ଭାରତ ପାଇଁ ବୃହତ୍‌ ବିପଦ

ଧର୍ମର ସଂରକ୍ଷଣ ଓ ସମ୍ପ୍ରସାରଣ ନିମନ୍ତେ କୌଣସି ଭୂମିକୁ ପ୍ରୟୋଗଶାଳା ଭାବରେ ବ୍ୟବହାର କରିବା ସର୍ବଦା ବିପଜ୍ଜନକ; କିନ୍ତୁ ଏବେ ମନେହେଉଛି ମଠ, ମନ୍ଦିର, ମସଜିଦ୍, ଗୀର୍ଜା, ଗୁରୁଦ୍ବାର ଉପରେ ଆମର ନଜର ନିବଦ୍ଧ। ଐତିହ୍ୟକୁ ସାଇତି ରଖିବା ଓ ସଂସ୍କୃତିର ପ୍ରଚାର-ପ୍ରସାର କରିବା ଦିଗରେ ଆମେ ଏଣିକି ଖୁବ ତତ୍ପର । ରାମ, ରହିମ, ଈଶ୍ବର, ଆଲ୍ଲା, ଯୀଶୁ ଓ ନାନକ ପଛରେ ପଡି ଆମେ ଭୁଲିଯାଉଛୁ ମାନବୀୟ ମୂଲ୍ୟବୋଧକୁ। ଜଣେ ବିଶିଷ୍ଟ ବଙ୍ଗାଳୀ କବି ଚଣ୍ଡି ଦାସଙ୍କ ମତରେ ‘ସବାର ଉପରେ ମାନୁଷ ସତ୍ୟ’, ଅର୍ଥାତ ମଣିଷ ଯେ ସର୍ବଶ୍ରେଷ୍ଠ ଏହି ସତ୍ୟକୁ ପାଶୋରି ପକାଇଛୁ। ଈଶ୍ବରଙ୍କୁ ଖୋଜିବା ଓ ପ୍ରତିଷ୍ଠା କରିବା ଉପରେ ଗୁରୁତ୍ବ ଦେବା ଫଳରେ ସମସ୍ୟା ସମାଧାନର ସରଳ ସୂତ୍ର ବାହାର କରିବାରେ ବ୍ୟର୍ଥ ହେଉଛୁ। ଏହା ଆମ ପାଇଁ ଏକ ବୃହତ ବିପଦ ହୋଇ ଛିଡାହୋଇଛି । ଏହାଦ୍ବାରା ଆମ ଏକତା ଓ ସଂହତି ଆଜି ସଂକଟାପନ୍ନ। ଭାଇଚାରାର ବନ୍ଧନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଭାରତୀୟତାର ଭାବାବେଗରୁ ହଟିଯାଇ ଧର୍ମୀୟ ଧାରଣା ପଛରେ ଧାଇଁବା ଆରମ୍ଭ ହୋଇଛି।

ଧର୍ମର ଅର୍ଥ ବ୍ୟାପକ। ପ୍ରତ୍ୟେକ ପ୍ରତ୍ୟେକଙ୍କୁ ଭଲପାଇବା ଏକ ଧର୍ମ; ଯାହାକୁ ମାନବ ଧର୍ମ ବୋଲି କୁହାଯାଏ। ଜଣେ ମାଆ ତାର ସନ୍ତାନକୁ ଭଲପାଇବା ଓ ତାର ଲାଳନ ପାଳନ କରିବା ଏକ ଧର୍ମ। ଭାରତୀୟ ସଂସ୍କୃତିରେ ଏହାକୁ ମାତୃ ଧର୍ମ ବୋଲି କୁହାଯାଏ। ଅପରପକ୍ଷେ ପୁଅ ଝିଅମାନେ ପିତା ମାତାଙ୍କୁ ଭକ୍ତି କରିବା ଓ ସେମାନଙ୍କର ସେବା ଶୁଶ୍ରୁଷା କରିବା ଏକ ଧର୍ମ । ଗୁରୁ ଶିଷ୍ୟଙ୍କୁ ଜ୍ଞାନାଲୋକ ପ୍ରଦାନ କରି ଶିଷ୍ୟଙ୍କୁ ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତି ଦେଇ ଭବିଷ୍ୟତ ଜୀବନରେ ବଞ୍ଚିବା ପାଇଁ ଉପଯୁକ୍ତ କରି ଗଢିତୋଳିବା ଗୁରୁର ଧର୍ମ । ସୈନିକର ଧର୍ମ ଦେଶକୁ ସୁରକ୍ଷା ଦେବା। ଅଧ୍ୟାତ୍ମବାଦୀ ମଣିଷର ଧର୍ମ ଈଶ୍ବରଙ୍କୁ ଭକ୍ତି କରିବା ଏବଂ ତାଙ୍କ ଠାରେ ବିଶ୍ବାସ ରଖିବା । ଲୋକଙ୍କ ସୁରକ୍ଷା ଯୋଗାଇବା ଏବଂ ନିଃସ୍ୱାର୍ଥପର ସେବା ପ୍ରଦାନ କରିବା ଯେକୌଣସି ସରକାରର ପ୍ରଧାନ କର୍ତ୍ତବ୍ୟ, ଯାହାକୁ ରାଷ୍ଟ୍ର ଧର୍ମ ବୋଲି କୁହାଯାଏ। ଅର୍ଥାତ ମଣିଷ ଯେଉଁ କର୍ମରେ ନିୟୋଜିତ ହୋଇଥାଏ ସେଠାରେ ନିଜର କର୍ତ୍ତବ୍ୟକୁ ସୁଚାରୁ ରୂପେ ସମ୍ପାଦନ କରିବା ହିଁ ଧର୍ମ। କର୍ତ୍ତବ୍ୟ ଓ ଧର୍ମ ପରସ୍ପରର ପରିପୂରକ । ଏହାକୁ ନେଇ ବାଦ ବିବାଦ ସୃଷ୍ଟି କରିବା ଆଦୌ ସମୀଚୀନ ନୁହେଁ। କିନ୍ତୁ ଏବେ ମଣିଷ ଭିତରେ ଧର୍ମକୁ ନେଇ ଏକ ସଂକୀର୍ଣ୍ଣ ଓ ରକ୍ଷଣଶୀଳ ଭାବନା ସୃଷ୍ଟି ହୋଇଛି । କୌଣସି ସମ୍ପ୍ରଦାୟର ଈଶ୍ବର ବିଶ୍ବାସକୁ ଧର୍ମ ସହିତ ଯୋଡି ଦିଆଯାଉଛି। ଯଥା – ହିନ୍ଦୁ ଧର୍ମ, ଖ୍ରୀଷ୍ଟ ଧର୍ମ, ଇସଲାମ ଧର୍ମ, ଶିଖ୍ ଧର୍ମ ଇତ୍ୟାଦି। ଧରିନିଆଯାଉ ଏସବୁ ମଧ୍ୟ ଗୋଟିଏ ଗୋଟିଏ ଧର୍ମ, କିନ୍ତୁ ଏହା ସମ୍ପୂର୍ଣ୍ଣ ବ୍ୟକ୍ତିଗତ। କିଏ କେଉଁ ଧର୍ମରେ ବିଶ୍ବାସ ରଖିବ, କିଏ କେଉଁ ଦେବଦେବୀଙ୍କୁ ପୂଜା କରିବ, କିଏ କେଉଁ ଧର୍ମପୀଠକୁ ଯିବ ଏହା ତାର ଧର୍ମୀୟ ସ୍ବାଧୀନତା, ଯାହା ସମ୍ବିଧାନର ୨୫,୨୬,୨୭,ଓ ୨୮ ଧାରାରେ ଲିପିବଦ୍ଧ। ଏଥିରେ ରାଷ୍ଟ୍ର ହସ୍ତକ୍ଷେପ କରିବା ଆଦୌ ସ୍ପୃହଣୀୟ ନୁହେଁ।

ରାଷ୍ଟ୍ର ସମ୍ମୁଖରେ ଆଜି କୁଢକୁଢ ସମସ୍ୟା। ବେକାରୀ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଦରବୃଦ୍ଧିର ସମସ୍ୟା ଅଣାୟତ୍ତ। ସ୍ବାଧୀନତାର ୭୫ ବର୍ଷ ପରେ ବି ‘ରୋଟି କପଡା ମକାନ’ର ସମସ୍ୟା ସମାଧାନ ହୋଇ ନାହିଁ। ସ୍ବାସ୍ଥ୍ୟସେବାର କଙ୍କାଳସାର ଚେହେରା ସମସ୍ତଙ୍କୁ ହତଭମ୍ବ କରି ପକାଉଛି। ପାନୀୟ ଜଳର ସମସ୍ୟା ଏବେ ମଧ୍ୟ ତୁଟିନି । ଜୀବନ ଧାରଣର ସୂଚକାଙ୍କ ନିମ୍ନଗାମୀ। ମୁଦ୍ରାସ୍ଫୀତିର ହାର ଅତୀତର ସମସ୍ତ ରେକର୍ଡକୁ ପଛରେ ପକାଇ ସାରିଲାଣି। ଏସବୁକୁ ସାମନା କରିବାକୁ ହେଲେ ବିଭାଜନ ନୁହେଁ, ଏକତା ଲୋଡା। ଜାତି, ଧର୍ମ, ବର୍ଣ୍ଣ ଭିତରେ ଥିବା ବିଭେଦ ଓ ବି​‌େ​‌ଦ୍ବଷକୁ ଭୁଲି ଏକ ହେବାକୁ ପଡିବ। କିଏ ଅସଲି କିଏ ନକଲି, କାହାର ଧର୍ମ ମହାନ କାହାର ନ୍ୟୂନ, କେଉଁ ଈଶ୍ବର ବଡ କିଏ ସାନ ଏ ପ୍ରକାର ଭାବନା ଘୃଣା ଓ ଅସହିଷ୍ଣୁତାକୁ ଜନ୍ମ ଦିଏ। ବିଡମ୍ବନା ହେଉଛି ରାଜନୈତିକ ଫାଇଦା ହାସଲ କରିବା ପାଇଁ ରାଜନୈତିକ ବଡପଣ୍ଡାମାନେ ଆଜି ଏହି ରାସ୍ତାରେ। ସାଧାରଣ ମଣିଷର ମନ ଓ ମସ୍ତିଷ୍କ ଭିତରେ ପୂରାଇ ଦିଆଯାଇଛି ଏହି ଭାବଧାରା। ଫଳରେ ପ୍ରତିଦିନ ସମ୍ମୁଖୀନ ହେଉଥିବା ସମସ୍ୟା ଉପରୁ ଆମର ନଜର ହଟିଯାଉଛି। ଧର୍ମର ଅଫିମ ସେବନ କରି ଆମେ ନିଶାସକ୍ତ। ସରକାରମାନେ ଏହି ଅଫିମ ବିକ୍ରୟ କରିବାକୁ ଲାଗିପଡିଥିବା ମନେହୁଏ।

prayash

ହଜାର ହଜାର ବର୍ଷ ତଳର ଐତିହ୍ୟ ଓ କୀର୍ତ୍ତିରାଜିକୁ ନେଇ ଆରମ୍ଭ ହୋଇଥିବା ପୁନଃ ଅବଲୋକନ, ପୁନରୁଦ୍ଧାର ଓ ପୁନଃ ପ୍ରତିଷ୍ଠାର ଚିନ୍ତନ ଏହି ସତ୍ୟତା ଉପରେ ମୋହର ଲଗାଇଛି। ଐତିହାସିକ ଲାଲକିଲ୍ଲା ଦୁର୍ଗ କାହା ଉପରେ ନିର୍ମିତ, ପୃଥିବୀରେ ସପ୍ତାଶ୍ଚର୍ଯ୍ୟ ଭିତରେ ସ୍ଥାନ ପାଇଥିବା ତାଜମହଲର ବନ୍ଦ କୋଠରୀଗୁଡିକରେ କଣ ଅଛି, ମଥୁରାଠାରେ ଥିବା କୃଷ୍ଣ ଜନ୍ମଭୂମି ନିକଟସ୍ଥ ମସଜିଦରେ କଣ ଅଛି, ବାରଣାସୀର ଜ୍ଞାନବାପି ମସଜିଦ୍ ଭିତରେ ଶିବଲିଙ୍ଗ ଅଛି ନା ନାହିଁ ଏହାକୁ ନେଇ ଆମର ମତ ଓ ମନ୍ତବ୍ୟ ସାମ୍ପ୍ରଦାୟିକ ଘା’କୁ ଉଖୁରାଇ ଦେଇଛି। ଈଶ୍ବର ଏକ ଓ ଅଭିନ୍ନ ଏକଥା ମାନିବାକୁ ଆମେ ରାଜିନାହୁଁ । ଧର୍ମୀୟ ଆବେଗକୁ ପୁଞ୍ଜି କରି ଇତିହାସର କିଛି କଳଙ୍କିତ ପୃଷ୍ଠା ଉପରେ ତର୍ଜମା ଚାଲିଛି। ମନରେ ଘୃଣା ଥିବା ଜିନିଷ ବା ବ୍ୟକ୍ତି ବିଶେଷଙ୍କୁ ଘୃଣା କରି ସୁସ୍ଥ ସମାଜ ଗଠନ କରାଯାଇ ପାରେନା। ଈଶ୍ବର ସତ୍ୟ ବୋଲି ବିଚାର କରି ଧାଇଁବା ପରିବର୍ତ୍ତେ ସତ୍ୟକୁ ଈଶ୍ବର ମଣିଲେ ନିବିଡ ଭଲପାଇବା ଜାତ ହେବ । ଏହାଦ୍ୱାରା ଅନେକ ସମସ୍ୟାର ସମାଧାନ ଆପଣାଛାଏଁ ଘଟିବ।

‘ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା’ ଯଦି ସବୁ ଧର୍ମର ପରିଭାଷା, ତେବେ ଧର୍ମକୁ ନେଇ ଏତେ ବିରୋଧ ଭାବ କାହିଁକି? କାହିଁକି ଆମ ଭିତରେ ଏତେ ଛନ୍ଦକପଟ? ଧର୍ମାନ୍ତକରଣର ପ୍ରତିଯୋଗିତା କାହିଁକି ଚାଲିଛି? ନିଜ ଧର୍ମ ସପକ୍ଷରେ ଯୁକ୍ତି କରିବା ସିନା ଦୋଷାବହ ନୁହେଁ, କିନ୍ତୁ କାହାକୁ ପ୍ରଲୋଭିତ କରି ଅଥବା ଧମକଚମକ ଦେଇ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିବା କେବଳ ଦୋଷାବହ ନୁହେଁ ଜଘନ୍ୟ ଅପରାଧ। ମନରେ ପ୍ରଶ୍ନ ଉଠେ, ଧର୍ମରେ ସେବା ନା ସେବାରେ ଧର୍ମ? ଆମର ଧାରଣା ଧର୍ମ ଗ୍ରହଣ କଲେ ସେବା କରିବାର ସୁଯୋଗ ମିଳେ; କିନ୍ତୁ ସେବା ହିଁ ଧର୍ମ ବୋଲି ବିବେଚନା କରି ପଥ ଚାଲିଲେ ଆମ ଭିତରେ ଦ୍ବନ୍ଦ୍ବ ରହିବ ନାହିଁ କି କଳହ ଉପୁଜିବ ନାହିଁ। ଫଳରେ କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ପ୍ରତି ଅନ୍ଧ ଅନୁରକ୍ତି ରହିବ ନାହିଁ। ଏହା ହିଁ ଧର୍ମନିରପେକ୍ଷତା, ଆମର ଆତ୍ମା। କିନ୍ତୁ କୌଣସି ଧର୍ମକୁ ମାଧ୍ୟମ କରି ଈଶ୍ବରଙ୍କ ନିକଟରେ ପହଞ୍ଚିବାର ଉଦ୍ୟମ କରିବା ଏକ ଧର୍ମୀୟ ମୂଢ଼ତା କୁହାଯାଇ ପାରେ। ଏହା ହିଁ ସମ୍ପ୍ରତି ସମାଜ ସଭ୍ୟତା ଓ ସଂସ୍କୃତି ପ୍ରତି ବୃହତ ବିପଦ।

ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଆମେ ଜାଣିପାରିବା ଆମ ଦେଶ କେମିତି ବାରମ୍ବାର ଏହିପରି ବୃହତ ବିପଦର ସମ୍ମୁଖୀନ ହୋଇଛି। ଏହି ଆବେଗକୁ ସଉଦା କରି ବିଭିନ୍ନ ଶାସକ ଶ୍ରେଣୀ ଆମ ଭିତରେ ବିଭାଜନର ବିଷ ମଞ୍ଜି ବୁଣିବାରେ ସମର୍ଥ ହୋଇଛନ୍ତି। ଇଂରେଜମାନଙ୍କ ପାଇଁ ତ ଏହା ଥିଲା ମୁଖ୍ୟ ଅସ୍ତ୍ର। ଏହି ଅମୋଘ ଅସ୍ତ୍ରକୁ ବ୍ୟବହାର କରି ବାଣିଜ୍ୟ କରିବାକୁ ଆସିଥିବା ଗୋଟିଏ ଜାତି ଦୀର୍ଘ ଦୁଇଶହ ବର୍ଷ ଆମକୁ ଶାସନ କଲେ, ଶୋଷଣ କଲେ। ଶେଷରେ ବଙ୍ଗ ଭଙ୍ଗ ଆଇନ ଆଣି ଆମ ଦେଶକୁ ବିଭାଜିତ କରିଦେଲେ। ଆଜି ବି ସେହି ବିଷର ଜ୍ୱାଳା ଆମକୁ ସହିବାକୁ ପଡୁଛି। ଆଉ ଏହାର ଉପଶମ ପାଇଁ ଜାତୀୟତା ଏକମାତ୍ର ମହୌଷଧି ବୋଲି ଆମେ ଧରିନେଇଛୁ।

ପରମାଣୁ ବୋମାର ଅପବ୍ୟବହାରର ଭୟାବହତା ଜାପାନର ହିରୋସୀମା ଓ ନାଗାସାକିରେ ଆମେ ଦେଖିଛନ୍ତି। ଏହା ମଣିଷର କେବଳ ମୃତ୍ୟୁର ସୌଦାଗର ହୋଇ ଉଭା ହୋଇନଥିଲା, ଅସଂଖ୍ୟ ମଣିଷକୁ ଏହା ପଙ୍ଗୁ କରିଦେଇଥିଲା; ଯେଉଁଥିରୁ ଆଜି ବି ସେଠାକାର ଅଧିବାସୀ ମୁକୁଳି ପାରି ନାହାନ୍ତି। ସେମିତି ଧର୍ମର ଭୁଲ ବାଖ୍ୟା ସମ୍ପ୍ରଦାୟିକ ହିଂସାର ସୂତ୍ରପାତ କରିବା ସଙ୍ଗେସଙ୍ଗେ ମଣିଷର ଚେତନାକୁ ପଙ୍ଗୁ କରିଦେବ । ଏଭଳି ଏକ ବୃହତ ବିପଦକୁ ମୁକାବିଲା ଆମେ ସେତିକିବେଳେ କରିପାରିବା ଯେତେବେଳେ ସେବା ହିଁ ଧର୍ମ ଓ ସତ୍ୟ ହିଁ ଈଶ୍ବର ବୋଲି ମନ ମସ୍ତିଷ୍କ ଓ ହୃଦୟରେ ଗ୍ରହଣ କରିନେବା।

kalyan agarbati

Comments are closed.