥ୍ୟ ଅନୁସାରେ ୫ବର୍ଷ ବୟସ ମଧ୍ୟରେ ଦେଶର ୪୨ ପ୍ରତିଶତ ଶିଶୁ ରକ୍ତହୀନତା ରୋଗରେ ପୀଡ଼ିତ। ବିଶେଷକରି ଅନୁନ୍ନତ ଆଦିବାସୀ ଅଞ୍ଚଳରେ ପୁଷ୍ଟିହୀନ ଶିଶୁଙ୍କ ଅବସ୍ଥା ଅତି ଦୟନୀୟ। ଓଡ଼ିଶାରେ ଦାରିଙ୍ଗବାଡ଼ି ଭଳି ଅନେକ ଅନୁନ୍ନତ ଆଦିବାସୀ ଅଞ୍ଚଳ ଅଛି, ଯେଉଁଠି ଦୁର୍ବଳ ପତଳା ଶରୀର ନେଇ ବଞ୍ଚିଥିବା ପିଲାଙ୍କୁ ଦେଖିଲେ ମନେହୁଏ ସେସବୁ ଅଭାବୀ ଗାଆଁର ପୁଷ୍ଟିହୀନ ଶିଶୁଙ୍କ ପାଖରେ ପହଞ୍ଚି ପାରିନି ଅତିରିକ୍ତ ପୁଷ୍ଟିଯୋଗାଣ ପାଇଁ ଉଦ୍ଦିଷ୍ଟ ଶିଶୁ ବିକାଶ ସେବା ଯୋଜନା। ପାହାଡ଼ିଆ ବଣୁଆ ଅଞ୍ଚଳରେ ଏକ ପ୍ରାକୃତିକ ପୁଷ୍ଟି ପରିଚାଳନାକାରୀ ଖାଦ୍ୟ ହେଉଛି ମାଣ୍ଡିଆ ପେଯ। ପ୍ରଶାସନ ଏହାକୁ ଅଣଦେଖା କରି ମାଣ୍ଡିଆ ପେଯ ବଦଳରେ ଯଦି ଭାତ ଖାଇବା ପାଇଁ ବାଧ୍ୟକରି ତାଙ୍କୁ ଟଙ୍କାକିଆ ଚାଉଳ ଯୋଗେଇ ଦିଏ, ତେବେ କେମିତି ସମ୍ଭବ ହେବ ସେ ଅଞ୍ଚଳ ପିଲାଙ୍କ ପୁଷ୍ଟିସାଧନ?
କେବଳ ଶିଶୁ ନୁହନ୍ତି, ଆମ ଦେଶର ଜନସଂଖ୍ୟାର ୭୧ ପ୍ରତିଶତ ଅର୍ଥାତ୍ ପ୍ରାୟ ୯୭ କୋଟିରୁ ଅଧିକ ଲୋକ ଆବଶ୍ୟକ ପରିମାଣରେ ପୁଷ୍ଟିସାର ଖାଦ୍ୟରୁ ବଞ୍ଚିତ। ‘ସେଣ୍ଟର ଫର ସାଇନ୍ସ ଏଣ୍ଡ ଏନଭାରନ୍ମେଣ୍ଟ’ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ ପୁଷ୍ଟିସାର ଖାଦ୍ୟ ଅଭାବ ଜନିତ କାରଣରୁ ପ୍ରତିବର୍ଷ ପ୍ରାଣ ହରାଉଛନ୍ତି ହାରାହାରି ୧୭ ଲକ୍ଷ ଭାରତୀୟ। ଯେଉଁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି ସେମାନଙ୍କର କାର୍ଯ୍ୟଦକ୍ଷତା କମିଯିବା ଏକ ସାଧାରଣ କଥା। ସାରା ପୃଥିବୀରେ ପୁଷ୍ଟିକର ଖାଦ୍ୟ ଖାଇବାକୁ ପାଉନଥିବା ୩୦୭ କୋଟି ଲୋକଙ୍କ ମଧ୍ୟରୁ ଭାରତୀୟଙ୍କ ସଂଖ୍ୟା ପାଖାପାଖି ଏକ ତୃତୀୟାଂଶ। ଆଗେ ଭାରତୀୟଙ୍କ ପାଇଁ ଭୋକର ସବୁଠାରୁ ବଡ଼ କାରଣ ଥିଲା ଦୁର୍ଭିକ୍ଷ। ଏଥିପାଇଁ ପ୍ରତିବର୍ଷ ଅନାହାରରେ ମୃତ୍ୟୁବରଣ କରୁଥିଲେ ଅସୁମାରି ଲୋକ। ନଅଙ୍କ ଦୁର୍ଭିକ୍ଷ ତା’ର ଏକ ବଡ଼ ଉଦାହରଣ।
ମାତ୍ର ଷାଠିଏ ଦଶକର ସବୁଜ ବିପ୍ଳବ ପେର କ୍ରମାଗତ ବଢ଼ିଚାଲିଛି ଖାଦ୍ୟଶସ୍ୟ ଉତ୍ପାଦନ, ଯା’ର ପରିଣାମ ସ୍ୱରୂପ ଏ କ୍ଷେତ୍ରରେ ଭାରତ ଏବେ ଏକ ବଳକା ରାଷ୍ଟ୍ର। ଅସାବଧାନତା ଓ ଅନ୍ୟାନ୍ୟ କାରଣରୁ ଗୋଦାମରେ ନଷ୍ଟ ହେଉଛି ହଜାର ହଜାର ଟନ ଖାଦ୍ୟଶସ୍ୟ। ଅନ୍ୟପକ୍ଷରେ ଏବେ ସୁଦ୍ଧା ଦିନକୁ ଦୁଇ ଓଳି ପେଟ ପୂରା ଖାଇବାକୁ ପାଉନାହାନ୍ତି ଦେଶର ଶତକଡ଼ା ୧୪ ଭାଗ ଲୋକ। ୧୯ କୋଟି ଲୋକ ରାତିରେ ଶୋଇବାକୁ ଯାଆନ୍ତି ଭୋକ ପେଟରେ। ଯେଉଁ ଦେଶରେ ଏତେ ସଂଖ୍ୟକ ଲୋକ ଭୋକିଲା ପେଟରେ ରହନ୍ତି, ସେଠାରେ ଥିଲାବାଲାଙ୍କ ଭୋଜି ପର୍ବରେ ନଷ୍ଟହୁଏ କୁଢ଼ କୁଢ଼ ଖାଦ୍ୟ। ଗୋଟିଏ ପଟରେ ଥିଲାବାଲା ଲୋକେ ବିଳାସମୟ ଜୀବନ ଅତିବାହିତ କରୁଥିବା ବେଳେ ଅନ୍ୟ ପଟରେ ଅନାହାରରେ ମରନ୍ତି ଅଭାବୀ ମଣିଷ। ଖାଦ୍ୟଶସ୍ୟର ଯଥେଷ୍ଟ ଉତ୍ପାଦନ ସେତ୍ତ୍ବ ଏତେ ସଂଖ୍ୟକ ଲୋକ ଭୋକିଲା ଓ ପୁଷ୍ଟିହୀନତାର ଶିକାର ହେବା ନିଶ୍ଚୟ ଏକ ଲଜ୍ଜାଜନକ ବିଷୟ।
ସ୍ୱାଧୀନତା ପରେ କ୍ଷମତାକୁ ଆସିଥିବା ସବୁ ସରକାର ଦେଇଛନ୍ତି ‘ଦାରିଦ୍ର୍ୟ ହଟାଅ ସ୍ଲୋଗାନ’; ମାତ୍ର କାର୍ଯ୍ୟତଃ ଆପଣେଇଛନ୍ତି ତେଲିଆ ମୁଣ୍ଡରେ ତେଲ ଢାଳିବା ନୀତି। ସେଥିପାଇଁ ସ୍ୱାଧୀନତାର ୭୫ବର୍ଷ ପରେ ବି ଏଠି ଗରିବ ଓ ଗରିବୀ ବାଟ ଚାଲୁଛନ୍ତି ହାତ ଧରାଧରି ହୋଇ। ଦିନକୁ ଦିନ ବଢ଼ି ଚାଲିଛି ଧନୀ ଓ ଦରିଦ୍ର ମଧ୍ୟରେ ବ୍ୟବଧାନ। ୧୦ ପ୍ରତିଶତ ଲୋକଙ୍କ ପାଖରେ ଠୁଳ ହୋଇ ରହିଛି ଦେଶର ୯୦ ପ୍ରତିଶତ ସମ୍ପତ୍ତି। ୩୦ ପ୍ରତିଶତ ଲୋକ ମଧ୍ୟବିତ୍ତ। ଅବଶିଷ୍ଟ ୨୦ ଭାଗ ଲୋକ ଅଛନ୍ତି ଗଣ୍ଡେ ଖାଇ ଦଣ୍ଡେ ଜିଇବା ସ୍ଥିତିରେ। ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ଅନୁସାରେ ଜାତୀୟ ଆୟର ମାତ୍ର ୧୩ ଶତାଂଶ ରହୁଛି ନିମ୍ନରେ ଥିବା ୫୦ ଶତାଂଶରୁ ଅଧିକ ଲୋକଙ୍କ ପାଖରେ। ଏହି ଅସମାନତାର ପ୍ରଭାବ ବେଶି ପଡ଼ିଥାଏ ଶିଶୁ ଓ ମହିଳାଙ୍କ ଉପରେ।
ଅପପୁଷ୍ଟି ପାଇଁ ଖାଦ୍ୟ ଏକମାତ୍ର କାରଣ ନୁହେଁ, ଜଳ, ପରିମଳ, ଶିକ୍ଷା ଓ ସଚେତନତା ମଧ୍ୟ ଅନେକାଂଶରେ ଦାୟୀ। ଏସବୁକୁ ଆଧାର କରି ପ୍ରସ୍ତୁତ ହୁଏ ବୈଶ୍ବିକ ମାନବ ବିକାଶ ସୂଚୀ। ଜାତିସଂଘର ବିକାଶ ପ୍ରକଳ୍ପ (ୟୁଏନଡିପି) ଦ୍ୱାରା ପ୍ରକାଶିତ ମାନବ ବିକାଶ ସୂଚକାଙ୍କ (୨୦୨୧) ତାଲିକାରେ ଥିବା ୧୯୧ଟି ଦେଶ ମଧ୍ୟରେ ଭାରତ ରହିଛି ୧୩୨ ତମ ସ୍ଥାନରେ। କ୍ରମାଗତ ଦୁଇବର୍ଷ ଧରି ଅବକ୍ଷୟ କାରଣରୁ ଭାରତ ଏବେ ମାନବ ବିକାଶ ସୂଚକାଙ୍କ ତାଲିକାରେ ଚୀନ, ଶ୍ରୀଲଙ୍କା, ବାଂଲାଦେଶ ଓ ଭୁଟାନ ଆଦି ପଡ଼ୋଶୀ ଦେଶଙ୍କ ଠାରୁ ମଧ୍ୟ ପଛରେ।
ପିଲାମାନେ ହେଉଛନ୍ତି ଦେଶର ସମ୍ବଳ। ଅପପୁଷ୍ଟି କାରଣରୁ ତାଙ୍କ ଭିତରୁ ଯଦି କେହି ପଛରେ ପଡ଼ିଯାଏ, ତେବେ ତା’ର ବୋଝ ବୋହିବାକୁ ପଡ଼ିବ ସମସ୍ତଙ୍କୁ। ଏହାକୁ ଦୃଷ୍ଟିରେ ରଖି ଶିଶୁ ପୁଷ୍ଟି ସାଧନ ପାଇଁ ଦେଶରେ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରିବା ଆବଶ୍ୟକ। ବିଶ୍ୱ ପୁଷ୍ଟି ରିପୋର୍ଟରେ ତେଣୁ କୁହାଯାଇଛି ଅପପୁଷ୍ଟିକୁ ଦୂର କରିବା ପାଇଁ ଦେଶରେ ଯେତେ ପୁଞ୍ଜି ବିନିଯୋଗ ହେବ, ତା’ ପ୍ରତିବଦଳରେ ଦେଶକୁ ମିଳିବ ବହୁ ଗୁଣ ଅଧିକ ଫାଇଦା।


