ଏକ ନ୍ୟାୟପୂର୍ଣ୍ଣ ଏବଂ ନିରପେକ୍ଷ ସମାଜ ଗଠନ କ୍ଷେତ୍ରରେ ଅସମାନତା ଏକ ବଡ଼ ଆହ୍ୱାନ। ଆମର ସମ୍ବିଧାନ ନିର୍ମାତାମାନେ ହୃଦବୋଧ କଲେ ଯେ ସମାଜର ଉଚ୍ଚବର୍ଗ ସର୍ବଦା ସୁବିଧା ଓ ସୁଯୋଗର ଲାଭ ଉଠାଇ ଆସୁଛନ୍ତି ଏବଂ ନିମ୍ନବର୍ଗ ଏଥିରୁ ବଞ୍ଚିତ ହେଉଛନ୍ତି । ଏହି ଅସମାନତାକୁ ଦୂର କରାଯାଇ ଏକ ସମତାବାଦୀ ସମାଜ ଗଠନ କରାଯିବା ପାଇଁ ଯେଉଁ ସୂତ୍ର ବାହାର କରାଗଲା ତାହା ହେଲା ସଂରକ୍ଷଣ । ସଂରକ୍ଷଣ ନୀତି ଅନୁସାରେ ସମାଜର ଉଚ୍ଚବର୍ଗ ଉପରେ କିଛି ପ୍ରତିବନ୍ଧକ ଲଗାଗଲା ଏବଂ ନିମ୍ନ ସ୍ତରର ଲୋକଙ୍କୁ କିଛି ବିଶେଷ ସୁବିଧା ପ୍ରଦାନ କରାଗଲା । ଏହା ପଛରେ ଏକ ବଡ ଯୁକ୍ତି ହେଲା ଯେ ସମାଜର ଅବହେଳିତ ବର୍ଗ, ଯଥା ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗ ଓ ମହିଳା ଯୁଗଯୁଗ ଧରି ସମାନ ସୁବିଧା-ସୁଯୋଗରୁ ବଞ୍ଚିତ ଏବଂ ବହିଷ୍କରଣର ଶିକାର ହୋଇଛନ୍ତି । ତେଣୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ସଂରକ୍ଷଣ ନୀତି ପ୍ରୟୋଗ କରାଗଲା। ଏହିଭଳି କାର୍ଯ୍ୟକ୍ରମକୁ ସୁରକ୍ଷାତ୍ମକ ଭେଦଭାବ (ପ୍ରୋଟେକ୍ଟିଭ ଡିସ୍କ୍ରିମିନେସନ), ଓଲଟା ଭେଦଭାବ (ରିଭର୍ସ ଡିସ୍କ୍ରିମିନେସନ), ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ନୀତି, ବଣ୍ଟନାତ୍ମକ ନ୍ୟାୟ, ସମ୍ବଳର ପୁନଃବଣ୍ଟନ ଇତ୍ୟାଦି ନାମ ପ୍ରଦାନ କରାଗଲା । ଏହି ନୀତିର ବିଭିନ୍ନ ରୂପଗୁଡ଼ିକ ହେଲା ଚାକିରି ଓ ଶିକ୍ଷାନୁଷ୍ଠାନରେ ପ୍ରବେଶ ପାଇଁ ସଂରକ୍ଷଣ, ବୟସ କୋହଳ, ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ, ଆର୍ଥିକ ସହାୟତା, କୋଟା ପ୍ରଦାନ ଇତ୍ୟାଦି । ସାମାଜିକ ବହିଷ୍କାରର ଶିକାର ହୋଇଥିବା ଲୋକଙ୍କୁ ସ୍ୱତନ୍ତ୍ର ସୁବିଧା ପ୍ରଦାନକରି ସମାଜର ମୁଖ୍ୟ ସ୍ରୋତକୁ ଆଣିବା ହେଉଛି ସଂରକ୍ଷଣ ନୀତିର ମୂଳ ଲକ୍ଷ୍ୟ ।
ସଂରକ୍ଷଣର ନକାରାତ୍ମକ ପ୍ରଭାବ ସଂପର୍କରେ ଅନେକ ମତ ପ୍ରଦାନ କରନ୍ତି ଯେ ଏହା ନିରପେକ୍ଷତାକୁ ବିରୋଧ କରେ। ଦାର୍ଶନିକ ଦୃଷ୍ଟିରୁ ଏହା ତ୍ରୁଟିପୂର୍ଣ୍ଣ । ଜାତି, ଧର୍ମ, ବଂଶ ଅଥବା ଲିଙ୍ଗକୁ ଆଧାରକରି ବିଶେଷ ସୁବିଧା ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ବଞ୍ଚିତ କରିବା ଅନ୍ୟାୟ ଅଟେ। ବର୍ତ୍ତମାନର ସମାଜ ଅଧିକ ନିରପେକ୍ଷ, ଉଦାର । ପୂର୍ବାପେକ୍ଷା ସମାଜରେ ଜାତିଭେଦ, ଛୁଆଁ-ଅଛୁଆଁ କମିଛି । ପୁରୁଷ-ନାରୀ, କଳା-ଗୋରା, ପୂର୍ବ-ପାଶ୍ଚାତ୍ୟ ଉଚ୍ଚଧର୍ମ-ନୀଚଧର୍ମର ବ୍ୟବଧାନ କମିଛି। ଉଚ୍ଚବର୍ଗର ଲୋକଙ୍କର ଯୁକ୍ତି ହେଲା ଯେ ସେମାନଙ୍କ ପୂର୍ବପୁରୁଷ ନିମ୍ନବର୍ଗର ଲୋକଙ୍କୁ ଅଧିକାରରୁ ବଞ୍ଚିତ କରିଥିଲେ ବା ଶୋଷଣ କରୁଥିଲେ- ଏହା ସତ; କିନ୍ତୁ ତା’ର ଭରଣା ପାଇଁ ବର୍ତ୍ତମାନ ପିଢ଼ିକୁ ଭୋଗିବାକୁ ପଡ଼ୁଛି । ପୂର୍ବପୁରୁଷଙ୍କ କୃତକାର୍ଯ୍ୟ ପାଇଁ ବର୍ତ୍ତମାନର ପିଢ଼ିକୁ ଦଣ୍ଡ ଦେବା କେତେଦୂର ନ୍ୟାୟସଙ୍ଗତ? ଚାକରି କ୍ଷେତ୍ରରେ ଅଯୋଗ୍ୟ ବ୍ୟକ୍ତିକୁ ନିଯୁକ୍ତି ଦେଇ ଯୋଗ୍ୟ ବ୍ୟକ୍ତିକୁ ସେଥିରୁ ବଞ୍ଚିତ କରାଇବା କେତେଦୂର ସମୀଚୀନ? ଜଗତୀକରଣ ପରେ ବର୍ତ୍ତମାନ ରାଷ୍ଟ୍ର ଏକ ସାଧାରଣ ରାଜନୈତିକ ବ୍ୟବସ୍ଥାରେ ପରିଣତ ହୋଇଛି, ଯେଉଁଠି ରାଷ୍ଟ୍ରକର୍ତ୍ତା ଓ ଅଣରାଷ୍ଟ୍ରକର୍ତ୍ତାଙ୍କ ଭୂମିକା ସମାନ । ତେଣୁ ଅଣରାଷ୍ଟ୍ରସଂସ୍ଥା, ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକରେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ସେମାନେ ଅଯୋଗ୍ୟଙ୍କୁ ଚାକିରି ଦେଇ ଯୋଗ୍ୟତମ ବ୍ୟକ୍ତିକୁ ଉପେକ୍ଷା କରନ୍ତି ନାହିଁ ।
ସମାନତା ନାମରେ ଯୋଗ୍ୟତମ ବ୍ୟକ୍ତିର ଶ୍ରେଷ୍ଠତାକୁ ଜଳାଞ୍ଜଳି ଦେବା ପ୍ରାକୃତିକ ନ୍ୟାୟ ବିରୋଧୀ । ନିମ୍ନ ବର୍ଗରେ ମଧ୍ୟ ଅନେକ ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ଆଗୁଆ ଥାଇ ଲାଭ ପାଉଛନ୍ତି। ଅପରପକ୍ଷରେ ଉଚ୍ଚ ଜାତିରେ ଥିବା ଆର୍ଥିକ ଏବଂ ଶିକ୍ଷା କ୍ଷେତ୍ରରେ ପଛୁଆ ଲୋକଙ୍କୁ ସୁବିଧା ମିଳୁନାହିଁ। ଅସମାନତା ହେଉଛି ପ୍ରକୃତିର ନିୟମ। ସମାନତା ଦାବିର ଅର୍ଥ ହେଉଛି ପ୍ରାକୃତିକ ନିୟମ ବିରୁଦ୍ଧରେ ଯିବା । ସମାଜର କାର୍ଯ୍ୟ ଅନୁସାରେ ସ୍ତର ବିନ୍ୟାସ ହେବା ଯୁକ୍ତିଯୁକ୍ତ । ଏମିତି କେତେକ କାର୍ଯ୍ୟ ଅଛି ଯାହା କେବଳ କେତେକ ନିର୍ଦିଷ୍ଟ ବ୍ୟକ୍ତି ହିଁ ଏଥିପାଇଁ ଉପଯୁକ୍ତ ମନେହୁଅନ୍ତି । ଦେଶର କୂଟନୀତି, ପରମାଣୁ ଶକ୍ତି ଉତ୍ପାଦନ କରୁଥିବା ବୈଜ୍ଞାନିକ, ମହାକାଶ ଗବେଷଣା, ଚିକିତ୍ସା ଆଦି କାର୍ଯ୍ୟରେ ସଂରକ୍ଷଣ ଯୁକ୍ତିଯୁକ୍ତ ନୁହେଁ। ନିଜ ବସ୍ତୁଗତ ସମ୍ବଳ (ଦ୍ରବ୍ୟ ଓ ସେବା) ଓ ଅଣବସ୍ତୁଗତ ସମ୍ବଳ (ଜ୍ଞାନ, ଶିକ୍ଷା, ସ୍ୱାସ୍ଥ୍ୟ, ଅଧିକାର, ସ୍ୱତନ୍ତ୍ରତା) ଆଦି ଉପରେ ବ୍ୟକ୍ତିର ପୂର୍ଣ୍ଣ ଅଧିକାର ରହିଛି। ତେଣୁ ରାଷ୍ଟ୍ରଦ୍ୱାରା ସମ୍ବଳର ଯେ କୌଣସି ପୁନଃବଣ୍ଟନ ଅନ୍ୟାୟ ଅଟେ ।
ବ୍ୟକ୍ତିର ଜନ୍ମସ୍ଥିତି ସମାଜରେ ସେମାନଙ୍କ ପାଇଁ ଅସମାନତା ସ୍ଥିତିକୁ ଜନ୍ମ ଦେଇଥାଏ । କେବଳ ଯୋଗ୍ୟ ବ୍ୟକ୍ତିକୁ ପୁରସ୍କୃତ କରିବା ଅନ୍ୟାୟ ହେବ । ଯଦିଚ ପ୍ରତ୍ୟେକ ବ୍ୟକ୍ତି ନିଜର ଯୋଗ୍ୟତାର ଉପଯୁକ୍ତ ମାଲିକ ଅଟନ୍ତି, ତଥାପି ଯୋଗ୍ୟତା କେବଳ ଭାଗ୍ୟର କଥା, କେତେକଙ୍କୁ ମିଳେ, ଅନ୍ୟ କେତେକଙ୍କୁ ମିଳେ ନାହିଁ । ଯେଉଁ ଲୋକମାନେ ପ୍ରାକୃତିକ ଦୃଷ୍ଟିକୋଣରୁ ଯୋଗ୍ୟ, ପ୍ରାକୃତିକ ଦୃଷ୍ଟି କୋଣରୁ ଅଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସେମାନଙ୍କର କିଛି କର୍ତ୍ତବ୍ୟ ରହିଛି । ଯୋଗ୍ୟ ଲୋକଙ୍କୁ ଯୋଗ୍ୟତାର ଅସଲ ଲାଭ ସେତେବେଳେ ମିଳିବ ଯେତେବେଳେ ତା’ର ଯୋଗ୍ୟତା ଦ୍ୱାରା ଅନ୍ୟମାନେ ଉପକୃତ ହେେବ । ତେଣୁ ମୌଳିକ ପଦାର୍ଥର ବିତରଣରେ ସାମାଜିକ ଓ ଆର୍ଥିକ ଅସମାନତାକୁ ଏମିତି କ୍ରମବ୍ୟବସ୍ଥିତ କରାଯିବା ଉଚିତ; ଯଦ୍ଦ୍ବାରା ସମାଜର ନ୍ୟୂନତମ ବ୍ୟକ୍ତି ଅଧିକ ଲାଭ ପାଇବ । କ୍ଷତିଭରଣା ଦ୍ୱାରା ସମାଜର ନିମ୍ନ ଶ୍ରେଣୀ ଉପର ସ୍ତରକୁ ଉଠିପାରିବେ । କାରଣ, ବୁଦ୍ଧି ଏବଂ ଯୋଗ୍ୟତା କେବଳ ଚାକିରି ପାଇବାର ମାନଦଣ୍ଡ ନୁହେଁ । ଅନୁସୂଚିତ ଜାତି ଓ ଜନଜାତିର ଲୋକେ ଶିକ୍ଷାକ୍ଷେତ୍ରରେ ପଛୁଆ ହେବା ପାଇଁ ସେମାନେ ଦାୟୀ ନୁହନ୍ତି। ଏଥିପାଇଁ କେତେକାଂଶରେ ଜାତି, ବର୍ଗ, ଲିଙ୍ଗ, ସଂସ୍କୃତି ଓ ଧର୍ମ ଦାୟୀ। “ଆଇନ ଆଗରେ ସମସ୍ତେ ସମାନ”- ଏହା କେବଳ ସମାନ ସୁଯୋଗ ପ୍ରଦାନ କରିଥାଏ । ସମସ୍ତେ ସମାନ ସୁଯୋଗ ପାଇଲେ ମଧ୍ୟ ସମାନତାର ଫଳାଫଳକୁ ଦେଖିଲେ ଯୋଗ୍ୟତମ ବ୍ୟକ୍ତି ହିଁ ଚାକିରି ପାଇବ । ଗୋଟିଏ ଦୈାଡ ପ୍ରତିଯୋଗିତାରେ ଜଣେ ଦୁର୍ବଳ ଓ ଜଣେ ସବଳକୁ ଠିଆ କରାଇ ଆମେ ସମାନ ସୁଯୋଗ ପ୍ରଦାନ କରିଛୁ ବୋଲି କହିବା ଠିକ୍ ହେବ ନାହିଁ ।
ପ୍ରତିଯୋଗିତା ପୂର୍ବରୁ ଦୁର୍ବଳର ସାମର୍ଥ୍ୟକୁ ବଢାଇଲେ ହିଁ ସମାନତା ସୃଷ୍ଟିହେବ । ତେଣୁ ସମାନ ସୁଯୋଗ ପ୍ରଦାନ କରିବା କେବଳ ଯଥେଷ୍ଟ ହେବନି । ଦୁର୍ବଳ ଶ୍ରେଣୀ ପାଇଁ ସ୍ୱତନ୍ତ୍ର ସୁରକ୍ଷାର ଆବଶ୍ୟକ ଅଛି । ସମାଜର ଦୁର୍ବଳ, ନିର୍ବଳ ଏବଂ ଅସହାୟ ବର୍ଗକୁ ସହାୟତା ପ୍ରଦାନ କରିବା ରାଷ୍ଟ୍ରର ପିତୃସୁଲଭ କାର୍ଯ୍ୟ ଅଟେ। କେତେକ ବିଶେଷ ପରିସ୍ଥିତିରେ ଆଇନ ଯୁକ୍ତିଯୁକ୍ତ ଭେଦଭାବ କରିପାରିବ । ସମ୍ବିଧାନର ଧାରା ୧୫ ଅନୁସାରେ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ଓ ଜନ୍ମସ୍ଥାନ ନିର୍ବିଶେଷରେ ସମସ୍ତଙ୍କୁ ସମାନ ସୁବିଧା ଓ ସୁଯୋଗ ମିଳିବା କଥା କୁହାଯାଇଥିଲେ ମଧ୍ୟ ରାଷ୍ଟ୍ର ଚାହିଁଲେ ମହିଳା, ଶିଶୁ, ତଥା ସାମାଜିକ ଓ ଶିକ୍ଷା ଦୃଷ୍ଟିରୁ ପଛୁଆ ବର୍ଗ, ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ପାଇଁ ବିଶେଷ ସୁବିଧା ପ୍ରଦାନ କରିପାରିବ। ଏହା ସମାନତାର ଫଳାଫଳକୁ ଦୃଷ୍ଟିରେ ରଖି କରାଯାଇଛି।
ମଣିଷର ଆବଶ୍ୟକତାକୁ ଅଭିଳାଷ ଏବଂ ଇଚ୍ଛା ସ୍ତରକୁ ଖସାଯିବା ଉଚିତ ନୁହେଁ । ଆବଶ୍ୟକତା ଏବଂ ବାସ୍ତବ ଆବଶ୍ୟକତା ମଧ୍ୟରେ ପାର୍ଥକ୍ୟ ଅଛି। ପ୍ରଥମଟି ଦ୍ୱାରା ମଣିଷ ଆରାମ ଅନୁଭବ କରିବ; କିନ୍ତୁ ଦ୍ୱିତୀୟଟି ବିନା ମଣିଷର ଜୀବନ ଦୁର୍ବିସହ ହୋଇପଡ଼ିବ । ମଣିଷର ବାସ୍ତବ ଆବଶ୍ୟକତା ହିଁ ନ୍ୟାୟର ମାପଦଣ୍ଡ ।
ତେଣୁ ସମାନତା ପାଇଁ ଭେଦଭାବର ଆବଶ୍ୟକତା ପଡ଼ିପାରେ । ସାମାଜିକ ବହିଷ୍କରଣ କେବଳ ପୃଥକୀକରଣ ଏବଂ ସମ୍ବଳରୁ ବଞ୍ଚିତ କରିବା ସହିତ ସୀମିତ ନୁହେଁ । ସମାଜରୁ ଅଲଗା ରହିବା ଏବଂ ଏକୁଟିଆ ଭାବନା ସେମାନଙ୍କ ମଧ୍ୟରେ ହୀନତା, ଅଧୀନତା ଭାବ ସୃଷ୍ଟି କରେ । ହୀନତା, ଅଧୀନତା ଶେଷକୁ ଦମନ ଓ ଶୋଷଣର ରୂପ ନିଏ । ଏସବୁରୁ ଅବହେଳିତମାନଙ୍କୁ ରକ୍ଷା କରିବାପାଇଁ ସଂରକ୍ଷଣ ନୀତି ଅବଲମ୍ବନ କରାଯାଇଆସୁଛି । ଏହାଦ୍ୱାରା ଅବହେଳିତ ଲୋକେ ବସ୍ତୁଗତ ସାହାଯ୍ୟ ପାଇବା ସହିତ ମାନସିକ ସ୍ତରରେ ଶାନ୍ତି ପାଇବେ । ଏଥିରେ କୌଣସି ସନ୍ଦେହ ନାହିଁ ଯେ ପକ୍ଷପାତ ବିହୀନ ନ୍ୟାୟ ପ୍ରତିଷ୍ଠା ସଂରକ୍ଷଣ ନୀତରି ଉଦ୍ଦେଶ୍ୟ । ଏହା ସମାଜର ନିମ୍ନ ବର୍ଗର ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଚେଷ୍ଟା କରିଥାଏ । ଏହି ନିମ୍ନବର୍ଗର ଲୋକେ ଯୁଗ ଯୁଗ ଧରି ଅବହେଳିତ ଓ ଶୋଷିତ ହୋଇ ଆସିଛନ୍ତି । ସେମାନଙ୍କୁ ନ୍ୟାୟପ୍ରଦାନ ପାଇଁ ସଂରକ୍ଷଣ ନୀତି ହେଉଛି ଏକ ପ୍ରଭାବଶାଳୀ ଯନ୍ତ୍ର । ଏହା ଏମିତି ଏକ ସକାରାତ୍ମକ କାର୍ଯ୍ୟାନୁଷ୍ଠାନ ନୀତି ଯାହାଦ୍ୱାରା ସମାଜରେ ବାସ୍ତବ ସମାନତା ପ୍ରତିଷ୍ଠା ହୋଇପାରିବ ।
ତେଣୁ ସାମାଜିକ ନ୍ୟାୟର କାର୍ଯ୍ୟକ୍ରମରେ ଅନ୍ୟାୟର ଶିକାର ହୋଇଥିବା ଉଭୟ ବର୍ଗର ଲୋକଙ୍କୁ ସଂରକ୍ଷଣ ଦିଆଯିବା ଉଚିତ । ଏହା ହିଁ ହେବ ନିରପେକ୍ଷ ସ୍ଥିତି । ଭାରତରେ ‘କ୍ଷତିପୂରକ ନ୍ୟାୟ’ର ବାସ୍ତବ ରୂପ ସଂରକ୍ଷଣ ହେଇଛି ଏକ ଅସ୍ଥାୟୀ କାର୍ଯ୍ୟକ୍ରମ । ସମ୍ବିଧାନ କାର୍ଯ୍ୟକାରୀ ହେବାର କିଛିବର୍ଷ ପାଇଁ ଏହାକୁ ଲାଗୁ କରାଯିବା ପାଇଁ ସ୍ଥିର କରାଯାଇଥିଲା । ସମସ୍ତ ପୀଡ଼ିତ ବର୍ଗର କ୍ଷତିପୂରଣ ହୋଇସାରିଛି ବୋଲି ଯେତେବେଳେ ଆମେ ହୃଦୟଙ୍ଗମ କରିବା ସେତେବେଳେ ଏହାକୁ ବନ୍ଦ କରିଦିଆଯିବାର ସମ୍ଭାବନା ଅଛି । ତେବେ ପ୍ରଶ୍ନ ଉଠୁଛି କ୍ଷତିପୂରଣର ସମୟସୀମା କେତେ?

