ନ୍ୟାୟିକ ନିର୍ଯାତନାରୁ ନିସ୍ତାର ନାହିଁ!

ପ୍ରହଲାଦ କୁମାର ସିଂହ

ଭାରତର ନ୍ୟାୟାଳୟଗୁଡିକରେ ଏବେ ୪ କୋଟି ୨୦ ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ରହିଛି। ସେଥିମଧ୍ୟରୁ ୩ କୋଟି ୧୨ ଲକ୍ଷରୁ ଅଧିକ ହେଉଛି ଅାପରାଧିକ ମାମଲା। ଏହି ମାମଲାଗୁଡିକ ମଧ୍ୟରୁ ୧,୦୨,୯୫୬ଟି ୩୦ ବର୍ଷରୁ ଅଧିକ ସମୟ ଧରି ଗଡୁଥିବାବେଳେ ୪,୯୭,୭୪୧ ମାମଲା ଗଡୁଛି ୨୦ରୁ ୩୦ ବର୍ଷ ଧରି। ସେହିଭଳି ୨୯,୧୭,୧୦୮ ମାମଲା ଦେଶର ନ୍ୟାୟାଳୟଗୁଡିକରେ ୧୦ରୁ ୨୦ବର୍ଷ ଧରି ବିଚାର ପାଇଁ ଥିବାବେଳେ ୬୬, ୪୫, ୪୫୩ ମାମଲା ୫ରୁ ୧୦ବର୍ଷ ଧରି ଗଡ଼ିଚାଲିଛି। ୩ରୁ ୫ବର୍ଷ ଧରି ୬୮ଲକ୍ଷରୁ ଅଧିକ ମାମଲା ଗଡୁଥିବାବେଳେ କୋଟିଏରୁ ଅଧିକ ମାମଲା ବର୍ଷେରୁ ୩ ବର୍ଷ ଧରି ଚାଲିଥିଲେ ବି ବିଚାର ସରୁ ନାହିଁ। ଓଡ଼ିଶାର କୋର୍ଟ କଚେରିରେ ରହିଛି ୧୫,୫୨,୩୯୪ ମାମଲା, ଯେଉଁଥିରୁ ୧୨,୪୬,୯୨୫ ଫୌଜଦାରୀ ମାମଲା। ଏଠି ବି ୩୦ବର୍ଷରୁ ଅଧିକ ସମୟ ଧରି ୪,୪୦୮ ମାମଲା ଗଡୁଥିବାବେଳେ ୫ରୁ ୩୦ବର୍ଷ ଧରି ୫,୬୧,୭୪୫, ୩ରୁ ୫ବର୍ଷ ଧରି ୨,୯୧,୧୭୧ ଓ ବର୍ଷେରୁ ୩ ବର୍ଷ ଧରି ଗଡୁଛି ୩,୩୪,୬୫୨ ମାମଲା। ଏ ତଥ୍ୟ ହେଉଛି ୦୫.୦୯.୨୦୨୨ ଅପରାହ୍ଣ ସୁଦ୍ଧା ଜାତୀୟ ଜୁଡିସିଆଲ ଡାଟା ଗ୍ରିଡ୍‍ର। ତାରିଖ ପରେ ତାରିଖ ଗଡୁଛି। ନ୍ୟାୟ ପାଇଁ ବର୍ଷବର୍ଷ ଧରି ଅପେକ୍ଷା କରିବା ପରେ କେତେ କିଏ ଆଖି ବୁଜି ଦେଉଛନ୍ତି; କିନ୍ତୁ ନ୍ୟାୟର ଦେବୀଙ୍କ ଆଖିରେ ଅନ୍ଧ ପୁଟୁଳି ବନ୍ଧାଯାଇଥିବାରୁ ସେ ଏହା ଦେଖିପାରୁ ନାହାନ୍ତି। ଏ ପରିପ୍ରେକ୍ଷୀରେ ନ୍ୟାୟାଳୟ ଉପରୁ ଲୋକଙ୍କ ଭରସା ତୁଟିଗଲେ ଗଣତନ୍ତ୍ର ବିପନ୍ନ ହୋଇପଡିବ ବୋଲି ଦେଶର ପ୍ରଧାନ ବିଚାରପତି ଆଶଙ୍କା ବ୍ୟକ୍ତ କରୁଛନ୍ତି। ମାମଲା ଶବ୍ଦଟି ଅନେକ କ୍ଷେତ୍ରରେ ମା’ ମଲା ଦୁଃଖଠାରୁ ବଳିପଡେ। ଆମ ଦେଶର ନ୍ୟାୟିକ ବ୍ୟବସ୍ଥାରୁ ନିରପେକ୍ଷ ନ୍ୟାୟ ପାଇବା ପାଇଁ ଅଧିକାଂଶ କ୍ଷେତ୍ରରେ ପ୍ରଚୁର ସମ୍ବଳ, ସମୟ ଓ ଶକ୍ତିବ୍ୟୟ କରିବାକୁ ପଡେ ବୋଲି ଉଲ୍ଲେଖ କରି ପୂର୍ବରୁ ଅନ୍ୟ ଜଣେ ପ୍ରଧାନ ବିଚାରପତି ଏହି ବ୍ୟବସ୍ଥା ପଞ୍ଚତାରକା ବ୍ୟାଧିରେ ସଂକ୍ରମିତ ବୋଲି ସ୍ୱୀକାର କରିବା ସହ ବିଳମ୍ବିତ ନ୍ୟାୟ କିଭଳି ବିଡମ୍ବିତ ହୁଏ ତାହାର ତର୍ଜମା କରି ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ପାଇଁ ଖୋଲା ମତ ରଖିଥିଲେ। ମାଗଣା କିମ୍ବା ସ୍ୱଳ୍ପ ଖର୍ଚ୍ଚରେ ତ୍ୱରିତ ନ୍ୟାୟ ମିଳୁନଥିବାରୁ ଅନେକ ଲୋକ ଅନ୍ୟାୟକୁ ବରଦାସ୍ତ କରିବାକୁ ବାଧ୍ୟ ହେଉଥିଲେ ମଧ୍ୟ ଅଦାଲତର ବାରଣ୍ଡା ମାଡିବାକୁ ସାହସ କରନ୍ତି ନାହିଁ। ଯେଉଁମାନେ ବି ମାମଲାରେ ଘାଣ୍ଟି ହୁଅନ୍ତି ସେମାନଙ୍କ ଭିତରୁ ଅନେକ ସର୍ବସ୍ୱାନ୍ତ ହୋଇଯାଆନ୍ତି। ଅବଶ୍ୟ ଆଶାର ଶେଷ ସ୍ତମ୍ଭ ଭାବେ ଦଣ୍ଡାୟମାନ ଆମ ନ୍ୟାୟପାଳିକା କେତେକ କ୍ଷେତ୍ରରେ ନ୍ୟାୟ ଦେବାରେ ସକ୍ଷମ ହୁଏ। ଏମିତି କି ଅତୀତରେ ଦେଶର ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ବାତିଲଠାରୁ ଆରମ୍ଭ କରି ଅନେକ ରାଜନେତା, ପ୍ରଶାସନିକ ଅଧିକାରୀ, ବ୍ୟବସାୟୀ ଓ ଅନ୍ୟ ଅପରାଧୀମାନଙ୍କୁ ଦଣ୍ଡିତ କରିବାର ବହୁ ନଜିର୍‍ ରହିଛି।

ଭାରତ ସରକାରଙ୍କ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରତିବର୍ଷ ‘କ୍ରାଇମ ଇନ୍‍ ଇଣ୍ଡିଆ’ ରିପୋର୍ଟ ପ୍ରକାଶ କରନ୍ତି। ୨୦୨୧ ବର୍ଷ ପାଇଁ ୨୦୨୨ ଅଗଷ୍ଟରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ସେଥିରୁ ବର୍ଷକୁ ବର୍ଷ ଆମ ଦେଶରେ ଅପରାଧ ବୃଦ୍ଧି ପାଇବା ସହିତ ଦଣ୍ଡ ବିଧାନ ଓ ମାମଲା ଫଏସଲା ହାର ଅତି ନଗଣ୍ୟ ରହୁଥିବାର ବିକଳ ଚିତ୍ର ପ୍ରକାଶ ପାଇଛି। ମହିଳା ଭୋଟବ୍ୟାଙ୍କକୁ ଆଖିଆଗରେ ରଖି କେନ୍ଦ୍ର ଓ ବିଭିନ୍ନ ରାଜ୍ୟ ସରକାର ଅନେକ ଯୋଜନା ଘୋଷଣା କରନ୍ତି। ତେବେ ବାସ୍ତବ ସ୍ଥିତି ହେଉଛି ୨୦୨୧ ସୁଦ୍ଧା ମହିଳାମାନଙ୍କ ପ୍ରତି ଘଟୁଥିବା ଅନ୍ୟୂନ ୨୧,୨୧,୭୫୫ ଅାପରାଧିକ ମାମଲା ଆମ ଦେଶର ବିଚାରାଳୟଗୁଡ଼ିକରେ ବିଚାର ପ୍ରତୀକ୍ଷାରେ ଥିଲା। ଏଥିମଧ୍ୟରୁ ଗତ ବର୍ଷର ନୂଆ ମାମଲା ସଂଖ୍ୟା ୩,୩୨,୦୮୩। ଉକ୍ତ ବର୍ଷରେ ଏଥିରୁ ୨୩,୨୪୩ ମାମଲାରେ ଦଣ୍ଡବିଧାନ କରାଯାଇଥିବାବେଳେ ୬୦,୨୯୩ ମାମଲାରେ ଅଭିଯୁକ୍ତ ଖଲାସ ହୋଇଛନ୍ତି। ମୋଟାମୋଟି ଭାବେ ମହିଳାଙ୍କ ପ୍ରତି ଘଟୁଥିବା ଅାପରାଧିକ ମାମଲାରୁ ଆମ ଦେଶରେ ବର୍ଷକୁ ମାତ୍ର ୫ ପ୍ରତିଶତ ଫଏସଲା ହେଉଥିବାବେଳେ ଦଣ୍ଡବିଧାନ ହାର ୨୬.୫ ପ୍ରତିଶତ ରହିଥିବା ଏବଂ ଓଡ଼ିଶାରେ ଏ କିସମର ମାମଲା ବର୍ଷକୁ ମାତ୍ର ୧.୪ ପ୍ରତିଶତ ଫଏସଲା ହୋଇଥିବାବେଳେ ଦଣ୍ଡବିଧାନ ହାର ୮.୩ ପ୍ରତିଶତ ଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଶିଶୁମାନଙ୍କ ପ୍ରତି ଘଟୁଥିବା ଅପରାଧ କ୍ଷେତ୍ରରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୩.୫ ଓ ବାର୍ଷିକ ମାମଲା ଫଏସଲା ହାର ମାତ୍ର ୫.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ଯଥାକ୍ରମେ ୧୧.୮ ଓ ୨.୯ ପ୍ରତିଶତ ରହିଛି।

ଧର୍ଷଣ/ଗଣଧର୍ଷଣ ପରେ ହତ୍ୟାକାଣ୍ଡ ଭଳି ୧୧୩୭ ଜଘନ୍ୟ ବିରଳ ଅାପରାଧିକ ମାମଲା ଗତବର୍ଷ ଆମ ଦେଶରେ ବିଚାର ପାଇଁ ଥିବାବେଳେ ଏଥିରୁ ମାତ୍ର ୪୫ଟିର ଫଏସଲା ହୋଇଥିଲା ଏବଂ ସେଥିରେ ୩୪ଟିରେ ଦଣ୍ଡବିଧାନ କରାଯାଇଛି। ସେହିଭଳି ୨୦୨୧ ବର୍ଷରେ ଆମ ଦେଶରେ ୧,୮୫,୮୩୬ ଧର୍ଷଣ ମାମଲା ବିଚାର ପାଇଁ ଥିବାବେଳେ ଆଇନ ଅଦାଲତ ୧୨,୧୨୦ ମାମଲା ଫଏସଲା କରିଛନ୍ତି। ଏଥିରୁ ମାତ୍ର ୩୩୬୮ଟିରେ ଦଣ୍ଡବିଧାନ ଆଦେଶ ହୋଇଛି। ମୋଟାମୋଟି ଭାବେ ଏଭଳି ସ୍ପର୍ଶକାତର ମାମଲାରୁ ବର୍ଷକରେ ମାତ୍ର ୬.୫ ପ୍ରତିଶତର ବିଚାର ଶେଷ ହୋଇଥିବାବେଳେ ଦଣ୍ଡବିଧାନ ହାର ୨୮.୬ ପ୍ରତିଶତ ରହିଛି। ହତ୍ୟା, ଡକାୟତି ସମେତ ଅନ୍ୟାନ୍ୟ ଅାପରାଧିକ ମାମଲାରେ ଫଏସଲା ହାର ଅତ୍ୟନ୍ତ ନୈରାଶ୍ୟଜନକ। ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ଓଡ଼ିଶାରେ ୨୦୨୧ ବର୍ଷରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୫.୭ ପ୍ରତିଶତ ଥିବାବେଳେ ଫଏସଲା ହାର ୧.୩ ପ୍ରତିଶତ। ଆର୍ଥିକ ଅପରାଧ ମାମଲାରେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ମାତ୍ର ୩.୨ ପ୍ରତିଶତ ଥିବାବେଳେ ଫଏସଲା ହାର ମାତ୍ର .୫ ପ୍ରତିଶତ। ପରିବେଶ, ରାଷ୍ଟ୍ରଦ୍ରୋହ, ସାଇବର ଅପରାଧ, ବରିଷ୍ଠ ନାଗରିକଙ୍କ ପ୍ରତି ଘଟୁଥିବା ଅପରାଧ, ଅନସୂଚିତ ଜନଜାତିଙ୍କ ପ୍ରତି ଅପରାଧ ଆଦି ମାମଲାରୁ ଗତବର୍ଷ ଗୋଟିଏ ଘଟଣାରେ ବି ଓଡ଼ିଶାରେ ଦଣ୍ଡବିଧାନ ହୋଇପାରି ନଥିବାବେଳେ ଅନୁସୂଚିତ ଜାତି ବର୍ଗଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତ ମାମଲାରୁ ମାତ୍ର ଗୋଟିଏରେ ଆମ ରାଜ୍ୟରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡାଦେଶ ହୋଇଥିବା ଏହି ରିପୋର୍ଟରୁ ଜଣାପଡିଛି। ତେବେ ଦୁର୍ନୀତି ମାମଲାରେ ଜାତୀୟ ସ୍ତରରେ ବର୍ଷକୁ ମାତ୍ର ୪.୮ ପ୍ରତିଶତ ମାମଲା ଫଏସଲା ହେଉଥିବାବେଳେ ଓଡ଼ିଶାରେ ଏହି ହାର ୩.୯ ରହିଛି। ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର ଓଡ଼ିଶାରେ ଓ ଜାତୀୟ ସ୍ତରରେ ୪୨.୫ ପ୍ରତିଶତ ଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି।

ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ମାମଲା ସରିବା ବେଳକୁ ପ୍ରାୟ ୨୫ବର୍ଷ ସମୟ ଲାଗିଥିବାବେଳେ ବଲାଙ୍ଗିରର ଯୁବନେତା ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ମାମଲା ଚୂଡାନ୍ତ ହେବାକୁ ଲାଗିଗଲା ପ୍ରାୟ ୪୦ବର୍ଷ ସମୟ। ଶୈଶବରେ ବଳାତ୍କାରର ସମ୍ମୁଖୀନ ହୋଇଥିବା ଜଣେ ପୀଡିତା ପରବର୍ତ୍ତୀ ସମୟରେ ଘର ସଂସାର କରି ପୁଅ-ବୋହୂ, ଝିଅ-ଜ୍ୱାଇଁ ଓ ନାତି-ନାତୁଣୀଙ୍କ ଗହଣରେ ବୃଦ୍ଧାବସ୍ଥା ବିତାଉ ଥିବାବେଳେ ଧର୍ଷଣ ମାମଲାର ବିଚାର ଲାଗି କୋର୍ଟ ସମନ ପାଇବାପରେ ଲୋକଲଜ୍ଜାରେ ଲୁଚିବା ଘଟଣା ବିଳମ୍ବିତ ବିଚାରର ଉଦାହରଣ ମାତ୍ର। ତଦନ୍ତରେ ତ୍ରୁଟି, ମାମଲା ପରିଚାଳନାରେ ବିଳମ୍ବ ଯୋଗୁଁ ସାକ୍ଷ୍ୟ ପ୍ରମାଣ ନଷ୍ଟ ଆଦି ଫଳରେ ବହୁ ଅାପରାଧିକ ମାମଲାରେ ଅଭିଯୁକ୍ତ ଖସି ଯାଉଛନ୍ତି। ରାଜନୀତିର ଅପରାଧୀକରଣ ସହ ଅପରାଧର ରାଜନୀତିକରଣ ପରିପ୍ରେକ୍ଷୀରେ ମୁକ୍ତ ବ୍ୟବସ୍ଥାର ଶାରୀମାନେ ପିଞ୍ଜରା ଭିତରେ ପଶି ଛଟପଟ ହେଉଥିବାବେଳେ ଏଡିଆର ରିପୋର୍ଟ କହୁଛି ଆମ ସଂସଦ ଓ ବିଧାନସଭାଗୁଡିକରେ ଅନ୍ୟୂନ ଏକ ତୃତୀୟାଂଶ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ରହିଛି ଅାପରାଧିକ ମାମଲା।

ବିଳମ୍ବିତ ବିଚାର ସହ ନଗଣ୍ୟ ଦଣ୍ଡ ବିଧାନ ହାର ଯୋଗୁଁ ସାଧାରଣ ଲୋକଙ୍କ ଧନଜୀବନଠାରୁ ଆରମ୍ଭକରି ଦେଶର ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ବଡ ଆହ୍ୱାନ ଉପୁଜୁଛି। ଆମ ଦେଶର ଜେଲ୍‌ଗୁଡ଼ିକରେ ୪,୨୫,୬୦୯ କଏଦି ରହିବା ବ୍ୟବସ୍ଥା ଥିବାବେଳେ ବାସ୍ତବରେ କିନ୍ତୁ ୫.୫୪ ଲକ୍ଷରୁ ଅଧିକ କଏଦି ଥିବାଯୋଗୁଁ ବହୁ କ୍ଷେତ୍ରରେ ବିଚାରାଧୀନ କଏଦିମାନଙ୍କୁ ସହଜରେ ଜାମିନ ଦେବା, ଏମିତିକି ଅନ୍ୟ ଅପରାଧୀମାନେ ସଜା ଭୋଗୁଥିଲାବେଳେ ସେମାନଙ୍କ ଭିତରୁ କେତେକଙ୍କୁ ଛାଡି ଦିଆଯାଉଛି। ଆଇନ ଅଦାଲତରେ ଦୋଷୀସାବ୍ୟସ୍ତ ହୋଇ ଗଣଧର୍ଷଣ ଓ ଗଣହତ୍ୟା ଭଳି ସାଂଘାତିକ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣ ଦୁର୍ଦାନ୍ତ ଅପରାଧୀଙ୍କୁ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଗୁଜୁରାଟ ସରକାର କାରାମୁକ୍ତ କରିବା ଘଟଣା ଆମ ବ୍ୟବସ୍ଥାର ବଡପଣକୁ ଅତି ଛୋଟ କରିଦେଇଛି।

ଜମିଜମା ସଂକ୍ରାନ୍ତ ମାମଲା ହେଉ କିମ୍ବା ନିଯୁକ୍ତି କି ପେନ୍‌ସନ୍‍ରୁ ବଞ୍ଚିତ ମାମଲା ହେଉ ଏଗୁଡିକର ଫଏସଲା ପାଇଁ ବର୍ଷବର୍ଷ ସମୟ ଲାଗୁଥିବାବେଳେ ବଞ୍ଚିତ ଲୋକଙ୍କ ପାଇଁ ବିଳମ୍ବିତ ନ୍ୟାୟ ବିଡମ୍ବିତ ହୋଇଯାଉଛି। ଦେଶର ଆଇନ ଶୃଙ୍ଖଳା ରକ୍ଷାଠାରୁ ଆରମ୍ଭ କରି ନ୍ୟାୟିକ ବ୍ୟବସ୍ଥା ପାଇଁ ଗରିବଲୋକଙ୍କ ରାଜକୋଷରୁ ହଜାରହଜାର କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ତ୍ୱରିତ ନିରପେକ୍ଷ ନ୍ୟାୟରେ ବିଳମ୍ବ ବସ୍ତୁତଃ ନ୍ୟାୟ ପ୍ରତୀକ୍ଷାର୍ଥୀଙ୍କ ଲାଗି ନିର୍ଯାତନା ଭଳି ହେଉଛି। ଗୋଟିଏ ପଟେ ନିଶା, ହିଂସା, ମିଥ୍ୟାଚାର, ଗର୍ବ, ଅହଂକାର, ପକ୍ଷପାତିତା, ଦୁର୍ନୀତି, ଭ୍ରଷ୍ଟାଚାର ଆଦିରେ ଶଢ଼ୁଥିବା ଆମ ସାମାଜିକ, ଆର୍ଥିକ, ପ୍ରଶାସନିକ ଓ ରାଜନୈତିକ ବ୍ୟବସ୍ଥାର ଅଧୋପତନ ଯୋଗୁଁ ନୈତିକ, ଆଧ୍ୟାତ୍ମିକ, କାର୍ମିକ ଓ ସାଂସ୍କୃତିକ କ୍ଷେତ୍ର ସ୍ୱାଧୀନତାର ଅମୃତ ମହୋତ୍ସବ ବେଳକୁ ବିଷବଳୟରେ ଛଟପଟ ହେଉଛି। ବିଗିଡା ବ୍ୟବସ୍ଥା ଯୋଗୁଁ ବ୍ୟକ୍ତି ଓ ସମାଜ ଜୀବନରେ ଭାଇଚାରା, ଦୟା, ପ୍ରେମ, ସ୍ନେହ, କରୁଣା, ତ୍ୟାଗ, ସତ୍ୟ ଓ ଅହିଂସା ଆଦି ହଜି ଯାଉଥିବାବେଳେ ସାଧାରଣ ଲୋକର ସମସ୍ୟା ଓ ଅଭିଯୋଗର ତ୍ୱରିତ ସକ୍ରିୟ ଫଏସଲା ଲାଗି ସକାରାତ୍ମକ ମନୋଭାବର ଅଭାବ ଯୋଗୁଁ ମାମଲା ବଢ଼ିବଢ଼ି ଚାଲିଛି। ଉତ୍ତର ଦାୟିତ୍ୱହୀନ ତ୍ରୁଟିପୂର୍ଣ୍ଣ ସରକାରୀ ବ୍ୟବସ୍ଥା ବସ୍ତୁତଃ ମାମଲା ତିଆରି କାରଖାନାରେ ପରିଣତ ହୋଇ ଲୋକଙ୍କୁ କଲବଲ କରୁଛି। ଏସବୁର ତ୍ୱରିତ ପ୍ରତିକାର କରାନଗଲେ ଅବସ୍ଥା ଅଧିକ ବିଗିଡିବ ଏବଂ ସମାନତା ଓ ନ୍ୟାୟ ପରିବର୍ତ୍ତେ ‘ଜୋର୍‍ ଯାର ମୁଲକ ତା’ର’ ଭଳି ଘୃଣ୍ୟ ବ୍ୟବସ୍ଥା ଯୋଗୁଁ ଏକଛତ୍ରବାଦ ବ୍ୟାଧି ମହାମାରୀ ରୂପ ନେଇପାରେ। ଏ ପରିପ୍ରେକ୍ଷୀରେ ରାଷ୍ଟ୍ର ତଥା ରାଜ୍ୟକୁ ଭୟଙ୍କର ସମସ୍ୟାରୁ ମୁକୁଳାଇବା ପାଇଁ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଗ୍ରାମ ସ୍ୱରାଜ ବ୍ୟବସ୍ଥାକୁ ଆପଣାଇବା ସଙ୍ଗେସଙ୍ଗେ କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପିକା ସ୍ତମ୍ଭ ନିଜ ଦାୟିତ୍ୱ ନିର୍ବାହ କରି ବିଚାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ, ସ୍ୱଚ୍ଛ, ସକାରାତ୍ମକ ଓ ଚାପମୁକ୍ତ କରିବା ଲାଗି ସମର୍ପିତ, ସମୟ ଭିତ୍ତିକ ତଥା ବାସ୍ତବାଭିମୁଖୀ ଅଭିଯାନ ଚଳାଇବାର ଆବଶ୍ୟକତା ରହିଛି।

Comments are closed.