ଏକ ଜାମିନ ଆଦେଶର ଅନେକ ସନ୍ଦେଶ

ଦିଲ୍ଲୀର ଏକ ବିଚାରାଳୟର ବିଚାରପତି ଧର୍ମେନ୍ଦ୍ର ରଣାଙ୍କ ଦ୍ୱାରା ପ୍ରଦତ୍ତ ଏକ ଜାମିନ ଆଦେଶ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇ ନାଗରିକ ଓ ଆଇନଜୀବୀଙ୍କ ପାଇଁ ଆଲୋଚ୍ୟ ହୋଇଥିଲା। ଜଣେ ଅଭିଯୁକ୍ତଙ୍କ ଜାମିନ ଦରଖାସ୍ତ ଖାରଜ ହେବା କିମ୍ବା ମଞ୍ଜୁର ହେବା ଏକ ସାଧାରଣ ଆଇନଗତ ପ୍ରକ୍ରିୟା; କିନ୍ତୁ ବିଚାରପତି ଚର୍ଚ୍ଚିତ ଜାମିନ ଆଦେଶରେ ଯେଉଁ ସବୁ ପ୍ରଶ୍ନ ଚର୍ଚ୍ଚା କରିଛନ୍ତି ତାହା ନିଶ୍ଚିତ ଗୁରୁତ୍ୱପୂର୍ଣ୍ଣ ଓ ପଠନ ଉପଯୋଗୀ। ଜଣେ ଗିରଫ ହୋଇଗଲେ ସମାଜ ତାକୁ ସନ୍ଦେହ ଚକ୍ଷୁରେ ଦେଖିବା ଆରମ୍ଭ କରେ ଓ ଅପରାଧ ପୃଷ୍ଠଭୂମି ନ ଥାଇ ମଧ୍ୟ ଜଣେ ଗିରଫ ବ୍ୟକ୍ତି ନିନ୍ଦିତ ହୋଇଥାଏ। ଦିଶା ରବିଙ୍କୁ ଜାମିନ ଦେଇ ବିଚାରପତି ମହୋଦୟ ଯୁକ୍ତି ଦର୍ଶାଇଥିଲେ ଯେ, ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରରେ ପ୍ରତ୍ୟେକ ନାଗରିକ ଦେଶର ବିବେକ, ତେଣୁ ସରକାରୀ ନୀତି ସହ ଅସମ୍ମତ ହେବା ଏକ ସାଧାରଣ କଥା ଯାହାକୁ ଦେଶଦ୍ରୋହ କୁହାଯାଇପାରିବ ନାହିଁ।

ବିଚାରପତିଙ୍କ ମତରେ ଶାସନ ପ୍ରଣାଳୀରେ ଅସହମତି/ଭିନ୍ନମତ ଏକ ଯଥାର୍ଥ ଅସ୍ତ୍ର। ଏହା ପୂର୍ବରୁ ଦିଲ୍ଲୀର ଜଣେ ମାଜିଷ୍ଟ୍ରେଟ୍‍ ସିଦ୍ଧାର୍ଥ ମଲ୍ଲିକ ଜ୍ଞାନବାପି ମସଜିଦ ଘଟଣାରେ ଫେସବୁକ୍‍ରେ ମନ୍ତବ୍ୟ ପାଇଁ ଗିରଫ ହିନ୍ଦୁ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର ରତନ ଲାଲଙ୍କୁ ତୁରନ୍ତ ଜାମିନରେ ମୁକ୍ତ କରିବା ପାଇଁ ଦେଇଥିବା ୪ ପୃଷ୍ଠାର ଆଦେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଥିଲା। ଦିଲ୍ଲୀ ପ୍ରଶାସନ, ପୁଲିସ୍‍ ଓ ଆଇନର ଛାତ୍ରଙ୍କ ପାଇଁ ଏହି ଆଦେଶ ଗବେଷଣା ସାପେକ୍ଷ ହୋଇପାରିଛି; କାରଣ ଶ୍ରୀ ମଲ୍ଲିକ ଦର୍ଶାଇଥିଲେ ଯେ ଗୋଟିଏ ବ୍ୟକ୍ତିର ମନ୍ତବ୍ୟ ବା ପ୍ରତିକ୍ରିୟା ଯେତେ ଅରୁଚିକର, ଅଗ୍ରହଣୀୟ ବା ଅବାଞ୍ଛିତ ହେଲେ ମଧ୍ୟ ତାହା ଫୌଜଦାରୀ ଅପରାଧ ରୂପେ ବିଚାର କରିବା ଉଚିତ ନୁହେଁ ଓ ଏଥିପାଇଁ ଭାରତୀୟ ଦଣ୍ଡ ସଂହିତାର ୧୫୩(କ)ରେ ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି ପାଇଁ ଯେଉଁ ଆଇନଗତ ପରିମାପ ରଖାଯାଇଛି ତା’ସହିତ ମେଳ ହେବ ନାହିଁ। ଶ୍ରୀ ମଲ୍ଲିକଙ୍କ ମତରେ କୌଣସି ଲୋକର ଲେଖା/ଟିପ୍ପଣୀ କାହାକୁ ବ୍ୟକ୍ତିଗତ ଭାବେ ବାଧିବା ବା ନାପସନ୍ଦ ହେଲେ ତାକୁ ସମ୍ପ୍ରଦାୟର ସାମୂହିକ ଭାବନାକୁ ବାଧା ଦେଲା ବୋଲି ବିବେଚନା କରିବା ଉଚିତ ନୁହେଁ, କାରଣ ଭାରତର ୧୩୦ କୋଟି ଜନତାର ୧୩୦ କୋଟି ଭିନ୍ନ ମତ ବା ପ୍ରତିକ୍ରିୟା ରହିପାରେ।

ଜଣେ ସଚ୍ଚା ଓ ଗର୍ବ କରୁଥିବା ହିନ୍ଦୁଧର୍ମୀ ପାଇଁ ଅଭିଯୁକ୍ତ ସହଯୋଗୀ ଅଧ୍ୟାପକଙ୍କ ମନ୍ତବ୍ୟ ଅପ୍ରିୟ ହୋଇପାରେ କିନ୍ତୁ ତାହାର ମାନେ ନୁହେଁ ଯେ ତାଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା କରାଯିବ ଓ ଏଭଳି ମନ୍ତବ୍ୟ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବିଦ୍ୱେଷ ସୃଷ୍ଟି କରୁଛି ବୋଲି ମାନିନେବା କ୍ଷତିକାରକ। ଶ୍ରୀ ମଲ୍ଲିକଙ୍କ ଏଭଳି ବିଚାର ସମ​‌େ​‌ୟାପଯୋଗୀ ଓ ଶିକ୍ଷଣୀୟ; କାରଣ ଭିନ୍ନ ମତକୁ ଅପରାଧ ସଂଜ୍ଞା ଦେବା ଘଟଣା ବୃଦ୍ଧି ପାଉଛି, ଯାହା ଗଣତନ୍ତ୍ର ପାଇଁ ବିପଦ। ପୂର୍ବରୁ ଆଉ ଗୋଟିଏ ଘଟଣାରେ ଆହ୍ଲାବାଦ ହାଇକୋର୍ଟ ବନ୍ଦୀ ଥିବା କିଛି କାଶ୍ମୀର ଛାତ୍ରଙ୍କୁ ଜାମିନ ପ୍ରଦାନ କରି ଉଲ୍ଲେଖ କରିଥିଲେ ଯେ- ଭାରତୀୟ ଏକତା କୌଣସି ବାଉଁଶ ନଳୀରେ ତିଆରି ନୁହେଁ ଯେ କାହାର ସ୍ଳୋଗାନର ପବନରେ ମୋଡ଼ି ହୋଇଯିବ।

ଗୋଟିଏ ଇଂରାଜୀ ପତ୍ରିକା ତା’ର ସର୍ବେକ୍ଷଣ ରିପୋର୍ଟରେ ପ୍ରକାଶ କରିଛି ଯେ ୨୦୧୫ରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗ ନେଇ ୮୬୧ ମକଦ୍ଦମା ରୁଜୁ ହୋଇଥିବା ବେଳେ ୨୦୨୦ରେ ଏହାର ସଂଖ୍ୟା ବଢ଼ି ୩୦୦୦ରୁ ଊର୍ଦ୍ଧ୍ବ ହୋଇଛି। ଏଥିରୁ ସ୍ପଷ୍ଟ ସୂଚନା ଯେ ଆଇନର ଅପପ୍ରୟୋଗ ମାଧ୍ୟମରେ ନାଗରିକ ହଇରାଣ ହରକତ ହେବା ବର୍ତ୍ତମାନ ଏକ ନିତିଦିନିଆ ଘଟଣା। ଏଭଳି ଆଇନର ଅପପ୍ରୟୋଗ ପାଇଁ ଖାଲି କେନ୍ଦ୍ର ସରକାର ଦାୟୀ ନୁହନ୍ତି, ରାଜ୍ୟ ସରକାରଗୁଡ଼ିକ ମଧ୍ୟ ଦାୟୀ। ମାତ୍ର ଅଳ୍ପ କିଛି ଦିନ ପୂର୍ବେ ଗୁଜରାଟର ବିଧାୟକ ଜିଗ୍‌ନେଶ ମେୱାଣିଙ୍କୁ ଏକ ଟ୍ୱିଟ୍‍ ପାଇଁଁ ଗିରଫ କରାଯିବା ସମ୍ବାଦ ପ୍ରକାଶ ପାଇଥିଲା। ମହାରାଷ୍ଟ୍ରର ଏମ୍‍.ଭି.ଏ ସରକାର ଏନ୍‍.ସି.ପି ମୁଖ୍ୟ ଶରଦ ପୱାରଙ୍କ ବିରୁଦ୍ଧରେ ମନ୍ତବ୍ୟ ରଖିବା ପାଇଁ ମରାଠୀ ସିନେମା କଳାକାର କେତକୀ ଚିତଲେଙ୍କ ବିରୁଦ୍ଧରେ ଫୌଜଦାରୀ ମକଦ୍ଦମା ଦାୟର କରାଯାଇଥିଲା। ୨୦୧୮ରେ ମଣିପୁର ସାମ୍ବାଦିକ କିଶୋର ଚନ୍ଦ୍ର ୱାଙ୍ଗଖେମ ବିଜେପି ଓ ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ କିଛି ମନ୍ତବ୍ୟ ଦେଇଥିବା ପରିପ୍ରେକ୍ଷୀରେ ଜାତୀୟ ନିରାପତ୍ତା ଆଇନରେ ଗିରଫ ହୋଇଥିଲେ। ଏସବୁରୁ ବର୍ତ୍ତିବା ପାଇଁ ବିଚାରାଳୟ ଏକ ମାତ୍ର ରକ୍ଷା କବଚ।

ହିନ୍ଦୀ ଚଳଚ୍ଚିତ୍ର ତାରକା ଶାହରୁଖ ଖାନ୍‍ଙ୍କ ପୁତ୍ର ଆର୍ଯ୍ୟନ୍‍ ଖାନ୍‍ ୨୦୨୧ ମସିହା ଅକ୍ଟେବାର ୩ ତାରିଖରେ ଏକ ଗୋଆ ଜାହାଜ ଡ୍ରଗ୍ସ ମାମଲାରେ ଏନ୍‍.ସି.ବି. ଦ୍ୱାରା ଗିରଫ ହୋଇ ୨୫ ଦିନ କାରାବରଣ କରିଥିଲେ; କିନ୍ତୁ ସେ ନିର୍ଦୋଷ ବୋଲି ସେହି ସଂସ୍ଥା ପରେ ରିପୋର୍ଟ ଦେଲେ। ୨୫ ଦିନ କାରାବାସ ପରେ ହାଇକୋର୍ଟଙ୍କ ଆଦେଶରେ ଜାମିନ ମିଳିଥିଲା। ବିନା ଦୋଷରେ ଜେଲ ଦଣ୍ଡ କାଟିବା ଓ ମାନସିକ ଯନ୍ତ୍ରଣା ପାଇବା ପାଇଁ ଯୁବକ ଜଣକ କ୍ଷତିପୂରଣର ହକ୍‍ଦାର ନୁହେଁ କି? ଖାଲି ତଦନ୍ତକାରୀ ଅଫିସରଙ୍କ ବିରୁଦ୍ଧରେ ବେପରୁଆ ତଦନ୍ତ ପାଇଁ କାର୍ଯ୍ୟାନୁଷ୍ଠାନ ଦ୍ୱାରା ସମ୍ପୃକ୍ତ କ୍ଷତିଗ୍ରସ୍ତ ବ୍ୟକ୍ତିର କ’ଣ କ୍ଷତି ଭରଣା ହୋଇଯିବ? ଆର୍ଯ୍ୟନ୍‍ଙ୍କ ପିତାଙ୍କର ପ୍ରଚୁର ସମ୍ବଳ ଯୋଗୁଁ ସେ ବଡ଼ ବଡ଼ ଆଇନଜୀବୀଙ୍କ ସାହାଯ୍ୟ ନେଇ ମକଦ୍ଦମା ଲଢ଼ିପାରିଲେ ଓ ନିରବଚ୍ଛିନ୍ନ ଗଣମାଧ୍ୟମ ପ୍ରଚାର ତାଙ୍କୁ ଏହି ଯନ୍ତ୍ରଣାରୁ ମୁକ୍ତିକୁ ସହଜ କରି ଦେଇଥିଲା; କିନ୍ତୁ ଜଣେ ନିରୀହ ଆଦିବାସୀ କିମ୍ବା ଗରିବ ଲୋକଟିକୁ ଏଭଳି ଜଟିଳ ଓ ଯନ୍ତ୍ରଣାଦାୟକ ମକଦ୍ଦମାରେ ଫସିଯାଇଥିଲେ ସେ କ’ଣ ଏଭଳି ସହଜରେ ମୁକ୍ତି ପାଇପାରିଥା’ନ୍ତା? ନିଶ୍ଚିତ ଭାବେ ନା! କ୍ରିକେଟ ତାରକା ନବଜୋତ ସିଂହ ସିଧୁଙ୍କ ମାମଲା ଭଳି ମକଦ୍ଦମା ଫଇସଲା ପାଇଁ ୩୦ ବର୍ଷ କାଳ ଯଦି ଆର୍ଯ୍ୟନଙ୍କୁ ଅତିବାହିତ କରିବାକୁ ପଡ଼ିଥାଆନ୍ତା, ଯୁବକର ଜୀବନଟି ନିଶ୍ଚିତ ଦୁଃଖମୟ ହୋଇଥା’ନ୍ତା। ଏଭଳି କମ୍‍ ଭାଗ୍ୟବାନ ବ୍ୟକ୍ତି ଅଛନ୍ତି ଯାହାଙ୍କ ପାଖରେ ନ୍ୟାୟ ପାଇବା ପାଇଁ ଲଢ଼ିବା ନିମନ୍ତେ ସମ୍ବଳ ଓ ଶକ୍ତି ରହିଛି। ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ମଦନ ଲୋକୁରଙ୍କ ମତରେ ଦୁଇ ଲକ୍ଷ ଜାମିନ ଦରଖାସ୍ତ ବିଚାରାଧୀନ ରହିଛି।

ଏ ପରିପ୍ରେକ୍ଷୀରେ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ନ୍ୟାୟ ପାଇଁ ଶକ୍ତି ଯୋଗାଇବା ନିମନ୍ତେ ଆଇନ ସହାୟତା ବ୍ୟବସ୍ଥାକୁ ଅଧିକ ପ୍ରଭାବିତ ଓ ଫଳପ୍ରଦ କରିବାର ଆବଶ୍ୟକତା ରହିଛି, ଯାହା ଆଇନର ଶାସନ ପାଇଁ ଅନିବାର୍ଯ୍ୟ। ଆର୍ଯ୍ୟନ ଖାନ ମକଦ୍ଦମାର ଆଉ ଗୋଟିଏ ଦିଗ ହେଲା, କୌଣସି ଭିତ୍ତି ନ ଥାଇ ଜଣେ ବ୍ୟକ୍ତିଙ୍କୁ ପ୍ରାୟ ଏକ ମାସ ଅଟକ ରଖି ନିର୍ଯାତନା ଦେବାର ପ୍ରତିକାର କ’ଣ? ଏଭଳି ଭିତ୍ତିହୀନ ମକଦ୍ଦମାରେ ଜଡ଼ିତ କରାଇ, ବନ୍ଦୀ କରି ରଖାଯିବା ନେଇ ଖାଲି ତଦନ୍ତକାରୀ ସଂସ୍ଥାକୁ ଦାୟୀ କରାଯିବା ଉଚିତ୍‍ ହେବ କି? ଅଭିଯୋଗକାରୀଙ୍କୁ ଗିରଫ ଅବସ୍ଥାର ବିଚାରାଳୟରେ ପେଶ କଲା ପରେ ତା’ର ହର୍ତ୍ତାକର୍ତ୍ତା କେବଳ ବିଚାରାଳୟ। ପ୍ରାଥମିକ ଅଭିଯୋଗର ଭିତ୍ତି ଓ ସତ୍ୟତା ନେଇ ଗଭୀର ଭାବେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ କରିବା ଓ ଏ କ୍ଷେତ୍ରରେ ନାଗରିକ ସ୍ୱାଧୀନତାର ରକ୍ଷାକବଚ ରୂପେ କାର୍ଯ୍ୟ କରିବା ପାଇଁ ସମ୍ବିଧାନ ନ୍ୟାୟିକ ବ୍ୟବସ୍ଥାକୁ ଦାୟିତ୍ୱ ଦେଇଛି। ବିନା କାରଣରେ ଗିରଫ, ମାନସିକ ବିଷାଦ ପାଇଁ ସୁପ୍ରିମ କୋର୍ଟ ସମୟ ସମୟରେ କ୍ଷତିପୂରଣ ପ୍ରଦାନ କରିଥା’ନ୍ତି। ବିଗତ ଜୁଲାଇ ତୃତୀୟ ସପ୍ତାହରେ ଇନ୍ଦୋର ହାଇକୋର୍ଟ ଅବିଚାରିତ ଭାବେ ଅଧିକ ଦିନ ଜେଲରେ ରଖିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ସରକାରଙ୍କୁ ନି‌େ‌ର୍ଦଶ ଦେବା ନେଇ ସମ୍ବାଦ ପ୍ରକାଶ ପାଇଥିଲା।

ସାରା ଦେଶ ପାଇଁ ଆଇନ କମିସନ ପ୍ରସ୍ତାବ ଅନୁଯାୟୀ ସରକାର ଆବଶ୍ୟକ ଆଇନ କଲା ପର୍ଯ୍ୟନ୍ତ ସମ୍ବିଧାନର ୧୪୨ ଧାରାରେ ଏକ ନିର୍ଦ୍ଦିଷ୍ଟ ନ୍ୟାୟିକ ମାପଦଣ୍ଡ ଜାରି କରିବାର ଆବଶ୍ୟକତା ଅନୁଭବ ହେଉଛି। ମିଥ୍ୟା ମୋକଦ୍ଦମା ପାଇଁ ଭାରତୀୟ ପିଙ୍ଗଳ ସଂହିତାର ୨୧୧ ଧାରାରେ ଯେଉଁ ଦଣ୍ଡ ବିଧାନ ରହିଅଛି, ତାହା ପର୍ଯ୍ୟାପ୍ତ ନୁହେଁ।
ଜାମିନ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଲା ଯେ ଧର୍ତ୍ତବ୍ୟ ଅପରାଧରେ ଗିରଫ ବ୍ୟକ୍ତିର କୋର୍ଟ ବିଚାର ସମୟରେ ଉପସ୍ଥିତିକୁ ସୁନିଶ୍ଚିତ କରିବା। ଏଥିପାଇଁ ଜାମିନ ପ୍ରାବଧାନ ଭାରତୀୟ ଫୌଜଦାରୀ ଆଇନରେ ବ୍ୟବସ୍ଥା ରହିଅଛି। ପେସାଗତ ଅପରାଧୀ, ଡକାୟତି, ଲୁଣ୍ଠନ, ଚୋରି, ମାର୍‍ପିଟ, ବିସ୍ଫୋରକ ପଦାର୍ଥ ଆଇନ ଭଳି ସଙ୍ଗିନ ଅଭିଯୋଗରେ ଗିରଫ ହେବା ବ୍ୟକ୍ତିଙ୍କ ଜାମିନ ଦରଖାସ୍ତକୁ ସାଧାରଣତଃ ବିଚାରାଳୟଗୁଡ଼ିକ ତୀକ୍ଷ୍‍ଣ ନଜରରେ ରଖିଥା’ନ୍ତି। ଅଭିଯୋଗ ପକ୍ଷ ଓ ଅଭିଯୁକ୍ତ ଶୁଣାଣି କରି ବିଚାରାଳୟ ନିଜର ବିବେକ ପ୍ରୟୋଗ କରି ଅଭିଯୁକ୍ତଙ୍କୁ ଜାମିନରେ ମୁକ୍ତ କରିଥା’ନ୍ତି।

ଜାମିନ ପ୍ରଦାନ କ୍ଷେତ୍ରରେ ସାରା ଭାରତ ପାଇଁ ଗୋଟିଏ ରୂପରେଖ ବା ଗ୍ରହଣୀୟ ପାରାମିଟର ନାହିଁ ବା ରହିବା ସମ୍ଭବ ନୁହେଁ। ଘଟଣା ଓ ଅଭିଯୋଗର ଗୁୁରୁତ୍ୱକୁ ନେଇ ଜାମିନ ସଂକ୍ରାନ୍ତ ନି​‌େ​‌ର୍ଦଶଗୁଡ଼ିକ ପର୍ଯ୍ୟବସିତ ଓ ପରିଭାଷିତ ହୋଇଥାଏ। ତେଣୁ ଜାମିନ ପ୍ରଦାନ ବେଳେ ଯେଉଁ ସବୁ ସର୍ତ୍ତ ବିଭିନ୍ନ କୋର୍ଟ ଜାରି କରନ୍ତି ସେ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ରୂପରେଖ ବା ଗ୍ରହଣୀୟ ମାପକାଠି ହେବାର ଆବଶ୍ୟକତା ମଧ୍ୟ ଅନୁଭୂତ ହେଉଛି। ଗତ ମେ ୩୦ ତାରିଖରେ ଏକ ଇଂରାଜୀ ପତ୍ରିକାରେ ପ୍ରକାଶିତ ଏକ ସନ୍ଦର୍ଭରେ ଜାମିନ ଆଦେଶରେ ସର୍ତ୍ତ ନିରୂପଣ ଉପରେ ବିଭିନ୍ନ ବିଚାରାଳୟ ଦ୍ୱାରା ଅନାବଶ୍ୟକ ଟିକାଟିପ୍ପଣୀ ଓ ସର୍ତ୍ତକୁ ନେଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନାପସନ୍ଦ କରିଛନ୍ତି ଓ ଅନାବଶ୍ୟକ ବୋଲି ଉଲ୍ଲେଖ କରାଯାଇଛି। ଆଉ ଗୋଟିଏ ଘଟଣାରେ ମଧ୍ୟପ୍ରଦେଶରେ ଜଣେ ବଳାତ୍କାରୀଙ୍କ ଜାମିନ୍‍ ସର୍ତ୍ତରେ ସମ୍ପୃକ୍ତ ମହିଳାଙ୍କୁ ରାଖି ବାନ୍ଧିବାର ସର୍ତ୍ତକୁ ସୁପ୍ରିମ୍‍ କୋର୍ଟ ଭ୍ରମାତ୍ମକ ବିଚାର, ନ୍ୟାୟିକ କ୍ଷମତାର ଦୁରୁପଯୋଗ ବୋଲି ଦର୍ଶାଇଥିଲେ। ଏ ପରିପ୍ରେକ୍ଷୀରେ ସାରା ଦେଶରେ ଜାମିନ ପ୍ରଦାନ ଉପରେ ମଧ୍ୟ ଏକ ନିର୍ଦିଷ୍ଟ ଆଇନ ପ୍ରଣୟନ ପାଇଁ ସୁପ୍ରିମ୍‍କୋର୍ଟଙ୍କ ପରାମର୍ଶ ସମୟ ଉପଯୋଗୀ ଓ ଏକ ବାସ୍ତବ ଆଭିମୁଖ୍ୟ ରୂୂପେ ଗ୍ରହଣ କରାଯାଇପାରେ।

ବାସ୍ତବ ଘଟଣାକୁ ନେଇ ମକଦ୍ଦମା ରୁଜୁ ହେବା, ସାକ୍ଷ୍ୟ ପ୍ରମାଣ ଅଭାବରେ ଖଲାସ ହେବା ଓ ବିଚାର କ୍ଷେତ୍ରରେ ସାକ୍ଷୀମାନେ ପ୍ରସିକ୍ୟୁସନ ବିରୋଧୀ ହୋଇଯିବା ଅଲଗା କଥା, କିନ୍ତୁ ଜାଣିଶୁଣି ମିଥ୍ୟା କାଗଜପତ୍ର ସୃଷ୍ଟି କରି ବା ଅର୍ଥ ଆଦାୟ ପାଇଁ ବା ରାଜନୈତିକ ପ୍ରତିଶୋଧ ପରାୟଣତା ଯୋଗୁଁ କିମ୍ବା ସାମ୍ପ୍ରଦାୟିକ ମନୋଭାବ ନେଇ ବା ସମାଲୋଚନାକୁ ଦବାଇବା ପାଇଁ କୌଣସି ନାଗରିକଙ୍କୁ ଗିରଫ କରିବା, ନିର୍ଯାତନା ଦେବା ବିରୁଦ୍ଧରେ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ନ୍ୟାୟ ବ୍ୟବସ୍ଥା ପାଇଁ ବଡ଼ ଆହ୍ୱାନ। ଈର୍ଷା, ପ୍ରତିଶୋଧ ଭାବନା ଅଧୀନରେ ଜଣେ ଯୁବକକୁ ସନ୍ତ୍ରାସବାଦୀ ଅଭିଯୁକ୍ତ କରି ଗିରଫ କରାଗଲେ, ନ୍ୟାୟ ପାଇବା ପାଇଁ ସେ ବର୍ଷବର୍ଷ ଅପେକ୍ଷା ସାଙ୍ଗକୁ ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗ କରେ। ଏହାର ପ୍ରତିକାର ଖୋଜି ନ୍ୟାୟ ଯୋଗାଇବା ଦାୟିତ୍ୱ ନ୍ୟାୟିକ ବ୍ୟବସ୍ଥାର। ଏଭଳି ପରିସ୍ଥିତିରୁ ମୁକ୍ତି ପାଇଁ ନ୍ୟାୟ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି।

Comments are closed.