ଏବେ ଦେଖିବାକୁ ମିଳେ ସମସ୍ତେ ବ୍ୟତିବ୍ୟସ୍ତ। ସମସ୍ତଙ୍କ ନିକଟରେ ସମୟର ସ୍ୱଳ୍ପତା ଟିକିଏ ଶାନ୍ତିର ନିଃଶ୍ୱାସ ନେବା ପାଇଁ। ଯନ୍ତ୍ର ଭଳି କାମ କରିଚାଲିଛନ୍ତି, ବିନା ଆଗ୍ରହରେ, ବିନା ଉତ୍ସାହ ଉଦ୍ଦୀପନାରେ। ଏଥିରେ ସନ୍ଦେହ ନାହିଁ ନିତିଦିନିଆ ଜୀବନ ପାଇଁ କର୍ମରତ ହେବା ଜରୁରୀ। ଏପରି କୌଣସି ମୁହୂର୍ତ୍ତ ନାହିଁ ଯେତେବେଳେ ଆମେ କିଛି କରୁନାହୁଁ, ହୋଇପାରେ ଆମେ ସମୟ ସମୟରେ ସଚେତନ ନୋହୁଁ କିଛି କରୁଛୁ ବୋଲି। ସେଥିପାଇଁ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଛନ୍ତି – “ନ ହି କଶ୍ଚିତ୍ କ୍ଷଣମପି ଜାତୁ ତିଷ୍ଠତି ଅକର୍ମକୃତ୍, କାର୍ଯ୍ୟତେ ହ୍ୟବଶଃ କର୍ମ ସର୍ବଃ ପ୍ରକୃତିେଜୖଗୁଣୈଃ।” ଅର୍ଥାତ୍ “ନିଃସନ୍ଦେହରେ କୌଣସି ବ୍ୟକ୍ତି କ୍ଷଣିକ ସକାଶେ ମଧ୍ୟ ବିନା କର୍ମରେ ରହିପାରିବ ନାହିଁ; କାହିଁକି ନା ସମସ୍ତେ ନିଶ୍ଚିତ ଭାବରେ ପ୍ରକୃତିର ପ୍ରଭାବରୁ କାର୍ଯ୍ୟରତ ରହିବେ ହିଁ ରହିବେ।” ଭାବିବା ବି କାମ, ବଞ୍ଚି ରହିବା ବି କାମ, ତଥା ଏହି କାମର ଫଳ ନିଶ୍ଚୟ ଫଳିତ ହେବ ହିଁ ହେବ। ଦେଖିବା କଥା କର୍ମ ବନ୍ଧନ ଆଡ଼କୁ ନେଉଛି ନା ମୁକ୍ତିର ପଥ ଉନ୍ମୋଚନ କରୁଛି। କାମ କଲାବେଳେ ପୀଡ଼ା ଅନୁଭବ ହେଉଛି ନା ସ୍ଫୂର୍ତ୍ତି ରହୁଛି, ଉତ୍ସାହ ରହୁଛି ନା ଆଗ୍ରହ ଅଛି।
ଯେତେବେଳେ କର୍ମ ବିନୁ ଅନ୍ୟ ପନ୍ଥା ନାହିଁ ତା’ହେଲେ ଏହାକୁ କାହିଁକି ସଫଳତାର ମାଧ୍ୟମ ରୂପରେ ନେବା ନାହିଁ। ସଫଳତା କେବଳ ପ୍ରଭୂତ ସମ୍ପଦର ଅଧିକାରୀ ହେବା ନୁହେଁ, ସୁଖ ସମ୍ଭୋଗରେ ନିଜକୁ ହଜାଇଦେବା ନୁହେଁ। ସଫଳତା ହେଉଛି ସ୍ବହିତ ସାଧନ ସହ ଦୁନିଆର ସୁସ୍ଥତାକୁ ବି ନିରୀକ୍ଷଣ କରିବା। ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ଯାଇ ଆଗ୍ରହର ପରିସୀମାରେ ନିଜକୁ ଯଦି ଅବସ୍ଥାପିତ କରାଯାଇପାରେ ତାହା ହେବ ଜଣକ ପାଇଁ ସଫଳତାର ଆସ୍ବାଦ। ଯେ କୌଣସି କର୍ମ ବି ହେଉ ତାହାକୁ ମନୋନିବେଶ ସହ କରିବାର ଅଛି, ପ୍ରଫୁଲ୍ଲ ଚିତ୍ତରେ ସହାସ୍ୟ କରିବାର ଅଛି, ତା’ହେଲେ ଯାଇ ଜଣେ ବହୁତ କିଛି ପ୍ରାପ୍ତ ହେବାର ଉନ୍ମାଦନା ଅନୁଭବ କରିପାରିବ। କୌଣସି ନା କୌଣସି ବାହାନା ଦେଖାଇବା, ‘ମୋର ବା ଏଥିରେ କି ଲାଭ’ ଏ ପ୍ରକାର ସ୍ବାର୍ଥପର ମନୋଭାବ ରଖିବା, କାମକୁ ବୋଝ ହିସାବରେ ନେବା, ଆଳସ୍ୟ ଭାବ – ଏସବୁ ଆମର ଉନ୍ନତି ପରିବର୍ତ୍ତେ ଅଧୋଗତିର କାରଣ ମାତ୍ର। ଅହରହ ଉତ୍ସାହ ଉଦ୍ଦୀପନା ଭିତରେ ରହିଲେ ଯାଇ ଆମେ ଜାଣିବା ଆମେ ଅବାଟରେ ନାହୁଁ।
ଉତ୍ସାହ କେବଳ କ୍ଷଣିକର ନହୋଇ ପ୍ରତି ମୁହୂର୍ତ୍ତରେ ଏହା ଆମର ସାଧନ ହେବା ଉଚିତ। ଆମେରିକାର ନାମଜାଦା ବ୍ୟବସାୟୀ ଏଡୱର୍ଡ ବଟଲର ଠିକ୍ କହିଛନ୍ତି, “କିଛି ଲୋକ ତିରିଶ ମିନିଟ ପାଇଁ ଉତ୍ସାହରେ ଥାଆନ୍ତି, ଆଉ କେତେଜଣ ତିରିଶ ଦିନ ପାଇଁ, ହେଲେ ସଫଳ ମନୁଷ୍ୟ ତିରିଶ ବର୍ଷ ଯାଏ ଉତ୍ସାହରେ ଥାଏ।” ଧରାରେ କୌଣସି କାମ ବଡ଼ ବା ସାନ ନୁହେଁ; କାମର ମହତ୍ତ୍ବ ଥାଏ ନେପଥ୍ୟରେ ଥିବା ନିଷ୍ଠାକୁ ନେଇ, ଉତ୍ସାହୀ ଭାବକୁ ନେଇ। କାମକୁ କେବଳ ଉପାର୍ଜନର ସାଧନ ମନେ କଲେ ହେବନାହିଁ; ତା’ର ପଛପଟେ ଥିବା ଭାବନା ଯେ ତଦ୍ଦ୍ବାରା କେତେ ଲୋକ ଉପକୃତ ହେଉଛନ୍ତି, ତାଙ୍କର ମଙ୍ଗଳ ସାଧନ ହେଉଛି ତାହା ଜଣକୁ ଖୁସି ପ୍ରଦାନ କରିଥାଏ, ବଞ୍ଚିବାର କଳା ଶିଖାଇଥାଏ। ଉତ୍ସାହ ଥିଲେ, ଆଗ୍ରହ ରହିଲେ ଅସମ୍ଭବକୁ ମଧ୍ୟ ସମ୍ଭବ କରିହେବ। କାମ ବାଧକ ଥିଲେ ସୁଦ୍ଧା ତାହା ଭାରାକ୍ରାନ୍ତ ମନେହୁଏ ନାହିଁ। କାର୍ଯ୍ୟାଳୟ ସବୁରେ ଦେଖିବାକୁ ମିଳେ ପ୍ରକୃତ କର୍ମବୀର ବହୁତ କମ୍, ବାକ୍ୟବୀର କିନ୍ତୁ ଅନେକ। ହେଲେ ଯିଏ କର୍ତ୍ତବ୍ୟରେ ନିଜକୁ ସମର୍ପିତ କରିଛି କେବଳ ସେ ଅନୁଭବ କରିପାରେ ସେଥିରେ ଥିବା ଆନନ୍ଦ, ତା’ର ଖୁସିମନା ହୋଇ ରହିବାର ଶକ୍ତି। ବିବେକାନନ୍ଦଙ୍କ ଏଇ କେତୋଟି ଶବ୍ଦ ବହୁତ ମାନେ ରଖେ, “ପଛକୁ ଅନାଅନା, ଅଗ୍ରସର ହୁଅ। ଅପରିସୀମ ଶକ୍ତି, ଅଶେଷ ଉତ୍ସାହ, ଅପର୍ଯ୍ୟାପ୍ତ ସାହସ, ଆଉ ଅସୀମିତ ଧୈର୍ଯ୍ୟ – ତା’ହେଲେ ଯାଇ ମହାନ କାର୍ଯ୍ୟ କରାଯାଇପାରିବ।” ସମସ୍ୟା ନିଶ୍ଚିତ ଆସିବ କାର୍ଯ୍ୟର ପରିମାଣ, କାମର ପ୍ରକୃତିକୁ ଦେଖି। ସେଥିରେ ବୀତସ୍ପୃହ ନହୋଇ ଦୃଢ଼ତାର ସହ ହୃଦୟଙ୍ଗମ କରିବା କଥା, ଯେଭଳି କାମ ହେଉ ଆରମ୍ଭ ହେଲା ମାତ୍ରକେ ସରିବ ହିଁ ସରିବ। କାହାରି ସହିତ ନିଜକୁ ତୁଳନା କଲେ କାର୍ଯ୍ୟ ପ୍ରତି ଥିବା ଉତ୍ସାହ ଲୁଚିଯାଏ। ଭାବିବା କଥା ଯାହା ମୁଁ କରୁଛି ତାହା ମୋ ନିଜ କାମ, କିଏ କରୁଛି ନା ନାହିଁ ସେଥିରେ ମୋର କିଛି ଯାଏ ଆସେ ନା।
ଅତ୍ୟାବଶ୍ୟକ ଏବଂ ସର୍ବାଦୌ ସମୁଚିତ ମଧ୍ୟ, ହୃଦବୋଧ ହେବା ଯେ ଜୀବନ ଅମୂଲ୍ୟ, ସୁନ୍ଦର, ଆନନ୍ଦମୟ, ମଧୁର। ଜୀବନର ରହସ୍ୟ ବୁଝିବା ପରେ ଅସୁବିଧା ରହେନା ଉତ୍ସାହ ଉଦ୍ଦୀପନା ସହିତ କାମ କରିବାକୁ। ଜୀବନର ମାଧୁର୍ଯ୍ୟକୁ ନେଇ ଏକ ସୁନ୍ଦର ଉଦାହରଣ ଉପସ୍ଥାପନ କରିଛନ୍ତି ସାଧୁ ଭସୱାନୀ। ଜାପାନର ଜଣେ ଯୁବକ ଆମେରିକାକୁ କୌଣସି ଏକ ବିଶ୍ବବିଦ୍ୟାଳୟରେ ପଢ଼ିବା ପାଇଁ ଆସିଥିଲେ। ଥରେ ସେ ପଢାଉଥିବା ତାଙ୍କ ପ୍ରଫେସରଙ୍କ ନିକଟକୁ ଆସିଛନ୍ତି, ଆଉ ଜାଣିବାକୁ ଚାହିଁଛନ୍ତି କିଭଳି ସେ ନିଜ ଜୀବନକୁ ମଧୁମୟ କରିପାରିବେ। ସେ ପୁଣି ସ୍ପଷ୍ଟ କରି କହନ୍ତି, “ଆଜ୍ଞା! ର୍ମୁଁ ଜାଣିବାକୁ ଚାହେନା ଆପଣ ଧର୍ମବିଶ୍ବାସ ଆଉ ମତବାଦକୁ ନେଇ କହନ୍ତୁ। ଏଇଆ ବି ଆଶା କରେନା ବାଇବେଲ ଅଥବା କୌଣସି ପୁସ୍ତକର ଆଧାରରେ କିଛି କହନ୍ତୁ। ମାତ୍ର ମୋତେ ସେ ସୁନ୍ଦର ଜୀବନ ବିଷୟରେ କହନ୍ତୁ, କିପରି ମୁଁ ମୋ ଜୀବନକୁ ସରସ କରିପାରିବି।” ହେଲେ ସେ ସନ୍ତୋଷଜନକ ଉତ୍ତର ପାଇପାରନ୍ତି ନାହିଁ। କିଛି ସପ୍ତାହ ଗଲା ପରେ ସେ ପ୍ରଫେସରଙ୍କ ପାଖକୁ ଆସିଛନ୍ତି ବିଦାୟ ନେବାକୁ। ପ୍ରଫେସର ସାମାନ୍ୟ ବିସ୍ମିତ ହୋଇ ପ୍ରଶ୍ନ କରନ୍ତି ‘‘କିଛିଦିନ ପୂର୍ବରୁ ଆସିଥିଲ ପଚାରିବାକୁ ସୁନ୍ଦର ଜୀବନ ବିଷୟରେ। ତା’ର ରହସ୍ୟ କ’ଣ ପାଇପାରିଲ?” ଛାତ୍ରର ଚକ୍ଷୁ ଯୁଗଳରେ ଏକ ନବୀନ ଦୀପ୍ତି, ମୁଖମଣ୍ଡଳରେ ଏକ ନୂତନ ଆଭା, ଶରୀରରେ ଅଫୁରନ୍ତ ସ୍ଫୂର୍ତ୍ତି ଅବଲୋକନ କଲେ ସେ। ଖୁସି ଖୁସିରେ ଆଗ୍ରହର ସହ ଯୁବ ଛାତ୍ର ବ୍ୟକ୍ତ କରନ୍ତି- ସତରେ ସେ ଜୀବନର ମାଧୁର୍ଯ୍ୟକୁ, ରହସ୍ୟକୁ ଜାଣିପାରିଛନ୍ତି, ଆଉ ସେଥି ସକାଶେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ସାଗ୍ରହ ପ୍ରଫେସର ଅବଗତ ହେବାକୁ ଚାହାନ୍ତି କେଉଁଠୁ ସେ ପାଇଲେ ସେପରି ଜୀବନ, ସୁନ୍ଦର ଜୀବନର ପରିକଳ୍ପନା। ଯୁବକ ବର୍ଣ୍ଣନା କରନ୍ତି, “ଆଜ୍ଞା! ଆପଣଙ୍କଠାରୁ ଫେରିଆସିଲା ପରେ ମୋର ମନ କେବଳ ଜର୍ଜରିତ ହେବାକୁ ଲାଗିଲା ଜାଣିବାକୁ ମଧୁର ଜୀବନ କେଉଁଟା। ଚାରିପଟେ ଅନ୍ବେଷଣରେ ବ୍ୟସ୍ତ ରହିଲି ସୁନ୍ଦର ଜୀବନ ସକାଶେ। ଏତେ ବଡ ସହରରେ, ଜନଗହଳି ଭିତରେ, ଶିକ୍ଷା କ୍ଷେତ୍ରରେ ଆଗୁଆ ଥିବା ଗୃହ ସବୁରେ, ଅଧୁନା ସଭ୍ୟତାରେ ପାଇପାରିଲିନି ମୁଁ ଯାହା ଆଶା କରୁଥିଲି। ନୈରାଶ୍ୟର କଳା ବାଦଲ ମୋତେ ଆବୃତ କଲା, ଅନ୍ତରାତ୍ମାର ନିଭୃତ କୋଣରେ କୋହ ସୃଷ୍ଟି ହେଲା। ସମ୍ଭବତଃ ମୋର ଇଚ୍ଛାଶକ୍ତି ପ୍ରବଳ ଥିଲା- ମୁଁ ଜଣେ ବୃଦ୍ଧ ସାଧୁଙ୍କ ଦର୍ଶନ ଲାଭ କଲି। ଅନୁପମ ଚେହେରା, ହସହସ ମୁହଁ, ତନୁରେ ଉଳ କାନ୍ତି। ମନେହେଉଥିଲା ଅଶେଷ ଶାନ୍ତିର ଅଧିକାରୀ ସେ! ତାଙ୍କୁ ପ୍ରଣିପାତ କଲି, ପଚାରିଲି ତାଙ୍କର ଏ ଯୁବୋଚିତ ସ୍ବଭାବ ବିଷୟରେ, ଖୁସି ରହିବାର କାରଣ ସମ୍ବନ୍ଧରେ। ବୃଦ୍ଧ ସାଧୁ ମଧୁର ସ୍ବରରେ କହିଲେ, “ପ୍ରଭାତରୁ ସଞ୍ଜ ଯାଏ ମୁଁ ଜନସେବାରେ ନିମଗ୍ନ ରହେ।
ମୁଁ ସର୍ବଦା କାର୍ଯ୍ୟବ୍ୟସ୍ତ ଅନ୍ୟମାନଙ୍କର ସହାୟତା ସକାଶେ, ନିରକ୍ଷ ପରିବାରର ଦୁଃଖ ବୁଝିବାକୁ, ଯେଉଁମାନେ ଦୁଃଖୀ ସେମାନଙ୍କୁ ସମବେଦନା ଜ୍ଞାପନ କରିବାକୁ, ତାଙ୍କର ଶୋକାବସ୍ଥାରେ ନିଜକୁ ସମ୍ମିଳିତ କରିବା ନିମିତ୍ତ, ତାଙ୍କୁ ସାହସ ଦେବାକୁ, ତାଙ୍କର ମନୋବଳ ସୁଦୃଢ କରିବାକୁ।” ସାଧୁଙ୍କ ବିଷୟ କହିସାରିବା ପରେ ଛାତ୍ର ଯୁବକ ପୁଣି କହନ୍ତି, “ସାଧୁଙ୍କ ବାକ୍ୟ ଶ୍ରବଣ ପରେ ଏକ ନୂତନ ଚେତନା ମୁଁ ପ୍ରାପ୍ତ ହେଲି, ମୋ ହୃଦୟରେ ଅନ୍ୟ ଏକ ଅନୁଭୂତିର ସ୍ଫୁରଣ ହେଲା। ମୋର ମନେହେଲା ସମସ୍ତେ ମୋର ଆତ୍ମୀୟ, ମୁଁ ସମସ୍ତଙ୍କ ନିକଟ ସମ୍ପର୍କୀୟ। ସବୁ ଜୀବନ ଏକ, ଆମେ ସମସ୍ତେ ଏକ। ସବୁ ଜୀବନ ଭିତରେ ଏକ ଦିବ୍ୟସତ୍ତା ଲୁଚିରହିଛି, ବିଭେଦ ଆଉ ହୀନମନ୍ୟତାର ଉପରେ। ସେଇଠୁ ଜୀବନ ମଧୁମୟ ରହିବା ରହସ୍ୟକୁ ମୁଁ ଉନ୍ମୋଚନ କରିଛି। ସୁନ୍ଦର ଜୀବନ ହେଉଛି ସହାନୁଭୂତି; ତା’ର ଭିତିରି ତାତ୍ପର୍ଯ୍ୟ ହେଉଛି ସମସ୍ତଙ୍କୁ ଭଲ ପାଇବା, ଆପଣେଇବା। ପ୍ରେମ ଓ ସହାନୁଭୂତି ଅନନ୍ୟ।” ପ୍ରକୃତରେ ଦେଖିବାକୁ ଗଲେ ଉଚିତ ରାସ୍ତା ହେଉଛି ନିଜକୁ କାର୍ଯ୍ୟଦକ୍ଷ ମନେକରି ଉତ୍ସାହ ଉଦ୍ଦୀପନାର ସହ ନିଜ କର୍ତ୍ତବ୍ୟରେ ସଂଶ୍ଲିଷ୍ଟ ରହିବା। ଠିକ୍ ଢଙ୍ଗରେ ଜିଇବାର କଳା ହିଁ ହେଉଛି ସେଇଆ: ଉତ୍ସାହର ଉଚ୍ଛ୍ୱାସ।



